ସୌଭାଗ୍ୟ ଗିରି ,ଶିକ୍ଷୟିତ୍ରୀ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା:  ସେଦିନ ଲତା ଭାରି ଫୂର୍ତ୍ତି l ତରତର ହେଇ ସବୁ କାମ ସାରି ଦେଉଥାଏ l ରାତିରେ ଟିଭିରେ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ବାର୍ତ୍ତା ଦେବେ l ପ୍ରଧାନମନ୍ତ୍ରୀଙ୍କର ପ୍ରତୈକ କଥା ସେ ସବୁବେଳେ ଶୁଣେ ଆଉ ଅକ୍ଷରେ ଅକ୍ଷରେ ପାଳନ ବି କରେ l ଘଣ୍ଟଘଣ୍ଟା ବି ସେ ପିଟିଛି ଆଉ ଦୀପ ମହମବତୀ ବି ଜାଳିଛି l ଏଥର ପୁଣି ଅପେକ୍ଷା କରିଛି ଆଉ କ’ଣ କହିବେ ଆମ ପ୍ରଧାନମନ୍ତ୍ରୀ l
ଲତା ଆଉ ତା ସ୍ୱାମୀ ବାବୁଲା  ଏଇ ବର୍ଷେ ହେବ ସହରକୁ ଆସିଛନ୍ତି l ବାବୁଲା ଗୋଟେ କାରଖାନାରେ କାମ କରେ l ସାତ ହଜାର ଟଙ୍କା ପାଏ l ସେଇଥିରୁ ଦି’ ହଜାର ଟଙ୍କା ଘର ମାଲିକ କୁ ଦେଇ ସାରିଲା ପରେ ବାକିତକ ଟଙ୍କାରେ ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଆଉ ଚାରି ବର୍ଷର ପୁଅ କଷ୍ଟେମଷ୍ଟେ ଚଳିଯାଆନ୍ତି l ହେଲେ ଏଇ ଲକ୍ ଡାଉନ୍ ହେବା ଦିନଠୁ ସେମାନେ ଭାରି ହଇରାଣ ହେଉଛନ୍ତି l ଆଗରୁ ସେ ଗାଁ ରେ ରହୁଥିଲା l ଗାଁ ଜୀବନ ସତରେ ବହୁତ୍ ଭଲ l ଅଭାବ କ’ଣ ସେମିତି କିଛି ଜଣା ପଡେନି l ଆଜି ଏ ଜିନିଷଟା ନାହିଁ ତ ଏ ପଡୋଶୀ ଘରୁ ଧାର୍ ନେଇଆସ l କାଲି ସେ ଜିନିଷ ଟା ନାହିଁ ତ ସେ ପଡୋଶୀ ଘରୁ ଧାର୍ ନେଇଆସ l ଗାଁ ରେ ତ ଏସବୁ ଚଳେ l ସେଥିପାଇଁ ତ ଗାଁ ଲୋକମାନେ ଟିକେ ଟିକେ କଥାରେ ବ୍ୟାଗ୍ ଧରି ବଜାରକୁ ଦୌଡନ୍ତିନି l ହେଲେ ଦୁର୍ବୁଦ୍ଧି ଦିଶିଲା କେଜାଣି ବେଶୀ ରୋଜଗାର କରିବା ଆଶାରେ ସେମାନେ ଗାଁ ଛାଡି ସହରକୁ ଆସିଲେ l ହେଲେ ମିଳିଲା କ’ଣ ?
