ଯାଜ୍ଞସେନୀ ସାହୁ (ସେମିଳିଗୁଡା) : ସ୍ୱାଧୀନତାର ୭୩ ବର୍ଷ ପୂର୍ତ୍ତି ଦିବସ ସମାପ୍ତ। ସ୍ୱାଧୀନ ଲାଭ କରିବାର ଆନନ୍ଦ ଆମେ ପ୍ରତିବର୍ଷ ପତାକା ଉତ୍ତୋଳନ, ପୁଷ୍ପ ବୃଷ୍ଟି, ଜାତୀୟ ସଙ୍ଗୀତ ଗାନ, ଭାଷଣବାଜି, ପ୍ୟାରେଡ଼୍ ଓ କିଛି ପ୍ରତିଯୋଗିତା ମାଧ୍ୟମରେ ଉପଭୋଗ କରୁ।କେବଳ ସେତିକି ନୁହେଁ।  ଗାନ୍ଧୀ, ଶାସ୍ତ୍ରୀ, ବୋଷ୍,ଲାଲବାଲପାଲ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ, ସ୍ଲୋଗାନ ନାରାବାଜି କରି ଗଳିକନ୍ଦି ଦେଇ ମନେ ପକେଇଦେଉ ଇତିହାସ।ପ୍ରଚାର କରିଚାଲୁ ବ୍ରିଟିଶ ଶାସନର କରୁଣ କାହାଣୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନର ଗାଥା।ନିଜକୁ ସ୍ୱାଧୀନ କହି  ଛାତି କୁଂଢେମୋଟ କରି ଦେହମୁଣ୍ଡରେ ଟୋପି,ବ୍ୟାଚ୍, ଷ୍ଟିକର୍ ମାରି   ଗାଡି ଆଗରେ ପ୍ଲାଷ୍ଟିକ୍ ପତାକା ଖଣ୍ଡିଏ ଖେଂଚି ସନ୍ଧ୍ୟା ଯାଏଁ ସହରଯାକ ଘୁରି ବୁଲୁ। ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ସଭିଏଁ ସମାନ ହୋଇ କେଵଳ ଦିନଟେ ପାଇଁ ଆମ ପରିଚୟ ଭାରତୀୟ ହୋଇଯାଏ।ବାସ୍ ସେତିକି।
କେହି ହେଲେ ନିଜକୁ ପ୍ରଶ୍ନ କରୁନାହେଁ ଯେ, ଇଂରେଜ କବଳରୁ ମୁକ୍ତ ହୋଇ ଆମେ ଯାହା ପାଳନ କରୁଛୁ ତାହା ସମ୍ପୂର୍ଣ୍ଣ ସ୍ୱାଧୀନତା କି ? ନା ଆଂଶିକ। ବର୍ତ୍ତମାନ ପରିସ୍ଥିତିକୁ ଗଭୀର ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ କେଵଳ ବ୍ରିଟିଶ ମାନଙ୍କର ନଥିଲେ ବରଂ ଆମେ ଏବେ ବି କାହାର ନ କାହାର ଗୁଲାମ ହୋଇ ରହିଛେ। କାହା ଅଧୀନରେ ବନ୍ଦୀ ହୋଇ କାଳାତିପାତ କରୁଛେ। ଯେପରିକି ଏଇ ଆମ ଜାତିବାଦ, ଧର୍ମବାଦ, ପୁରୁଷବାଦ, ଅଧ୍ୟାତ୍ମବାଦ ଓ ରାଜନୈତିକ ବ୍ୟବସ୍ଥା। ଦୁର୍ବଳ ଉପରେ ସବଳର, ନିଚ୍ଚଜାତି ପ୍ରତି ଉଚ୍ଚଜାତିର, ତଥାକଥିତ ଅସବର୍ଣ୍ଣ ଉପରେ ସବର୍ଣ୍ଣର, ଗରିବ ଉପରେ ଧନୀର, ନାରୀ ପ୍ରତି ପୁରୁଷବାଦର ଅତ୍ୟାଚାର ସ୍ୱାଧୀନ ଭାରତରେ ମଧ୍ୟ ବିରଳ ନୁହେଁ ।
