ଲଳିତକୁମାର ପାତ୍ର : ସମ୍ପ୍ରତି ପ୍ରଶାନ୍ତ ଭୂଷଣ ଓ ସର୍ବୋଚ୍ଚ ଅଦାଲତଙ୍କ ମାମଲାରେ ଭାରତର ରାଜନୈତିକ ଆକାଶରେ ଏକ ଝଡ଼ ସୃଷ୍ଟି ହୋଇଛି । ଏହି ମାମଲାରେ ଶାସକ ବିଜେପି କିମ୍ବା ବିରୋଧି ଦଳଗୁଡ଼ିକ ଭାରତୀୟ ବିଚାର ବ୍ୟବସ୍ଥା ଯୋଗୁଁ ଲୋକମାନେ ଭୋଗୁଥିବା ଅସୁବିଧାଗୁଡ଼ିକ ବିଷୟରେ ପ୍ରଶ୍ନ ଉଠାଇନାହାନ୍ତି । ଲୋକମାନେ ବର୍ଷ ବର୍ଷ ଧରି ନ୍ୟାୟ ପାଇବା ପାଇଁ ଅଦାଲତକୁ ଦୌଡ଼ୁଛନ୍ତି ଓ ବହୁତ ଖର୍ଚ୍ଚ କରି ଶୋଷିତ ହେଉଛନ୍ତି । ମୋକଦ୍ଦମା ଏକ ଅଭିଶାପବୋଲି ବିବେଚନା କରି ବାଧ୍ୟ ବାଧକତାରେ ।କହି କେହି ଅଦାଲତକୁ ଯାଉଛନ୍ତି । ଲୋକଙ୍କର ଏ ଅସୁବିଧା ବିଷୟରେ କୌଣସି ଆଲୋଚନା ହୁଏ ନାହିଁ କିମ୍ବା ଏହି ପ୍ରସଙ୍ଗର କିଛି ଗୁରୁତ୍ୱ ନଥାଏବୋଲି କୁହାଯାଏ ।

ପ୍ରଶାନ୍ତ ଭୂଷଣ ନିଜେ ମଧ୍ୟ ଏ ବିଷୟରେ ପ୍ରଶ୍ନ କରିନାହାନ୍ତି । କିନ୍ତୁ ତାଙ୍କର ମତଜଡ଼ିତ ଏ ମାମଲା ବିଚାର ବ୍ୟବସ୍ଥାର ତ୍ରୁଟିକୁ ପଦାରେ ପକାଇବା ସହିତ ସର୍ବୋଚ୍ଚ ଅଦାଲତଙ୍କ ସମ୍ମାନ ହାନୀ କରିଛିବୋଲି କୁହାଯାଇପାରେ । ଏଠି ପ୍ରଶ୍ନ ହେଉଛି ଯେ ସର୍ବୋଚ୍ଚ ଅଦାଲତର କୌଣସି ବିଚାରପତି ବା ମୁଖ୍ୟ ବିଚାରପତି କୌଣସି ପ୍ରକାର ଆଇନ ବିରୋଧି କାର୍ଯ୍ୟ କଲେ ସେମାନଙ୍କ ବିରୁଦ୍ଧରେ କ’ଣ କେବଳ ସଂସଦରେ ମହାଭିଯୋଗ ହେବ? କୌଣସି ନାଗରିକ କ’ଣ ତାଙ୍କ ବିରୁଦ୍ଧରେ ମତ ପ୍ରକାଶ ବା ଅଭିଯୋଗ କରିବାର ବ୍ୟବସ୍ଥା ରହିବ ନାହିଁ? ଅର୍ଥାତ ବ୍ୟକ୍ତିର ସ୍ୱାଧିନ ମତ ବ୍ୟକ୍ତର ଅଧିକାର ଭଳି ମୌଳିକ ଅଧିକାର ରହିବନାହିଁ? ଏପରି ହେଲେ ସ୍ୱାଧିନତା ବୋଲି କିଛି ରହିବନାହିଁ ବା ନାମକୁ ମାତ୍ର ରହିବ ।

