ପୁରୀ : ପୁରୀ ଗଣଦୁଷ୍କର୍ମ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ସେମାନଙ୍କ ବିରୁଦ୍ଧରେ ସଂଗୀନ ଦଫା ଲାଗିଛି । ଏହା ସହ ପୋସ୍କୋ ଆକ୍ଟ ଲାଗିଥିବାରୁ ଅଭିଯୁକ୍ତ ଅଧିକ ଦଣ୍ଡ ପାଇବା ଆଶା ରହିଛି । ଘଟଣାଟି ପୁରୀରେ ଘଟିଥିଲେ ମଧ୍ୟ ଏହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ପୁଲିସ ପ୍ରଶାସନ ଓ ରାଜ୍ୟ ମୁଖିଆଙ୍କୁ ଏହା ଅଡୁଆରେ ପକାଇଛି । ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଘଟଣା ପରେ ପୁରୀ ଘଟଣା ନିଆଁରେ ଘିଅ ଢାଳିବା ପରି ହୋଇଛି । ପୀଡିତାର ବୟାନ ଅନୁସାରେ ସେ ନିମାପଡାରେ ବସକୁ ଅପେକ୍ଷା କରି ହୋଟେଲରେ ଖାଉଥିଲେ । ହୋଟେଲରୁ ଆସିବା ପରେ ବସଟି ଛାଡି ଦେଇଥିଲା । ଠିକ୍ ଏହି ସମୟରେ କାର କିପରି ପହଞ୍ଚିଲା । ହଠାତ୍ ଅପରିଚିତ ଲୋକ ସହ କିପରି ୬୦କିଲୋମିଟର ଦୂର ଆସିଲେ ଏବଂ କାରରେ କିଛି ଅଘଟଣ ଘଟିଲା ନାହିଁ ତାକୁ ନେଇ ସହରରେ ଚର୍ଚ୍ଚା ଚାଲିଛି । ଯଦି କାରରେ ପୀଡିତା ଆସିଥିଲା ତେବେ ଦୁଇଟି ବାଇକ୍ କିପରି ଜବତ ହେଲା । ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏହି କାରବାରରେ ପୂର୍ବରୁ ବହୁଥର ଅପମାନିତ ହୋଇଥିବା କୁହାଯାଇଛି । ପୀଡିତା କିପରି ଅପରିଚିତ ଲୋକକୁ ଝରକାବାଟେ ଡାକିଲା ଓ କିପରି କବାଟ ଖୋଲିଲା, ଯଦି ବାହାରେ ଦୁଇଜଣ ଜଗିଥିଲେ ତେବେ ସେମାନେ କୁଆଡେ ଯାଇଥିଲେ, ପୀଡିତା କିପରି କୁମ୍ଭାରପଡା ଥାନାକୁ ଗଲା ଏହିସବୁ ସମସ୍ତ ଘଟଣା ଉପରେ ସହରରେ ଆଲୋଚନା ହେଉଛି । ପୀଡିତା ନାବାଳିକା ଥିବା ସତ୍ତ୍ୱେ କିପିରି ଭୁବନେଶ୍ୱରରେ କୌଣସି ସଂସ୍ଥାରେ କାମ କରୁଥିଲେ ତାକୁ ନେଇ ମଧ୍ୟ ଖୋଳତାଡ ହେବା ଉଚିତ୍ ବୋଲି ବୁଦ୍ଧିଜୀବିମାନେ କହୁଛନ୍ତି । ଏହି ଘଟଣା ସାରା ରାଜ୍ୟରେ ପ୍ରଚାରିତ ହେବା ଯୋଗୁଁ ପୁଲିସ ଉପରେ ପ୍ରବଳ ଚାପ ପଡୁଛି । ଅଭିଯୋଗ ହେବା ପରେ ସଙ୍ଗେ ସଙ୍ଗେ ଗଣମାଧ୍ୟମରେ ପ୍ରଚାର ହୋଇଯିବାରୁ ଘଟଣାଟି ରାଜ୍ୟରେ ଚହଳ ସୃଷ୍ଟି କରିଛି । ଯଦି ବିଧାନସଭା ଚାଲୁଥାନ୍ତା ତେବେ ଏହି ଘଟଣାକୁ ନେଇ ବିଧାନସଭା କମ୍ପିଥାନ୍ତା ବୋଲି ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି । ଥାନାକୁ ଯାଇଥିବା ପୁରୁଷ ବନ୍ଧୁ କିଏ ? ସେ କାହିଁକି ପୀଡିତାକୁ ଥାନା ପର୍ଯ୍ୟନ୍ତ ନେଲା, ପୀଡିତା କିପରି ପୁଲିସ ଲାଇନ୍ କ୍ୱାଟର ବାହାରକୁ ଆସିଲା ତାକୁ ନେଇ ମଧ୍ୟ ଜନସାଧାରଣ ସନେ୍ଦହ ଦୃଷ୍ଟିରେ ଦେଖିଛନ୍ତି । ଡାକ୍ତରୀ ମାଇନା ପରେ ପ୍ରକୃତ ସତ୍ୟ କଣ ତାହା ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତ ଜିତେନ୍ଦ୍ର ଜଣେ ପେଷାଦାରଭାବେ ଏହି କାମରେ ପୂର୍ବରୁ ଜଡିତ ରହିଥିବା ଶୁଣାଯାଉଛି । ଏହି ଘଟଣାଟି ‘ହନି ଟ୍ରାପ’ ଭଳି ସାମଞ୍ଜସ୍ୟ ରହୁଥିବା କେତେକ ଆଇନଜୀବୀ ଆଲୋଚନା କରୁଛନ୍ତି । ଘଟଣାକୁ ନେଇ ଏବେ ରାଜ୍ୟସାରା ହୁଲସ୍ତୁଲ ହେଉଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଟିକନିଖିଭାବେ ଯାଞ୍ଚ କରିଛି । ଏ ସଂପର୍କରେ ସାମାଜିକ କର୍ମୀ ସ୍ୱାଧୀନ କୁମାର ପଣ୍ଡା କୁହନ୍ତି- ଗତ ରଥଯାତ୍ରା ସମୟରେ ହଜାର ହଜାର ପୁଲିସ ଉପସ୍ଥିତିରେ ଶରଧାବାଲି ବସଷ୍ଟାଣ୍ଡରେ ବସ ଭିତରେ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ହୋଇଥିଲା । ସେହି ଘଟଣାରେ ପୁଲିସ ଠୋସ୍ ଖବର ପାଇପାରିନଥିଲା । ଏବେ ଖୋଦ୍ ପୂର୍ବତନ ପୁଲିସ ଦ୍ୱାରା ଓ ପୁଲିସ କ୍ୱାଟରରେ ଶହ ଶହ ପୁଲିସ ରହୁଥିବା ସ୍ଥାନରେ ଏପରି ଘଟଣା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁରୀ ସହରରେ ପ୍ରତିମାସରେ ୧୦ରୁ ଊଦ୍ଧ୍ୱର୍ ଅପରାଧ ଘଟୁଥିଲେ ମଧ୍ୟ ପୁଲିସ ରୋକିବା ପାଇଁ ଅସମର୍ଥ ହେଉଛି । ସେହିପରି ଆଇନଜୀବି ବିଶ୍ୱଜିତ୍ ସେନାପତି କୁହନ୍ତି- ପୁରୀ ଏବେ କ୍ରାଇମ କ୍ୟାପିଟାଲ ପାଲଟିଗଲାଣି । ପୁଲିସକୁ ଅପରାଧୀ ଡରୁନାହାଁନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ଏହି ଘଟଣାଟି ଗୋଟିଏ ମାସରେ ଫଏସଲା କରାଯାଇ ଦୋଷୀକୁ ଦୃଢଦଣ୍ଡ ଦିଆଯାଉ ।
ପ୍ରମାଣ ଖୋଜୁଛି ପୁଲିସ : ପୀଡିତାର ବୟାନ ଓ ଏତଲା ଅନୁସାରେ ପୁଲିସ ତାର କର୍ତ୍ତବ୍ୟ କରୁଛି ବୋଲି ବୁଧବାର ଦିନ ଏସପି ଡା. ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୀଡିତାର ପରିବାର ଲୋକ କ୍ଷତିପୂରଣ ପାଇଁ ଆବେଦନ କରିବା ପରେ ପୁଲିସ ପକ୍ଷରୁ ତନାଘନା କରାଯାଇ ଖୁବଶୀଘ୍ର ଜିଲ୍ଲା ଆଇନ ସହାୟତା କେନ୍ଦ୍ର ପକ୍ଷରୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରହିଛି । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଦୁଇ ଅଭିଯୁକ୍ତ ସଂପର୍କରେ ପ୍ରମାଣ ପାଇବା ପରେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ପୀଡିତାର ବୟାନ ୧୬୧ ଓ ୧୬୪ ଧାରାରେ ରେକର୍ଡ କରାଯାଇଛି । ଚାଇଲ୍ଡ ପ୍ରୋକ୍ଟେସନ କମିଶନର ଏ ସଂପର୍କରେ ସବିଶେଷ ତଥ୍ୟ ବୁଝିଛନ୍ତି । ୨୦ଦିନ ଭିତରେ ଚାର୍ଜସିଟ ପ୍ରଦାନ କରାଯିବ । ଘଟଣା ସଂପର୍କରେ ପୁଲିସ ତୀକ୍ଷ୍ଣ ଦୃଷ୍ଟି ରଖିଛି ।
ପୁରୀରେ ମହିଳା କମିଶନ ଅଧ୍ୟକ୍ଷା : ରାଜ୍ୟ ମହିଳା କମିଶନ ଆୟୋଗର ଅଧ୍ୟକ୍ଷା ମିନତୀ ବେହେରା ପୁରୀରେ ପହଞ୍ଚି ପ୍ରଥମେ କୁମ୍ଭାରପଡା ଥାନାକୁ ଯାଇ ପୀଡିତାର ଏତଲା ସଂପର୍କରେ ଯାଞ୍ଚ କରିଥିଲେ । ପୁଲିସର ଅନୁସନ୍ଧାନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟ ଉପରେ ବୁଝିଥିଲେ । ଘଟଣା ସଂପର୍କରେ ଅତିରିକ୍ତ ଏସପି, ଡିଏସପି ଓ କୁମ୍ଭାରପଡା ଆଇଆଇସିଙ୍କଠାରୁ ସମସ୍ତ ତଥ୍ୟ ବୁଝିଥିଲେ । ପୁଲିସ କ୍ୱାଟରରେ ହୋଇଥିବା ଦୁଷ୍କର୍ମ ସ୍ଥାନ ବୁଲି ଦେଖିଥିଲେ । ବାଳାଶ୍ରମକୁ ଯାଇ ଘଟଣା ସଂପର୍କରେ ତଥ୍ୟ ବୁଝିଛନ୍ତି ।

LEAVE A REPLY

Please enter your comment!
Please enter your name here