ପୁରୀ:ପୁଲିସ କ୍ୱାଟରରେ ନାବାଳିକାଙ୍କୁ ବଳାତ୍କାର ଘଟଣା ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁଲିସ ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ଆରିଡା ଗ୍ରାମର ବ୍ରଜ କିଶୋର ସେଠୀଙ୍କ ପୁତ୍ର ଜିତେନ୍ଦ୍ର କୁମାର ସେଠୀ ଓ ଉପେନ୍ଦ୍ର ସେଠୀଙ୍କ ପୁତ୍ର ରାଜେଶ କୁମାର ସେଠୀ ଓରଫ ରାଜା ବୋଲି ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ସୂଚନାଦେଇଛନ୍ତି । ଜିତେନ୍ଦ୍ର ଜଣେ ଦରଖାସ୍ତ ପୁଲିସ କନଷ୍ଟେବଳ । ଜିତେନ୍ଦ୍ର ଓ ରାଜା ସମ୍ପୃକ୍ତ ନାବାଳିକାକୁ ବଳାତ୍କାର କରିଥିବାବେଳେ ଅନ୍ୟ ଦୁଇଜଣ ସେମାନଙ୍କୁ ସହାୟତା କରିଥିଲେ ବୋଲି ସୂଚନା ଦେଇ ଡିଆଇଜି ଶ୍ରୀ ସିଂକହିଥିଲେଯେ, ଫେରାର ଦ୍ୱୟଙ୍କୁ ଗିରଫ କରିବା ଲାଗି ପୁଲିସ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଛି । ଶ୍ରୀ ସିଂକହିଥିଲେଯେ, ଗିରଫ ଅଭଯୁକ୍ତଦ୍ୱୟ ଅନ୍ୟ ଦୁଇଜଣ ସାଥିଙ୍କ ସହ ମିଶି ନିମାପଡା ବସଷ୍ଟାଣ୍ଡରୁ ପୀଡିତା ନାବାଳିକାକୁ ଅପହରଣ କରି ଏକ କାରରେ ପୁରୀ ଆଣି ଝାଡେଶ୍ୱରୀ ଛକ ନିକଟସ୍ଥ ପୁଲିସ କଲୋନୀ ପରିସରରେ ଥିବା ଏକ ପୁଲିସ କ୍ୱାଟରରେ ନାବାଳିକାଙ୍କୁ ବଳାକôାର କରିଥିଲେ । ଜିତେନ୍ଦ୍ର ଓ ରାଜା ନାବାଳିକାକୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇଜଣ ବାହାରେ ଜଗି ରହିଥିଲେ । ପୀଡିତା ଏ ସମ୍ପର୍କରେ ଗତକାଲି ରାତି ୭ଟା ୩୦ରେ ପୁଲିସକୁ ଜଣାଇବା ପରେ କୁମ୍ଭାରପଡା ଥାନାରେ ୩୬୩, ୩୭୬(ଭିଏ), ୩୯୪ ଏବଂ ପୋକ୍ସୋ ଆଇନର ୬ଦଫାରେ ମାମଲାରୁଜୁ କରାଯାଇଛି । ୨ତାରିଖ ଦିନ ୧ଟା ୩୦ମିନିଟ୍ରୁ ସନ୍ଧ୍ୟା ୬ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ଅନୁସନ୍ଧାନ ପ୍ରକ୍ରିୟାରେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯିବା ସହିତ ତୁରନ୍ତ ତାଙ୍କ ପରିବାରଙ୍କୁ ଜଣାଇ ଦିଆଯାଇଥିଲା । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିତେନ୍ଦ୍ର ଓ ରାଜେଶର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଏକ ହୋଣ୍ଡା ସାଇନ୍ ବାଇକ୍ ଓ ଗୋଟିଏ ହୋଣ୍ଡା ଆଭିଏଟର ସ୍କୁଟର ଜବତ କରାଯାଇଛି । ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ର ସହୟତା ନିଆଯାଇଛି । ଡିଆଇଜି ଶ୍ରୀ ସିଂ ପ୍ରକାଶ କରିଥିଲେ ଯେ ପୁରୀର ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ମାମଲାର ଅନୁସନ୍ଧାନ ଚାଲିଛି । ସେ ଏହି ତଦନ୍ତର ତଦାରଖ କରୁଥିବା ସୂଚନାଦେଇ ଡ଼ିଆଜି କହିଥିଲେଯେ,୨୦ଦିନ ମଧ୍ୟରେ ମାମଲାର ଚାର୍ଜସିଟ ଦାଖଲ କରାଯିବ । ତ୍ୱରାନ୍ୱିତ ବିଚାର ପାଇଁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ନିୟୋଜିତ ହେବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଥିଲେ । ଶ୍ରୀ ସିଂ କହିଥିଲେ ଯେ ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ବିଶୃଙ୍ଖଳିତ ଆଚରଣ ଲାଗି ଚାକିରିରୁ ବହିଷ୍କୃତ ହୋଇଛନ୍ତି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ପୁଲିସ ମାମଲା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛି । ଅଧିକ ଅନୁସନ୍ଧାନ ପାଇଁ ଆବଶ୍ୟକ ହେଲେ ଅଭିଯୁକ୍ତ ଦ୍ୱୟଙ୍କୁ ରିମାଣ୍ଡରେ ଅଣାଯିବ । ଚାକିରିରୁ ବରଖାସ୍ତ ହୋଇଥିବା ସତ୍ତ୍ୱେ ଅଭିଯୁକ୍ତ ଜିତେନ୍ଦ୍ର କନଷ୍ଟେବଳ ପରିଚୟ ପତ୍ର ରଖିଥିବାରୁ ସେଥିପାଇଁ ଆଉ ଏକ ମାମଲା ରୁଜୁ ହୋଇଛି । ଜିତେନ୍ଦ୍ରରର ପତ୍ନୀ ଜଣେ ମହିଳା କନଷ୍ଟେବଳ ଓ ତାଙ୍କ ସରକାରୀ କ୍ୱାଟରରେ ହିଁ ଏହି ଦୁଷ୍କର୍ମ ଘଟଣା ଘଟିଛି ବୋଲି ପ୍ରକାଶ କରିବା ସହ ଡିଆଇଜି କହିଥିଲେ ଯେ ପୀଡିତା ନାବାଳିକା ହୋଇଥିବାରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗା ଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ଦାଶ, ଅତିରିକ୍ତ ଏସ୍ପି ପ୍ରତାପ କୁମାର ସ୍ୱାଇଁ ଓ ଅତିରିକ୍ତ ଏସ୍ପି ଅରୁଣକୁମାରଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here