ବିଦ୍ୟୁତ ଲତା ପଣ୍ଡା : ଲୋକଶିକ୍ଷା,ସଦାଚାର ଏବଂ ପ୍ରାଣୀମାତ୍ରକେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ବିଷୟରେ ସୂଚନା ବ୍ୟାସଦେବଙ୍କର ସମସ୍ତ ପୁରାଣରେ ଦେଖିବାକୁ ମିଳିଥାଏ । ଲୋକଶିକ୍ଷା ନିମନ୍ତେ ବହୁ ଆଖ୍ୟାନ ସେ ମହାଭାରତରେ ପ୍ରଦାନ କରିଅଛନ୍ତି । ତନ୍ନଧ୍ୟରୁ ସାବିତ୍ରୀ ଓ ସତ୍ୟବାନ ପ୍ରସଙ୍ଗ ଅନ୍ୟତମ । ସାବିତ୍ରୀ ଚରିତ୍ର ମାଧ୍ୟମରେ ସେ ଜଗତକୁ ପାତିବ୍ରତ୍ୟ ଧର୍ମର ଶକ୍ତି ବିଷୟରେ ଶିକ୍ଷା ପ୍ରଦାନ କରିବା ସହ ନାରୀ ସ୍ୱାଧୀନତାର କଥା ମଧ୍ୟ କହିଛନ୍ତି । ଉତ୍ତମ ପୁରୁଷ ଯାହାଥରେ କହିଦିଅନ୍ତି,ତାହା ସତ୍ୟ କରି ଦେଖାନ୍ତି;ତେଣୁ ବାଣୀରେ ଥରେ କହିଦେବା ପରେ ତାହାକୁ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

ସାବିତ୍ରୀ ଚରିତ୍ର ମାଧ୍ୟମରେ ସମାଜକୁ ଶିକ୍ଷା ଦେଇଛନ୍ତି, ଦୃଢ ଇଚ୍ଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରାଯାଇପାରେ । ଅଧୈର୍ଯ୍ୟ ନୁହଁ ବରଂ ଧୈର୍ଯ୍ୟ ହିଁ ସଫଳତାର ମାପକାଠି । ମଦ୍ର ଦେଶର ଧାର୍ମିକ,ସତ୍ୟନିଷ୍ଠ ,ଜୀତେନ୍ଦ୍ରିୟ,ଦାନୀ,ଚତୁର,କ୍ଷମାଶୀଳ ଓ ବ୍ରାହ୍ମଣସେବୀ ରାଜା ଅଶ୍ୱପତିଙ୍କର କନ୍ୟାଟିଏ ଜାତ ହେବାରୁ ତାର ଜାତକର୍ମାଦି ସଂସ୍କାର କରି ସାବିତ୍ରୀ ମନ୍ତ୍ରରେ ଆହୁତି ଦେଇ ଯଜ୍ଞ କରିବାରୁ କନ୍ୟାଟିର ନାମ ଦେଲେ ସାବିତ୍ରୀ । ସେହି କନ୍ୟା ଯୋବନବସ୍ଥାରେ ପଦାର୍ପଣ କରିବାରୁ ନିଜ ପାଇଁ ବର ଖୋଜିବାକୁ ସ୍ୱାଧୀନତା ଦେବା ସହ ବୟୋବୃଦ୍ଧ ମନ୍ତ୍ରୀମାନଙ୍କ ସହ ଯାଇ ବର ଚୟନ କରିବାକୁ ରାଜା ଆଦେଶ ଦେଲେ । ରାଜା କନ୍ୟାକୁ ଡାକି କହିଲେ;ଧର୍ମଶାସ୍ତ୍ରରେ ନିଦେ୍ର୍ଦଶ ମୁତାବକ ବିବାହ ଯୋଗ୍ୟ କନ୍ୟାକୁ ବାହା ନକରି ଘରେ ରଖିଥିବା ପିତା,ବିଧବା ମାତାକୁ ପାଳନ ପୋଷଣ କରୁନଥିବା ପୁତ୍ର ନିନ୍ଦନୀୟ ଅଟନ୍ତି ।ଏଣୁ ତୁ ତୋ ପାଇଁ ଉପଯୁକ୍ତ ବର ଖୋଜ,ଯେମିତିକି ମୋତେ ଦେବତାଙ୍କ ପାଖରେ ଅପରାଧୀ ହେବାକୁ ନପଡ଼େ ।

