ହିମାଂଶୁ ଶେଖର ଆଚାର୍ଯ୍ୟ : ଗଣତନ୍ତ୍ର ଗଣମାନଙ୍କର ଶାସନ । ଗଣତନ୍ତ୍ର ଶାସନର ସଫଳତା ଜନମତ ଉପରେ ନିର୍ଭର କରେ । ଆହୁରି ସ୍ପଷ୍ଟ ଭାବେ କହିଲେ ଏହାର ସଫଳତା ପ୍ରକୃତରେ ସାର୍ଥକ ଜନମତ ଉପରେ ନିର୍ଭରଶୀଳ । ସେଥିପାଇଁ ଗଣତନ୍ତ୍ରର ସଂଜ୍ଞା ଦେବାକୁ ଯାଇ ଆମେରିକାର ସୁନାମଧନ୍ୟ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ କହିଥିଲେ – “ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଶାସନ”ା ଗଣତାନ୍ତ୍ରିକ ଶାସନର ସ୍ଥପତିମାନେ ଗଣତନ୍ତ୍ରର ସଫଳତା ପାଇଁ ଚାରୋଟି ସ୍ତମ୍ଭ ଉପରେ ସମ୍ପୂର୍ଣ୍ଣ ଦାୟିତ୍ୱ ଥୋଇଦେଲେ । ସେଇ ସ୍ତମ୍ଭମାନଙ୍କ ଉପରେ ନିର୍ମାଣ ହେଲା ରାଷ୍ଟ୍ରର ସାମ୍ବିଧାନିକ ବ୍ୟବସ୍ଥା । ସେମାନେ ହେଲେ – ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ । ପ୍ରଥମସ୍ତମ୍ଭଟି ରାଷ୍ଟ୍ର ପାଇଁ ନୀତି ନିର୍ଦ୍ଧାରଣ କରିବେ, ଦ୍ୱିତୀୟସ୍ତମ୍ଭ ନୀତିକୁ କାର୍ଯ୍ୟକାରୀ କରିବେ, ତୃତୀୟସ୍ତମ୍ଭଟି ନ୍ୟାୟ ବ୍ୟବସ୍ଥା ପାଇଁ ଦାୟୀ ରହିବେ ଓ ଚତୁର୍ଥସ୍ତମ୍ଭ ସତର୍କ ପ୍ରହରୀ ଭାବେ କାର୍ଯ୍ୟ କରିବେ ।

ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସବୁଠାରୁ ବେଶୀ । ଏକବିଂଶତମ ଯୁଗରେ ସମ୍ବାଦ ଓ ସାମ୍ବାଦିକତାର ଯଥେଷ୍ଟ ଗୁରୁତ୍ୱ ରହିଛି । ଇଣ୍ଟରନେଟ୍ ଓ ବୈଦୁ୍ୟତିକ ଗଣମାଧ୍ୟମର ବହୁଳ ପ୍ରସାର-ପ୍ରଚାର ଗଣତନ୍ତ୍ରର ସୁକ୍ଷାକୁ ଆହୁରି ଶକ୍ତ ଓ ଦୃଢ କରିପାରିଛି । ଏସବୁ ସତ୍ତ୍ୱେ ପ୍ରିଣ୍ଟିଂ ମିଡିଆ ତାର ସ୍ଥାନ ବଜାୟ ରଖିଛି । ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଆଉ କୌଣସି କଥା ଅଜଣା ହୋଇ ରହୁନାହିଁ । ଘରେ ବସି ରହି ସେ ଦୁନିଆର ଖବର କ୍ଷଣିକରେ ପାଇ ପାରୁଛି । ଗଣମାଧ୍ୟମ ନଥିଲେ ଲୋକେ ଆଖି ଥାଇ ଅନ୍ଧ ଓ କାନ ଥାଇ ବଧିର ହୋଇଯାଆନ୍ତେ । ପୂର୍ବକାଳରେ ଏ ସୁବିଧା ନଥିଲା । ତ୍ୱରିତ ଖବର ପଠାଇବାର କୌଣସି ମାଧ୍ୟମ ନଥିଲା । ତୁଣ୍ଡ ବାଇଦ ସହସ୍ରକୋଶ ବୋଲି ଲୋକମାନେ ଏବେବି କୁହନ୍ତି । ସେତେବେଳେ ତୁଣ୍ଡ ମାଧ୍ୟମରେ ଜଣକ ପାଖରୁ ଅନ୍ୟ ଜଣକ ପାଖକୁ ବା ବାଦ୍ୟଯନ୍ତ୍ର ସାହାଯ୍ୟରେ ବାଜା ବଜାଇ ଜନ୍ମମୃତୁ୍ୟ କି ମହୋତ୍ସବର ସୂଚନା ଜାଣିପାରୁଥିଲେ ।

