ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚାର ନୂଆ ଓଡିଶା ଯୁବସଂଯୋଜନ ସମ୍ମିଳନୀରେ ଉଦବୋଧନ ଦେଇ ଓଡିଶାର ଯୁବପୀଢି ପରିବର୍ତନର ଅନ୍ତିମ ୬ ମାସର ନିର୍ଣାୟକ ଲଢେଇରେ  ସାମିଲ ହୋଇ ଓଡିଶାକୁ ପ୍ରଗତୀର ଶୀର୍ଷକୁ ନେବାପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୯ ବର୍ଷର ନବୀନ ସରକାରଙ୍କ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିଭିନ୍ନ ଯୋଜନା ପରିପ୍ରେକ୍ଷୀରେ ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ କଙ୍କଣ ଉପାଖ୍ୟାନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ରାଜ୍ୟର ଯୁବପୀଢି ସେମାନଙ୍କର ଓ ରାଜ୍ୟର ଭବିଷ୍ୟତ ପାଇଁ ମୋଦିଙ୍କ ନୂଆ ଭାରତ ଯୋଜନାରେ ନୂଆ ଓଡିଶା ଗଠନ
ପାଇଁ ଆଜି ପ୍ରସ୍ତୁତିର ସହ ଆଗେଇ ଆସୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସରକାରଙ୍କ ପିଠା ଯୋଜନାକୁ କଡା ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଦୁଇଜଣଙ୍କ କଳିରେ ମାଙ୍କଡ ପିଠା ଖାଇଯିବା ପରି ଓଡିଶାର ରାଜସ୍ୱକୁ ଲୁଟ୍ କରୁଥିବା ଲୋକମାନେ କି ସ୍ୱଚ୍ଛତାର ବାର୍ତା ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆମ ଗାଁ ଆମ ବିକାଶ ଯୋଜନାରେ ଯେଉଁ ପ୍ରକଳ୍ପ ଗୁଡିକ ସରପଂଚ ମାନଙ୍କର ଅଧିକାର ଛଡାଇ ସଚିବାଳୟରୁ ମୁଖ୍ୟମନ୍ତ୍ରୀ କରୁଛନ୍ତି ସେହି କାର୍ଯ୍ୟ ଗୁଡିକ ଲୋକଙ୍କ ଇଚ୍ଛାରେ ନା ତୃତୀୟ ମହଲାର ଗୁମାସ୍ତାଙ୍କ ଯୋଜନାରେ ତିଆରି ହେଉଛି ଏହା ଯୁବକ ମାନେ ମଙ୍କସର ୧୫ ରୁ ୨୦ ପିଠା ସଭା ମାନଙ୍କରେ ପ୍ରଶ୍ନ କରନ୍ତୁ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯୁବକ ମାନଙ୍କର ଜାଣିବାର ଅଧିକାର ଅଛି । ଏହି କାମ ଗୁଡିକ ଟେଣ୍ଡର କରି ସ୍ୱଚ୍ଛ ଭାବେ କାର୍ଯ୍ୟାଦେଶ ଦିଆଯାଉଛି ନା ହାତଗୁଞ୍ଜା ଦେଉଥିବା ଲୋକମାନେ କାମ ପାଉଛନ୍ତି ଓ କାହା ମାଧ୍ୟମରେ ଏହି କାମ ଗୁଡିକ ହେଉଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଥ୍ରୀ-ଟିର ମିଛ ବାହାନା କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବୁ କାମକୁ ଦଳୀୟ ଆଧାରରେ ବାଂଟି ରାଜ୍ୟ ରାଜକୋଷର ୧୦ ହଜାର କୋଟିଟଙ୍କାର କାମ କିଏ ପାଉଛି ବୋଲି ଯୁବକ ମାନେ ଏହି ପିଠା କାର୍ଯ୍ୟକ୍ରମରେ ପଚାରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପିଠା ଯୋଜନା ନାଁରେ ସରକାର ସାଧାରଣ ଓଡିଆଙ୍କୁ ବିଧା ମାରିବା ପାଇଁ ଯୋଜନା କରିଛନ୍ତି ଓ ଓଡିଆ ଯୁବଶକ୍ତି ଏହାର ସଠିକ୍ ଉତର ଦେବ ।
ଶ୍ରୀ ପ୍ରଧାନ କହିଛନ୍ତି ମିଛକୁ ଯେତେ ଘୋଡାଇ ଏହାକୁ ସତ ବୋଲି ପ୍ରମାଣ କରିବାକୁ ଚାହିଁଲେ ମଧ୍ୟ ଏହା ଲୁଚି ରହିବ ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ଯେଉଁ ଲକ୍ଷମଣ କୁମ୍ଭାରଙ୍କ ଫଟୋ ବିଜ୍ଞାପନରେ ମାରି ବାହାବା ନେଉଥିଲେ ତାହାର ସତ ଗଣମାଧ୍ୟମ ପଦାକୁ କାଢିଛି ।
ଗୁଡ୍ ନ୍ୟୁଜ ଇଂଟରନେସନ୍ୟାଲ ସଂସ୍ଥା ୨୨ଟି ସେଲଟର ହୋମ୍ ଖୋଲି କମ୍ ବୟସର ଓଡିଆ ଝିଅପୁଅ ମାନଙ୍କୁ ନିର୍ଯ୍ୟାତନା, ବାହାରକୁ ଝିଅ ମାନଙ୍କୁ ଚାଲାଣ ପରି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଧର୍ମ ପରିବର୍ତନ ନେଇ ରାଜ୍ୟରେ କଡା ନିୟମ ଥିବା ବେଳେ ଏହି କେନ୍ଦ୍ର ଗୁଡିକରେ ଖୋଲାଖୋଲି
ନିୟମର ଉଲଂଘନ କରାଯାଉ ଥିବା ବେଳେ ସରକାର ନୀରବ ରହିବା ଏହା କି ପ୍ରକାର ଦକ୍ଷ ପ୍ରଶାସନ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଳେ ଶ୍ରେୟ ଚାଲିଯିବ ବୋଲି ମୁଖ୍ୟମନ୍ତ୍ରୀ ଓଡିଆ ଯୁବକଙ୍କ ରୋଜଗାର ଉପରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଭାରତୀୟ ତୈଳ ନିଗମ ସହ କମ୍ପାନୀ ଗଠନ କରି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କାମକୁ କାହିଁକି ଆଗକୁ ନେଉନାହାନ୍ତି, ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତର ଦେବାକୁ ସମୟ ନାହିଁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ସଫଳ ବିଦେଶ ନୀତି କାରଣରୁ ଚାଇନାକୁ ଭାରତରୁ ଅଣବାସୁମତୀ ଚାଉଳ ରପ୍ତାନୀ ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶା ଦେଶର ଅଣବାସୁମତୀ ଚାଉଳ ଉତ୍ପାଦନର ପ୍ରମୁଖ କେନ୍ଦ୍ର । ଯଦି ଓଡିଶାର ଚାଉଳ ଚାଇନାକୁ ଯାଆନ୍ତା ତାହାହେଲେ ଓଡିଆ ଚାଷୀ ଘରେ ରୋଜଗାର ବଢନ୍ତା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ଓଡିଆ ଲୋକଙ୍କ ରୋଜଗାର ଉପରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

nalco

LEAVE A REPLY

Please enter your comment!
Please enter your name here