ରାଉରକେଲା : ସ୍ମାର୍ଟ ସିଟି ରାଉରକେଲାରେ ଜଣେ ଆରଏସପି କର୍ମଚାରୀଙ୍କୁ ଘରେ ପଶି ୨ ଜଣ ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କ ସମ୍ମୁଖରେ ଗୁଳି କରି ନିର୍ମମ ଭାବେ ହତ୍ଯା କରିବା ଘଟଣା ଆଜି ସଂଧ୍ଯାରେ ସହରବ୍ଯାପୀ ଚାଞ୍ଚଲ୍ଯ ସୃଷ୍ଟି କରିଛି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ନୃସିଂହଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ତାଙ୍କ ଶରୀରରେ ୨ଟି ଗୁଳି ବାଜିବାରୁ ସେ ତଳେ ପଡି ଯାଇଥିଲେ। ତାଙ୍କୁ ମୁର୍ମୂଷ ଅବସ୍ଥାରେ ଆଇଜିଏଚକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ  ଗୁରୁବାର ସଂଧ୍ଯ୍ଯାରେ ସେକ୍ଟର – ୩ ଥାନା ଅନ୍ତର୍ଗତ ସେକ୍ଟର – ୧ ସ୍ଥିତ ଡି/ ୧୪୮ କ୍ବାର୍ଟରରେ ବାସ କରୁଥିବା ନୃସିଂହ ସାହୁ ତାଙ୍କ ପତ୍ନୀ ଏବଂ ମାଆଙ୍କ ସହ ବସି କଥାବାର୍ତ୍ତା ହେଉଥିଲେ। ସଂଧ୍ଯା ପ୍ରାୟ ୭ ଟାରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି କଲିଂ ବେଲ ବଜାଇଥିଲେ। ତାଙ୍କ ପତ୍ନ କବାଟ ଖୋଲିବା ପରେ ସେମାନେ ନୃସିଂହଙ୍କୁ ଡାକିବାକୁ କହିଥିଲେ। ଏହାପରେ ନୃସିଂହ ସାହୁ ଆସିଥିଲେ। କିଛି ସମୟ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା। ତାପରେ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ ଦ୍ବୟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ନୃସିଂହଙ୍କୁ ନିଆ ଯାଇଥିଲା ଇସ୍ପାତ ଜେନେରାଲ ହସପିଟାଲକୁ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଖବର ପାଇ ଘଟଣା ସ୍ଥଳରେ ରାଉରକେଲା ଏସପି ଡକ୍ଟର ଉମାଶଙ୍କର ଦାଶଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ଯାଞ୍ଚ ପାଇଁ ପହଞ୍ଚିଥିଲେ। ଘର ଭିତରର ରକ୍ତ ରଂଜିତ ଚଟାଣ ଉପରେ ପଡିଥିବା ଗୋଟିଏ ଅଫୁଟା ଗୁଳି ଏବଂ ୨ଟି ଖୋକାକୁ ଜବତ କରିଛି ସାଇଣ୍ଟିଫିକ ପୁଲିସ। ମୃତ ନୃସିଂହ ସାହୁ ରାଉରକେଲା ଇସ୍ପାତ କାରଖାନାର ଏସଏମଏସ – ୨ ରେ କାର୍ଯ୍ୟ କରୁଥିଲେ। ହତ୍ଯାକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିଲେ ବି ଏହା ଟଙ୍କା ଋଣ ନେବାକୁ କେନ୍ଦ୍ର କରି ଘଟିଥିବା ଏସପି ଡକ୍ଟର ଦାଶ ସୂଚନା ଦେଇଛନ୍ତି। ନୃସିଂହ ଲିଜ୍ ଘର କିଣା ବିକାକୁ ନେଇ ଟଙ୍କା ଋଣ ଆଣି ଫେରାଉ ନଥିଲେ। ଯାହାକୁ ନେଇ ତାଙ୍କର ସଂପୃକ୍ତ ଋଣଦାତାଙ୍କ ମଧ୍ଯରେ ତିକ୍ତତା ରହିଥିଲା ବୋଲି କୁହାଯାଉଛି। ଗତ କାଲି ସଂଧ୍ଯାରେ ମଧ୍ଯ ୫ ଜଣ ଦୁର୍ବୃତ୍ତ ଆସି ନୃସିଂହଙ୍କୁ ତାଙ୍କ ଘର ସମ୍ମୁଖରେ ପାଟିତୁଣ୍ଡ କରି ଧମକଚମକ ଦେଇ ଚାଲି ଯାଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଏହି ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଆଜି ତାଙ୍କୁ ଅତ୍ଯନ୍ତ ନିର୍ମମ ଭାବେ ହତ୍ଯା କରିଥିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ସଂପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏ ନେଇ ସେକ୍ଟର – ୩ ଥାନା ଅଧିକାରୀ ରଶ୍ମିତା ପଟେଲ ଏକ ହତ୍ଯା ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।

ଦେବବ୍ରତ

LEAVE A REPLY

Please enter your comment!
Please enter your name here