ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୧ରୁ ନୁହେଁ ବରଂ ଡିସେମ୍ବର ୧୫ରୁ ଦେଶର ସମସ୍ତ ଟୋଲ୍‌ଗେଟ୍‌ରେ ଫାସ୍‌ଟ୍ୟାଗ୍‌ ଲାଗୁ ହେବ। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଡିସେମ୍ବର ୧ ପରିବର୍ତ୍ତେ ୧୫ରୁ ଫାସ୍‌ଟ୍ୟାଗ୍‌ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଡିସେମ୍ବର ୧ରୁ ଟୋଲ୍‌ପ୍ଲାଜାରେ ଫାସ୍‌ଟ୍ୟାଗ୍‌ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଜନସାଧାରଣଙ୍କୁ ଫାସ୍‌ଟ୍ୟାଗ୍‌ ସଂଗ୍ରହ ପାଇଁ ଅଧିକ ସମୟ ଦେବା ପାଇଁ ଏହାକୁ ଏବେ ଡିସେମ୍ବର ୧୫ରୁ ଲାଗୁ କରାଯିବ। ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇ ନ ଥିଲେ ଟୋଲ୍‌ପ୍ଲାଜାରେ ଡବଲ୍‌ ଫି ଆଦାୟ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଫାସ୍‌ଟ୍ୟାଗ୍‌ କ’ଣ?

ଫାସ୍‌ଟ୍ୟାଗ୍‌ ହେଉଛି ଏକ ରେଡିଓ ଫ୍ରିକୁଏନସି ଆଇଡେଣ୍ଟିଫିକେସନ୍‌ ଟେକ୍ନୋଲୋଜି। ଏହି ପ୍ରିପେଡ୍‌ ଟ୍ୟାଗ୍‌କୁ ଗାଡ଼ିର ୱିଣ୍ଡ୍‌ ସ୍କ୍ରିନ୍‌ ବା ଗାଡ଼ିର  ସାମ୍ନା କାଚରେ ଲାଗିବ। ଏହାକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ୍ ଗେଟ୍‌ରେ ପଇସା ଦେବା ପାଇଁ ଗାଡ଼ି ଚାଳକଙ୍କୁ ବହୁ ସମୟ ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥାଏ। ଫଳରେ ବହୁ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି ଫାସ୍‌ଟ୍ୟାଗ୍‌ ଲାଗିଥିଲେ ଟୋଲ୍‌ ଚାର୍ଜ ଅଟୋମେଟିକ୍‌ କଟିଯିବ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ।

ଫାସ୍‌ଟ୍ୟାଗ୍‌ ବାବଦରେ ଅଧିକ ସୂଚନା ପାଇଁ ‘୧୦୩୩’ ହେଲ୍‌ପ୍ ଲାଇନ୍‌ ନମ୍ବରରେ କଲ୍ କରି ଜାଣିପାରିବେ।

LEAVE A REPLY

Please enter your comment!
Please enter your name here