ରାୟଗଡା (Rabindra Patkhandal) : ମଣିଷ ଗଡ଼ିବାର କଠୋର ନିଶାରେ ବ୍ରତୀ ହୋଇଗଲେ ଗୋପି ଆଜ୍ଞା ମନରେ ତିଳେ ହେଲେ ବିରସଭାବ ନ ଥିଲା । ନିଜ ଚାକିରୀ କାଳ ମଧ୍ୟରେ ଟିକେ ବିଶ୍ରାମ ନେବା ଚିନ୍ତା ମଧ୍ୟକରି ନ ଥିଲେ ସେ । ଏକ ନିପଟ ମଫସଲରୁ ଆସି ସାରା ଜୀବନ ପାହାଡ଼ ଘେରାର ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେରହି ଶିକ୍ଷାକୁ ନିରବଚ୍ଛିନ୍ନ ଭାବେ ଜଣେ ମଣିଷ ଗଡ଼ା ବିନ୍ଧାଣି ଆଜି ବି ଚର୍ଚ୍ଚାରେ । ଜୀବନର ସାୟାହ୍ନରେ ପହଞ୍ଚିଗଲେଣି ଶିକ୍ଷକ ଗୋପିନାଥ ହରିଚନ୍ଦନ । ଅନେକ ଦିନ ହେଲା ସେ ଅବସର ନେଇସାରିଛନ୍ତି । ତାଙ୍କ ଚାଲିଚଳଣି ହିଁ ଉତ୍ସର୍ଗୀକୃତ ଜୀବନର କଥା ବଖାଣେ । ତାଙ୍କ ଠାରେ ଏବେ ବି ପରିଲକ୍ଷିତ ହେଉଛି ସେଇ ଚାଟଶାଳୀ ମହକ ।

ନିଜ ମାତୃଭୂମିକୁ ଛାଡ଼ି ରାୟଗଡ଼ା ଜିଲ୍ଲାର ପାହାଡ଼ିଆ ମୂଲକକୁ ମାତୃଭୂମି ରୂପେ ଆଦରି ନେଇଥିବା ଏହି ଅନନ୍ୟ ବ୍ୟକ୍ତିତ୍ୱକୁ ଲୋକେ ଶ୍ରଦ୍ଧାରେ ଡ଼ାକନ୍ତି ଗୋପି ମାଷ୍ଟ୍ର ।ପୁରୀ ଜିଲ୍ଲା କଣାସ ବ୍ଳକ ଗଡ଼ିଶାଗଦା ଭଳି ଏକ ନିଫଟ ମଫସଲ ଗାଁ ଚାଷୀ ପରିବାରର ସ୍ୱର୍ଗତ ହରିବନ୍ଧୁ ହରିଚନ୍ଦନ ଏବଂ ସ୍ୱର୍ଗତ ଚଞ୍ଚଳା ହରିଚନ୍ଦନଙ୍କ ଠାରୁ ୧୯୪୯ ମସିହା ଅକ୍ଟୋବର ୧୧ ତାରିଖରେ ଜନ୍ମ ନେଇଥିଲେ ଗୋପିନାଥ ହରିଚନ୍ଦନ । ସେ ବାପାଙ୍କ ପାଖେ ପାଖେ ରହି ଚାଷକାମରେ ସାହାର୍ଯ୍ୟ କରିବା ସହିତ ମାଟ୍ରିକ ପଡ଼ିବା ପରେ ଗାଁ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ ନିଜ ଆଦର୍ଶ ମାନି ନେଇଥିଲେ ଗୋପି ମାଷ୍ଟ୍ର । କିନ୍ତୁ ଶିକ୍ଷାକୁ ଛାଡ଼ି ନ ଥିଲେ । ବିଧି କିଛି ଅନ୍ୟ ପ୍ରକାର ଚାହୁଁଥିଲା । ନଦୀ କୁଳିଆ ଗାଁ ଗଡ଼ିଶାଗଦା ଦୟା ନଦୀରେ ବେଳକୁ ବେଳ ଆସୁଥିବା ବନ୍ୟା ବାତ୍ୟା ଭୋଳି ଦୁର୍ବିପାକରେ ଗାଁଟା ସାରା ଲୋକେ ଅଥୟ ହୋଇଗଲେ ।