ଏଇ ଭିତରେ ଆଠଟା ବାଜିଗଲାଣି l ଲତା ଟିଭି ଟା ଲଗେଇ ଦେଇ ଲଥ୍ କିନା ଟିଭି ଆଗରେ ବସି ପଡିଲା l ସବୁ ମନଧ୍ୟାନ ଦେଇ ଶୁଣୁଥାଏ l ଲତା ଅଧାପାଠୁଆ l ହେଲେ ସଚେତନତା ରେ ସେ ପାଠୁଆ ଲୋକଙ୍କୁ ବି ବଳିଯିବ l ସବୁ ଶୁଣିସାରିି ଲତା ବୁଝିଗଲା ଯେ ଏମିତି ପରିସ୍ଥିତିରୁ ବାହାରକୁ ବାହାରିବାକୁ ହେଲେ ସମସ୍ତଙ୍କୁ ଆତ୍ମନିର୍ଭର ହେବାକୁ ପଡିବ l ହେଲେ ଏଇ ଆତ୍ମନିର୍ଭର ଟା ପୁଣି କ’ଣ ? ମାନେ ଅନ୍ୟ କାହା  ଉପରେ ନିର୍ଭର ନ କରି ନିଜ ଉପରେ ନିର୍ଭର କରିବା,ଏୟା ତ ? ନା ଆଉ କ’ଣ ? କଥାଟା କିଛି ବୁଝା ପଡୁ ନଥିଲା ଲତାକୁ l କାହାକୁ ଏବେ ସେ ପଚାରିବ l ତା ସ୍ୱାମୀ ବାବୁଲା ତ ତା’ଠୁ ବି କମ୍ ପାଠ ପଢିଛି l
ସେ କ’ଣ କହିପାରିବେ l ହେଲେ ଘରବାଲା ଦିଦି କହିପାରିବେ l ସେ ତ ପାଠ ପଢିଛନ୍ତି l ବଡ ଚାକିରି ବି କରିଛନ୍ତି l ଲତା ସିଧା ଚାଲିଲା ଘରବାଲାଙ୍କ ଘରକୁ l ସେ ଲତା କୁ ବୁଝେଇଲେ l କହିଲେ – ଦେଖ,ଆତ୍ମନିର୍ଭର ର ଅର୍ଥ ତମେ ପ୍ରାୟ ଠିକ୍ ବୁଝିଛ l ଆତ୍ମନିର୍ଭର ଶବ୍ଦ ସିନା ଅତି ଛୋଟିଆ ଶବ୍ଦଟିଏ l ହେଲେ ତା’ର ଅର୍ଥ ବହୁତ୍ ବ୍ୟାପକ l ଛୋଟିଆ ଶବ୍ଦଟିଏ ବ୍ୟବହାର କରି ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ବହୁତ୍ ବଡ ବାର୍ତ୍ତା ଦେଇଗଲେ l ଯିଏ ଯେମିତି ବୁଝିଲେ ବି ଦେଶର ମଙ୍ଗଳ ହି ମଙ୍ଗଳ l  ଆତ୍ମନିର୍ଭର ଅର୍ଥ ଯେ କୌଣସି କଥାରେ ଅନ୍ଯ ଉପରେ ନିର୍ଭର ନ କରିବା l ମାନେ ଏଇ ଯେମିତି କୌଣସି ଦ୍ରବ୍ଯ ପାଇଁ ବାହାର ଦେଶ ଉପରେ ନିର୍ଭର ନ କରିବା l ଯଥା ସମ୍ଭବ ଆମ ନିଜ ଦେଶର ଜିନିଷ ବ୍ୟବହାର କରିବା l