 ଇଂରେଜମାନେ ଭାରତରୁ ପଳାୟନ କଲେ ସତ କିନ୍ତୁ ପରାଧୀନତାରୁ ମୁକ୍ତ ହୋଇ ବି ଧର୍ମ,ବର୍ଣ୍ଣ,ଜାତି,ଜନଜାତି ମାଧ୍ୟମରେ ଅଖଣ୍ଡ ଭାରତ ବିଭାଜିତ ହୋଇଆସିଛି।ପ୍ରଥମେ ହିନ୍ଦୁ,ଖ୍ରୀଷ୍ଟିଆନ,ମୁସଲିମ,ଜୈନ, ବୌଦ୍ଧ ଆଦି ଅତିକମରେ ୯ ଟି ଧର୍ମ ଏବଂ ୬୦୦୦ରୁ ଅଧିକ ଜାତି ଜନଜାତି ଭାରତର ଏକତାକୁ ଗ୍ରାସ କରିଆସୁଛି।ଭାରତ ଏକ “ଧର୍ମନିରପେକ୍ଷ” ରାଷ୍ଟ୍ର ହୋଇଥିବା ସତ୍ତ୍ୱେ ଧର୍ମକୁ ନେଇ ଦଙ୍ଗା ଲାଗି ରହିବା ରୀତିମତ।ପକ୍ଷପାତିତା ମଧ୍ୟ ଅନେକ।ଧର୍ମର ଅର୍ଥ ଯେ “କର୍ତ୍ତବ୍ୟ ଓ ପରସ୍ପରର ସମ୍ମାନ” ଏହି ସଂଜ୍ଞା ଲୋକଙ୍କ ମାନସପଟରେ  ବିପରିତମୁଖୀ ହୋଇଯାଇଛି।
ଧର୍ମର ବିଭାଗୀକରଣ, ଧର୍ମାନ୍ତରୀକରଣ, ଧର୍ମସ୍ଥଳୀ,ଧର୍ମଗ୍ରନ୍ଥକୁ ନେଇ ଯୁଦ୍ଧ ଦିନକୁଦିନ ଜୋର୍ ଧରିବାରେ ଲାଗିଛି।ମଣିଷସମାଜ ହିଂସ୍ର ହୋଇଚାଲୁଥିବା ବେଳେ ଦେଶର ଏକତା ଭଙ୍ଗ ହୋଇଛି।ଧର୍ମକୁ ବ୍ୟାପକରୂପେ ଦେଖିବାକୁ ଗଲେ ଜାତି,ବର୍ଣ୍ଣ ଏହାର ଶାଖା,ଉପଶାଖା ରୂପେ ପରିଗଣିତ।ବୈଦିକ ଯୁଗରୁ ସୃଷ୍ଟ ୪ ବର୍ଣ୍ଣ ବ୍ୟବସ୍ଥା କାଳକ୍ରମେ ପାଞ୍ଚୋଟି ଭାଗରେ ବିଭକ୍ତ ହେଲା।ବ୍ରାହ୍ମଣ,କ୍ଷତ୍ରିୟ,ବୈଶ୍ୟ,ଶୂଦ୍ର ଓ ଅତିଶୁଦ୍ର (ଦଳିତ)। ସଭ୍ୟ ସମାଜ ଅନୁଯାୟୀ, ଏସବୁର ବର୍ଗୀକରଣ କେବଳ କର୍ମ ଆଧାରରେ ହୋଇଥିବା ବେଳେ ବାସ୍ତବରେ ତାହା ଅନୁଭବ ହୁଏନି।ଗୋଟିଏ ବର୍ଗ ତା ଉପରୋକ୍ତ ବର୍ଗଦ୍ୱାରା ଅସମ୍ମାନିତ ଓ ନିଷ୍ପେସିତ ହେଉଥିବା ବେଳେ ଶୂଦ୍ର ଓ ଦଳିତଙ୍କ ପାଇଁ ସେସବୁ ଅତିରିକ୍ତ।ଛୁଆଁଅଛୁଆଁ ପରି ଘୃଣ୍ୟ ମନୋଭାବ  ସାମାଜିକ ବ୍ୟବସ୍ଥାକୁ କଳୁଷିତ କରିବା ସହ ସମାଜର ମୁଖ୍ୟସ୍ରୋତରେ ସେମାନେ ସମରୂପେ ସହଭାଗିତାର ସହ ସାମିଲ ହୋଇପାରିନାହାନ୍ତି।