ଭୁବନେଶ୍ୱର: ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ରେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ରେ ଗୋଆକୁ ୨୭୬ ରନ୍‌ରେ ପରାସ୍ତ କରି ଚଳିତ ସିଜନ୍‌ ଅଭିଯାନ ଶେଷ କରିଛି । ବ ିକାଶ ଆବାସିକ ବିଦ୍ୟାଳୟ ଗ୍ରାଉଣ୍ଡରେ ଓଡ଼ିଶା ବାଜି ମାରିଛି । ଲିଗ୍‌ ପର୍ଯ୍ୟାୟରେ ଖେଳିଥିବା ୯ଟି ମ୍ୟାଚ୍‌ ମଧ୍ୟରୁ ଓଡ଼ିଶା ୪ଟି ଜିତି ୨୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଗୋଆ ୬ ପଏଣ୍ଟ ସହ ଟେବୁଲର ଶେଷ ସ୍ଥାନରେ ରହିଛି । ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଥିଲା ।
ପ୍ରଥମ ଇନିଂସରେ ଓଡ଼ିଶା ୩୫୨ ଓ ଦ୍ୱିତୀୟ ଇନିଂସରେ ୧୫୧ ରନ୍‌ କରିଥିଲା । ଜବାବରେ ଗୋଆ ୧୧୬ ଓ ୧୧୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।
ତୃତୀୟ ଦିନ ଓଡ଼ିଶା ଅସମାପ୍ତ ଦ୍ୱିତୀୟ ଇନିଂସ ୩୭/୧ରୁ ପାଳି ଆରମ୍ଭ କରିଥିଲା । ଅନୁରାଗ ୨୩, ଦେବାଶିଷ ସାମନ୍ତରାୟ ୩୧, ସାନ୍ତନୁ ମିଶ୍ର ୧୪, ସୁଜିତ ଲେଙ୍କା ୩୯ ରନ କରିଥିଲେ । ବୋଲିଂରେ ଗୋଆର ଲକ୍ଷ୍ୟ ଗର୍ଗ ୫ଟି, କ୍ରିଷ୍ଣା ଦାସ ୪ଟି ଏବଂ ଅମିତ ବର୍ମା ଗୋଟିଏ ୱିକେଟ୍‌ ସଫଳତା ପାଇଥିଲେ । ଓଡ଼ିଶା ୪୩.୪ ଓଭରରେ ୧୫୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।
୩୮୮ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ଗୋଆ ୨୯.୫ ଓଭରରେ ୧୧୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଅମୋଘ ସୁନୀଲ ଦେଶାଇ ୨୮, ସ୍ନେହା କୌଥଙ୍ଗର ୧୫, ସୁୟାସ ପ୍ରଭୁଦେଶାଇ ୧୮, ଦର୍ଶନ ମିଶାଲ ୨୦ ଓ ଅମୂଲ୍ୟ କଣ୍ଡ୍ରେକର ୧୨ ରନ୍‌ କରିଥିଲେ । ଚଳିତ ସିଜନ୍‌ରେ ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଥିବା ରାଜେଶ ମହାନ୍ତି ୫ଟି, ବସନ୍ତ ମହାନ୍ତି ୪ଟି ଓ ବିପ୍ଲବ ସାମନ୍ତରାୟ ଗୋଟିଏ ୱିକେଟ ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here