ଭୁବନେଶ୍ୱର : ଚଳିତ ରବି ଋତୁରେ ଉପଲବ୍ଧ ସମସ୍ତ ସମ୍ପଦର ପୂର୍ଣ୍ଣ ବିନିଯୋଗ କରି ଧାର୍ଯ୍ୟ ଉତ୍ପାଦନ ଓ ଉତ୍ପାଦକତା ଲକ୍ଷ୍ୟ ହାସଲ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ କୃଷି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି କୃଷି ଭବନ ଠାରେ ରାଜ୍ୟସ୍ତରୀୟ ତିନିଦିନିଆ ପ୍ରାକ୍ ରବି କର୍ମଶାଳା ୨୦୧୮-୧୯ର ଉଦ୍ଯାପନୀ ଦିବସରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ, ଚଳିତ ରବି ଋତୁରେ ଅନ୍ୟୁନ ୧୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏବଂ ୭.୩ ଲକ୍ଷ ମେଟ୍ରିକ ଟନ୍ ଡାଲି ଆଦିକୁ ମିଶାଇ ମୋଟ ୧୮.୭୨ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରିବା ପାଇଁ କାର୍ଯ୍ୟକ୍ରମ ରହିଛି । ଏତଦବ୍ୟତୀତ ୫.୨୭ ଲକ୍ଷ ମେଟ୍ରିକ ଟନ ତୈଳବୀଜ, ୭୦.୮୩ ଲକ୍ଷ ମେଟ୍ରିକ ଟନ ପନିପରିବା, ୧.୪୦ ଲକ୍ଷ ମେଟ୍ରିକ ଟନ ମସଲା ଏବଂ ୨୨.୫୦ ଲକ୍ଷ ମେଟ୍ରିକ ଟନ ଆଖୁ ଉତ୍ପାଦନ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ସେ କୃଷି ଅଧିକାରୀ ଓ ଚାଷୀମାନଙ୍କ ସହଯୋଗ କାମନା କରିଥିଲେ ।
ସେ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି । ନିକଟ ଅତୀତରେ ସଂଗଠିତ ତିତିଲ ବାତ୍ୟା ଓ ମରୁଡ଼ିଜନିତ କୃଷି-କ୍ଷୟକ୍ଷତିର ପୁନଃ ଥଇଥାନ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରାଯାଉଛି । ଅଗ୍ରାଧିକାର ଭିତିରେ ମରୁଡ଼ି ପ୍ରଭାବିତ ଅଂଚଳରେ ସମସ୍ତ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ମରାମତି ଓ ବିଦ୍ୟୁତ ସଂଯୋଗ କରାଯିବାକୁ ପଦକ୍ଷେପ ନିଆଯାଇଛି । ଏଥିସହିତ ପ୍ରଭାବିତ ଚାଷୀଙ୍କୁ ପାଣିପମ୍ପ ଓ ସୌରଚାଳିତ ପାଣିପମ୍ପ ସ୍ୱତନ୍ତ୍ର ରିହାତି ଦରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ମରୁଡ଼ି ପ୍ରଭାବିତ ଚାଷୀମାନଙ୍କ ପାଇଁ କମ ସୁଧ ହାରରେ ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତିତ କରାଯିବାକୁ ସ୍ଥିର କରାଯାଇଛି । ପୁନଶ୍ଚ ପ୍ରଭାବିତ ଚାଷୀମାନଙ୍କୁ ଏହି ରବି ଚାଷ ପାଇଁ ନୂତନ ଭାବେ କୃଷି ଋଣ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଚକଡ଼ା ପୋକ ଆକ୍ରାନ୍ତ କୃଷିକ୍ଷେତ୍ର ପରିଦର୍ଶନ କରି ଏହାର ନିରାକରଣ ପାଇଁ କୃଷି ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଉଛନ୍ତି । ଚାଷୀମାନଙ୍କୁ ଠିକ୍ ସମୟରେ ରବି ବିହନ ଯୋଗାଇ ଦେବାକୁ କୃଷି ଅଧିକାରୀମାନେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ । ଏଥିସହିତ ରାଜ୍ୟରେ ସରକାରୀ ସ୍ତରରେ ଏକ ପନିପରିବା ବିହନ କେନ୍ଦ୍ର ଖୋଲାଟିବା ସହ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
କର୍ମଶାଳାର ଦ୍ୱିତୀୟ ଦିବସରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଜଏଂଟ ଲାଏବିଲିଟି ଗ୍ରୁପ୍କୁ ଶତକଡ଼ା ୧ ପ୍ରତିଶତରେ ପ୍ରକୃତ ଚାଷୀଙ୍କୁ ଋଣଦେବାର ବ୍ୟବସ୍ଥା କରାଯାଇଛି ଏବଂ ଇ-ମାର୍କେଟିଂ ବ୍ୟବସ୍ଥାରେ କୃଷକଙ୍କୁ ସମ୍ପୃକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ ।
ଜିଲ୍ଲାର କୃଷି ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ, ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି କର୍ମଶାଳାର ବିଭିନ୍ନ ଦିବସରେ କୃଷି ଉତ୍ପାଦନ କମିଶନର ହ. ଗଗନ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ସଚିବ ଶ୍ରୀ ଭାସ୍କର ଶର୍ମା, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରାକ୍ତନ କେନ୍ଦ୍ର ସଚିବ ଡ. ଶୋଭନ କୁମାର ପଟ୍ଟନାୟକ, ଓଡ଼ିଶା ଖାଦ୍ୟ ମିଶନର ଅଧ୍ୟକ୍ଷ ଶ୍ରୀ ରଙ୍ଗଲାଲ ଜାମୁଡ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ମୃତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ହେମନ୍ତ ପଣ୍ଡା, ବିଶ୍ୱବ୍ୟାଙ୍କ ବରିଷ୍ଠ ଅଧିକାରୀ ଶ୍ରୀ ବିଶ୍ୱଜିତ ସେନ୍, ନାବାର୍ଡ଼ ବରିଷ୍ଠ ଅଧିକାରୀ ଶ୍ରୀ ସୌମିକ ସେନ୍ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ ଓଡ଼ିଶାର ଆଗ୍ରୋ କ୍ଲାଇମେଟିକ୍ ସ୍ଥିତି, ଧାନଚାଷ ପରେ ଖାଲିଥିବା ଜମିରେ ଡାଲି ଓ ତୈଳବୀଜ ଆଦି ଚାଷ, ଫସଲ ଉତ୍ପାଦନ ହାର ଓ କ୍ରପିଙ୍ଗ ଇନଟେନ୍ସିଟି, ଧାନ ଫସଲ ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲ ଚାଷ ଆଦି ଉପରେ ଆଲୋଚନା ହୋଇଥିଲା ।
ମନ୍ତ୍ରୀ ଶ୍ରୀ ମହାରଥୀ ଆଡାପ୍ଟ ଟିମର ଡ୍ୟାସ ବୋର୍ଡ଼ ଉଦଘାଟନ କରିବା ସହ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃଷି ଅଧିକାରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରୋଗପୋକ ପ୍ରତିଷେଧକ ସମ୍ବଳିତ ଦୁଇଟି ପୁସ୍ତିକାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ମହାରଥୀ ଉନ୍ମୋଚନ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here