ଏଠାରେ ଉଲ୍ଲେଖନୀୟ ଯେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ଓ ଏହାକୁ ସମ୍ମାନ ଦେବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ; ନଚେତ କାହା ସାବଭୌମତ୍ୱକୁ ଆହ୍ୱାନ ହେବ । ରାଷ୍ଟ୍ର ତଥା ବ୍ୟକ୍ତିର ସ୍ୱାଧିନତା ହେଉଛି ସାର୍ବଭୌମତ୍ୱର ପ୍ରତୀକ । ପରୋକ୍ଷରେ ବ୍ୟକ୍ତି ସ୍ୱାଧିନତାର ପ୍ରତୀକ ହେଉଛି ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି । ଏଣୁ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିଠାରୁ ବ୍ୟକ୍ତି ସ୍ୱାଧିନତା ବିରୁଦ୍ଧରେ ଯାଉଥିବା ସର୍ବୋଚ୍ଚ ଅଦାଲତର ‘ ଦୋଷ ଅଭିଯୋଗ ଆସୁଥିବା ବିଚାରପତି’ ଅଲଗା ଓ ବିଚାର ବ୍ୟବସ୍ଥାରୁ ଊଦ୍ଧ୍ୱର୍ରେ ନୁହନ୍ତି; କିନ୍ତୁ ସମ୍ବିଧାନରେ ଏପରି ବ୍ୟବସ୍ଥା ନାହିଁ । ବିଚାର ବିଭାଗର ସ୍ୱାଧିନତା ରକ୍ଷା ପାଇଁ ସର୍ବୋଚ୍ଚ ଅଦାଲତର ବିଚାରପତି ଯଦି ବେଆଇନ କାର୍ଯ୍ୟ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କେବଳ ସଂସଦରେ ମହାଭିଯୋଗର ବ୍ୟବସ୍ଥା ରହିଛି । ସମ୍ବିଧାନ କାର୍ଯ୍ୟକାରୀ ହେଲା ଦିନରୁ ଏ ଦେଶରେ ଏହି ଆଇନ ଚାଲିଆସୁଛି ।

ପରସ୍ପର ବିରୋଧି ଆଇନ ଯଥା ମୌଳିକ ଅଧିକାରଭୁକ୍ତ ସ୍ୱାଧିନ ମତବ୍ୟକ୍ତର ଅଧିକାର ଓ ଅଦାଲତର ସ୍ୱାଧିନତା ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ କେହି କହିନାହାନ୍ତି । ସମ୍ବିଧାନର ଏହିଭଳି ଅନେକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ନକହି ଅନେକ ବ୍ୟକ୍ତି ଓ ଗୋଷ୍ଠୀ ଏହାରି ମାଧ୍ୟମରେ ଶୋଷଣ ଓ ଅତ୍ୟାଚାର କରିଆସିଛନ୍ତି । ଫଳ ଏପରି ହୋଇଛି ଯେ, ଜବର ଦଖଲ, ଜବରଦସ୍ତି, ହତ୍ୟା, ଧର୍ଷଣ, ଆତଙ୍କ ନିର୍ଯ୍ୟାତନାରେ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକ ଘାଣ୍ଟି ହେଉଛନ୍ତି । ଚଳିଆସୁଥିବା ଅନେକ ଆଇନ ଓ କେତେକ ଉପଯୁକ୍ତ ଆଇନର ଅଭାବ ଲୋକଙ୍କ ‘ଉନ୍ନତ ମାନର ଜୀବନ’ ସୁରକ୍ଷା କ୍ଷେତ୍ରରେ ପୁରୁଣା ଖାଲ ଆକାରରେ ରହିଆସିଛି ।

ପରିବର୍ତ୍ତିର୍ତ ପରିସ୍ଥିତିରେ ଅର୍ଥାତ ବିଜେପି ଦଳ ଶାସନ କ୍ଷମତାକୁ ଆସିଲା ପରେ ଏଠି ପୁରୁଣା ଖାଲରେ ପଡ଼ିବାର ଆଶଙ୍କା କରି ଅନେକ ବର୍ତ୍ତମାନର ପରିସ୍ଥିତିକୁ ଏକ ଅଘୋଷିତ ଜରୁରୀ ପରିସ୍ଥିତିବୋଲି କହୁଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଏ ମାମଲାର ନିଷ୍ପତ୍ତି ସମ୍ବିଧାନ ଅନୁଯାଇ ହୋଇଛି । ପୂର୍ବରୁ ଯେଉଁ ଆଇନ ଥିଲା ସେଇ ଆଇନ ଲାଗୁ ହୋଇଛି । କିଛି ପରିବର୍ତ୍ତନ ହୋଇନାହିଁ କି ସମ୍ବିଧାନ ପରିବର୍ତ୍ତନ ହୋଇନାହିଁ । ଏଣୁ ଲୋକଙ୍କ ସୁରକ୍ଷାରେ ଆସୁନଥିବା ଏ ବିବାଦକୁ ଛାଡ଼ି ବରଂ ବ୍ୟବସ୍ଥାଗତ ତ୍ରୁଟି ରୂପକ ସେହି ପୁରୁଣା ଖାଲର ମରାମତି କରିବା ଦରକାର ।

