ହିମାଂଶୁ ଶେଖର ଆ·ର୍ଯ୍ୟ : ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯେଉଁ କେତେଜଣ ଯୋଗଜନ୍ମା ନାଟ୍ୟକାର ଜନ୍ମଗ୍ରହଣ କରି ତାଙ୍କ ନାଟକ ମାଧ୍ୟମରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଛାଡିଯାଇଛନ୍ତି ସେମାନଙ୍କ ମଧ୍ୟରେ କାଳଜୟୀ ନାଟ୍ୟକାର ସୁଧାକର ଦ୍ୱିବେଦୀ ହେଉଛନ୍ତି ଅନ୍ୟତମ । ଯଥାର୍ଥରେ ସେ ଥିଲେ ଜଣେ ସମାଜ ସଚେତକ ନାଟ୍ୟକାର । ତାଙ୍କ ଲେଖନୀରେ ସମାଜର ବାସ୍ତବ ପ୍ରତିଛବି ଅତି ସୁନ୍ଦର ଭାବେ ଚିତ୍ରିତ ହୋଇଥିଲା ।

ସବୁ ଶ୍ରେଣୀର ଦର୍ଶକ ତାଙ୍କ ରଚିତ ନାଟକ ଗୁଡିକୁ ଦେଖି ଆନନ୍ଦରେ ମସ୍ଗୁଲ ହେଉଥିଲେ । ପରିମାଣ ଦୃଷ୍ଟିରୁ ନୁହେଁ, ଗୁଣାତ୍ମକ ଦୃଷ୍ଟିରୁ ତାଙ୍କ ନାଟକ ଗୁଡିକ ମଧ୍ୟ ଗରୀୟାନ ଥିଲା । ବିଶେଷ କରି ଓଡିଶାର ସଂସ୍କୃତି, ପରମ୍ପରା ଓ ଜନଜୀବନର କଥା ଏବଂ ବ୍ୟଥାକୁ ନେଇ ସେ ଯେଉଁ ନାଟକ ଗୁଡିକୁ ସୃଷ୍ଟି କରି ଯାଇଛନ୍ତି ତାହାର ପ୍ରକୃତ ଚିତ୍ର ଆଜିର ସମାଜରେ ଦେଖିବାକୁ ମିଳୁଛି । ମାତ୍ର ୩୨ ବର୍ଷ ବୟସରେ କୋଡିଏରୁ ଉଦ୍ଧ୍ୱର୍ ନାଟକ ରଚନା କରି ସେ ଓଡିଆ ଯାତ୍ରା ନାଟକ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଛାପ ଛାଡିଯାଇଅଛନ୍ତି ।

ସୁଧାକର ଦ୍ୱିବେଦୀଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗହ୍ମାପୁର ଗ୍ରାମରେ ୧୯୫୦ ମସିହାରେ ଏପ୍ରିଲ ୨୫ ତାରିଖ । ତାଙ୍କର ପିତା ଥିଲେ କଳ୍ପତରୁ ଦ୍ୱିବେଦୀ ଓ ମାତା ଶ୍ରୀମତୀ ଦେବୀ । ଗାଁରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ସୁଧାକର । ହିନ୍ଦୀ ସାହିତ୍ୟ ପ୍ରତି ଅତ୍ୟଧିକ ଆସକ୍ତି ଯୋଗୁଁ ସେ ବି.ଏ ପାଶ୍ କରିବା ସହ ହିନ୍ଦୀରେ ଡିଗ୍ରୀ ହାସଲ କରି ଏରସମା ବ୍ଲକ୍ସ୍ଥ ପତିତପାବନ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ରୂପେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେଠାରେ ହିଁ ତାଙ୍କର ସୃଜନଶୀଳ ପ୍ରତିଭାର ଉନ୍ମେଷ ହୋଇଥିଲା ।

ବାଲ୍ୟକାଳରୁ ନାଟକ ଲେଖା ପ୍ରତି ତାଙ୍କର ଅନୁରକ୍ତି ଥିଲା । ବିଦ୍ୟାଳୟର ଶାନ୍ତ, ସୁସ୍ଥ ଓ ରମଣୀୟ ପରିବେଶ ଏବଂ ନିଜର ଅଦମ୍ୟ ଉତ୍ସାହ ଓ ଦୃଢ ଇଚ୍ଛାଶକ୍ତି ସୁଧାକରଙ୍କୁ ନାଟକ ଲେଖିବାକୁ ଅନୁପ୍ରାଣିତ କରିଥିଲା । ଶେଷରେ ତାଙ୍କ ଅଭିଳାଷ ପୁରଣ ହେଲା ଓ ତାଙ୍କ ରଚିତ ପ୍ରଥମ ନାଟକ ‘ଗୃହଲକ୍ଷ୍ମୀ’ ଆତ୍ମପ୍ରକାଶ କଲା । ତାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ ।