ପୂର୍ବେ ହାତଗଣତି ସାମ୍ବାଦିକ ଥିଲେ । ସମ୍ବାଦପତ୍ର ସଂଖ୍ୟା ମଧ୍ୟ ବହୁତ କମ୍ ଥିଲା । ଏବେ କିନ୍ତୁ ସାମ୍ବାଦିକଙ୍କ ସଂଖ୍ୟା ଓ ସମ୍ବାଦପତ୍ରର ସଂଖ୍ୟା ଆଶାତୀତ ଭାବେ ବଢିଛି । ପ୍ରତିବର୍ଷ ନୂଆନୂଆ ଖବରକାଗଜ ବଜାରକୁ ଆସୁଛି । ଖବରକାଗଜ ଖବରକାଗଜ ମଧ୍ୟରେ ବିଭିନ୍ନ ଦିଗରୁ ପ୍ରତିଯୋଗିତା ଚାଲିଚି କଳେବରକୁ ନେଇ, ସଂଖ୍ୟାକୁ ନେଇ ନୂଆ ଢଙ୍ଗରେ ପରିବେଷଣକୁ ନେଇ । ପାଠକୀୟ ସ୍ୱୀକୃତିକୁ ମଧ୍ୟ ଚାଲିଛି ତୀବ୍ର ପ୍ରତିଯୋଗିତା । ପ୍ରତିଯୋଗିତା ହେବା ଭଲ, କିନ୍ତୁ ସକାରାତ୍ମକ ଭାବେ ହେବା ଦରକାର । ଏଥିସହିତ ସମାଜର ନିଚ୍ଛକ ଘଟଣା ଛୁଆ ବିକ୍ରି, ଅନାହାର ମୃତୁ୍ୟ, ଶିଶୁ ନିର୍ଯ୍ୟାତନା, ନାରୀ ନିର୍ଯ୍ୟାତନା, ଦୁର୍ନୀତି, ଭ୍ରଷ୍ଟାଚାର, ଶୋଷଣ, କଷଣ ଆଦି ପ୍ରସଙ୍ଗରେ ମଧ୍ୟ ପ୍ରତିଯୋଗିତା ହେବାର ଆବଶ୍ୟକତା ରହିଛି । ଗଣମାଧ୍ୟମ ଏସବୁ ଖବର ଦେଇ ଆମକୁ ସଚେତନ କରାଇବା ସହିତ ଆମ ଆଖି ଖୋଲି ଦେବାର ପ୍ରୟାସ କରିବା ଜରୁରୀ ହୋଇପଡିଛି । ଏହା ଏକ ସ୍ୱଚ୍ଛ, ନିର୍ମଳ ଦର୍ପଣ ସଦୃଶ । ସେଇଥିପଇଁ ଆଜି ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, କ୍ଷେତର ଚାଷୀଠାରୁ ଚା ଦୋକାନ, ପାନ ଦୋକାନ, ସେଲୁନ ଠାରୁ ଅରମ୍ଭ କରି ହୋଟେଲ, ରେଷ୍ଟୁରାଁ, ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ସମେତ ଛାତ୍ର, ଓକିଲ, ଶ୍ରମିକ ସକାଳ ହେଲେ ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ଖବରକାଗଜ ଦେଖିବାକୁ ପାଇବେ । ତେଣୁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛି ।

ପୁରାଣଯୁଗରେ ଦେବର୍ଷି ନାରଦ ତିନିପୁର ଭ୍ରମଣ କରି ଖବରମାନ ପହଞ୍ଚାଉଥିଲେ । ବର୍ତ୍ତମାନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆଉ ତିନିପୁର ଭ୍ରମଣ କରିବାକୁ ପଡୁନାହିଁ । ଏ ଯୁଗରେ ଗଣମାଧ୍ୟମ ଦ୍ରୁତଗତିରେ ଆଗେଇଚାଲିଛି । ଲୋକମାନେ ନ ଜାଣିଥିବା ବାର୍ତ୍ତା, ନଶୁଣିଥିବା ଖବର ଏପରି ଭାବେ ଗଣମାଧ୍ୟମ ପ୍ରଚାରିତ ହେଉଛି ଯେ ଏହାର ମୂଳ କେଉଁଠି କେହି ଟେର ମଧ୍ୟ ପାଆନ୍ତି ନାହିଁ । ମୋବାଇଲ୍, କମ୍ପୁ୍ୟଟର୍, ଇଣ୍ଟର୍ନେଟ୍, ଡିଜିଟାଲ୍ କ୍ୟାମେରା ଓ ହ୍ୱାଟସ୍ ଅଫ୍ ଯୁଗରେ ଗଣମାଧ୍ୟମର ପ୍ରତିନିଧିମାନେ ସହସା ଘଟଣା ଜାଗାରେ ପହଞ୍ଚି ସମ୍ବାଦ ଓ ଫଟୋଚିତ୍ର ସଂଗ୍ରହ କରିପାରୁଛନ୍ତି ତାହା ତତ୍କ୍ଷଣାତ୍ ସମ୍ବାଦପତ୍ର ମାଧ୍ୟମରେ ପ୍ରକାଶିତ ହୋଇପାରୁଛି । ତତ୍ସହିତ ଏହା ଯୁବ ସମାଜ ଉପରେ ବହୁତ ପ୍ରଭାବ ପକାଉଛି । ଆଜିର ଯୁବକମାନେ ଜୀବନ-ଜୀବିକା ପାଇଁ ରାହା ଖୋଜୁଥିବା ବେଳେ ସାମ୍ବାଦିକତା ତାଙ୍କ ପାଇଁ ଜୀବନ-ଜୀବିକାର ମାଧ୍ୟମ ହୋଇଛି ।
ସାଂପ୍ରତିକ ସମୟରେ ଜୀବନ-ଜୀବିକାର ଦାୟିତ୍ୱ ବଢିବାରେ ଲାଗିଛି । ବିଚାର ବିଭାଗ, ମାନବିକ ଅଧିକାର ସୁରକ୍ଷା କମିଶନ ଓ ଅନ୍ୟାନ୍ୟ ସଂସ୍ଥାର ଉପସ୍ଥିତି ସତ୍ତ୍ୱେ ଗଣମାଧ୍ୟମର ଭୂମିକା ଅଧିକ ପ୍ରଭାବଶାଳୀ ମନେ ହେଉଛି ।

ବର୍ତ୍ତମାନ ଦେଶରେ ଅର୍ଥନୈତିକ ଅପରାଧ ବହୁଗୁଣରେ ବୃଦ୍ଧି ପାଇଛି । ଲାଞ୍ଚ, ଦୁର୍ନୀତି, କଳାଧନ ସୃଷ୍ଟି, ଗରିବଙ୍କ ଅର୍ଥର ବାଟମାରଣା, ଆର୍ଥିକ ସହାୟତାରେ ପାତର ଅନ୍ତର ଘଟଣାମାନ ଘଟିଚାଲିଛି । କେତେକ କ୍ଷେତ୍ରରେ ଗଣମାଧ୍ୟମର ଉଦ୍ୟମ ଅତି ପ୍ରଶଂସନୀୟ ମନେହୁଏ । ବିଗତ ଦିନରେ ଭ୍ରଷ୍ଟାଚାର ବିରୋଧରେ ଆନ୍ନା ହଜାରେଙ୍କ ଆନେ୍ଦାଳନ ଓ ନିର୍ଭୟା ଗଣ ବଳାକ୍ରାର ଘଟଣାରେ ଗଣମାଧ୍ୟମର ଗୁରୁତ୍ୱକୁ କେହି ଅସ୍ୱୀକାର କରିବେନି । ସେହିପରି ନିକଟ ଅତୀତରେ ବ୍ୟାପମ୍ ଦୁର୍ନୀତି, ବାବାମାନଙ୍କ କଳାକାରନାମା, ବିହାର ଯୁକ୍ତ ଦୁଇ ପରୀକ୍ଷା ଟପ୍ପର ସ୍କାମ୍ , ଚିଟ୍ଫଣ୍ଡ୍ ଓ ଓଲିଉଡରେ କାଷ୍ଟିଙ୍ଗ କାଉଚ୍ ପ୍ରସଙ୍ଗରେ ଗଣମାଧ୍ୟମର ଭୂମିକା ବେଶ୍ ପ୍ରଣିଧାନଯୋଗ୍ୟ । ଏହି ଭଳି ଅନେକ ଘଟଣାର ଅବତାରଣା କରାଯାଇପାରେ । ସମ୍ପ୍ରତି ସାରା ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କାରିଥିବା ବେଳେ ଗଣମାଧ୍ୟମର ଭୂମିକା ବେଶ୍ ପ୍ରଭାବଶାଳୀ ହୋଇପାରିଛି । ଲୋକଙ୍କୁ ତାଜା ସୂଚନା ଦେବା ସହ ସଚେତନ କାରାଇବାରେ ସହାୟକ ହୋଇଛି ଏଥିପାଇଁ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକ ଓ ସମ୍ବାଦପତ୍ର ବିତରକ ପ୍ରଶଂସାର ପାତ୍ର । କିନ୍ତୁ ବେଳେବେଳେ ଗଣମାଧ୍ୟମ ହେଉ କି ସାମାଜିକ ଗଣମାଧ୍ୟମ ହେଉ ଅସତ୍ୟ ଓ ଗୁଜବ ଖବର ପ୍ରସାରଣ ଠାରୁ ନିବୃତ୍ତ ରହିବା ଦରକାର । ତା ନହଲେ ସତ୍ୟ, ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ହୋଇପାରେ ନାହିଁ । ଏପରିକି ବେଳେ ବେଳେ ସମ୍ବାଦପତ୍ରର ମାଲିକ ସରକାର, ପୁଞ୍ଜିପତି, ଶିଳ୍ପପତି ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଲେ ଗଣମାଧ୍ୟମର ସ୍ୱର ସଙ୍କୁଚିତ ହୋଇଯାଏ ।