ବିଚାର ବ୍ୟବସ୍ଥାର ବ୍ୟବସ୍ଥାଗତ ତ୍ରୁଟିକୁ ଧ୍ୟାନ ନଦେଇ ଅନେକ କୁହଛନ୍ତି ଯେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କୁ ପରୀକ୍ଷାଦ୍ୱାରା ନିଯୁକ୍ତ କରାଯାଉ । କିନ୍ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଚାରପତିରୂପେ ନିଯୁକ୍ତି ପାଇଥିବା ବ୍ୟକ୍ତି କ’ଣ ବେଆଇନ କାର୍ଯ୍ୟ କରିବେନାହିଁବୋଲି ଦୃଢ଼ତା ସହ କହିହେବ? ତାଙ୍କ ବିରୁଦ୍ଧରେ କ’ଣ କେହି କହିବେନାହିଁ? ନା ମକଦ୍ଦମା ହେବନାହି? ଅନେକ ଅବସରପ୍ରାପ୍ତ ବିଚାରପତି, ବୁଦ୍ଧିଜୀବୀ ଓ ଛାତ୍ର ଗୋଷ୍ଠୀ ସ୍ୱାଧିନ ମତବ୍ୟକ୍ତର କଣ୍ଠରୋଧର ଆଳ ଦେଖାଇ ମାମଲା ପ୍ରତ୍ୟାହାର ପାଇଁ ପତ୍ର ମାଧ୍ୟମରେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ଚାପ ପକାନ୍ତି । ଏହାଦ୍ୱାରା ଅଦାଲତଙ୍କ ନିଷ୍ପତ୍ତି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ଶ୍ରୀଯୁକ୍ତ ପ୍ରଶାନ୍ତ ଭୂଷଣ ନିଜେ ମଧ୍ୟ କହିଥିଲେ ଯେ ଅଦାଲତରେ ହେଉଥିବା ଦୁର୍ନୀତି ବା ତ୍ରୁଟିକୁ ଲୋକମାନେ ବିରୋଧ କରିବା ଦରକାର, ଦରକାର ପଡ଼ିଲେ ବିକ୍ଷୋଭ ମଧ୍ୟ କରିବେ । କିନ୍ତୁ ଏହାଦ୍ୱାରା ଅଦାଲତ ରାଜନୀତିର ପଶା ପାଲି ପାଲଟିଯିବ । ବିଭିନ୍ନ ମତର ଲୋକେ ଅଦାଲତ ଆଗରେ ବିକ୍ଷୋଭ କରିବେ । ସୂଚନାଯୋଗ୍ୟ, ପ୍ରାଚୀନ ଗଣତାନ୍ତ୍ରୀକ ଏଥେନ୍ସରେ ଲୋକଙ୍କ ଚାପରେ ସତ୍ୟାସନ୍ଧ ପଣ୍ଡିତ ସକ୍ରେଟିସଙ୍କୁ ବିଷ ଦେଇ ମୃତୁ୍ୟଦଣ୍ଡ ଦିଆଯାଇଥିଲା । ଯାହା ଏକ ପ୍ରକାର ଗୁଣ୍ଡାତନ୍ତ୍ର । ଏଣୁ ଲୋକଙ୍କ ନାଁ ରେ ଗଣତନ୍ତ୍ରରେ ଏ ଗୁଣ୍ଡାତନ୍ତ୍ରକୁ ଏଥେନୀୟ ଗଣତନ୍ତ୍ରବୋଲି କୁହାଯାଇପାରେ; ଯାହା ଅତ୍ୟନ୍ତ ଭୟଙ୍କର । ଲୋକେ ବିରୋଧ କରିବା ପାଇଁ ଆହ୍ୱାନ କରିବା ସମସ୍ୟାକୁ ଆହୁରି ବଢ଼ାଇଦେବ । କାରଣ ନିର୍ବାଚନମାନଙ୍କରେ ଦେଖାଯାଇଛି ଯେ କେବେ ବି ଶତ ପ୍ରତିଶତ ଲୋକଙ୍କ ମତ ଏକ ନଥାଏ । ଲୋକେ କହିଲେ ରାଷ୍ଟ୍ରର ସବୁ ଲୋକ ନୁହନ୍ତି । ବିରୋଧ କରିବା ଲୋକଙ୍କ ସ୍ୱର କିନ୍ତୁ ତାହା ରାଷ୍ଟ୍ର ସାରା ଲୋକଙ୍କ ସ୍ୱର ନୁହେଁ ।