  ଆମ ହାତ ପାଖରେ ରୋଜଗାର ପନ୍ଥା ଥାଇ ବି ଆମେ ରୋଜଗାର କରିବାକୁ ବାହାରକୁ ନ ଦୌଡିବା l ବା କିଛି ନ କରି ବସି ନ ରହିବା l ଏଇସବୁ lଆତ୍ମନିର୍ଭର ମାନେ ଯେ ତମେ ଗୋଟେ ଘରୋଇ ସ୍ତ୍ରୀ ଲୋକ ହେଇ ନିଜେ ଯାଇ ଆତ୍ମନିର୍ଭର ହେବ ବା ବୟସ୍କ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ କହିବ ସେୟା ନୁହେଁ l ଏଥିରେ ମୂଖ୍ୟ ଭୂମିକା ରହିଛି ଯୁବକ ମାନଙ୍କର l  ଦେଶର ଗୋଟେ ସବୁଠୁ ବଡ ସମସ୍ୟା ହେଲା ବେକାରୀ ସମସ୍ୟା l ଦୁନିଆଁ ରେ କୌଣସି ବି କାମ ଛୋଟ ନୁହେଁ l ସେଇଟା ସମସ୍ତେ ବୁଝିବା ଦରକାର l ଆରେ ତମେ ଘୋଡା ଚଢ କି ଘାସ କାଟ l ୟା ଭିତରୁ କୋଉଟା ବି ଛୋଟ କାମ ନୁହେଁ l ନିଜେ ଚିନ୍ତା କରି ଦେଖ , ଦୁନିଆଁ ରେ ପ୍ରତୈକ କାମ ପରସ୍ପରର ପରିପୂରକ l ଗୋଟେ ବିନା ଆଉ ଗୋଟେ ର ସ୍ଥିତି ନାହିଁ l ଯେ କୌଣସି ଜାଗା ଦେଖ l ସେଇ ସମାନ କଥା l
ଯଦି ଜଣେ ଅଫିସର୍ କହିବେ ମୋର କାମ ବଡ, ପିଅନର କାମ ଛୋଟ l ତାହାଲେ ବଡ ଅଫିସର୍ ଜଣଙ୍କ ତାଙ୍କ ବଡ କାମକୁ ଏକା କରୁ ନାହାଁନ୍ତି କାହିଁକି ? କହିବାର ତାତ୍ପର୍ଯ୍ୟ ବଡକାମ ଛୋଟକାମ ଏମିତି ସ୍ତରୀକରଣ ନ କରି ସମସ୍ତେ କାମରେ ଲାଗନ୍ତୁ l ଆଉ ଯୁବକ ମାନେ ସମସ୍ତେ ଜଣେ ଜଣେ ବିଶ୍ୱକର୍ମା ସାଜନ୍ତୁ l ଯୁବକ ମାନେ ହେଲେ ଆମ ସମାଜର ସର୍ବାଧିକ ସମ୍ବେଦନଶୀଳ ସାହସୀ ଜନଗୋଷ୍ଠୀ l ତାରୁଣ୍ୟ ରେ ଭରପୁର ସେମାନଙ୍କର ଜୀବନ ଯେ କୌଣସି ପ୍ରକାର ଚାଲେଞ୍ଜ୍ ବି ଗ୍ରହଣ କରିପାରିବ l ଏବେ ଏମିତି ଅବସ୍ଥାରେ ଦେଶର ଉନ୍ନତି ପାଇଁ ପ୍ରଥମେ ଯୁବଗୋଷ୍ଠୀ ଅଣ୍ଟା ଭିଡନ୍ତୁ l  ଆଗରେ ରହି ସମସ୍ତଙ୍କ ପଥପ୍ରଦର୍ଶକ ହୁଅନ୍ତୁ l ତାହେଲେ ଯାଇ ଦେଶର ଅବସ୍ଥା ବହୁତ୍ ଶୀଘ୍ର ସୁଧୁରିବ l