ବୃତ୍ତି ଓ ଜୀବନଶୈଳୀକୁ ନେଇ ହେଉଛନ୍ତି  ଅବହେଳିତ।କିଛି ସ୍ଥାନରେ ନିଆଁ, ପାଣି,ବସବାସରୁ ବାଚ୍ଛନ୍ଦ କରାଯାଉଥିବା ବେଳେ ସହରୀ ଇଲାକାରେ ଜାତି ଧର୍ମ ଦେଖି ଘରଭଡା ଦେଉଥିବା ଦୃଶ୍ୟ ଏବେ ଆଚମ୍ବିତ କରୁଛି ।
କେବଳ ସ୍ପର୍ଶ କରିଦେଲେ ସ୍ନାନ କରି ଶୁଦ୍ଧ ହେବା ମଧ୍ୟ ଆମ ସ୍ୱାଧୀନତାରେ ଦାଗ ସଦୃଶ।ଏହି ମାନସିକତା ଏପରି ଭାବେ ପରିବ୍ୟାପ୍ତ ଯେ ଛାତ୍ରଛାତ୍ରୀମାନେ ବି ଏଥିରୁ ବାଦ୍ ପଡନ୍ତି ନାହିଁ।ଭେଦଭାବ ପାଇଁ ଶିକ୍ଷକ ଓ ସହପାଠୀଙ୍କ ଦ୍ଵାରା ବେଳେ ବେଳେ ତାଚ୍ଛଲ୍ଯ ହେବାକୁ ପଡେ।ନାଳନର୍ଦ୍ଦମା,ଶୌଚାଳୟ ସଫା କରିବା, ଲୁଗାସଫା କରିବା, କୁଲା ମସିଣା ବୁଣିବା, ଜୋତା ସଫା କରିବା ଆଦି କିଛି ଵୃତ୍ତି ମଧ୍ୟେ ସୀମିତ ରହିବା ତଥା  ଉଚ୍ଚବର୍ଗ ସମାଜଦ୍ୱାରା  ତୁଚ୍ଛ ମନେକରାଯିବାର ପରିଣାମ ହିଁ ଆରକ୍ଷଣ ବ୍ୟବସ୍ଥା।ଶିକ୍ଷା, ନିଯୁକ୍ତି  କ୍ଷେତ୍ରରେ ପଦକ୍ଷେପଟି ନ୍ୟାୟଯୁକ୍ତ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟ ବାଧାଗ୍ରସ୍ତ ହେଉଛି।କୁପରିଣତିସ୍ୱରୂପ, ମାନସିକ ଚାପ  ଓ ଆତ୍ମହତ୍ୟା ହିଁ ଶେଷପନ୍ଥା ପାଲଟୁଛି।
 ଏହି ଜାତିଗତ ବର୍ଣ୍ଣଗତ ଭେଦଭାବକୁ ଏବେ ସମାଜ ଆଧ୍ୟାତ୍ମବାଦ ସହ ଯୋଡିଚାଲିଛି।ଈଶ୍ୱରୀୟ ସତ୍ତା ଏକ ଓ “ମାନବ ସେବା ହିଁ ମାଧବ ସେବା” ପରି ଆଦର୍ଶକୁ ହେୟ କରାଯାଉଛି। ଶୂଦ୍ର ଦଳିତଙ୍କୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରାଇ ନଦେବା, ପୂଜାର୍ଚ୍ଚନା ପାଇଁ ସୁଯୋଗ ନଦେବା,ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆନଯିବାର ଘଟଣା ଅନେକ।ଅତୀତରେ ଏହାର ଶିକାର ଆମ ରାଷ୍ଟ୍ରପତି ମହୋଦୟ ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ମଧ୍ୟ ହୋଇଥିଲେ।