ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଅପରାହ୍ନ ୨ଟାରେ ଦାୟିତ୍ବ ଗ୍ରହଣ କରିବା ପରେ ପରେ ଉଦ୍ଧବ ବିଭିନ୍ନ ମନ୍ତ୍ରାଳୟର ସଚିବମାନଙ୍କ ସହ ବୈଠକ କରିଛନ୍ତି। ଅଫିସର୍‌ମାନଙ୍କ ସହିତ ବୈଠକ ପରେ ଉଦ୍ଧବ କହିଛନ୍ତି ଯେ ଲୋକଙ୍କ ଅର୍ଥକୁ ବରବାଦ କରିବାକୁ ଦିଆଯିବ ନାହିଁ ଏବଂ ଏଥିପାଇଁ ଅଧିକାରୀମାନେ ସତର୍କ ରହିବାକୁ ପଡ଼ିବ। ମୁମ୍ବାଇର ଆରେ କଲୋନି ସ୍ଥିତ ମେଟ୍ରୋ କାର୍‌ ସେଡ୍‌ କାମ ବନ୍ଦ କରିବା ପାଇଁ ଉଦ୍ଧବ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ରୋ ସେଡ୍‌ ପାଇଁ କାମ ତ୍ବରାନ୍ବିତ ହୋଇଥିବା ବେଳେ ଏହାକୁ ବନ୍ଦ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନେକଙ୍କୁ ବିସ୍ମିତ କରିଛି। ଉଦ୍ଧବ ଆଜି ସାମ୍ବାଦିକଙ୍କୁ କହିଛନ୍ତି ଯେ ରାଜ୍ୟରେ ବିଗତ ବର୍ଷମାନଙ୍କରେ ବିଶେଷ କିଛି ପ୍ରଗତି ହୋଇନାହିଁ କିନ୍ତୁ ରାଜକୋଷରୁ ଅର୍ଥ ଅପଚୟ ହେଉଛି।

ଉଦ୍ଧବ ଆଜି ମନ୍ତ୍ରାଳୟ ପହଞ୍ଚିବା ପରେ ପ୍ରଥମେ ଛତ୍ରପତି ଶିବାଜୀ ମହାରାଜଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଉଦ୍ଧବଙ୍କ ନେତୃତ୍ବଧୀନ ମହା ବିକାଶ ଅଘାଡ଼ି ସରକାର ଆସନ୍ତାକାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ଜଣାପଡ଼ିଛି। କଂଗ୍ରେସ-ଏନ୍‌ସିପି-ଶିବସେନାର ମିଳିତ ସରକାର ପାଖରେ ପର୍ଯ୍ୟାପ୍ତ ସମର୍ଥନ ଥିବାରୁ ଏହା ସୁରୁଖୁରୁରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବ ବୋଲି ଏନ୍‌ସିପି ନେତା ନବାବ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ଆଜି ଦିଲ୍ଲୀପ ୱାଲ୍‌ସେ ପାଟିଲ ବିଧାନସଭାର ନୂଆ ପ୍ରୋଟେମ୍‌ ସ୍ପିକର୍‌ ନିଯୁକ୍ତ ହୋଇଛନ୍ତି।

ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟକୁ ବେଆଇନ ବୋଲି ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ରୁଜୁ ହୋଇଥିବା ମାମଲା ଆଜି ଖାରଜ ହୋଇଯାଇଛି। ଜଷ୍ଟିସ୍‌ ଏନ୍‌ ଭି ରମନ୍ନା, ଅଶୋକ ଭୂଷଣ ଏବଂ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସାମ୍ବିଧାନିକ ନୈତିକତା ରାଜନୈତିକ ନୈତିକତାଠାରୁ ସଂପୂର୍ଣ୍ଣ ଭିନ୍ନ । ଗଣତନ୍ତରେ ରାଜନୈତିକ ଦଳମାନେ ପରସ୍ପର ମଧ୍ୟରେ ମେଣ୍ଟ କରିବା ଅଧିକାର ରହିଛି ଏବଂ ସେମାନଙ୍କର ଏହି ଅଧିକାରକୁ ସଙ୍କୁଚିତ କରାଯାଇପାରିବ ନାହିଁ। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପ୍ରମୋଦ ପଣ୍ଡିତ ଯୋଶୀଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା। ଶିବସେନା ବିଜେପି ଏନ୍‌ଡିଏ ମେଣ୍ଟରେ ରହି ମିଳିତ ଭାବେ ନିର୍ବାଚନ ଲଢ଼ିଥିବାରୁ ଏବେ କଂଗ୍ରେସ-ଏନ୍‌ସିପି ସହ ଶିବସେନାର ମେଣ୍ଟକୁ ‌ସେ ଲୋକଙ୍କ ସହ ବିଶ୍ବାସଘାତ ବୋଲି କହିଥିଲେ। ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ମାମଲାରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ।

LEAVE A REPLY

Please enter your comment!
Please enter your name here