ତାଙ୍କ କଥାକୁ ବି ମନଦେଇ ଶୁଣୁଥିଲା ଲତା l ସବୁ କଥା ତା ମନକୁ ଗଲା l ହେଲେ ଘରୋଇ ସ୍ତ୍ରୀ ଲୋକମାନଙ୍କ ପାଇଁ ଯେ ଏ ବାର୍ତ୍ତା ନ ଥିଲା ସେଇଟାକୁ ସେ ଗ୍ରହଣ କରି ପାରିଲାନି l ଆରେ ଆମେ ଘରୋଇ ଅପାଠୁଆ ବା ଅଧାପାଠୁଆ ସ୍ତ୍ରୀ ଲୋକମାନେ ଚାକିରୀ ନ କଲୁ ବୋଲି କ’ଣ ଆଉ କିଛି କରିପାରିବୁ ନାହିଁ l କଥାରେ ଅଛି -” ନାରୀ କାର୍ଯେଷୁ ମନ୍ତ୍ରୀ,କରଣେଷୁ ଦାସୀ,ସ୍ନେହେଷୁ ମାତା,କ୍ଷମୟା ଧରିତ୍ରୀ l ” ନାରୀ ଏକ ସମୟରେ ଅନେକ ଭୂମିକାରେ ଅବତୀର୍ଣ ହୋଇ ତା’ର କାର୍ଯ୍ୟ ତୁଲାଇପାରେ l
ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କର କେଇପଦ କଥା ଉତ୍ସାହ ଉଦ୍ଦୀପନା ଭରି ଦେଇଥିଲା ଲତା ମନ ଭିତରେ l ଲତାର ମନେ ପଡିଗଲା ତା ଗାଁ ର କଥା l ଗାଁ ରେ ଥିଲାବେଳେ ବାବୁଲା ଚାଷ କରୁଥିଲା l ସେ ଗାତ ଖୋଳିଦେଲେ ଲତା ଗଛ ଲଗେଇଦିଏ l ସେ ପାଣି ଦେଲେ ଲତା ଘାସ ବାଛି ଦିଏ l ତାକୁ ଛାଡି ବି ନିଜେ ଗୋଟେ ଭଲ କିଚେନ୍ ଗାର୍ଡେନ୍ କରିଥିଲା ଲତା l ସେଥିରେ ଲଗେଇଥିଲା ଜାତିଜାତି ପନିପରିବା,ଲଙ୍କା,ଧନିଆପତ୍ର,ପୁଦିନା ପତ୍ର ଇତ୍ୟାଦି l ସେଥିରୁ ଭଲ ଦି’ ପଇସା ରୋଜଗାର ବି ହଉଥିଲା l ମାସରେ କିଛିକିଛି ପଇସା ସେ ବ୍ୟାଙ୍କ୍ ରେ ସଞ୍ଚୟ କରୁଥିଲା l ହେଲେ ସହରକୁ ଆସି ତାକୁ ମିଳିଲା କ’ଣ ? ବରଂ ଅଭାବ ପଡିଲେ ସେଇ ସଞ୍ଚିଥିବା ପଇସାରୁ ଉଠେଇକି ଆଣୁଛି ପଛେ ଆଉ ଟଙ୍କାଟେ ରଖିବାର ନାହିଁ l ଲତା ସ୍ଥିର କଲା l ବାବୁଲା କୁ ବୁଝେଇସୁଝେଇ ସେମାନେ ଗାଁକୁ ପଳେଇବେ l ଘରେ ଯାଇ ବାବୁଲା କୁ କହିଲା – ଦେଖ,ଆମେ ଏଥର ଗାଁ କୁ ପଳେଇବା l ମୋର ଆଉ ଏଠି ରହିବାକୁ ଟିକେ ବି ଇଚ୍ଛା ନାହିଁ l
ଖୁସି ହେଇ ବାବୁଲା କହିଲା – ମୁଁ କ’ଣ କେବେ ଚାହିଁଥିଲି ସହରକୁ ଆସିବାକୁ l ତୁ ସବୁବେଳେ ବ୍ୟସ୍ତ ହେଲୁ ବୋଲି ବାଧ୍ୟ ହେଇ ମୁଁ ଆସିଲି l ଏ ସହରରେ କ’ଣ ଅଛି କହିଲୁ ଲତା l ଯଦି ଅଛି ଖାଲି ବଡବଡ କୋଠା,ଗାଡିମଟର,କଳକାରଖାନା ଏଇସବୁ l ପ୍ରକୃତିକୁ ଧ୍ୱଂସବିଧ୍ୱଂସ କରି ମଣିଷ ଏଇଠି