ତିହିଡି(ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଗୁଡୁପାଳ ଗାଁର ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ରିଲିଫ ଚାଉଲ ଓ ଟଙ୍କା ବଣ୍ଟନରେ ଅନିୟମିତତା କରାଯାଉଥିବା ଶନିବାର ଦିନ ଗ୍ରାମବାସୀ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଚଳିତ ବନ୍ୟାରେ ଏହି ଗାଁଟି ପ୍ରଭାବିତ ହୋଇଥିଲା ।

ତେବେ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ପରିବାର ପିଛା ୫୦ କିଗ୍ରା ଚାଉଳ ଓ ୫ଶହ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା । ସେହି ଅନୁସାରେ ସେମାନଙ୍କୁ ଚାଉଳ ଓ ଟଙ୍କା ବଣ୍ଟନ କରାଯାଉଛି । ତେବେ ଚାଉଳ ୫୦ କିଗ୍ରା ବଦଳରେ ୪୧ କିଗ୍ରା ଓ ୫ଶହ ଟଙ୍କା ପରିବର୍ତ୍ତେ ୪୪୦ଟଙ୍କା ପ୍ରଦାନ କରାଯାଉଥିବା ଗ୍ରାମବାସୀ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ରିଲିଫ ଚାଉଳ ଓ ଟଙ୍କା ସେମାନଙ୍କୁ ଗାଁରେ ଦିଆ ନଯାଇ ମୁକୁନ୍ଦପୁର ପଞ୍ଚାୟତ ଅଫିସକୁ ଡକାଯାଉଛି ।

ସରକାରୀ ନିୟମ ମୁତାବକ ରିଲିଫ ଚାଉଳ ବସ୍ତାର ସିଲ୍ ଖୋଲା ନଯାଇ ଲୋକଙ୍କୁ ଦିଆଯିବା କଥା । ମାତ୍ର ଏଠାରେ କ’ଣ ପାଇଁ ବସ୍ତା ଖୋଲାଯାଇ ଚାଉଳ ଦିଆଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି ନକଲି କମ୍ପୁ୍ୟଟର କଣ୍ଟାରେ ଚାଉଳ ଓଜନ କରି ପ୍ରଦାନ କରାଯାଉଥିବା ବେଳେ ସରକାରୀ ଖାତାରେ ୫୦ କିଗ୍ରା ଚାଉଳ ଓ ୫ଶହ ଟଙ୍କା ଦିଆଗଲା ବୋଲି ଦସ୍ତଖତ କରି ନିଆଯାଉଛି ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟ ତଥା ବିଜେପି ଯୁବନେତା ଉମାକାନ୍ତ ଦାସ, ପ୍ରଶାନ୍ତ କୁମାର ଦାସ. ଗଙ୍ଗାଧର ମହାଳିକ, ଅଜୟ କୁମାର ମହାଳିକ, ଉମେଶ ସେଠୀ, ମାନସ ମହାଳିକ, ଅଶୋକ ରାଉତ, ରାକେଶ ରାଉତ, ରଞ୍ଜନ ମହାଳିକ, ଶିବାଜୀ ମହାଳିକ ଓ ସୁରେନ୍ଦ୍ର ମହାଳିକ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here