ସାବିତ୍ରୀ ବର ଖୋଜିବା ପାଇଁ ଯାତ୍ରାକରି ରାଜଷର୍୍ିଙ୍କ ତପୋବନରେ ପହଞ୍ଚି ସତ୍ୟବାନଙ୍କ ରୂପ ଓ ଗୁଣ ପ୍ରତି ଆକୃଷ୍ଟ ହୋଇ ନଅରକୁ ଫେରି ପିତାଙ୍କୁ ଜଣାଇବା ସମୟରେ ସେଠାରେ ଉପସ୍ଥିତ ଦେବର୍ଷି ନାରଦ ସତ୍ୟବାନଙ୍କ ମୃତୁ୍ୟ ସମୟ ମାତ୍ର ଆଉଏକବର୍ଷ ବାକିଥିବା କଥା କହିଲେ । ପିତା ଅଶ୍ୱପତି ପୁତ୍ରୀର ଭବଷ୍ୟତ ବିଷୟରେ ଶଙ୍କିତ ହୋଇ ପୁତ୍ରୀକୁ ପୁନର୍ବିଚାର ପାଇଁ କହିଥିଲେ ମଧ୍ୟ ସାବିତ୍ରୀ ତାହା ଗ୍ରହଣ କରିନଥିଲେ । ସତ୍ୟବାନଙ୍କ ଆୟୁଷ ନଥିବା ଜାଣି ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ପାଇଁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ କେବଳ ପାତିବ୍ରତ୍ୟ ଧର୍ମକୁ ବୁଝିଥିବାରୁ ଦୃଢ ନିର୍ଣ୍ଣୟ କରି ନେଇଥିଲେ“ଯଦି ମୁଁ ପତିବ୍ରତା ଧର୍ମ ପାଳନ କରିବି ମୋ ସ୍ୱାମୀ କଦାପି ମରିପାରିବେ ନାହିଁ ।”ବରଂ ସେ ପିତାଙ୍କୁ କହିଥିଲେ,“ବାପା!କାଠ ବା ପଥର ଭାଙ୍ଗିଗଲା ବେଳେ ଥରେ ମାତ୍ର ତାର ମୂଳ ଖଣ୍ଡରୁ ପୃଥକ ହୁଏ,କନ୍ୟାଦାନ ଥରେ ମାତ୍ର କରାଯାଇଥାଏ ଏବଂ ‘ମୁଁ ଦାନ କଲି’ଥରେ ମାତ୍ର କୁହା ଯାଇଥାଏ ।

ଏ ତିନୋଟି କଥା ଥରେ ମାତ୍ର କୁହାଯାଏ । ମୁଁ ସତ୍ୟବାନଙ୍କୁ ଥରେ ମାନସିକ ସ୍ତରରେ ବରଣ କରିସାରିଛି,ସେ ଦୀର୍ଘାୟୁ କିମ୍ବା ଅଳ୍ପାୟୁ ହୋଇଥାନ୍ତୁ,ଗୁଣହୀନ କିମ୍ବା ଗୁଣବାନ ହୋଇଥାନ୍ତୁ,ସେ ହିଁ ମୋର ସ୍ୱାମୀ ହେବେ । ମୁଁ ଆଉ କାହାରିକୁ ବରଣ କରିପାରିବି ନାହିଁ ।”ବଞ୍ଚିବା ପାଇଁ ଅନେକ ଆୟୁର ଆବଶ୍ୟକତା ନାହିଁ ବରଂ ନିଜର ଆଦର୍ଶ ଓ ମହତାକାଂକ୍ଷା ଜୀବନକୁ ଚିରକାଳ ଯାଏଁ ବଞ୍ଚାଇ ରଖେ ।
ପୁତ୍ରୀର ଅକାଟ୍ୟ ଯୁକ୍ତି ଓ ପସନ୍ଦକୁ ସମର୍ଥନ ଜଣାଇ ପିତା ଅଶ୍ୱପତି ନାରଦଙ୍କ ଠାରୁ ପରାମର୍ଶ ନେଇ ସମସ୍ତ ବୈବାହିକ ସାମଗ୍ରୀ ସଂଗ୍ରହ କରିବା ସହ ପୁରୋହିତଙ୍କୁ ଡକାଇ ଶୁଭଦିନ ଦେଖି କନ୍ୟାକୁ ନେଇ ସତ୍ୟବାନଙ୍କ ପିତା ଦ୍ୟୁମତ୍ସେନଙ୍କ ଆଶ୍ରମରେ ପହଞ୍ଚିଲେ ।

