nalco

ଥିରୁବନନ୍ତପୁରମ୍‌: ଅନେକ ବିବାଦ ଓ ବିରୋଧ ପରେ ଆଜି କେରଳର ସବରିମାଳା ମନ୍ଦିରକୁ ପ୍ରଥମ ଥର ପାଇଁ ୫୦ ବର୍ଷରୁ କମ୍‌ ବୟସର ଦୁଇ ଜଣ ମହିଳା ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି। ସବରିମାଳାକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେବାର ୯୫ ଦିନ ପରେ ଆଜି ଦୁଇ ଜଣ ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହି ଦୁଇ ଜଣ ମହିଳାଙ୍କ ବୟସ ୪୦ ବର୍ଷ ମଧ୍ୟରେ ‌ହେବ। ସେମାନେ ହେଲେ ବିନ୍ଦୁ ଅମ୍ମିନୀ ଏବଂ କନକଦୁର୍ଗା। ବିନ୍ଦୁଙ୍କ ଘର କୋଝିକୋଡ୍‌ ଜିଲ୍ଲାର କୋଇଲାଣ୍ଡିରେ ଏବଂ କନକଦୁର୍ଗାଙ୍କ ଘର ମଲପ୍ପୁରମ୍‌ ଜିଲ୍ଲାର ଅଙ୍ଗଦିପୁରମ୍‌ରେ। ଭୋର ୩.୪୫ ସମୟରେ ସେମାନେ ମନ୍ଦିରରେ ପ୍ରବେଶ କରିଥିଲେ। ସେମାନଙ୍କୁ କଳା‌ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି। ପୁଲିସ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ମନ୍ଦିର ପ୍ରବେଶ କରାଇଥିଲା। ତେବେ ସେମାନେ ମନ୍ଦିରର ପବିତ୍ର ୧୮ଟି ପାହାଚ ଚଢ଼ି ଯାଇନାହାନ୍ତି। ଷ୍ଟାଫ୍‌ ଗେଟ୍‌ ଦେଇ ସେମାନେ ମନ୍ଦିରରେ ପ୍ରବେଶ କରିଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ଏବେ ଜାରି ‌ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ମଧ୍ୟ ଆଜି ଏ ବାବଦରେ ସ୍ପଷ୍ଟ କରିଛନ୍ତି। ଯେକୌଣସି ମହିଳା ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଚାହିବେ ପୁଲିସ ସେମାନଙ୍କୁ ସୁରକ୍ଷା ଦେବାବୁ ବଦ୍ଧପରିକର ବୋଲି ବିଜୟନ କହିଛନ୍ତି। ତେବେ ଦୁଇଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିବା ପରେ ଆଜି ମନ୍ଦିର କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ଶୁଦ୍ଧିକରଣ ପ୍ରକ୍ରିୟା ପରେ ପୁନର୍ବାର ମନ୍ଦିର ଖୋଲାଯାଇଥିଲା। ତେବେ କେରଳ ମନ୍ତ୍ରୀ ଇପି ଜୟରାଜନ୍‌ ଏଭଳି କାର୍ଯ୍ୟକୁ ଅଦାଲତ ଅବମାନନା ବୋଲି କହିଛନ୍ତି। ଅସ୍ପୃଶ୍ୟତା ଆଇନ ବିରୋଧୀ ବୋଲି ସେ କହିଛନ୍ତି।

ବି‌ଜେପି ଏବଂ ବାମ ଦଳ କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ 
ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ 
ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ପୁଲିସ ଆହତ

ଅନ୍ୟପକ୍ଷେ ଆଜି ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରି କେରଳର ବିଭିନ୍ନ ସ୍ଥାନ‌ରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି। ଆରଏସ୍‌ଏସ୍‌ ସମର୍ଥିତ କର୍ମ ସମିତି ଅଧୀନରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିଜେପି ମଧ୍ୟ ସରକାରଙ୍କ ପଦକ୍ଷେପକୁ ଜୋରଦାର ବିରୋଧ କରିଛି। ବିଜେପି ଆଜି ଥିରୁବନନ୍ତପୁରମ୍‌ର ସଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କୋଲ୍ଲାମ୍ ଏବଂ ଏର୍ନାକୁଲମ୍‌ର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ହୋଇଛି। ବିଜେପି ଏବଂ ବାମ ଦଳ କର୍ମୀଙ୍କ ମଧ୍ୟରେ ଆଜି କେରଳ ସଚିବାଳୟ ସାମ୍ନାରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ଅଣାୟତ ହୋବାରୁ ପୁଲିସ ଟିୟର ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଥିଲା ଓ ୱାଟର କ୍ୟାନନ୍‌ ବ୍ୟବହାର କରିଥିଲା। ଆଜି ଆନ୍ଦୋଳନକରୀଙ୍କ ପଥର ମାଡ଼‌ରେ ମଧ୍ୟ ଅନେକ ପୁଲିସ କର୍ମୀ ଆହତ ହୋଇଥିଲେ। ବିଜେପି କର୍ମୀମାନେ ଆଜି ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ କରିଥିଲେ ଏବଂ ବଳପୂର୍ବକ ‌ଦୋକାନ ବଜାର ବନ୍ଦ କରିଦେଇଥିଲେ। ବିଭିନ୍ନ ସ୍ପର୍ଶକାତର ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here