ଭୁବନେଶ୍ୱର : ଏକ ନିର୍ଦ୍ଦିଷ୍ଟ ଶିଶୁ ସେଲ୍‍ଟର ହୋମ୍‍ର ଘଟଣାକୁ ନେଇ ବିଜେପି ଘୃଣ୍ୟ ରାଜନୀତିରେ ବ୍ୟସ୍ତ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରିରେ ଥିବା ସେଲ୍‍ଟର୍‍ ହୋମ୍‍ରେ ଅଶାଳୀନ ବ୍ୟବହାର ଓ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ହୋଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୋଗ ମିଳିବା ପରେ ସେଲ୍‍ଟର ହୋମ୍‍କୁ ସିଲ୍‍ କରାଯିବା ସହ ଏହାର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଚାଲିଛି । ଏହା ଏକ ସ୍ପର୍ଶକାତର ପ୍ରସଂଗ ହୋଇଥିଲା ବେଳେ ବିଜେପି ଉକ୍ତ ଘଟଣାକୁ ନେଇ ଶସ୍ତା ରାଜନୀତି କରିବାରେ ବ୍ୟସ୍ତ ।
ଆଜି ଏଥିନେଇ ବିଜେପି ଅଭିଯୋଗ କରିଛି ଯେ ଢେଙ୍କାନାଳର ଏହି ସେଲ୍‍ଟର୍‍ ହୋମ୍‍ ପିଲାମାନଙ୍କୁ ଭେଟିବାକୁ ସେମାନଙ୍କୁ ଅନୁମତି ଦିଆଯାଉନାହିଁ । ବିଜେପି ନେତାମାନେ ବୋଧହୁଏ ଏ କଥା ଜାଣି ନାହାନ୍ତି ଯେ ଏହି ପିଲାମାନଙ୍କୁ କେବଳ ସେମାନଙ୍କ ପିତାମାତା କିମ୍ବା ଅଭିଭାବକ ଭେଟିପାରିବେ । ସେହିପରି କୋର୍ଟ କିମ୍ବା ଶିଶୁ ବିକାଶ କମିଟି ଦ୍ୱାରା ଅଧିକାରପ୍ରାପ୍ତ ପ୍ରତିନିଧିମାନେ ଏହି ସେଲ୍‍ଟର୍‍ ହୋମ୍‍ର ବାଳିକାମାନଙ୍କୁ ଭେଟିପାରିବେ ଓ ଅନ୍ୟ କେହି ନୁହେଁ । ଏଥିରୁ କୌଣସିଥିରେ ବିଜେପି ନଥିବାରୁ ଏହାର ନେତାମାନେ କେବଳ ଶସ୍ତା ରାଜନୀତି କରିବା ଓ ନିଜ ଦଳର ପ୍ରଚାର ପ୍ରସାର ପାଇଁ ସେଲ୍‍ଟର୍‍ ହୋମ୍‍ ପିଲାମାନଙ୍କୁ ଭେଟିବାକୁ ଚେଷ୍ଟା କରୁଛନ୍ତି । ଉକ୍ତ ସ୍ପର୍ଶକାତର ପ୍ରସଂଗର ରାଜୀନତିକରଣରୁ ସେମାନେ ନିବୃତ ରହିବା ଉଚିତ୍‍ । ଶାରୀରିକ ନିର୍ଯାତନା ଅଭିଯୋଗ ମିଳିବା ପରେ ରାଜ୍ୟ ସରକାର ସେଲ୍‍ଟର୍‍ ହୋମ୍‍କୁ ସିଲ୍‍ କରି ଏହାର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛନ୍ତି । ତତ୍‍ସହିତ ସେଲ୍‍ଟର୍‍ ହୋମ୍‍ର ଅନ୍ତେବାସିନୀମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି । ପୋଲିସ ଏଥିନେଇ କଡ଼ା ପଦକ୍ଷେପ ଗ୍ରହଣ କରୁଛି ଓ ଆଇନ୍‍ ତା’ବାଟରେ ଯିବ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତାଙ୍କ ବାଟରେ ବିଜେପି ପ୍ରତିବନ୍ଧକ ହୋଇ ଛିଡ଼ା ହେବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଜଘନ୍ୟ ଓ ହୀନ ଉଦ୍ୟମ । ଯେପରି ଭାବେ ଏପରି ଏକ ସ୍ପର୍ଶକାତର ପ୍ରସଂଗକୁ ନେଇ ବିଜେପି ଶସ୍ତା ରାଜନୀତି କରିବାକୁ ଉଦ୍ୟମ ଚଳାଇଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାବାସୀ ସେମାନଙ୍କୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିବାରୁ ହତାଶ ହୋଇ ସେମାନେ ଏପରି ରାଜନୀତିର ଆଶ୍ରୟ ନେଇଛନ୍ତି ବୋଲି ସାଂସଦ ତଥା ମୁଖପାତ୍ର ଶ୍ରୀ ପ୍ରଶାନ୍ତ ନନ୍ଦ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here