ରାଜପଦରୁ ବିତାଡ଼ିତ ଚକ୍ଷୁହୀନ ଦୁ୍ୟମତ୍ସେନ ବଣରେ ଆଶ୍ରମ କରି ରହିଥାନ୍ତି । ରାଜା ଅଶ୍ୱପତି ସେଠାରେ ପହଞ୍ଚି ଦ୍ୟୁମତ୍ସେନଙ୍କୁ ଯଥାଯୋଗ୍ୟ ପୂଜା କରି ନିଜର ପରିଚୟ ଦେବାରୁ ଧର୍ମଜ୍ଞ ରାଜର୍ଷି ଅର୍ଘ୍ୟ ଓ ଆସନ ଦେଇ ସ୍ୱାଗତ କରିବା ସହ ଆସିବାର ଅଭିପ୍ରାୟ ପଚାରିଲେ । ଅଶ୍ୱପତି ନିଜର ପୁତ୍ରୀକୁ ପୁତ୍ରବଧୂ ଭାବରେ ଗ୍ରହଣ କରିବାକୁ ନିବେଦନ କରିବାରୁ ଦ୍ୟୁମତ୍ସେନ ବଣର କଷ୍ଟଜୀବନ କଥା କହି କିପରି ବଣରେ କାଳ କାଟିବ ବୋଲି ପ୍ରଶ୍ନ ପଚାରିଲେ? ଅଶ୍ୱପତି ତାଙ୍କୁ କହିଲେ;“ରାଜନ!ସୁଖ-ଦୁଃଖ ତ ସମୟାନୁସାରେ ଆସେ ଏବଂ ପୁଣି ଚାଲିଯାଏ ।”ଏକଥା ମୁଁ ଓ ମୋ କନ୍ୟା ଭଲ ଭାବରେ ଜାଣୁ । ତେଣୁ ମୋତେ ନିରାଶ କରନ୍ତୁନି । ରାଜାଙ୍କ ବିନମ୍ରତାରେ ସନ୍ତୁଷ୍ଟ ଦ୍ୟୁମତ୍ସେନ ବିବାହର ସ୍ୱୀକୃତି ପ୍ରଦାନ କରିବାରୁ ଆଶ୍ରମରେ ଥିବା ବ୍ରାହ୍ମଣଙ୍କୁ ଡକାଇ ବିଧିବତ୍ ବିବାହ ସଂସ୍କାର କାର୍ଯ୍ୟ ସମ୍ପନ୍ନ କଲେ ।

ସମୟ ଆଗ୍ରଗତିରେ ଯାଇ ସତ୍ୟବାନଙ୍କ ମୃତ୍ୟୁ ଦିବସ ପାଖରେ ପହଞ୍ଚିଲା । ସତ୍ୟବାନଙ୍କ ମୃତ୍ୟୁର ଚାରିଦିନ ପୂର୍ବରୁ ସାବିତ୍ରୀ ତିନିଦିନ ପର୍ଯ୍ୟନ୍ତ ବ୍ରତ ପାଳନ କରବାର ନିଷ୍ପତ୍ତି କରି ବ୍ରତ ଆରମ୍ଭ କରିଦେଲେ । ଆସନ୍ତା କାଲି ମୋ ସ୍ୱାମୀର ମୃତ୍ୟୁ ହେବ ଭାବି ତୃତୀୟ ରାତିଟି ମଧ୍ୟ ଶୋଇପାରିଲେନି । ସତ୍ୟବାନଙ୍କ ଅନ୍ତିମ ଦିନ ସକାଳୁ ସୂର୍ଯ୍ୟ ଚାରିହାତ ଉପରକୁ ଉଠୁଉଠୁ ନିଜର ସମସ୍ତ ଆହ୍ନିକ କାର୍ଯ୍ୟ ସମାପନ କରି ଅଗ୍ନିରେ ଆହୁତି ଦେଇ ସମସ୍ତ ବ୍ରାହ୍ମଣ,ଗୁରୁଜନ,ଶାଶୁ,ଶ୍ୱଶୁର ପ୍ରଭୃତିଙ୍କୁ ପ୍ରଣାମ କରି ସଂଯମପୂର୍ବକ ହାତ ଯୋଡ଼ି ଠିଆ ହୋଇଗଲେ । ସେହି ତପୋବନରେ ବାସ କରୁଥିବା ସମସ୍ତ ତପସ୍ୱୀ ତାଙ୍କୁ ସୋ÷÷ଭାଗ୍ୟବତୀ ହେବା ଓ ଅବୈଧବ୍ୟ ସୂଚକ ଶୁଭ ଆଶୀର୍ବାଦ ଦେଲେ ।