ଖାଲି ସେତିକି ନୁହେଁ ଅର୍ଥ ଉପାର୍ଜନ କରିବା ଲୋଭ ଆଜି ଗଣମାଧ୍ୟମକୁ କବଳିତ କରୁଛି । ଗଣତନ୍ତ୍ରର ମାଲିକ ଓ ସାମ୍ବାଦିକମାନଙ୍କ ପାଇଁ ଏହା ଏକ ବ୍ୟବସାୟିକ ପେଶା ହୋଇପଡିଛି । ବିଜ୍ଞାପନ ପାଇବା ଆଶାରେ ଓ ରୋଜଗାର ନିଶାରେ ଅପସଂସ୍କୃତିକୁ ଆମେ ଡାକି ଆଣୁଛେ । ବିଜ୍ଞାପନର ଅଶ୍ଳୀଳ ବାର୍ତ୍ତାରେ, ମନୋରଞ୍ଜନର କଦାକାର ରୂପରେ ଖବରକାଗଜର ପୃଷ୍ଠା ବଢିବାରେ ଲାଗିଛି । ଏହାର କୁପ୍ରଭାବ ଯୁବସମାଜ ଉପରେ ପଡୁଛି । ଏପରିକି ବ୍ଲାକମେଲ୍ କରି ଅର୍ଥ ଉପାର୍ଜନ କରିବା ନିଶା ଗଣମାଧ୍ୟମକୁ ଗ୍ରାସିଛି । ଫଳରେ ଏହା କେତେବେଳେ ଜଣକୁ ‘ଜିରୋ’ ରୁ ‘ହିରୋ’ କରିଦେଉଛି ତ ଆଉ କେତେବେଳେ ଜଣକୁ ‘ହିରୋ’ ରୁ ‘ଜିରୋ’ କରିଦେଉଛି । ନିରପେକ୍ଷ ସମ୍ବାଦ ପରିବେଷଣ ଦିନକୁ ଦିନ କମିବାରେ ଲାଗିଛି । ଗଣମାଧ୍ୟମ ଏବେ ସରକାରୀ କଳର ହାତବାରସି ହେବାକୁ ଲାଗିଲେଣି । ଫଳରେ ଗଣମାଧ୍ୟମର ଗାରିମା କ୍ରମଶଃ ହ୍ରାସ ପାଇଲାଣି । ଗଣମାଧ୍ୟମ ତାର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇପାରିବ ।

ଜଗତସିଂହପୁର
ମୋ – ୯୯୩୭୧୫୧୦୫୨

LEAVE A REPLY

Please enter your comment!
Please enter your name here