ସମ୍ବିଧାନରେ ଧର୍ମ ଓ ପୂଜାର୍ଚ୍ଚନା ନିମନ୍ତେ ସ୍ୱାଧୀନତା ଉଲ୍ଲେଖଯୋଗ୍ୟ ସତ କିନ୍ତୁ ସାମ୍ବିଧାନିକ ରାଷ୍ଟ୍ରରେ ଧାର୍ମିକ ଓ ବୈଦିକ ବୈଶିଷ୍ଟ୍ୟ ଓ ପଦ୍ଧତିକୁ ନେଇ ଅସମାନତା ବେଶି ଦେଖା ଦିଏ। ଯେପରି ରୁକବେଦର ପୁରୁଷସୂକ୍ତରୁ ଆନୀତ “ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣ, ଭୁଜରୁ କ୍ଷତ୍ରିୟ, ଜଂଘରୁ ବୈଶ୍ୟ ଓ ପାଦରୁ ଶୂଦ୍ରର ଉତ୍ପତ୍ତି ହୋଇଛି।” ମନୁ ସଂହିତାରୁ ଆନୀତ “ଅକ୍ଷୁର୍ଣ୍ଣ ଚିତ୍ତରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟର ସେବା କରିବା ଶୂଦ୍ରର କର୍ମ (୧-୯୧)” “ବିପ୍ରସେବା ହିଁ ଶୂଦ୍ରର ବିଶିଷ୍ଟ କର୍ମ ଓ ଏତଦଭିନ୍ନ ସେ ଆଉ ଯାହା କରେ ସବୁ ନିଷ୍ଫଳ(୧୦-୧୨୩)” ।
ଆସ୍ଥା ଓ ଆସକ୍ତିରେ ବନ୍ଧା ସମାଜ କିନ୍ତୁ ସମ୍ବିଧାନର ଧାରା ୧୫ ” ଜାତି,ଧର୍ମ,ବର୍ଣ୍ଣ ଲିଙ୍ଗ ଓ ଜନ୍ମସ୍ଥାନକୁ ନେଇ କୌଣସି ଭାରତୀୟ ନାଗରିକ ମଧ୍ୟେ ଭେଦଭାବ କରାଯିବ ନାହିଁ ” କୁ କାର୍ଯ୍ୟକ୍ଷମ କରାଇବାରେ ଅସମର୍ଥ। ମନେହୁଏ  ଗାନ୍ଧିଜୀଙ୍କ “ରାମରାଜ୍ୟ” ର ସ୍ବପ୍ନ ଯାହାର ପ୍ରକୃତ ଅର୍ଥ ଥିଲା “ରାଜା ଓ ପ୍ରଜାଙ୍କର ସମାନ ଅଧିକାର” ତାକୁ ଲୋକେ ଭୁଲବଶତଃ ଆଧ୍ୟାତ୍ମିକ ରୂପେ ଗ୍ରହଣ କରିନେଇଛନ୍ତି।
ସ୍ୱାଧୀନ ଭାରତରେ ଲିଙ୍ଗଗତ ସମାନତା କେତେ ଓ ନାରୀର ସ୍ଥିତି କଣ ଆମେ ଅଳ୍ପ ବହୁତ ଜାଣିବା ନିହାତି ଆବଶ୍ୟକ। ୨୦୧୧ ଜନଗଣନା ଅନୁସାରେ, ଭାରତରେ ପ୍ରତି ୧୦୦୦ ପୁରୁଷ ତୁଳନାରେ ନାରୀ  ସଂଖ୍ୟା ୯୪୩ । ସାକ୍ଷରତା ହାର ଉପରେ ଦୃଷ୍ଟି ଦେଲେ, ପୁରୁଷ ସାକ୍ଷରତା ହାର ୮୨.୧୪ ଶତକଡା  ହୋଇଥିବା ବେଳେ ନାରୀର ୬୫.୪୬ ଶତକଡା।ଅର୍ଥାତ ପୁରୁଷ ତୁଳନାରେ ନାରୀ ସାକ୍ଷରତା ହାର କମ।