ଲୋକେ ଆଇନକୁ ହାତକୁ ନେଇପାରିବେ ନାହିଁ । ଯଦି ଲୋକଙ୍କ ସ୍ୱର ଚାଲେ ଅର୍ଥାତ ଜବରଦସ୍ତିଆ ଗୁଣ୍ଡାମି ଚାଲେ ଯାହାକୁ ଗୁଣ୍ଡାତନ୍ତ୍ର ବା ମୋବକ୍ରାସି କୁହାଯାଏ ସେଠାରେ ଆଇନର ଶାସନ ରହିବନାହିଁ କି ସରକାରଙ୍କ କର୍ତ୍ତୃତ୍ୱ ରହିବନାହିଁ । ଅନ୍ୟପକ୍ଷରେ ଲୋକେ କହିଲେ ସରକାର ନୁହନ୍ତି । ଲୋକ ଭଳି ସରକାର ମଧ୍ୟ ରାଷ୍ଟ୍ରର ଏକ ଉପାଦାନ; ସରକାର ଏକ ସ୍ୱତନ୍ତ୍ର ଅନୁଷ୍ଠାନ । ଆଇନ ମାଧ୍ୟମରେ ସରକାରଙ୍କ କର୍ତ୍ତୃତ୍ୱ ପ୍ରକାଶ ପାଏ । ଆଇନର ଧ୍ୱଜାଧାରୀ ହେଉଛି ଅଦାଲତ । ଅଦାଲତର ସମ୍ମାନ ନରହିଲେ ପରିସ୍ଥିତି ଭୟଙ୍କର ହେବ ।

ପ୍ରଶାନ୍ତ ଭୂଷଣଙ୍କ କଥା ଗ୍ରହଣ କରାଗଲେ କଥାଟା ଦୁଇ ପ୍ରକାର ହୋଇଯିବ । ଲୋକେ ସ୍ୱର ଉଠାଇବା ଆଉ ଲୋକ ପ୍ରତିନିଧି ସଭାର ସ୍ୱର ; ଏ ଦୁଇଟି ସ୍ୱର ମଧ୍ୟରୁ କେଉଁଟିକୁ ଗ୍ରହଣ କରାଯିବ? ଲୋକ ପ୍ରତିନିଧି ସଭାର ସ୍ୱର ହେଉଛି ୫ଭାଇ ଏକାଠି ବସି ନିଷ୍ପତ୍ତି ନେଲାଭଳି ସ୍ୱର; ଏହା ଏକ ବିଧିବଦ୍ଧ ବ୍ୟବସ୍ଥା । ଜଣେ ମାତ୍ର ଅଧିକ ସଦସ୍ୟଙ୍କ ସମର୍ଥନରେ ଗୃହୀତ ହୋଇଥିବା ନିୟମ ମଧ୍ୟ ଏକ ବିଧିପୂର୍ବକ ନିଷ୍ପତ୍ତି; ଏହା ଯଦି ତ୍ରୁଟିପୂର୍ଣ୍ଣ ହୁଏ ତେବେ ଆଇନ ବିରୁଦ୍ଧରେ ଜନମତ ସୃଷ୍ଟି ହୁଏ । ଜନ ପ୍ରତିନିଧି ସଭା ଏହାର ପୁନର୍ବିଚାର କରି ଅର୍ଥାତ ୫ଭାଇ ବସିଲାଭଳି ଯେଉଁ ନିଷ୍ପତ୍ତି ନିଏ ତାହା ଆଇନ ହୁଏ । ଜନମତ ଯଦି ଏହାର ବିରୋଧରେ ଯାଏ ତେବେ ଜନମତ ରହେନାହିଁ । ଅନ୍ୟପକ୍ଷରେ ଲୋକଙ୍କ ସ୍ୱର ଉତ୍ତୋଳନ ଏକ ବିଧିବଦ୍ଧ ବ୍ୟବସ୍ଥା ନୁହେଁ ।