ଗଢିଛି ସୁଉଚ୍ଚ ପ୍ରାସାଦ ସହିତ ଅତ୍ୟାଧୁନିକ ଉପଭୋଗ୍ୟ ସାଜସରଞ୍ଜାମ l ହେଲେ ମଣିଷ ପ୍ରକୃତ ଶାନ୍ତି ଠାରୁ ବହୁ ଦୂରରେ l ପ୍ରାୟ ପ୍ରତୈକ ଘର ଭିତରେ ଜଳୁଛି ଅଶାନ୍ତି ର ଅଗ୍ନି l କାହା ଘରେ କ’ଣ ହେଲା ସେକଥା ପଡୋଶୀ ବି ଜାଣୁନି l କାହା ଦୁ:ଖରେ କେହି ନୁହଁ କି କାହା ସୁଖରେ ବି କେହି ନୁହଁ l ସମସ୍ତେ ଖାଲି ଗୋଟିଏ ଜିନିଷ ପଛରେ ଗୋଡେଇଛନ୍ତି l
ସେଇଟା ହେଲା ଟଙ୍କା l ଏ ସହରୀ ମଣିଷ ମାନେ ଆଧୁନିକତାର ଯୋଉ ସ୍ତରରେ ପହଞ୍ଚି ସାରିଲେଣି ଏମାନେ ସେଠୁ ଆଉ ଫେରି ପାରିବେନି l କିନ୍ତୁ ଆମେ ଫେରି ପାରିବା l ତୁ ଠିକ୍ କହିଛୁ ଚାଲ୍ ଆମେ ଗାଁ କୁ ଫେରିଯିବା l ଆମ ଭଳି କିଛି ଲୋକ ଯଦି ନ ବୁଝିବେ ତାହେଲେ ଦେଶ ସୁଧୁରିବନି l ଆମେ ଯଦି ଗାଁ ମୁହାଁ ନ ହେବା ଏ ସହରୀ ବାବୁ ମାନଙ୍କୁ ଦାନା ଯୋଗେଇବ କିଏ ? ସହରୀ ବାବୁ ମାନଙ୍କ ମନରେ ସିନା ଆମ ପାଇଁ ଦୟା ନାହିଁ l ସେମାନଙ୍କ ଭାଷାରେ ଆମେ ଗାଉଁଲୀ,ମୂର୍ଖ ଆଉ ମଳିମୁଣ୍ଡିଆ l ଆଉ ଏବେ ଯୋଉ ଶବ୍ଦଟା ଆମକୁ ବେଶୀ କଷ୍ଟ ଦେଉଛି ସେଇଟା ହେଲା ଦାଦନ l ହେଲେ ଆମେ କ’ଣ କେବେ ସହରୀ ବାବୁମାନଙ୍କୁ ପର ଭାବିଚେ କି ? ଯାହା ହେଲେ ସେମାନେ ଆମ ମାଟିର,ଆମ ନିଜ ଲୋକ ସେମାନେ l ସେମାନେ କଷ୍ଟ ପାଇଲେ ଆମକୁ ବି କଷ୍ଟ ହେବ l
ବାବୁଲା ର କଥା ଲତାକୁ ଭାରି ଭଲ ଲାଗୁଥିଲା l ସେ ବି ସଂପୂର୍ଣ ସହମତ ଥିଲା ବାବୁଲା ସହିତ l ସେମାନେ ଅପାଠୁଆ ଆଉ ଅଧାପାଠୁଆ ହେଇଥିଲେ ବି ନେଡିଗୁଡ କହୁଣୀକୁ ବହି ଯିବା ଆଗରୁ ସଚେତନ ହେଇଗଲେ l ଆଉ ଡେରି ନ କରି ତା’ ପରଦିନ ଗାଁ ମୁହାଁ ହେଇ ପାଦ ପକେଇବା ସହିତ ପାଦଟିଏ ପକାଇ ସାରିଥିଲେ ଆତ୍ମନିର୍ଭରଶୀଳତା ଆଡକୁ l

LEAVE A REPLY

Please enter your comment!
Please enter your name here