ଏହାର ପ୍ରଥମ କାରଣ ହେଉଛି କନ୍ୟାଭୃଣ ହତ୍ୟା ଓ ଦ୍ବିତୀୟ ରେ ବିଦ୍ୟାଳୟରେ ଝିଅମାନଙ୍କ ଆଡ଼ମିଶନ ସଂଖ୍ୟା କମ।କାରଣ କିଛି ପିତାମାତାଙ୍କ ଅନୁସାରେ , ଝିଅମାନେ ପାଠପଢ଼ି କରିବେ କଣ ? ଯେଉଁ କିଛି ବିଦ୍ୟାଳୟକୁ ଯାଆନ୍ତି ତାଙ୍କୁ ଶିକ୍ଷାଶେଷ ଆଗରୁ କାଢି ଗୃହକାର୍ଯ୍ୟରେ ଲଗାଇ ଦିଆଯାଏ।ସେପରି ବଳାତ୍କାର ଓ ଧର୍ଷଣ ନାରୀବିକାଶ ଦିଗରେ ପଥରୋଧ ସାଜିଛି। ରାଷ୍ଟ୍ରୀୟ ଅପରାଧ ଅଭିଲେଖ ( ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୧୮) ଅନୁଯାୟୀ, ଭାରତରେ ପ୍ରତି ୧୫  ମିନିଟରେ ଗୋଟିଏ ବଳାତ୍କାର ହୋଇଥାଏ।
କେବଳ ସେତିକି ନୁହେଁ, ଏସିଡ ଆକ୍ରମଣ, ଯୌତୁକ ପ୍ରଥା, ବଧୂ ନିର୍ଯାତନା ଓ ଆତ୍ମହତ୍ୟା, କୁମାରୀତ୍ବ ପରୀକ୍ଷା, ୠତୁସ୍ରାବ ସମ୍ପର୍କିତ ନିୟମାବଳୀ  ଆଦି ଦିଗରୁ ନାରୀର ସ୍ଵାଧୀନତା ନିଚ୍ଛକ ରୂପେ ବାରି ହୋଇପଡେ। ନାରୀ ଆଜି ଘରୁ ବାହାରି ମୁକ୍ତ ଆକାଶ ତଳେ ନିର୍ଭୟରେ ନା ବୁଲିପାରୁଛି ନା ନିଜ ଜୀବନର ବହୁରୁ ବହୁମୂଲ୍ୟ  ନିଷ୍ପତ୍ତି ନିଜେ ନେବାର କ୍ଷମତା ପାଇଛି।ମୋଟାମୋଟି ଭାବେ ଦେଖିବାକୁ ଗଲେ ଏସବୁ ପୁରୁଷବାଦ ଓ ପିତୃସତ୍ତା ବ୍ୟବସ୍ଥାର ଉତ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।ଯାହା ନାରୀ ସ୍ବାଧିନତା କୁ ଯୁଗ ଯୁଗ ଧରି କବଜା କରି ଆସିଛି। ଇତିହାସ ବି ଏହାର ମୁକସାକ୍ଷୀ।ଦିନ ଥିଲା ନାରୀଶିକ୍ଷାର ସୁବିଧା ସୁଯୋଗ ନଥିଲା।ଵିଦ୍ୟାଳୟର ଦ୍ୱାର ସେମାନଙ୍କ ପାଇଁ ଖୋଲା ନଥିଲା।ବିବାହ ପୂର୍ବରୁ ପିତା ଓ ଭାଇ ଏବଂ ବିବାହ ପରେ କେବଳ ସ୍ୱାମୀ ଦ୍ୱାରା ପରିଚାଳିତ ହେବା ପରି କୁବ୍ୟବସ୍ଥା ଥିଲା।ବାଲ୍ୟବିବାହ, ସତୀଦାହ ପ୍ରଥା ବି ଅନ୍ୟତମ।ବର୍ତ୍ତମାନ ଏସବୁର ଅନ୍ତ ହେବା ସତ୍ତ୍ୱେ କିଛିଟା ପ୍ରଭାବ ରହି ଯାଇଛି।