ସ୍ୱର ନଉଠିଲେ କେହି ଦାୟୀ ରୁହନ୍ତି ନାହିଁ କି କାହାକୁ ଏଥିପାଇଁ ବାଧ୍ୟ କରାଯାଇପାରିବନାହିଁ; ଏହା ଏକ ଇଛାଗତ କାର୍ଯ୍ୟ । ଅତୀତରେ ଏହାର ବହୁ ଉଦାହରଣ ରହିଛି । ଅଞ୍ଜନା ମିଶ୍ର ବଳାକ୍ରାର ଘଟଣାରେ ଓଡ଼ିଶାରେ ବନ୍ଦ ପାଳନ ହେଲା; କିନ୍ତୁ ଠିକ ସେହି ସମୟରେ ଘଟିଥିବା ଅନେକ ବଳାକ୍ରାର ଘଟଣା କେବଳ ଖବର କାଗଜ ପୃଷ୍ଠା ମଣ୍ଡନ କଲା । ଦୁଃଖର କଥା ଯେ ଆଲୋଡ଼ନକାରୀ ନିର୍ଭୟା ମାମଲାରେ ଜନମତର ଚାପରେ ହତ୍ୟା ନକରି କେବଳ ବଳାକ୍ରାର କରିଥିବା ଦୋଷୀମାନେ ଫାସି ପାଇଲେ ଅଥଚ ସେହି ସମୟରେ ଉତ୍ତର ପ୍ରଦେଶରେ ପ୍ରଥମେ ବଳାକ୍ରାର କରି କଏଦୀଖାନାରୁ ଫେରି ପୀଡ଼ିତାକୁ ନିଆଁରେ ପୋଡ଼ି ହତ୍ୟା କରିଥିବା ଦୋଷୀକୁ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇଛି ।

ପ୍ରଶାନ୍ତ ଭୂଷଣଙ୍କ ପରି କହୁଥିବା ଲୋକଙ୍କ କଥା ରହିଲେ ଏପରି ହେବ । ଯେଉଁଠି ପ୍ରଭାବଶାଳୀଙ୍କ କଥା ରହିବ ସେଠି ମିଠା ବଣ୍ଟାଯିବ, ଆଉ ଅନ୍ୟଠି ସମୟ କେବଳ ମୁକ ସାକ୍ଷୀ ହୋଇ ରହିବ ।

ପ୍ରଶାନ୍ତ ଭୂଷଣ ଜଣେ ସଂଗ୍ରାମୀ, ମାନବାଧିକାର ପ୍ରେମୀ ଓ ଦୁର୍ନୀତି ବିରୁଦ୍ଧରେ ନିର୍ଭିକଭାବେ ଲଢ଼ି ଆସିଛନ୍ତି । ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସରକାରଙ୍କ ମୀରା ରାଡ଼ିଆ କେସ ଦୁର୍ନୀତି, କୋଇଲା ଓ ସ୍ପେକ୍ଟ୍ରମ ଦୁର୍ନୀତି ଏବଂ ଅବୈଧ ଖଣି ଖନନ ପାଇଁ ଶହେ ଶତାଂଶ ଜୋରିମାନା ଆଦାୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାଫେଲ ଯୁଦ୍ଧ ବିମାନ କିଣା ଓ ପିଏମ କେୟାର ଫଣ୍ଡ ଆଦି ବିଷୟରେ ସ୍ୱଚ୍ଛତା ତଥା ଦୁର୍ନୀତି ବିଷୟରେ ଲଢ଼େଇ ରାଷ୍ଟ୍ର ପାଇଁ ତାଙ୍କର ଉତ୍ସର୍ଗତାକୁ ହୃଦୟଙ୍ଗମ କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ତାଙ୍କୁ ଅଦାଲତ ଅବମାନନା ଦୋଷ ପାଇଁ ଏକ ଟଙ୍କା ଜୋରିମାନା ଭଳି ଲଘୁ ଦଣ୍ଡ ଦେଇ ତାଙ୍କ ବିଶାଳ ବ୍ୟକ୍ତିତ୍ୱକୁ ସମ୍ମାନିତ କରିଛନ୍ତି । କିନ୍ତୁ ଏ ସବୁ ସତ୍ତ୍ୱେ ତାଙ୍କର ବିଚାର ବ୍ୟବସ୍ଥାର ତ୍ରୁଟି ପ୍ରତି ପ୍ରଦତ୍ତ ମତ କେତେ ଦୂର ଯଥାର୍ଥ ତାହା ବିଚାରଯୋଗ୍ୟ ।

LEAVE A REPLY

Please enter your comment!
Please enter your name here