ଇତିମଧ୍ୟରେ ସତ୍ୟବାନ ବଣକୁ କାଠ ସଂଗ୍ରହ ନିମନ୍ତେ ଯିବାପାଇଁ ବାହାରିବାରୁ ସାବିତ୍ରୀ ତାଙ୍କ ସହ ବଣକୁ ବାହାରିଲେ,ସତ୍ୟବାନଙ୍କ ନିଦେ୍ର୍ଦଶରେ ନିଜ ଶାଶୁ ଓ ଶ୍ୱଶୁରଙ୍କ ଅନୁମତି ନେଇ । ମନର ଆବେଗକୁ ,ହୃଦୟରେ ଜଳୁଥିବା ଦାବାଗ୍ନିକୁଏବଂ ଉପବାସର କ୍ଳାନ୍ତିକୁ ଦବାଇ ରଖି ସ୍ୱାମୀଙ୍କ ସହ ପ୍ରସନ୍ନତାର ସହ କାଷ୍ଠ ସଂଗ୍ରହରେ ଲାଗିଗଲେ । ସେହି ଦାରୁଣ ସମୟ ଆସି ଉପସ୍ଥିତ ହେବାରୁ ସତ୍ୟବାନଙ୍କର ମୁଣ୍ଡ ବିନ୍ଧିବା ସହ ଶରୀରରେ ଓ ଛାତି ଭିତରେ ଜଳାପୋଡ଼ା ହେବାରୁ ସେ ସାବିତ୍ରୀଙ୍କ କୋଳରେ ଶୋଇପଡ଼ିଲେ ।

ଠିକ୍ ସେହି ସମୟରେ ଜଣେ ନାଲି ବସ୍ତ୍ର ପିନ୍ଧିଥିବା ସୂର୍ଯ୍ୟସମ ତେଜୋବନ୍ତ କଳାରଙ୍ଗର ପୁରୁଷ ହାତରେ ପାଶଧରି ସେଠାରେ ଆବିର୍ଭୁତ ହେଲେ । ସାବିତ୍ରୀ ଆଗନ୍ତୁକଙ୍କୁ ବିନମ୍ରତାର ସହିତ ପରିଚୟ ଏବଂ ଆସିବାର ଅଭିପ୍ରାୟ ପଚାରିଲେ । ଅଗନ୍ତୁକ ନିଜକୁ ଯମ ବୋଲି ପରିଚୟ ଦେଇ ସତ୍ୟବାନଙ୍କର ଜୀବନକୁ ପାଶରେ ବାନ୍ଧି ଟାଣିଟାଣି ଦକ୍ଷିଣଦିଗକୁ ନେବାରୁ ସାବିତ୍ରୀ ମଧ୍ୟ ତାଙ୍କ ସହିତ ଚାଲିଲେ । ଏହା ଦେଖି ଯମରାଜ ସାବିତ୍ରୀଙ୍କୁ ଫେରିଯାଇ ସ୍ୱାମୀଙ୍କର ଔଦ୍ଧ୍ୱର୍ଦୈହିକ ସଂସ୍କାର କରିବାକୁ କହିବା ସହ ପତିସେବା ଋଣରୁ ମୁକ୍ତ ହୋଇସାରିବା କଥା ମଧ୍ୟ କହିଲେ । ସାବିତ୍ରୀ ସନାତନ ଧର୍ମର ବ୍ୟାଖ୍ୟା କରି ସ୍ୱାମୀଙ୍କ ସହ ସ୍ତ୍ରୀ ସମାନ ସ୍ଥାନକୁ ଯାଇପାରିବାର ଯୁକ୍ତି କରିବାରୁ ଯମ ପ୍ରସନ୍ନ ହୋଇ ବର ମାଗିବାକୁ କହିଲେ । ଅତ୍ୟନ୍ତ ଚତୁରୀ ସାବିତ୍ରୀ ଶ୍ୱଶୁରଙ୍କ ଚକ୍ଷୁର ଜ୍ୟୋତିକୁ ବରମାଗିବା ସହ ଅଗ୍ନି ଓ ସୂର୍ଯ୍ୟଙ୍କ ପରି ତେଜସ୍ୱୀ ହେବାର ବର ମାଗିଲେ । ପୁନର୍ବାର ପତିଙ୍କୁ ଅନୁସରଣ କରି ଯମଙ୍କୁ ନିଜର ବିନମ୍ରତା ଗୁଣରେ ସନ୍ତୁଷ୍ଟ କରି ଶ୍ୱଶୁରଙ୍କ ଅପହୃତ ରାଜ୍ୟପ୍ରାପ୍ତିର ବର ମାଗିଲେ ।