ସମ୍ବିଧାନ ପ୍ରଣୟନର ବହୁ ବର୍ଷ ପରେ ବି ନାରୀ ଅଧିକାର ବିଷୟରେ ଜାଣିବାକୁ ଚେଷ୍ଟା କରାଯାଇନି।ପାରିବାରିକ ବ୍ୟବସ୍ଥା ମଧ୍ୟ ଏଥିପାଇଁ ଦାୟୀ।ଯେପରି ସଭିଏଁ ଛୋଟବେଳୁ ଝିଅଟିକୁ ରାମାୟଣ,ମହାଭାରତ କାହାଣୀ ସହ ମାଲଷ୍ମୀ, ସୀତା,ସାବିତ୍ରୀ,ଦ୍ରୌପଦୀଙ୍କ ଉଦାହରଣ ଦେଇ ତାକୁ ଦୟା,ସେବା, ତ୍ୟାଗର ଦେବୀ ସଜାଇ ଦେଇ ସର୍ବସଂହା ହେବା ଶିଖେଇ ଦିଅନ୍ତି ; କିନ୍ତୁ ରାଣୀ ଲଷ୍ମୀବାଇ, ଦୁର୍ଗାବତୀ, ସାବିତ୍ରୀ ବାଇ ଫୁଲେ, କଳ୍ପନା ଚାୱଲା, ସରୋଜିନୀ ନାଇଡୁଙ୍କ ଉଦାହରଣ ଦେବା କମ।ବିଡମ୍ବନା ଯେ , ସମ୍ପ୍ରତି ନାରୀ ସ୍ୱାଧୀନମନା, ଉନ୍ମୁକ୍ତା, ତର୍କଶିଳା ହେବା ସମାଜ ଗ୍ରହଣ କରିପାରୁନାହିଁ।ଓଲଟି ଉଦ୍ଧତ, ଦୁଷ୍ଟପ୍ରବୃତ୍ତିର ଆଖ୍ୟା ଦେଇ ତାର  ସୀମା ଲଙ୍ଘିବା କଥା କୁହାଯାଉଛି।ଯାହା ସ୍ଵଳ୍ପସଂଖ୍ୟକ ବୋଲି କେହି ହୃଦୟଙ୍ଗମ କରେନି ।ତାଛଡା ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା,ବାଳିକା ସମୃଦ୍ଧି ଯୋଜନା, କନ୍ୟାରତ୍ନ ଯୋଜନା, ଧନଲଷ୍ମୀ ଯୋଜନା , ବେଟି ବଚାଓ ବେଟି ପଢ଼ାଓ ଯୋଜନାମାନ ପରୋକ୍ଷଭାବେ ନାରୀର ସ୍ଥିତିକୁ ତଳିଆ ଓ ଦୁର୍ବଳ ବୋଲି ସୂଚାଇ ଦିଏ।
ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା କିନ୍ନରଙ୍କୁ ଓ ସମଲିଙ୍ଗୀ ସମ୍ବନ୍ଧକୁ ବହୁ ବର୍ଷପରେ ଆଇନତଃ ଅଧିକାର (ଧାରା ୩୭୭) ମିଳିବା ବାଦେ ଏବେବି ସେମାନେ ଗୌରବର ସହ ଚଳିପାରୁନାହାନ୍ତି । ଏକ ସାଧାରଣ ମଣିଷର ଜୀବନଶୈଳୀ ଆପଣେଇ ବଞ୍ଚୁଥିବା ଓ ବହୁକ୍ଷେତ୍ରରେ ନାମାର୍ଜନ କରିସାରିଥିବା ଏହି ସମାଜକୁ ଉଚିତ୍ ପାରିବାରିକ ଓ ସାମାଜିକ ସ୍ୱୀକୃତି ମିଳିପାରିନାହିଁ। ଲୋକଙ୍କର ସେମାନଙ୍କ ପ୍ରତି ଥିବା କୁମନୋଭାବ ପାଇଁ ଅପନିନ୍ଦାର ଶିକାର ହେବାକୁ ପଡୁଛି।ସ୍ୱତନ୍ତ୍ରତାର ଢୋଲ ପିଟୁଥିବା ସ୍ୱାଧୀନ ରାଷ୍ଟ୍ର ସମାଜରେ ଥିବା ବିଶେଷ ସ୍ୱତନ୍ତ୍ରତାକୁ ପରିଚୟ ଦେବାରେ କୁଣ୍ଠିତ ମନେକରୁଛି।
