ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ୯ ଲକ୍ଷ କୋଟିରୁ ଊର୍ଧ୍ବ ଭଣ୍ଡାର ଉପରେ ସରକାର ନଜର ପକାଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ବହୁତ କମ୍ ଲୋକ ଜାଣିଥିବେ ଯେ ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ସରକାରଙ୍କୁ ବିପୁଳ ପରିମାଣର ଟଙ୍କା ଦେଉଛି। ବିଗତ ପାଞ୍ଚ ବର୍ଷ ଭିତରେ ରିଜର୍ଭ ବ୍ୟାଙ୍କ ଅଢ଼େଇ ଲକ୍ଷ କୋଟି ଟଙ୍କା ଦେଇଛି। ୨୦୧୭କୁ ବାଦଦେଲେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ବାର୍ଷିକ ହାରାହାରି ୬୫ ହଜାର କୋଟି ଟଙ୍କା ଦେଇଛି। ଗତବର୍ଷ ସରକାରଙ୍କ ଆର୍ଥିକ ଖାତା ଯାଞ୍ଚ କରିବା ବେଳେ ସିଏଜି ଏହା ଜାଣିପାରିଥିଲେ।
ରିଜର୍ଭ ବ୍ୟାଙ୍କ ‌ଯେତିକି ପରିମାଣର ଆୟ କରୁଛି ତାହାର ପାଖାପାଖି ୭୫% ଟଙ୍କା ସରକାରଙ୍କୁ ହସ୍ତାନ୍ତର କରୁଛି। ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରିଜର୍ଭ ବ୍ୟାଙ୍କ ମୋଟ ୩.୩ ଲକ୍ଷ କୋଟି ଟଙ୍କାର ଆୟ କରିଥିଲା। ସେଥି ମଧ୍ୟରୁ ୨.୪୮ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିଛି। ୨୦୧୫-୧୬ରେ ଏହା ନିଜ ଆୟର ସର୍ବାଧିକ ୮୫% ଟଙ୍କା ସରକାରଙ୍କୁ ଦେଇଥିଲା। କେବଳ ୨୦୧୭ରେ ରିଜର୍ଭ ବ୍ୟାଙ୍କ କମ୍ ଟଙ୍କା ସରକାରଙ୍କୁ ଦେଇଥିଲା। ଏହାର କାରଣ ହେଉଛି ବିମୁଦ୍ରୀକରଣ ଯୋଗୁ ଏହାର ଖର୍ଚ ବହୁତ ବଢ଼ିଯାଇଥିଲା। ରିଜର୍ଭ ବ୍ୟାଙ୍କର ବାର୍ଷିକ ଖର୍ଚ ୧୫ ହଜାର କୋଟି ଟଙ୍କା ପାଖାପାଖି ରହିଥାଏ। ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ୨୦୧୭ରେ ରିଜର୍ଭ ବ୍ୟାଙ୍କର ଖର୍ଚ ବଢ଼ି ୩୧ ହଜାର କୋଟି ଟଙ୍କା ହୋଇଥିଲା। ନୂଆ ନୋଟ୍‌ ଛପାଇବାରେ ଏହାକୁ ଅଧିକ ବ୍ୟୟ କରିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ମୋଟ ସମ୍ପତ୍ତିର ୨୭%, ଅର୍ଥାତ ୯ ଲକ୍ଷ କୋଟିରୁ ଅଧିକ ଟଙ୍କା ରହିଛି। ସରକାରଙ୍କ ଯୁକ୍ତି ହେଉଛି ବିଶ୍ବ ସ୍ତରରେ ପ୍ରଚଳିତ ଥିବା ବ୍ୟବସ୍ଥା ଅନୁଯାୟୀ ୧୪% ହାରରେ ଏହି ଭଣ୍ଡାରରେ ଟଙ୍କା ରହିବା ଦରକାର। ବଳକା ଟଙ୍କାକୁ ଯଦି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ହସ୍ତାନ୍ତର କରିବ ତେବେ ତାହାକୁ ବିଭିନ୍ନ ପ୍ରକାର ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଏକଥା ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। କିନ୍ତୁ ସେବାବଦରେ ଆଗକୁ ଆଉ କିଛି ଆଲୋଚନା ହୋଇନଥିଲା। ଗତ ମାସରୁ ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭଣ୍ଡାରରୁ ରିଜର୍ଭ ବ୍ୟାଙ୍କ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରୁ ବୋଲି ସରକାର ଚାହୁଁଛନ୍ତି।

ଆପତ୍ତି ଉଠାଇଥିଲେ ବିରଳ, ସମର୍ଥନ ମିଳିନଥିଲା
ମୁମ୍ବାଇ,: ଗତକାଲି ଅନୁଷ୍ଠିତ ହୋଇଯାଇଥିବା ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକ ଦିନତମାମ ସୌହାର୍ଦ୍ୟପୂର୍ଣ୍ଣ ନଥିଲା। କେତେକ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ମତଭେଦ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କ୍ଷୁଦ୍ର ବ୍ୟବସାୟୀଙ୍କ ଋଣ ବିଷୟରେ ଆଲୋଚନା ଚାଲିଥିବା ବେଳେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଆପତ୍ତି ଉଠାଇଥିଲେ। ଏହି ନିୟମ କୋହଳ କରିବାକୁ ସେ ଚାହୁଁନଥିଲେ। କିନ୍ତୁ ତାଙ୍କ ଆପତ୍ତିକୁ ବୋର୍ଡରେ ଥିବା ଅନ୍ୟ ସଦସ୍ୟଙ୍କ ସମର୍ଥନ ମିଳିନଥିଲା। କିଛି ସ୍ବାଧୀନ ନିର୍ଦେଶକଙ୍କୁ ବାଦ ଦେଲେ ଅନ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ଶିଳ୍ପ ପ୍ରତିନିଧି ଓ ଅନ୍ୟ ସଦସ୍ୟମାନେ ବିରଳଙ୍କ କଥାରେ ବିରକ୍ତି ପ୍ରକାଶ କରିଥିଲେ। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ନିୟମ କୋହଳ କରିବାକୁ ସେମାନେ ଜୋରଦାର ଦାବି କରିଥିଲେ। ଅଧିକ ସଦସ୍ୟ ଋଣ ନିୟମ କୋହଳ ସପକ୍ଷରେ ମତ ଦେବାରୁ ତାହା ହିଁ ହୋଇଥିଲା।

Loading...

LEAVE A REPLY

Please enter your comment!
Please enter your name here