ତିହିଡି (ଯଦୁମଣି ପାଣିଗ୍ରାହୀ )-ଓଡିଶାର ଯଶସ୍ୱୀ କବି ତଥା ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଥିବା ‘ବନେ୍ଦ ଉକ୍ରଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିବା ସହିତ ବେଶ ଯଶ ଓ ଖ୍ୟାତି ଅର୍ଜନ କରିଛନ୍ତି । କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ନାଟକ ଓ ଅନେକ ଭାବ ସଙ୍ଗୀତ ଆଦି ରଚନା କରି କାନ୍ତକବି ଓଡିଶାର ସାହିତ୍ୟକୁ ନାନା ଭାବେ ସମୃଦ୍ଧ କରି ପାରିଛନ୍ତି । ତାଙ୍କର ଅନେକ ଭାବ ସଙ୍ଗୀତ ରହିଛି ଯାହା ଶୁଣିଲେ ପ୍ରତ୍ୟେକ ମଣିଷର ହୃଦୟ ରୋମାଞ୍ଚିତ ଓ ପୁଲକିତ ହୋଇ ଉଠିବ ।

ଏହି ସଙ୍ଗୀତ ଗୁଡିକୁ ଓଡିଶାର ଯଶସ୍ୱୀ ସଙ୍ଗୀତକାର ସ୍ୱର୍ଗତ ମନମୋହନ ସାବତ୍, ଜଗନ୍ନାଥ ପାଢୀ, ଜଗବନ୍ଧୁ ସାହୁ, ରାମଚନ୍ଦ୍ର ପାଢୀ ଓ ଅଭିରାମ ବେହେରା ସ୍ୱର ଦେଇ ଯାଇଛନ୍ତି । ମାତ୍ର ପରିତାପର ବିଷୟ ହେଉଛି ଏହି ସଙ୍ଗୀତ ଗୁଡିକୁ ଗାଇବା ତ ଦୂରର କଥା ଏହାର ସଠିକ୍ ଗାୟନ ଶୈଳୀ ଅନେକଙ୍କୁ୍ୱ ମଧ୍ୟ ଜଣାନାହିଁ । ସେହିପରି ଏହି ସଙ୍ଗୀତର ମୂଲ୍ୟାୟନ ଆଜିଯାଏଁ ମଧ୍ୟ କରାଯାଇ ପାରିନାହିଁ ।

ତେବେ ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ବିଦ୍ୟାଧରପୁର ଗାଁରେ ଏମିତି ଜଣେ ନିଆରା କଣ୍ଠଶିଳ୍ପୀ ଅଛନ୍ତି ଯିଏ କାନ୍ତକବିଙ୍କ ଭାବ ସଙ୍ଗୀତ ଗୁଡିକୁ ଅତ୍ୟନ୍ତ ସୁଲଳିତ ଓ ଚମକ୍ରାର ଢଙ୍ଗରେ ଗାନ କରି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ସୁନାମଧନ୍ୟ କଣ୍ଠଶିଳ୍ପୀ ଜଣଙ୍କ ହେଉଛନ୍ତି ଭାଗିରଥି ସାହୁ । ଭାଗିରଥିଙ୍କୁ ଯେତେବେଳେ ୧୫ ବର୍ଷ ସେ ସେତେବେଳର ସୁନାମଧନ୍ୟ ସଙ୍ଗୀତ ସାଧକ ଗୁରୁ ପଦ୍ମନାଭ କୁଣ୍ଡଙ୍କ ଠାରୁ ପ୍ରାୟ ୧୦ ବର୍ଷ ସଙ୍ଗୀତ ଶିକ୍ଷା କରିଥିଲେ । ଭାଗିରଥିଙ୍କୁ ଏବେ ୬୫ ବର୍ଷ ।

ତେବେ ବୟସ ତାଙ୍କ ପାଖରେ ହାର ମାନିଛି । ଏହି ବୟସରେ ବି ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ଚମକ୍ରୃତ କରି ଦେଉଛନ୍ତି । ଭାଗିରଥିଙ୍କ ଆର୍ଥିକ ସ୍ଥିତି ଭଲ ନଥିଲେ ବି ସଙ୍ଗୀତ ସାଧନାରୁ ସେ କେବେ ବିରତ ହୋଇନାହାନ୍ତି । ଆଜି ବି ସଙ୍ଗୀତ ପରିବେଷଣ କରିବାକୁ ତାଙ୍କୁ ଡାକରା ଆସିଲେ ସେ ଅକୁଣ୍ଠିତ ମନରେ ସେଠାରେ ଉପସ୍ଥିତ ହୋଇଯାଆନ୍ତି । କେବଳ କାନ୍ତକବିଙ୍କ ଭାବ ସଙ୍ଗୀତ ନୁହେଁ ବରଂ ରାଜ୍ୟର ବହୁ ଖ୍ୟାତିସଂପନ୍ନ କବିଙ୍କ ପ୍ରାଚୀନ ସଙ୍ଗୀତକୁ ଭାଗିରଥି ଅତି ସୁନ୍ଦର ଭାବେ ଗାନ କରିପାରନ୍ତି ।

ରାତିଦିନ ସଙ୍ଗୀତରେ ନିଜକୁ ବୁଡାଇ ରଖିଥିବା ଭାଗିରଥିଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ମାନୀତ କରାଯାଇଛି । ସରକାରଙ୍କ ପକ୍ଷରୁ ତାଙ୍କୁ କଳାକାର ଭତ୍ତା ମଧ୍ୟ ପ୍ରଦାନ କରାଯାଉଛି । ତେବେ ଜଣେ କଳାକାରଙ୍କ ଲାଗି ଏହା ସମୁଦ୍ରକୁ ଶଙ୍ଖେ ବୋଲି ଭାଗିରଥି କୁହନ୍ତି । ଆଜି ଭାଗିରଥି ଓ ଅନ୍ୟମାନଙ୍କ ଉଦ୍ୟମରେ ତିହିଡିରେ ଏକ କଳାକାର ସଂଘ ପ୍ରତିଷ୍ଠା କରାଯାଇଛି । ଗାଁ ଗହଳିରେ ରହିଥିବା ଅନାଲୋଚିତ ପ୍ରତିଭା ମାନଙ୍କୁ କଳାକାର ସଂଘ ମାଧ୍ୟମରେ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଭାଗିରଥି ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଜଣେ କଳାକାର ନିରନ୍ତର ନିଜର ସାଧନା ଜାରି ରଖିପାରିଲେ ଯାଇ ସଫଳତା ମିଳିପାରିବ ବୋଲି ଭାଗିରଥି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here