ଶେଷରେ ଆମେ ରାଜନୈତିକ ପରିଭୂମିକୁ ଆସିଲେ ଦେଖିବା ଯେ ଦେଶରେ ଗଣତନ୍ତ୍ର ଶାସନ କିପରି ଭାବେ କାର୍ଯ୍ୟକାରୀ ହୋଇପାରିଛି ।ସାଧାରଣ ଜନତାଙ୍କ ଭୋଟ ଦେବା ପଛରେ ଥିବା ଆଶା ଓ ବିଶ୍ୱାସ କେତେ ଫଳଦାୟୀ ? ସରକାର ନିର୍ବାଚିତ ହେଲାପରେ ଜନତାଙ୍କ ଚାହିଦା ସଠିକ୍ ରୂପେ ପୂରଣ ହୋଇପାରୁନାହିଁ ।ସରକାରଙ୍କ ଯୋଜନାଗୁଡିକ ସଠିକ୍ ହିତାଧୀକାରୀଙ୍କ ପାଖେ ପହଞ୍ଚିପାରେନାହିଁ ।ପ୍ରତିଶ୍ରୁତିବଦ୍ଧ ସରକାର ଶାସନଗାଦି ଅକ୍ତିଆର କରିବା ପରେ ବି କେବେ ଶିକ୍ଷିତ ବର୍ଷ ବର୍ଷ ଧରି ବେରୋଜଗାର ତ କେବେ ଚାକିରୀ ପାଇଁ ଲାଞ୍ଚ ଦେଇ ଦେଇ ସର୍ବସ୍ୱାନ୍ତ ।କେଉଁଠି କୃଷକ ପାଖେ ସଠିକ୍ ସୁବିଧା ସୁଯୋଗ ପହଞ୍ଚି ପାରୁନଥିବା ବେଳେ କେଉଁଠି ଅନଧିକାରୀ ସରକାରଙ୍କ ଡାଲି ଚାଉଳ ଲୁଟିଚାଲୁଛନ୍ତି ।ଗରିବ ମୁଣ୍ଡକୁ ନୂଆଣିଆ ଚାଳଘରଟେ ସାତସପନ ହୋଇଥିବା ବେଳେ କ୍ଷମତାଶାଳୀ, ଲୁଟିଖିଆ ମାନେ ନିଜ ସ୍ୱରାଜବିସ୍ତାର କରିଚାଲିଛନ୍ତି ।
ଏବେ ସର୍ବୋପରି ଦେଖିବାକୁ ଗଲେ, କାର୍ଲ ମାର୍କ୍ସଙ୍କର ସାମାଜିକ ଶ୍ରେଣୀ ବିବାଦ ସିଦ୍ଧାନ୍ତ  (ସୋସିଆଲ୍ କ୍ଲାସ୍ କନ୍ଫିକ୍ଟଟ ଥିଓରି) ଅନୁଯାୟୀ,  ସମାଜରେ ଦୁଇ ଶ୍ରେଣୀର ଲୋକ ଅଛନ୍ତି ଯଥା ମାଲିକ ଓ ଗରିବ।କେଉଁ କାଳରୁ ଚାଲି ଆସୁଥିବା ଗରିବୀ,ଦାରିଦ୍ର୍ଯ,ବେରୋଜଗାର ଓ ଦୁର୍ନୀତିର ବିକଟାଳରୂପ କରୋନା ପରିସ୍ଥିତି ପରଠୁ ଲୋକଲୋଚନରେ ହୋଇପାରିଛି ମୁଖ୍ୟ ଆକର୍ଷଣର ବିଷୟ।
ଉପରୋକ୍ତ ସମସ୍ତ ସମସ୍ୟାକୁ ଦେଖିବାକୁ ଗଲେ ଦେଶର ସାଧାରଣ ଜନତା ମଧ୍ୟ ଏଥିପାଇଁ  ଆଂଶିକ ଦୋଷୀ ।ମଣିଷ ଆଜି ନିଜ ଅଧିକାର କଣ ନିଜେ ଜାଣିବାକୁ ପାଉନି।ପ୍ରଚଳିତ ପ୍ରଥାରେ ନିଜକୁ ଅନ୍ଧଭାବେ ବୁଡାଇଦେଇ ବାସ୍ତବତାଠୁ ଦୂରେଇ ଯାଉଛି ।