ବାପା ମାଙ୍କ ସହ ଛ ପ୍ରାଣୀ କୁଟୁମ୍ଭ । ଗାଁ ରେ ପ୍ରଚୁର ଖାଦ୍ୟ ଭାବ ଦେଖାଗଲା । ବାପା ହରିବନ୍ଧୁ ମଧ୍ୟ ଏହି ଅଭାବ ଅନଟନରୁ ମୁକୁଳି ପାରିଲେ ନାହିଁ । କିଛି ସାଥୀଙ୍କ ସହ ଗାଁ ଛାଡ଼ି ବାହାରି ଆସିଥିବା କଥା ସେ ଛଳରେ କହିଛନ୍ତି । ସେ ଲକ୍ଷହିନ ଯାତ୍ରାରେ ପାଞ୍ଚଜଣ ସାଥୀ କୋରାପୁଟ ଅଭିମୁଖେ ବାହାରି ଆଜିର ଗଜପତି ଏବଂ ରାୟଗଡା ଜିଲ୍ଲାର ସୀମାନ୍ତ ଗାଁ ରାଈପାଙ୍ଗାରେ ପହଁଞ୍ଚିଲେ । ଯୁବାବସ୍ଥାରେ ପେଟର ଭୋକ ମେଣ୍ଟାଇବା ପାଇଁ ଶିକ୍ଷକତା କରିବା ଯୋଗ୍ୟତା ରଖିଥିବା ଗୋପୀନାଥ ହରିଚନ୍ଦନ ୨୨୦ କେଭି ଲାଇନ ଖୁଣ୍ଟରେଚଡ଼ି ତାର ଟାଣିବା ଲୁହା ପୋଲରେ ବୋହିବା ଗାତ ଖୋଳିବା ଭଳି କାର୍ଯ୍ୟରେ ଅସ୍ଥାୟୀ ରୂପେ ନିୟୋଜିତ ହୋଇଗଲେ ।

କେବଳ ପେଟ ପାଇଁ ରାତି ପାହିଁଲେ ବିପଦ ସହ ସଘଂର୍ଷ କରି ଚାଲିଲେ ସେ । କିନ୍ତୁ ପାଠୁଆ ପିଲାଟିଏ ଦେଖିଲେ ନିଜ ପୁରୁଣା ସ୍ମୃତିକୁ ମନେ ପକାଇ ଘଡ଼ିଏ ପର୍ଯ୍ୟନ୍ତ ଅନାଇ ରହୁଥିଲେ । ୨୨୦ କେଭି ଳାଇନରେ ତାର ଟଣା କାର୍ଯ୍ୟ ସରିଲା କମ୍ପାନୀ ଚାଲିଗଲା । ପରେ ପରେ ସେ ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡ଼ା ଗାଁ ଲୋକଙ୍କ ସହ ଆଲୋଚନା କରି ସ୍ଥାପନ ହୋଇଥିବା ସାହାର୍ଯ୍ୟ ପାପ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ଦିଗରେ ନିଜକୁ ନିୟୋଜିତ କରିଥିବା ଅଞ୍ଚଳବାସୀ କହନ୍ତି ।

