ପୁରୀ : ପୁରୀସଦର ନିର୍ବାଚନ ମଣ୍ଡଳୀ ଓ ସହରରେ ଲକ୍ଷ ଲକ୍ଷ ଟଙ୍କାର ଛତୁଆ ଦୁର୍ନୀତି ହୋଇଛି ବୋଲି ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାସ ବୁଧବାର ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି । ସେ କହିଛନ୍ତି ଛତୁଆ ପ୍ୟାକେଟରେ ବ୍ୟାପକ ଘୋଟାଲା ହୋଇଛି । ଅଙ୍ଗନୱାଡି କେନ୍ଦ୍ରରେ ଯେତିକି ପିଲାଙ୍କ ଲିଷ୍ଟ ହେଉଛି, ସେତିକି ଶିଶୁ ଆସୁନାହାଁନ୍ତି । କିନ୍ତୁ ଲିଷ୍ଟ ଅନୁଯାୟୀ ୧୬୦ଟଙ୍କା ଥିବା ଛତୁଆ ପ୍ୟାକେଟକୁ ଗ୍ରହଣ କରି ପରେ ବଳକା ଛତୁଆ ପ୍ୟାକେଟ ସେହି ସଂସ୍ଥାକୁ ଫେରାଇ ପ୍ରତି ପ୍ୟାକେଟରେ ୧୦୦ଟଙ୍କା ହିସାବରେ ପାଉଥିବା ଅଭିଯୋଗ କରିଛନ୍ତି । ଏହା ଗୋଟିଏ ଛୋଟ ଘଟଣା ହୋଇଥିଲେ ମଧ୍ୟ ଅତି ବଡ ଘୋଟାଲା ବୋଲି ଅଭିଯୋଗ କରିଛନ୍ତି । ପୁରୀଜିଲ୍ଲାରେ ୨୫୯୯ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ୨୦୧୮ ତଥ୍ୟାନୁସାରେ ଜିଲ୍ଲାରେ ୧ଲକ୍ଷ୪୪ହଜାର୫୯୭ ଶିଶୁ ଅଙ୍ଗନୱାଡିକୁ ଆସୁଥିଲେ । ଜଣକ ପିଛା ୧୬୦ଟଙ୍କାର ଛତୁଆ ପ୍ୟାକେଟ ବଣ୍ଟନ କରାଯାଇଥିବା ଦର୍ଶାଯାଇ ଟଙ୍କା ହଡପ କରାଯାଇଛି । ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ୩୪୯ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ୮୦ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହିସବୁ କେନ୍ଦ୍ରର କେତେକ କର୍ମୀ ବିଜେଡି ଦଳର ସିଧାସଳଖ କର୍ମୀଭାବେ କାମ କରୁଥିବା ଅଭିଯୋଗ କରିଛନ୍ତି । କେତେକ କର୍ମଚାରୀ ସିଡିପିଓ ଓ ବ୍ଲକ ଅଫିସରେ ୧୦ବର୍ଷରୁ ଊଦ୍ଧ୍ୱର୍ ସମୟ ରହିଲେଣି । କେତେକ ସୁପର ଭାଇଜର ନିର୍ଦ୍ଧିଷ୍ଟ ସେକ୍ଟରରେ ବହୁଦିନ ରହି ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ହାତ ଚିକ୍କଣ କରୁଥିବା ଅଭିଯୋଗ ହୋଇଛି । ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ମିଳୁଥିବା ଶୁଖିଲା ଖାଦ୍ୟ ଓ ଛତୁଆ ଅତି ନିମ୍ନମାନର ଓ ଅପମିଶି୍ରତ ହୋଇଥିବା ଅନୁମାନ କରିଥିଲେ । ଏ ସଂପର୍କରେ ଫୁଡ ଇନ୍ସପେକ୍ଟର କୌଣସି ତଥ୍ୟ ଦେଇନଥିବା ବେଳେ ଛତୁଆର ଗୁଣବତ୍ତା ଓ ମାନ ପରୀକ୍ଷା ପାଇଁ ଭୁବନେଶ୍ୱରର ଏକ ଲାବ୍ରୋଟୋରିରେ ଯାଞ୍ଚ କରିବେ ବୋଲି ଶ୍ରୀ ଦାସ କହିଥିଲେ । ଜଣେ ଅଙ୍ଗନୱାଡି କର୍ମୀ ବିଜେଡିର ପଦଯାତ୍ରାରେ ସାମିଲ ହେବା ଓ ନାରୀନେତ୍ରୀ ସାଜି ସ୍ୱୟଂ ସହାୟକ ଗୋଷ୍ଠୀକୁ ଡାକି ସହରର ବିଭିନ୍ନ ସାହି ବୁଲିବା ଘଟଣା ସଂପର୍କରେ ଯୁବକଂଗ୍ରେସ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ସେ ସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ପ୍ରଶାସନ ମଧ୍ୟ ଏହି ଅଙ୍ଗନୱାଡି ଛତୁଆ ଯୋଗାଣ ଓ ହରିଲୁଟରେ ସାମିଲ ହୋଇଛି ବୋଲି ଅଭିଯୋଗ କରିଥିଲେ । ଛତୁଆ ନିର୍ମାଣ କରାଯାଉଥିବା ସ୍ଥାନଟି ଅତି ଅସ୍ୱାସ୍ଥ୍ୟକର ପରିବେଶରେ ମିଶ୍ରଣ କରାଯାଉଥିବାରୁ ତାହା ଗର୍ଭବତୀ ଶିଶୁମାନଙ୍କ ସ୍ୱାସ୍ଥ୍ୟହାନି ଘଟିବାର ସମ୍ଭାବନା ରହିଛି । ମାନ ଓ ଗୁଣବତ୍ତା ପରୀକ୍ଷା ପାଇଁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ସେଠାକୁ ଯାଉନଥିବା ଦେଖାଯାଉଛି । ଛତୁଆ ବଣ୍ଟନ ପାଇଁ ଅନଲାଇନ୍ ଟେଣ୍ଡର କରାଯାଉ । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଛତୁଆ କେନ୍ଦ୍ରଗୁଡିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଯୁବନେତା ଆଦିତ୍ୟ କୁମାର, ବସ୍ତିନେତା ମନୋଜ କୁମାର ମଣ୍ଡଳଙ୍କ ସମେତ ୨୦ରୁ ଊଦ୍ଧ୍ୱର୍ ଯୁବକର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here