ସୁଧାକର ଦ୍ୱିବେଦୀ ନାଟକ ଲେଖିବା ଆରମ୍ଭ କଲା ବେଳକୁ ନବକୁମାର ସାହୁ, ରଘୁନାଥ ପଣ୍ଡା, ବୀର କିଶୋର ଦାସ, ଗନ୍ଧର୍ବରାଜ ପରିଜା, ଜଗଦୀଶ ଚନ୍ଦ୍ର ତ୍ରିପାଠୀ ଓ ଆହୁରି ଅନେକ ପ୍ରତିଷ୍ଠିତ ନାଟ୍ୟକାର ଭାବେ ମାନ୍ୟତା ପାଇ ସାରିଥିଲେ । ମାତ୍ର ସେମାନଙ୍କ ଲେଖାରେ ମୌଳିକତା ନଥିଲା । ବଙ୍ଗଳା, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାର ନାଟକକୁ ଅନୁବାଦ କରି ସେମାନେ ନିଜର ନାଟକ ରଚନା କରୁଥିଲେ । ଠିକ୍ ସେତିକିବେଳେ ସୁଧାକର ଦ୍ୱିବେଦୀ ସଦର୍ପେ ପାଦ ଦେଲେ ନାଟକ ରଚନା କ୍ଷେତ୍ରରେ ।

ଓଡିଶାର ଜନଜୀବନ କଥାକୁ ସାଉଁଟି ଆଣି ତାହାକୁ ନାଟକର ରୂପ ଦେଲେ ‘ଗୃହଲକ୍ଷ୍ମୀ’ ନାଟକରେ । ପାରିବାରିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ନାଟକ ନାରୀ ଚରିତ୍ରର ସ୍ୱାର୍ଥ, ତ୍ୟାଗ ଓ ମହନୀୟତା ଉପରେ ପର୍ଯ୍ୟବେଶିତ ଥିଲା । ବଳିଷ୍ଠ କାହାଣୀ, ଉଚ୍ଚକୋଟୀର ସଂଳାପ ଓ ନାଟକୀୟ ଉକ୍ରଣ୍ଠା ଏଥିରେ ଭରି ରହିଥିଲା । ଗୃହଲକ୍ଷ୍ମୀ ନାଟକ ମଞ୍ଚସ୍ଥ କରି ସେତେବେଳର ନାମୀ ଯାତ୍ରାଦଳ ଉତ୍ତରକୂଳ ଅପେରା ରାତାରାତି ବହୁ ଚର୍ଚ୍ଚିତ ହୋଇପାରିଥିଲା । ଆଉ ଏଥି ସହିତ ସୁଧାକର ଦ୍ୱିବେଦୀ ବି ସମସାମୟିକ ନାଟ୍ୟକାରମାନଙ୍କ ସହ ସମକକ୍ଷ ହୋଇପାରିଥିଲେ ।

ସ୍ରଷ୍ଟା ତାର ସୃଷ୍ଟିକୁ ଦେଖି ଆତ୍ମବିଭୋର ହୁଏ । ଯୁବସୁଲଭ ମନ, ପ୍ରତିବଦ୍ଧତା ଓ ଦୃଢ ଇଚ୍ଛାଶକ୍ତି ସୁଧାକରଙ୍କୁ ଗୋଟିଏ ପରେ ଗୋଟିଏ ନାଟକ ଲେଖିବାକୁ ପ୍ରେରଣା ଯୋଗାଇଲା । ଏହାପରେ ସେ ଲେଖିଚାଲିଲେ ଶଙ୍ଖା ଶାଢୀ ସିନ୍ଦୁର, ଅନ୍ଧମୁନି ଅଭିଶାପ, ପ୍ରେମ ସମାଧିରେ ବିବାହ ବେଦୀ, ଅଭିଶପ୍ତ ଚମ୍ବଲ, ଶପଥ ନୁହେଁ କଳଙ୍କ, ରଘୁ ଅରକ୍ଷିତ, ମହାସତୀ ପାର୍ବତୀ ଓ ବିପ୍ଳବୀର ଅପମୃତୁ୍ୟ ପରି ଅନେକ କାଳଜୟୀ ନାଟକ । ଏସବୁ ନାଟକ ଥିଲା ସେ ସମୟର ନାଟ୍ୟ ଜଗତର ଗୋଟିଏ ଗୋଟିଏ ସଫଳ ଓ ନାଁକରା ନାଟକ ।