ପୁଣି ସ୍ୱାମୀଙ୍କ ପଶ୍ଚତ୍ଧାବନ କରି ନିୟମ ପୂର୍ବକ ସଂଯମ କରୁଥିବାରୁ ଯମ ଏବଂ ମନ,ବଚନ ଓ କର୍ମରେ ସମସ୍ତଙ୍କ ପ୍ରତି ଅଦୋ୍ରହ,କୃପା କରିବା ଓ ଦାନଦେବା ହେଉଛି ସତ୍ପୁରୁଷଙ୍କ ସନାତନ ଧର୍ମ ତଥା ସତ୍ପୁରୁଷମାନେ ଶତ୍ରୁଙ୍କୁ ମଧ୍ୟ ଦୟା କରୁଥିବା ଆଦି ଜ୍ଞାନକହି ଯମଙ୍କ ଦ୍ୱାରା ନିଜ ପିତା ଅଶ୍ୱପତିଙ୍କ ଔରସରୁ ଶହେ ପୁତ୍ରପ୍ରାପ୍ତିର ବରପ୍ରାପ୍ତ ହେଲେ । ଏହାପରେ ପୁଣି ଯମଙ୍କର ପଶ୍ଚାତ୍ ଅନୁଧାବନ କରି ବିବସ୍ୱାନଙ୍କର ପରାକ୍ରମୀ ପୁତ୍ର ହେତୁ ବୈବସ୍ୱତ ଏବଂ ସମସ୍ତଙ୍କୁ ସମାନ ନ୍ୟାୟ ଦେଉଥିବାରୁ ଧର୍ମରାଜ ନାମ ଧାରଣ କରିଥିବା କଥାରେ ଯମଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ସତ୍ୟବାନଙ୍କ ଔରସରୁ ଶହେ ପରାକ୍ରମୀ ପୁତ୍ରର ବରପ୍ରାପ୍ତ ହେଲେ ।

ସାବିତ୍ରୀଙ୍କର ବାକ୍ଚାତୁରୀ,ଶବ୍ଦର ମାୟାଜାଲ ଆଗରେ ଯମ ପରାଜିତ ହୋଇଛନ୍ତି । ଅସତର୍କତା ବଶତଃ ସତ୍ୟବାନଙ୍କର ଜୀବନ ଦାନ ଦେଇଛନ୍ତି । ପୁନର୍ବାର ଯମଙ୍କୁ ଅନୁସରଣ କରି ସାବିତ୍ରୀ ସତ୍ପୁରୁଷମାନଙ୍କ ମନ ସତ୍ୟ ଓ ଧର୍ମରେ ଥାଏ । ସେମାନେ କଦାପି ଦୁଃଖିତ କିମ୍ବା ବ୍ୟଥିତ ହୁଅନ୍ତି ନାହିଁ,ସୁତ୍ପୁରୁଷଙ୍କ ମିଳନ ନିରର୍ଥକ ନୁହେଁ ତଥା ସନ୍ଥଜନ ହିଁ ଅତୀତ ଓ ଭବିଷ୍ୟତର ଆଧାର ଏବଂ ସନ୍ଥଜନ ପରୋପକାର କରିଥାନ୍ତି ପ୍ରତ୍ୟୁପକାରର ଆଶା ନରଖି । ନିଜର ବାକ୍ଚାତୁରୀରେ ଯମରାଜଙ୍କୁ ସନ୍ତୁଷ୍ଟ କରି ସ୍ୱାମୀଙ୍କର ଜୀବନଦାନକୁ ବର ଭାବରେ ମାଗିନେଲେ ଚାରିଶହବର୍ଷର ସୁଖୀ ଦାମ୍ପତ୍ୟ ଜୀବନ ସହ ।