ରାତି ପାହିଲେ ଗାଁ ପିଲାଙ୍କ ଚିନ୍ତା । ଆଦିବାସୀ ଅଧ୍ୟୁଷିତ ଇଲାକାରେ ପିଲାଙ୍କୁ ପାଠୁଆ କରିବାର ଭିନ୍ନ ଏକ ଚିନ୍ତାଧାରା । ଧିରେଧିରେ ବିଦୁ୍ୟତ କର୍ମଚାରୀରୁ ଆମ ଗାଁର ଗୋପି ମାଷ୍ଟ୍ର ରୂପେ ନିଆରା ପରିଚୟରେ ସେ ପରିଚିତ ହୋଇପାରିଲେ । ଘର ଘର ବୁଲି ପିଲାଙ୍କୁ ଆକୃଷ୍ଟ କରାଇବା । ପିଲାଙ୍କ ବାପା ମାଁଙ୍କୁ ସଚେତନ କରାଇବା ଭଳି କାର୍ଯ୍ୟରେ ବ୍ରତୀ ହୋଇ ଘରବାରଣ୍ଡାରେ ପିଲାଙ୍କୁ ସକାଳୁ ସଂନ୍ଧ୍ୟାରେ ବିନାମୁଲ୍ୟରେ ପାଠପଡ଼ାଇବା କଥା ଗାଁ ଲୋକେ ମନେ ପକାଉଛନ୍ତି । ପରେପରେ ଗାଁ ସ୍କୁଳକୁ ସରକାରଙ୍କ ଦୃଷ୍ଠି ପଡ଼ିଲା ଅନୁଦାନ ଆସିଲା । ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବାରେ ପ୍ରୟାସ ଛାତ୍ରଛତ୍ରୀ ଏବଂ ଅବିଭାବକଙ୍କ ନିକଟରେ ତାଙ୍କୁ ଗୁରୁବ୍ରହ୍ମା ରୂପ ପରିଚିତ କରାଇ ପାରିଥିବାବେଳେ ସେ ମଣିଷ ଗଡ଼ିବାରେ ଲାଗିପଡ଼ିଛନ୍ତି । ମାତ୍ର ଦୁଇ ଶହ ଟଙ୍କାରେ ତାଙ୍କର ଗୁଜରାଣ ମେଣ୍ଟୁଥିବା ବେଳେ ଗାଁ ଲୋକଙ୍କ ଗୋଟିଏ ଦୃଷ୍ଠି ତାଙ୍କ ଉପରେ ରହିଆସୁଥିଲା ।

ସରକାରଙ୍କ ପରିବର୍ତ୍ତିତ ଶିକ୍ଷାଗତ ଯୋଗ୍ୟତାକୁ ପାଇବା ପାଇଁ ୧୯୮୦/୮୧ ମସିହାର ତାଲିମ ନେଇ ଏକ ସ୍ୱୀକୃତିପ୍ରପ୍ତ ଶିକ୍ଷକ ରୂପେ ଅବସ୍ଥାପିତ ହୋଇପାରିଥିବା ସେ କହିଛନ୍ତି । ସଂନ୍ଧ୍ୟା ନଇଲେ ଘରଘର ବୁଲି ପିଲାଙ୍କୁ ତାଗିଦ କରିବା, ଶିକ୍ଷଣିୟ ସହାୟତା ଯୋଗାଇ ଦେଉଥିବା ବେଳେ ତାଙ୍କ ନିକଟରେ ପାଠପଢି ବିଦେଶର ଆମେରିକା ଏବଂ ଦେଶର ପ୍ରମୂଖ ସହରରେ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିୟୋଜିତ ହୋଇ କାର୍ଯ୍ୟ କରୁଥିବା ଅବିଭାବକ ମାନେ କହିଛନ୍ତି । ନିଜ ଅନୁଭୁତି ନେଇ ଗୋପିନାଥ ଆଜ୍ଞା କହନ୍ତି ଶିକ୍ଷାର ୂବିକାଶ ଆଣିବାକୁ ହେଲେ ଛାତ୍ରଙ୍କ ସହ ଅବିଭାବକଙ୍କୁ ସାଥିରେ ନେଇ ଚାଲିଲେ ଶିକ୍ଷାର ସଂସାର ଆସିପାରିବ । ପରିବାରର ମହିଳାଙ୍କ ଉପରେ ସନ୍ତାନ ସନ୍ତତିଙ୍କ ଶିକ୍ଷାର ଦାୟିତ୍ୱ ନେଲେ ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହୋଇ ସାମାଜିକ ଚିତ୍ରପଟକୁ ବଦଳାଯାଇପାରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here