ସବୁଥିରେ ଥିଲା ଉକ୍ରଳୀୟ ପଲ୍ଲୀ ଜୀବନର କଥା ଓ ମାଟି ପାଣି ପବନର ଛିଟା । ଏହି ନାଟକ ଗୁଡିକ ଜଗତସିଂହପୁରର ପ୍ରଖ୍ୟାତ ଯାତ୍ରାଦଳ ପାର୍ବତୀ, ତାରପୁର, ବେଣୀରାମପୁର ଓ ଉତ୍ତରକୂଳ ଦ୍ୱାରା ବହୁବାର ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଥିଲା । ତନ୍ମଧ୍ୟରୁ ପାର୍ବତୀ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ନାଟକ ‘ଚମ୍ବଲ ଡାକୁ’ ତାରପୁର ଅପେରା ଦ୍ୱାରା ମଞ୍ଚସ୍ଥ ‘ରଘୁ ଅରକ୍ଷିତ’ ବେଣୀରାମପୁର ଅପେରା ଦ୍ୱାରା ମଞ୍ଚସ୍ଥ ‘ଶପଥ ନୁହେଁ କଳଙ୍କ’ ଓ ଉତ୍ତରକୂଳ ଅପେରା ଦ୍ୱାରା ମଞ୍ଚସ୍ଥ ‘ଗୃହଲକ୍ଷ୍ମୀ’ ଓ ଅନ୍ୟାନ୍ୟ ନାଟକ ସୁଧାକର ଦ୍ୱିବେଦୀଙ୍କୁ ନାଟ୍ୟକାର ଭାବେ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥିଲା ସମଗ୍ର ଓଡିଶାରେ ।

ଏଭଳି ଜଣେ ପ୍ରତିଭାଦୀପ୍ତ ନାଟ୍ୟକାରଙ୍କର ଜୀବନଦୀପ ନିର୍ବାପିତ ହେଲା ୧୯୮୨ମସିହା ଜୁନ୍ ୨୦ ତାରିଖରେ । ତାଙ୍କର ଅକାଳ ବିୟୋଗରେ ଯାତ୍ରା ଜଗତର ଅପୁରଣୀୟ କ୍ଷତି ଘଟିଲା । ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟତା । ନାଟ୍ୟକାର ସୁଧାକର ଦ୍ୱିବେଦୀ ଓଡିଶା ଇତିହାସରେ ଯେଉଁ ସ୍ଥାନ ପାଇବା କଥା ତାହା ଏପର୍ଯ୍ୟନ୍ତ ପାଇ ନାହାନ୍ତି । ଏହି ନାଟ୍ୟକାରଙ୍କ ସ୍ମୃତି ପାଇଁ ସରକାରୀ ସ୍ତରରେ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ । କେବଳ ତାଙ୍କ ଗାଁ ରେ ଗଢାଯାଇଥିବା ନାଟ୍ୟକାର ସୁଧାକର ଦ୍ୱିବେଦୀ ସ୍ମୃତିପରିଷଦ ତାଙ୍କ ପରିବାର ସହାୟତାରେ ପ୍ରତିବର୍ଷ ତାଙ୍କ ଜନ୍ମ ମାଟିରେ ତିଆରି ହୋଇଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥାଏ ।

ପ୍ରତିମୂର୍ତ୍ତି ହେଉଛି ପୂଜ୍ୟପୂଜାର ଏକ ପ୍ରତୀକ । ପୂର୍ବପୁରୁଷଙ୍କୁ ମନେ ପକାଇବାପାଇଁ ଏହା ଏକ ମାଧ୍ୟମ । ଏହିଭଳି ଜଣେ ଯୋଗଜନ୍ମା ନାଟ୍ୟକାରଙ୍କ ସୁଯୋଗ୍ୟ ଦାୟାଦ ଭାବରେ ଆମର କ’ଣ କିଛି କର୍ତ୍ତବ୍ୟ ବୋଧ ନାହିଁ । ନିକଟରେ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଓ ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଓ ଶ୍ରଦେ୍ଧାସôବକୁ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅନେକ ଅଭୁଲା ସ୍ମୃତିକୁ ସାଉଁଟି ପୂଜ୍ୟପୂଜାକୁ ସମ୍ମାନ ଦେଉଥିବା ସଂସ୍କୃତି ବିଭାଗ ଓଡିଶା, ସାହିତ୍ୟ ଏକାଡେମୀ, ଓଡିଶା ସଂଙ୍ଗୀତ ଏକାଡେମୀ ବିଶେଷକରି ରାଜ୍ୟ ସରକାର ନଟ୍ୟକାର ସୁଧାକର ଦ୍ୱିବେଦୀଙ୍କ ଜୟନ୍ତୀ ଓ ଶ୍ରାଦେ୍ଧାସôବକୁ ବିଧିବଦ୍ଧ ଭାବେ ପାଳନ କରିବାକୁ କେବେ ନିଷ୍ପତ୍ତି ନେବେ ତାହାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି!

LEAVE A REPLY

Please enter your comment!
Please enter your name here