ଯମରାଜ ଚାଲିଯିବା ପରେ ସତ୍ୟବାନଙ୍କ ସବ ପଡ଼ିଥିବା ସ୍ଥାନକୁ ଫେରି ସତ୍ୟବାନଙ୍କର ମୁଣ୍ଡକୁ ନିଜ କୋଳରେ ରଖିବାର କେତେକ୍ଷଣ ପରେ ସତ୍ୟବାନଙ୍କ ଚେତା ଫେରିବାରୁ ଆଶ୍ରମକୁ ଫେରି ଶାଶୁ,ଶ୍ୱଶୁରଙ୍କ ସହ ଅନ୍ୟମାନଙ୍କ ଦୁଶ୍ଚିନ୍ତାର ଅନ୍ତ ଘଟେଇଲେ । କହିବା ବାହୁଲ୍ୟ ସେତେବେଳକୁ ଦ୍ୟୁମତ୍ସେନଙ୍କ ଦୃଷ୍ଟଶକ୍ତି ଫେରି ଆସିଥାଏ । ବ୍ରାହ୍ମଣ ମାନଙ୍କ ପ୍ରଶ୍ନରେ ସାବିତ୍ରୀ ବଣରେ ଘଟିଥରବା ଘଟଣା ବର୍ଣ୍ଣନା କଲେ । ତହିଁ ପରଦିନ ସାଲ୍ୱ ଦେଶର ରାଜକର୍ମଚାରୀମାନେ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ଦ୍ୱାରା ରାଜା ନିହତ ହେବା ଏବଂ ରାଜପଦରେ ପୁନଃ ଅବସ୍ଥାପିତ କରିବା ପାଇଁ ସେମାନେ ଦ୍ୟୁମତ୍ସେନଙ୍କ ପାଖକୁ ଆସିଥବା କଥା କହି ସାଡମ୍ବରରେ ପାଲିଙ୍କିରେ ବସାଇ ରାଜଧାନୀକୁ ନେଇ ରାଜ୍ୟାଭିଷେକ କଲେ ତଥା ସତ୍ୟବାନଙ୍କୁ ଯୁବରାଜ ପଦରେ ମଧ୍ୟ ନିଯୁକ୍ତ କଲେ ।

ନିଜର ଆତ୍ମ ବିଶ୍ୱାସ ଏବଂ ସଦାଚାର ତଥା ପାତିବ୍ରତ୍ୟ ପାଇଁ ସାବିତ୍ରୀ ନିଜ ସ୍ୱାମୀଙ୍କର ଜୀବନ ବଞ୍ଚାଇବା ସହ ଶ୍ୱଶୁରଙ୍କର ଦୃଷ୍ଟିଶକ୍ତି ଓ ରାଜ୍ୟ ଫେରାଇ ଆଣିବା,ପିତା ଅଶ୍ୱପତିଙ୍କ ପାଇଁ ଶହେପୁତ୍ରର ବରପ୍ରାପ୍ତ ହେବା ଆଦି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଲେ । ବିପଦ ସମୟରେ ଅଧୈର୍ଯ୍ୟ ନୁହଁ ବରଂ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାମ୍ନା କରି ସେଥିରେ ବିଜୟ ପ୍ରାପ୍ତ ହୋଇଛନ୍ତି ସାବିତ୍ରୀ ।

LEAVE A REPLY

Please enter your comment!
Please enter your name here