ଭବିଷ୍ୟତ ପାଇଁ ଇତିହାସକୁ ତନ୍ନତନ୍ନ କରି ଜାଣିବା କେତେ ଜରୁରୀ ଓ ପ୍ରତ୍ୟେକ ଦିଗରେ ଅନୁସନ୍ଧାନର କେତେ ଆବଶ୍ୟକତା ସେ ଠଉରାଇପାରୁନାହିଁ।ଏସବୁ ପଛରେ ରହିଛି କ୍ଷୁଦ୍ରମନା ମଣିଷର “କାଦୁଅରେ ଗୋଡ ଦେବି କାହିଁକି ଧୋଇବି କାହିଁକି” ଓ “ଆପେ ବଞ୍ଚିଲେ ବାପର ନାଆଁ” ପରି ମାନସିକତା ।ଦୁଃଖର ବିଷୟ ଏହା ଯେ, ଲୋକେ ନିଜେ ନିଜ ପାଇଁ ଲଢେଇ କରିପାରୁନଥିବା ବେଳେ, ଲଢେଇ କରି ସମାଜ ସ୍ଥିତିକୁ ସନ୍ତୁଳିତ ଓ ସୁଦୃଢ କରି ପାରିଥିବା ମହାମାନବଙ୍କୁ ବି ମନେ ରଖିପାରି ନାହାନ୍ତି ।ଆଜି କେତେମାତ୍ରାରେ ସମାନତାର ପ୍ରତୀକ ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ମନେରଖାଯାଇପାରିଛି ? ଆଜି କେତେ ଲୋକେ ସମ୍ବିଧାନର ନିୟମାବଳୀ ଓ ବିଚାରଧାରାକୁ ପଢିଛନ୍ତି ଜାଣିଛନ୍ତି ? ମଣିଷକୁ ସ୍ୱତନ୍ତ୍ର ପରିଚୟ ଓ ସୁସ୍ଥ ସମାଜର ସ୍ବପ୍ନ ଦେଖିଥିବା ଗୌତମବୁଦ୍ଧ, ବିବେକାନନ୍ଦ, ରାମମୋହନ ରାୟ ଆଦିଙ୍କ ଆଦର୍ଶକୁ କେତେ ଲୋକ ଅନୁସରଣ କରିପାରିଛନ୍ତି ? ବହୁତ କମ୍।
ତେବେ ଜିଜ୍ଞାସା ଓ ଚିନ୍ତନଶୈଳୀର ଅଭାବ,ସମାଜ ସଂସ୍କାର ପରିବର୍ତ୍ତନ ଓ ମୌଳିକ ଅଧିକାର ପାଇଁ ଲଢେଇ କରିବାର ସାହାସରେ ଅଭାବ ଯେ ଆମ ଅଜାଣତରେ ପୁଣି ପରାଧୀନତାର ମୁଖକୁ ଟାଣିନେଉଛି, ଆମେ ଏଥିପ୍ରତି ଅଜ୍ଞାତ।ଏଥିପାଇଁ ଆମକୁ ମାନସପଟରେ  ଧର୍ମ ଓ ସଂସ୍କୃତିର ସଠିକ୍ ସଜ୍ଞାକୁ ଆବୋରିବାକୁ ପଡିବ। ସ୍ୱତନ୍ତ୍ରତା, ସମାନତା,ଭାଇଚାରା ହିଁ ଆମ ଉଚିତ୍ ଧର୍ମ ଓ ଯାହା ମନୁଷ୍ୟର ହିତସାଧନ କରେ ତାହାହିଁ ଉଚିତ୍ ସଂସ୍କୃତି ।ଫଳତଃ, ଆପେ ବାୟୁମଣ୍ଡଳରେ ପ୍ରସ୍ଫୁଟିତ ହେବ ସ୍ୱାଧୀନତାର ମହକ ଓ ପରାଧୀନତାର ଶ୍ୱାସରୁଦ୍ଧତାରୁ ସମାଜ ହେବ ମୁକ୍ତ ।

LEAVE A REPLY

Please enter your comment!
Please enter your name here