ତିହିଡି,୦୯/୦୯(ଯଦୁମଣି ପାଣିଗ୍ରାହୀ ) : ଦୀର୍ଘ ଦିନର ବିବାଦ ଓ ପ୍ରତୀକ୍ଷା ପରେ ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ମନ୍ତେଇ ନଦୀର ମାଟିଆସାହି ସେତୁ କାର୍ଯ୍ୟକ୍ଷମ ହେବା ପାଇଁ ବାଟ ଫିଟିଛି । ବୁଧବାର ପୂର୍ବାହ୍ନରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ସରକାରୀ ଜମି କୁ ମାପଚୁପ କରାଇବା ସହିତ ଉକ୍ତ ସେତୁ ପାଇଁ ଜମି ଅଦଳ ବଦଳ କରିଥିବା ପ୍ରଜାଙ୍କୁ ୧୨ ଡିସିମିଲ୍ ସରକାରୀ ଜମି ହସ୍ତାନ୍ତର କରିବାର ବ୍ୟବସ୍ଥା କରିଛନ୍ତି । ସଂପୃକ୍ତ ସେତୁର ଛାତ ପଡିଯାଇଥିଲେ ମଧ୍ୟ ପଶ୍ଚିମ ପାଖ ଆପ୍ରୋଚ ରୋଡ୍ କାର୍ଯ୍ୟକ୍ଷମ ହୋଇନଥିବାରୁ ଗତ ୨୦୧୮ ମସିହାରୁ ଏହା ବନ୍ଦ ହୋଇ ପଡିଥିଲା । ଏନେଇ ଜମି ମାଲିକ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଆରଡିସିର ଦ୍ୱାରସ୍ଥ ହୋଇଥିଲେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ତାରିଖ ପରେ ତାରିଖ ଦିଆଯାଉଥିବାରୁ ଗତ ଜୁନ୍ ମାସରେ ଜମିମାଲିକ ପରିବାର ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ ।

ଏହି ଘଟଣାର ସମାଧାନ କରିବା ଲାଗି ତହସିଲଦାର ଶ୍ରୀ ପଣ୍ଡା ଆପ୍ରାଣ ଉଦ୍ୟମ ଚଳାଇ ଆସୁଥିଲେ । ଆଜିର ମାପଚୁପ ସମୟରେ ଜମମାଲିକ ଅକ୍ଷୟ ନାୟକ ଓ ଗ୍ରାମବାସୀଙ୍କ ସହିତ ସୟା ପଞ୍ଚାୟତ ସରପଞ୍ଚ ବିପିନ ରାଉତ ଓ ସୁରେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ । ତେବେ ସବୁ ବିବାଦର ଆଜି ଅନ୍ତ ଘଟିଛି ଏବଂ ସେତୁ କାର୍ଯ୍ୟକ୍ଷମ ପାଇଁ ବାଟ ମଧ୍ୟ ଫିଟିଛି । ଏହି ମାପଚୁପ ସମୟରେ ଗ୍ରାମବାସୀଙ୍କ ଅଭିଯୋଗକୁ ମଧ୍ୟ ତହସିଲଦାର ଶୁଣିଥିଲେ ଏବଂ ସେମାନଙ୍କର ଅଭିଯୋଗ ମୁତାବକ ଉକ୍ତ ଜମି ମଧ୍ୟରେ ୨୦ କଡିର ସରକାରୀ ରାସ୍ତା ପ୍ରଦାନ କରିଛନ୍ତିି । ଅନ୍ୟପଟେ ଖୁବ୍ ଶିଘ୍ର ସେତୁର ଆପ୍ରୋଚ ରୋଡ୍ କାର୍ଯ୍ୟ କରିବା ଲାଗି ସଂପୃକ୍ତ ବିଭାଗକୁ ପତ୍ର ଯୋଗେ ଅବଗତ କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ମନ୍ତେଇ ନଦୀରେ ସେତୁ ନିର୍ମାଣ ପାଇଁ ଗତ ତା ୧୧.୦୨.୧୩ରିଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଶିଳାନ୍ୟାସ କରିଥିଲେ । ଟେଣ୍ଡର ହେବାପରେ କାର୍ଯ୍ୟାରମ୍ଭ ବେଳକୁ ସେତୁର ପଶ୍ଚିମ ପାଖ ଆପ୍ରୋଚ ରୋଡଟି ସମ୍ପୂର୍ଣ୍ଣ ଭାବେ ଘରୋଇ ଜମି ଅର୍ନ୍ତଭୁକ୍ତ ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବା ସହିତ ବାତିଲ ମଧ୍ୟ ହୋଇଥିଲା ।

ପରେ ଜମି ମାଲିକ ଓ ସରକାରଙ୍କ ମଧ୍ୟରେ ଜମି ଅଦଳ ବଦଳକୁ ନେଇ ଚୁକ୍ତି ହୋଇଥିଲା ଏବଂ ସାନି ଟେଣ୍ଡର ହୋଇ ନିର୍ମାଣ କାର୍ଯ୍ୟ ମଧ୍ୟ ·ଲୁଅଛି । ୨୦୧୪ ମସିହାରେ ଜମି ମାଲିକ ପ୍ରଥମେ ନିଜର ୭୭ ଡିସିମିଲ ସ୍ଥିତିବାନ୍ ଘରବାଡି ଯୋଗ୍ୟ ଜମିକୁ ସରକାରଙ୍କୁ ହସ୍ତାନ୍ତର କରିଥିଲା ଏବଂ ୨୦୧୭ ମସିହାରେ ସରକାର ତାଙ୍କୁ ୬୫ ଡିସିମିଲ୍ ଜମି ପ୍ରଦାନ କରିଥିଲେ । ବଳକା ୧୨ ଡିସିମିଲି ଜମି ପ୍ରଦାନ କରିବା ଲାଗି ତକ୍ରାଳୀନ ଅଧିକାରୀଙ୍କ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା । ଯାହାକୁ ନେଇ ଜମି ମାଲିକ ଜିଲ୍ଲା ପ୍ରଶାସନ ଠାରେ ଫେରାଦ୍ ହୋଇ ନୟାନ୍ତ ହେବାପରେ ଶେଷରେ ଜମି ମାଲିକ ୨୦୧୮ ମସିହାରୁ ସେତୁର ଆପ୍ରୋଚ ରୋଡ କାର୍ଯ୍ୟ ବନ୍ଦ କରିଥିଲେ ।

ପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଜମିମାଲିକଙ୍କୁ ୧୨ ଡିସିମିଲ୍ ପ୍ରଦାନ କରିବା ଲାଗି ଆରଡିସିଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ବୋର୍ଡ ରେଭିନୁ୍ୟ ପକ୍ଷରୁ ସୁପାରିଶ କରାଯିବା ପରେ ଗତ ତା ୨୭.୦୫.୨୦ରିଖରେ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି କରାଯାଇଛି । ବୁଧବାର ତହସିଲଦାରଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଛି । ଆପ୍ରୋଚ ରୋଡ ନିର୍ମାଣରେ ଆଉ ଜମି ମାଲିକ ବାଧା ସୃଷ୍ଟି କରିବେ ନାହିଁ ବୋଲି ପ୍ରତିଶ୍ରୁତିି ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here