ଫୁଲବାଣୀ, କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନୁ୍ୟ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କନ୍ଧମାଳ ପୋଲିସ । ଘଟଣାର ୨୦ ଦିନ ପରେ କନ୍ଧମାଳ ପୋଲିସକୁ ମିଳିଛି ସଫଳତା । କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଗୁଡା ପୋଲିସ ଏସଡିପିଓ ମାନସରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହାୟତାରେ ପୋଲିସ ୨ ଜଣ ସୁପାରି କିଲରଙ୍କ ସମେତ ବାଲିଗୁଡାର ବ୍ୟବସାୟୀ ସାମ୍ବାଦିକ କେ.ବିଶ୍ୱଜିତ ପାତ୍ର(୪୨), ଏସ.ବାଲାଜୀ ଆଚାରୀ(୨୯), ରାସବିହାରୀ ଦାସ(୩୯)ଙ୍କୁ ଗିରଫ କରିଛି ।
ବାଲିଗୁଡାର ଯୁବ ବ୍ୟବସାୟୀ ତଥା ସାମ୍ବାଦିକ କେ.ବିଶ୍ୱଜିତ ପାତ୍ରଙ୍କ ସହ ସୂଚନା ଅଧିକାର କର୍ମୀ ଅଭିମନୁ୍ୟ ପଣ୍ଡାଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ବାଲିଗୁଡାରେ ଥିବା ଜଗନ୍ନାଥ ମନ୍ଦିରର ଦୋକାନ ଘର ଛାଡିବା ନୋଟିସକୁ ନେଇ ବିବାଦ ଲାଗିରହିଥିଲା ଓ ଏହାପରେ ବ୍ୟକ୍ତିଗତ ଶତୃତାରେ ପରିଣତ ହୋଇଥିଲା । ଫଳରେ ବିଶ୍ୱଜିତ ପାତ୍ର ଅଭିମନୁ୍ୟ ପଣ୍ଡାଙ୍କୁ ହଟାଇବା ଲାଗି ଚିନ୍ତା କରି ୨ ଜଣ ସହଯୋଗୀ ବିଦୁ୍ୟତ ବିଭାଗର ଲାଇନମେନ ଭାବେ ବାଲିଗୁଡାରେ କାର୍ଯ୍ୟରତ ଥିବା ଏସ.ବାଲାଜୀ ଆଚାରୀ ଓ ରାସବିହାରୀ ଦାସଙ୍କ ସହଯୋଗ ମାଗିଥିଲେ । ଫଳରେ ବାଲାଜୀ ଓ ରାସବିହାରୀ ବିଶ୍ୱଜିତଙ୍କ ଠାରୁ ଏକଲକ୍ଷ ଟଙ୍କା ନେଇ ଗଂଜାମ ଜିଲ୍ଲାର ଏହି ୨ ଜଣ ସୁପାରୀ କିଲରଙ୍କ ସହ କଥାବାର୍ତା ଅଭିମନୁ୍ୟଙ୍କ ହତ୍ୟାର ଯୋଜନା କରିଥିଲେ । ଫଳରେ ଯୋଜନା ମୁତାବକ ୨ ଜଣ ସୁପାରୀ କିଲର ବାଇକ ଯୋଗେ ୮ ତାରିଖ ଦିନ ବାଲିଗୁଡା ଆସିଥିଲେ । ସେମାନଙ୍କୁ ଅଭିମନୁ୍ୟଙ୍କ ଘର ଓ ଅଭିମନୁ୍ୟ ପଣ୍ଡାଙ୍କୁ ଚିହ୍ନାଇ ଦେଇଥିଲେ ରାସବିହାରୀ ଓ ବାଲାଜୀ । ଆଉ ୧୦ ତାରିଖ ଦିନ ସକାଳୁ ୨ ଜଣ ଅଭିଯୁକ୍ତ ଅଭିମନୁ୍ୟ ପଣ୍ଡାଙ୍କ ଘର ସମ୍ମୁଖରେ ବାଇକରେ ଆସି ଅତି ନିକଟରୁ ଗୋଟିଏ ରାଉଣ୍ଡ ଗୁଳି ଫାୟାର କରିଥିଲେ । ଫଳରେ ଅଭିମନୁ୍ୟଙ୍କ ଛାତିରେ ଗୁଳି ବାଜି ଘଟଣାସ୍ଥଳରେହିଁ ମୃତୁ୍ୟ ଘଟିଥିଲା ଅଭିମନୁ୍ୟଙ୍କର ।
ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସକୁ ଦୀର୍ଘ ୨୦ ଦିନ ଧରି କସରତ କରିବାକୁ ପଡିଥିଲା । ସ୍ଥାନୀୟ ଜନସାଧାରଣ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଆସୁଥିଲେ । ଥାନା ଘେରାଉ ଓ ର୍ୟାଲି କରିବେ ବୋଲି ମଧ୍ୟ ଧମକ ଦେଇ ଆସୁଥିଲେ । ତେବେ, ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେବା ପରେ ପୋଲିସକୁ ଆଶ୍ୱସ୍ତି ମିଳିଛି ଓ ଅଭିମନୁ୍ୟ ପଣ୍ଡାଙ୍କ ପରିବାରକୁ ନ୍ୟାୟ ମଧ୍ୟ ମିଳିଥିବା କୁହାଯାଉଛି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ୧୮୮/୧୯ ରୁଜୁ କରିବାସହ ଧାରା ୩୦୨/୩୪ ଓ ଆର୍ମସ ଆକ୍ଟ ୨୫/୨୭ ରେ ୫ ଜଣଙ୍କୁ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ପିସ୍ତଲ ଗୋଟିଏ, ୩ ଅଫୁଟା ଗୁଳି, ୬ଟି ମୋବାଇଲ ଫୋନ୍, ବାଇକ, ବ୍ୟାଗ, ଯୋତା, ପୋଷାକ, ଜ୍ୟାକେଟ ଆଦି ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମୀଳନିରେ କନ୍ଧମାଳ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here