ପେଟ୍ରୋଲ, ଡିଜେଲ ଦରକାର ନାହିଁ, ସୌରଶକ୍ତିରେ ଉଡ଼ିବ ବିମାନ । ଏପରି ଅତ୍ୟାଧୁନିକ ବିମାନ ତିଆରି ହେଉଛି ଆମେରିକାରେ । ବିମାନଟି ହାଲୁକା ମଧ୍ୟ । ଆସନ୍ତା ମେ ୧ ତାରିଖରେ ଏହାର ପ୍ରଥମ ଉଡ଼ାଣ ହେବ ଏବଂ ଏହା ସମଗ୍ର ଦେଶ ପରିଭ୍ରମଣ କରିବ । ଏହି ସ୍ୱତନ୍ତ୍ର ବିମାନରେ ଖଞ୍ଜାଯାଇଛି ସୌରପ୍ୟାନେଲ୍ ଓ ବ୍ୟାଟେରୀ । ସୁଇଜର୍ଲାଣ୍ଡର ଦୁଇ ପାଇଲଟ୍ ବର୍ଟାଣ୍ଡ ପିକାର୍ଡ଼ ଓ ଆନ୍ଦ୍ରେ ବୋର୍ଶ୍ଚବର୍ଗ ଏହି ସୌରଶକ୍ତି ଚାଳିତ ବିମାନ ତିଆରି କରିଛନ୍ତି । ଗତ ୧୦ ବର୍ଷ ହେଲା ନ୍ୟୁୟର୍କ ସହରର ମେଫେଟ୍ ଫିଲ୍ଡରେ ଏହି ବିମାନର ନିର୍ମାଣ ଚାଲିଛି । ଜୁଲାଇ ମାସ ବେଳକୁ ଏହା ଫିନିକ୍ସ, ଡଲାସ, ୱାଶିଂଟନ୍ ଡିସି, ନ୍ୟାସଭିଲେ, ଆଟଲାଣ୍ଟିକ୍, ସେଣ୍ଟ୍ଲୁଇସ୍ ଆଦି ଅଞ୍ଚଳରେ ଉଡ଼ାଣ କରିବ । ବିମାନର ପରୀକ୍ଷାମୂଳକ ଉନାଣରେ ଜଣେ ମାତ୍ର ପାଇଲଟ୍ ରହିବେ । ବିମାନରେ ଲାଗିଥିବା ୧୨ ହଜାର ଫଟୋଭୋଲାଟାଇକ୍ ସେଲ୍ ସୂର୍ଯ୍ୟ ରଶ୍ମିରୁ ଶକ୍ତି ସଂରକ୍ଷଣ କରି ଉଡ଼ାଣ କରିବ । ସୂର୍ଯ୍ୟାସ୍ତ ପରେ ମଧ୍ୟ ସଂରକ୍ଷିତ ହୋଇ ରହିଥିବା ସୌରଶକ୍ତିରେ ବିମାନ ଉଡ଼ିପାରିବ । ସୌରବିମାନଟିର ଘଣ୍ଟା ପ୍ରତି ବେଗ ହେବ ୪୦ ମାଇଲ୍ । ଆସନ୍ତା ୨୦୧୫ ବେଳକୁ ଏହା ସମଗ୍ର ବିଶ୍ୱରେ ଉଡ଼ାଣ କରିପାରିବ ବୋଲି ପିକାର୍ଡ଼ ପ୍ରକାଶ କରିଛନ୍ତି । ତେବେ ଗୋଟିଏ କାର୍ର ଓଜନ ସହିତ ସମାନ ଥିବା ଏହି ସୌରବିମାନରେ ପ୍ରାୟ ୨୦୦ ଯାତ୍ରୀ ଯାତ୍ରା କରିପାରିବେ ।

LEAVE A REPLY

Please enter your comment!
Please enter your name here