ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ରାଜନୀତିର ଚାଣକ୍ୟ ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଆସିବେ ପ୍ରସଙ୍ଗକୁ ନେଇ କିଛି ଦିନ ହେଲା ରାଜ୍ୟ ରାଜ୍ୟନୀତିରେ ଚାଲିଛି ଚର୍ଚ୍ଚା । ରାଜନୀତିକୁ ଆସିବା ପାଇଁ ପରୋକ୍ଷରେ ସୂଚନା ପୃଥ୍ୱୀ ବଲ୍ଲଭ ଦେବା ପରେ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା । ସେ କଂଗ୍ରେସକୁ ଯିବେ ନା ବିଜେଡିକୁ ଯିବେ ତାହା ଉପରେ ରହିଛି ନଜର । କିନ୍ତୁ ଯାହା ଆଲୋଚନା ହେଉଛି ବା ପାରିପାଶ୍ୱିର୍କସ୍ଥିତିରୁ ଜଣାପଡୁଛି ସେ ବିଜେଡିରେ ଯୋଗଦେବେ । ତାଙ୍କ ଭିଣୋଇ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେଇ ରାଜ୍ୟସଭା ସାଂସଦ ହୋଇସାରିଛନ୍ତି । ଏଣୁ ଭିଣୋଇ ଚାହୁଁଛନ୍ତି ଶାଳକଙ୍କୁ ରାଜନୀତି ଭିତରକୁ ଆଣିବେ । ସେଥିପାଇଁ ପ୍ରଥମେ ରାଜନୈତିକ ପ୍ରତିକ୍ରୀୟା ଜାଣିବା ପାଇଁ ପୃଥ୍ୱୀଙ୍କ ମାଧ୍ୟମରେ ତାଙ୍କର ଇଚ୍ଛାକୁ ପରିପ୍ରକାଶ କରାଇଛନ୍ତି । ପୃଥ୍ୱୀ ବଲ୍ଲଭ ରାଜ୍ୟ ରାଜନୀତିଠାରୁ ଦୂରରେ ଥିଲେ । ଏବେ ଯେତେବେଳେ ହଠାତ ରାଜନୀତି ଆଡକୁ ଆଗ୍ରହ ଦେଖାଇଲେଣି ସେଥିପାଇଁ ଏହା ପଛରେ ନିଶ୍ଚୟ କାରଣ ହାତଥିବା କଥା ସ୍ପଷ୍ଟ ହେଉଛି । ଆଉ ଭିଣୋଇ ସୌମ୍ୟରଂଜନ ବିଜେଡିରେ ସାମିଲ ହେଲା ପରେ ପୃଥ୍ୱୀଙ୍କ ଏହି ଆଗ୍ରହ ନିଶ୍ଚିତ ଭାବରେ ଜଣାଉଛି ଯେ, ସେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି । ଏଥିରେ ଜାନକୀ ବଲ୍ଲଭଙ୍କ ବିୟୋଗ ପରେ ତାଙ୍କର କେହି ଦାୟଦ ଆଉ ରାଜନୀତିକୁ ଆସିବେନି ଏବଂ ଏଇଠି ରାଜନୀତି ଶେଷ ହୋଇଗଲା ଏଭଳି ଏକ ଧାରଣା ଆସିଥିଲା । କାରଣ ଜାନକୀ ବଲ୍ଲଭଙ୍କ ପତ୍ନୀ ଜୟନ୍ତୀ ମଧ୍ୟ ପତ୍ୟେକ୍ଷ ବା ପରୋକ୍ଷ ରାଜନୀତିଠାରୁ ଦୂରେଇ ଯାଇଛନ୍ତି । ସେ ଆଉ ରାଜନୀତି ପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ଏଣୁ କଂଗ୍ରେସ ଅପେକ୍ଷା ପୃଥ୍ୱୀଙ୍କ ପାଇଁ ବିଜେଡି ସବୁଠାରୁ ନିରାପଦ ସ୍ଥାନ ହେବ ବୋଲି କୁହାଯାଉଛି । ସେ ବାପାଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆ-ବୋଲଗଡ଼ରୁ ଛିଡ଼ା ହେବା ପାଇଁ ଚାହୁଁଥିବା କଥା ପ୍ରକାଶ କରିବା ପରେ ଏସବୁ ଆଲୋଚନା ଆରମ୍ଭ ହୋଇଛି ।
