
ରାୟଗଡା, ନୂଆ ଟ୍ରାଫିକ୍ ନିୟମ ଦେଶରେ କାର୍ଯ୍ୟକାରୀ ହୋଇଥିବା ବେଳେ ଅଧିକାଂଶ ଗାଡି ଚାଳକ ସଚେତନତା ଅଭାବରୁ ଅନେକ ସମୟରେ ପୋଲିସ ଓ ପରିବହନ ଅଧିକାରୀଙ୍କ ଦ୍ୱାରା ଦଣ୍ଡିତ ହୋଇ ନୂଆ ନିୟମ ପ୍ରକାରେ ଜୋରିମାନା ଦେବାକୁ ପଡୁଛି। ତେଣୁ ସଚେତନ ହୋଇ ଟ୍ରାଫିକ୍ ନିୟମ ମାନି ଚଳିଲେ ଜୋରିମାନାରୁ ବଂଚିବା ସହ ସଡକ ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖି ପାରିବାର ଉଦ୍ଦେଶ୍ୟ ନେଇ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କ ଦ୍ୱାରା ଏକ ଅଭିନବ ପ୍ରୟାସ କରାଯାଇଛି । ଏକ ସଚେତନତା ଶୋଭଯାତ୍ରା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ରାୟଗଡା ସହରବାସୀଙ୍କୁ ଟ୍ରାଫିକ୍ ନିୟମ ମାନି ଚଳିବା ପାଇଁ ରାୟଗଡା ଜିଲ୍ଳା ପୋଲିସ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜିସିଡି ପଡିଆରୁ ଏକ ବାଇକ ଶୋଭାଯାତ୍ରାକୁ ଜିଲ୍ଳା ଏସ.ପି.ଶ୍ରୀ ସର୍ବଣା ବିବେକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଳା ପୋଲିସ, ଜିଲ୍ଲା ସାମ୍ବାଦିକ ସଂଘ, ପ୍ରେସ ୟୁନିୟନ, ପ୍ରେସ କ୍ଲବ,ଓକିଲ ସଂଘ, ଅଟୋ ୟୁନିୟନ, ଟ୍ରକ ମାଲିକ ସଂଘ, ଆରସିସି କ୍ଳବ, କଳିଙ୍ଗା ବୈଶ୍ୟା ସଂଘ, ଜିଷ୍ଟ କଲେଜ, ଜୁପିଟର ଇଣ୍ଟନେସନାଲ ଜୁନିଅର କଲେଜ, ବ୍ୟବସାୟୀ ସଂଘ, ଡେଲି ମାର୍କେଟ ସଂଘ, ୱାକରର୍ସ କ୍ଳବ, ବସ ୟୁନିୟନ, ଗୁଡସ୍ ଟ୍ରାନ୍ସପୋର୍ଟ ୟୁନିୟନ, ୱାକରର୍ସ ୟୁନିୟନ, ଲୋକାଲ ଟ୍ରକ ୟୁନିୟନ, ଟେକ୍ସି ୟୁନିୟନ, ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏଥିରେ ୨୫ଟି ସଂଗଠନ ସାମିଲ ହୋଇଥିଲେ ।
ସେହିପରି ୫ଟି ସଚେତନତା ରଥ ସହ ସମସ୍ତ ବାଇକ ଆରୋହୀମାନେ ନିଜ ଗାଡିରେ ପ୍ଳାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରାଟି ଜିସିଡି ପଡିଆ ଠାରୁ ବାହାରି ୩୨୬ନମ୍ବର ଜାତୀୟ ରାଜପଥ ଦେଇ ଶିରିଗୁଡା,ରୟତ କଲୋନୀ,ଓଭରବ୍ରିଜ,ରିଲାଏନ୍ସ ପେଟ୍ରୋଲ ପମ୍ପ,ତୁମ୍ବିଗୁଡା,ଓଏମପି ରାସ୍ତା,ୟୁଜିଏମଆଇଟି ଛକରୁ ରିଙ୍ଗ ରୋଡ ଦେଇ ମାଁ ମଝିଘରିଆଣୀ ମନ୍ଦିର,ଏସବିଆଇ ଷ୍ଟେବ ବ୍ୟାଙ୍କ ଛକ,ମୁଖ୍ୟ ବଜାର,ତହସିଲ ଛକ ଦେଇ ପୁଣିଥରେ ପଡିଆକୁ ଫେରିଥିଲା । ୫୦୦ରୁ ଉର୍ଦ୍ଧ ବାଇକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ନିଜେ ଏସ.