ପୃଥ୍ୱୀ ବଲ୍ଲଭଙ୍କ ପାଇଁ ଦୁଇ ଦଳ ଖୋଲା ରହିଛି । କଂଗ୍ରେସରେ ସୌମ୍ୟଙ୍କ ବଡ଼ଭାଇ ନିରଂଜନ ପଟ୍ଟନାୟକ ପିସିସି ସଭାପତି ଥିବାରୁ ପରିବାରର ଜଣେ ମୁଖିଆ ଏକ ଦଳରେ ଉଚ୍ଚ ପଦବୀରେ ରହିଛନ୍ତି । ସେହିପରି ସୌମ୍ୟରଂଜନ ନିଜେ ବିଜେଡିରେ ସାମିଲ ହୋଇଛନ୍ତି । କେବଳ ସାମିଲ ହୋଇଛନ୍ତି ତାହା ନୁହେଁ ଦଳ ଭିତରେ ଇତିମଧ୍ୟରେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳତା ହାସଲ କରିଛନ୍ତି । ଦଳ ତାଙ୍କୁ ଅନ୍ୟ ପୁରୁଣା ସାଂସଦଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦେଉଛି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇବା ସହ ଗୁରୁ ଦାୟିତ୍ୱ ମଧ୍ୟ ଦେଉଥିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କ୍ଷମତାକେନ୍ଦ୍ରର କଟୋରୀ ଗ୍ରୁପସହ ସୌମ୍ୟରଂଜନ ବେଶ ନିକଟତର । ଏଣୁ ଉଭୟ କଂଗ୍ରେସ ଓ ବିଜେଡି ଦୁଇଦଳର ପୃଥ୍ୱୀଙ୍କ ପାଇଁ ରହିଛି । କିନ୍ତୁ ପୃଥ୍ୱୀ ପିତାଙ୍କ ବୋଲଗଡ଼ ନିର୍ବାଚନମଣ୍ଡଳୀରୁ ଛିଡ଼ା ହେବାକୁ ଚାହୁଁଛନ୍ତି । ଏକ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀରୁ ଛିଡ଼ା ହେବାକୁ ଚାହୁଁଥିବାରୁ କଂଗ୍ରେସରେ ଯୋଗଦେଲେ ଏହି ଲକ୍ଷ୍ୟ ତାଙ୍କର ପୂରଣ ହୋଇ ନ ପାରେ । ନିରଂଜନ ଚାହିଁଲେ ବି ଏଆଇସିସିରୁ ଏହି ଆସନ ଆଣି ତାଙ୍କୁ ଦେଇପାରିବେ ନାହିଁ । ଏ କ୍ଷେତ୍ରରେ ବର୍ତମାନ ବିଜେଡିରେ ସୌମ୍ୟରଂଜନଙ୍କର ଯେଉଁଭଳି ଭାବରେ ପ୍ରଭାବ ବଢ଼ିଛି ସେ କ୍ଷେତ୍ରରେ ଶାଳକଙ୍କ ପାଇଁ ବୋଲଗଡ଼ ଆସନ ଆଣିବା କିଛି କଷ୍ଟ ହେବନାହିଁ । ବର୍ତମାନ ବିଜେଡିର ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦେବ ଜଣେ ବାହୁବଳି ବିଧାୟକ ଭାବେ ବଦନାମ ହୋଇଛନ୍ତି । ଆସନ୍ତା ନିର୍ବାଚନରେ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରିବ ନାହିଁ । ଏକଥା ଅଧିକାଂଶ ବିଜେଡି ନେତା କହୁଛନ୍ତି । ପ୍ରଶାନ୍ତଙ୍କୁ ବିଜେଡିକୁ ଆଣି ବୋଲଗଡ଼ରୁ ଯେଉଁ ବିଜେଡି ନେତା ପ୍ରାର୍ଥୀ କରାଇଥିଲେ ସେମାନେ ଏବେ ଆଉ ତାଙ୍କ ସହ ନାହାଁନ୍ତି । ପ୍ରଶାନ୍ତଙ୍କ ଏହି ବାହୁବଳି କାରନାମାକୁ ଦେଖି ସେ ଦୂରେଇ ଯାଇଛନ୍ତି । ଅନ୍ୟ ପଟରେ ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶାନ୍ତଙ୍କ ଉପରେ ବେଶ କ୍ଷୁବ୍ଧ ବୋଲି ବହୁ ଦଳୀୟ ନେତା କହୁଛନ୍ତି । ଏ କ୍ଷେତ୍ରରେ ବିଜେଡିର ବୋଲଗଡ଼ ଆସନ ପାଇବା କିଛି ଅସମ୍ଭବନ ନୁହେଁ । ପୃଥ୍ୱୀ ବଲ୍ଲଭଙ୍କ ପାଇଁ ଏହି ଆସନରୁ ଜିତିବା ଅତି ସହଜ ହେବ ବୋଲି ସମସ୍ତେ କହୁଛନ୍ତି । କାରଣ ପିତାଙ୍କର ପୁରୁଣା ନିର୍ବାଚନମଣ୍ଡଳୀ ହୋଇଥିବାରୁ ବହୁ ସମର୍ଥକ ଅଛନ୍ତି । ଅବଶ୍ୟ ସେମାନେ କଂଗ୍ରେସର ହୋଇଥିଲେ ମଧ୍ୟ ପୃଥ୍ୱୀ ବଲ୍ଲଭ ଯଦି ଛିଡ଼ା ହୁଅନ୍ତି ତେବେ ସେମାନେ ନିଶ୍ଚିତଭାବରେ ସମର୍ଥନ ଦେବାକୁ ଆଗେଇ ଆସିବେ । ଜାନୀକ ବଲ୍ଲଭଙ୍କ ପୁଅ ଭାବରେ ତାଙ୍କ ପ୍ରତି ନିର୍ବାଚନମଣ୍ଡଳୀର ଲୋକଙ୍କର ଅନୁକମ୍ପା ଭୋଟ ମଧ୍ୟ ମିଳିବ । ବିଜେଡି ଭୋଟ ସହ ଅନୁକମ୍ପା ଭୋଟ କଥା ପିତାଙ୍କ ଖାସ ସମର୍ଥକମାନଙ୍କ ସମର୍ଥନ ତାଙ୍କୁ ମିଳିବାର ସମ୍ଭାବନା ଥିବାରୁ ଜିତିବା ନିଶ୍ଚିତ ବୋଲି କୁହାଯାଉଛି । ଏ ସବୁ ଯୁକ୍ତିକୁ ଭିତ୍ତିକରି ସୌମ୍ୟରଂଜନ ଶାଳକଙ୍କ ପାଇଁ ବିଜେଡିରୁ ବେଗୁନିଆ ଟିକେଟ ଯୋଗାଡ଼ କରାଇବାରେ କିଛି ବାଧା ଆସିବ ନାହିଁ ବୋଲି ଅନେକ ମତ ରଖିଛନ୍ତି । ଏ କ୍ଷେତ୍ରରେ କୁହାଯାଉଛି ବିଜେଡିରେ ପୃଥ୍ୱୀ ବଲ୍ଲଭ ଯୋଗଦେବା ସମ୍ଭବନା ଅଧିକ । ଭିଣୋଇ ଥିବାରୁ ତାଙ୍କ ପାଇଁ ବିଜେଡି ଅଧିକ ନିରାପଦ ହେବ କଂଗ୍ରେସ ଅପେକ୍ଷା । ଏଆଇସିସି ବିନା ଅନୁମତିରେ ନିରଂଜନ କୌଣସି ପରିସ୍ଥିତିରେ ପୃଥ୍ୱୀ ବଲ୍ଲଭଙ୍କ ପାଇଁ ବେଗୁନିଆ ଟିକେଟ କରାଇ ପାରିବେ ନାହିଁ । ଏକ ଜାତୀୟ ଦଳର ବିଭିନ୍ନ ନୀତି ନିୟମ ଓ କାଇଦା କଟକଣା ରହିଛି । ଏସବୁକୁ ଟପି ପୃଥ୍ୱୀ ବଲ୍ଲଭଙ୍କ ପାଇଁ ଏକ ନିରାପଦ ପଥ ନିରଂଜନ ଯୋଗାଇ ଦେବା ସମ୍ଭବ ନୁହେଁ । ଏଣୁ ବିଜେଡିରେ ମିଶିବା କଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୃଥ୍ୱୀ ବଲ୍ଲଭ ବିଜେଡି ପ୍ରାର୍ଥୀ ଭାବେ ବେଗୁନିଆରୁ ଆସନ୍ତା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Loading...

LEAVE A REPLY

Please enter your comment!
Please enter your name here