ପି.ଡଃ.ସର୍ବଣା ବିବେକ ଏମ.ବୁଲେଟ ଗାଡିରେ ହେଲମେଟ ପିନ୍ଧି ଶୋଭାଯାତ୍ରାରେ ବୁଲି ଲୋକଙ୍କୁ ସଚେତନ କରିଥିଲେ । ଶୋଭାଯାତ୍ରା ମଧ୍ୟରେ ବିଭିନ୍ନ ଜନଗହିଳ ପୂର୍ଣ୍ଣ ଛକଗୁଡିକରେ ଟ୍ରାଫିକ ନିୟମକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଜିସିଡି ପଡିଆ ଠାରେ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଏସ.ପି. ଧନ୍ୟବାଦ ଜଣାଇବା ସହ ନୂଆ ଟ୍ରାଫିକ ନିୟମକୁ ମାନିବା ପାଇଁ ଶପଥ ପାଠ କରାଇଥିଲେ । ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା,ଦ୍ରୁତଗତିରେ ଗାଡି ନ ଚଳାଇବା,ଟ୍ରାଫିକ ନିୟମ ଉଂଲଘନ ନ କରିବା,ସିଟ ବେଲ୍ଟ ପିନ୍ଧିବା,ହେଲମେଟ୍ ବ୍ୟବହାର କରିବା,ଦୁଇରୁ ଅଧିକା ନ ବସାଇବା,ଗାଡିର ସଂପୂର୍ଣ୍ଣ କାଗଜପତ୍ର ରଖିବା,ବୀମା କରାଇବା ଆଦି ବିଷୟ ପ୍ରତି ସମସ୍ତ ଗାଡି ଚାଳକମାନେ ସଚେତନ ହେବା ଦ୍ୱାରା ପୋଲିସ ତଥା ଟ୍ରାଫିକ ପୋଲିସଙ୍କୁ ଏଥିରେ ସହଯୋଗ ମିଳିପାରିବ ଏବଂ ସଡକ ଦୁର୍ଘଟଣାକୁ ଏଡାଇ ଯାଇପାରବା ସହ ଯେଉଁ ଦିନ ଲୋକେ ସଚେତନ ହେବେ ସେ ଦିନ ଏହି କାର୍ଯ୍ୟକ୍ରମ ସଫଳ ହେବ ବୋଲି ପ୍ରକାଶ କରିଥିଲେ । ଟ୍ରକ ମାଲିକ ସଂଘ,ମୋଟର କର୍ମଚାରୀ ସଂଘ ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ଜିଲ୍ଳା ପୋଲିସଙ୍କୁ ୨୫ଟି ହେଲମେଟ ପ୍ରଦାନ କରାଯାଇଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ଟ୍ରାଫିକ ସଚେତନତା ନେଇ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇ ପ୍ରତିଯୋଗିମାନଙ୍କୁ ଏହି ହେଲମେଟଗୁଡିକ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ଏସ.ପି.ଶ୍ରୀ ସର୍ବଣା ବିବେକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏସଡିପିଓ ତପନ ନାରାୟଣ ରଥ,ଆଇଆଇସି ନିହାର ରଂଜନ ପ୍ରଧାନ,ଏସ.ଆଇ.ରିଗାନ କିଣ୍ଡୋ,ମାନସ କୁମାର ସାହୁ, କିଶୋର କୁମାର ବେହେରା, ଏମ ରାବଣାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶୋଭାଯାତ୍ରାର ପରିଚାଳନା କରିଥିବା ବେଳେ ଆଂଚଳିକ ପରିବହନ ଅଧିକାରୀ ଦିଲିପ କୁମାର ଦଳେଇ,ମୋଟର ଯାନ ନିରୀକ୍ଷକ ଶିବଶଙ୍କର ଚୈାଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।