ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ଼ ଗ୍ରାମର ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବରେ କିଛି ଦିନ ହେଲା ବେଶ ଜଣାଶୁଣା ହୋଇଛନ୍ତି ଛତୁ ଚାଷୀ ଜଲ୍ଲି ନାୟକ । ଚାରି ଭଉଣୀ ଓ ବାପା ମାଆଙ୍କୁ ନେଇ ତାଙ୍କର ପରିବାର । ଅଭାବ ଅନାଟନ ସତ୍ୱେ ସେ ପାଠ ପଢା ଜାରୀ ରଖିଥିବା ସହିତ  ନିଜ ଭଉଣୀ ମାନଙ୍କର ପାଠ ପଢାରେ ମଧ୍ୟ ସମସ୍ତ ସହାୟତା  କରିଛନ୍ତି ଜଲ୍ଲି  ।

ନିଜେ ଉଚ୍ଚ ଶିକ୍ଷା ଲାଭ କରିବେ ଓ ଭଉଣୀ ମାନଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ପାଇଁ ସର୍ବଦା ଚିନ୍ତିତ ସେ ବର୍ତମାନ ନିକଟସ୍ଥ କଲେଜରେ ଯୁକ୍ତ ୩ କଳାରେ ଶିକ୍ଷା ଗ୍ରହଣ କରୁଛନ୍ତିି । କୋରୋନା ନିମନ୍ତେ ସରକାର ଯେତେବେଳେ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରନ୍ତି, ଏହି ସମୟରେ ତାହାଙ୍କ କଲେଜ ଯିବା ବନ୍ଦ ହୋଇଛି । ଏହି ସମୟକୁ ସଠିକ୍ ସମୟ ଭାବି ପୂର୍ବରୁ କିଛି ରୋଜଗାର କରି ପରିବାରର ଅର୍ଥିକ ଦୁର୍ବଳତାକୁ ସୁଦୃଢ କରିବା ପାଇଁ ଆଶା କରିଥିବା ଜଲ୍ଲି ବାପାଙ୍କ ମୋବାଇଲ୍ ଆଣି ନିଜେ ରୋଜଗାରକ୍ଷମ ହେବାର ଉପାୟ ୟୁଟ୍ୟୁବ୍ ରେ ନିଜେ ଖୋଜିଥିଲେ  ।

ଏହି ସମୟରେ ଛତୁ ଚାଷ କରିବାର ପ୍ରଣାଳୀ, ଆବଶ୍ୟକୀୟ ସାମଗ୍ରୀ ଓ ଏଥିରୁ ହେଉଥିବା ଲାଭ ବିଷୟରେ ଶୁଣି ସେ ଛତୁ ଚାଷ କରିବା ପାଇଁ ମନସ୍ଥ କରିଥିଲେ  ଓ ଏଥି ନିମନ୍ତେ ପିତା ଶିବରାମ ନାୟକ ମଧ୍ୟ ପ୍ରେରଣା ଦେବା ସହିତ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ନିଜେ ନିଜ ଗୋଡରେ ଠିଆ ହୋବାର ଉଦ୍ୟମ କୁ ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ ।

ସେ ଅଧିକରୁ ଅଧିକ କିଭଳି ଲାଭ ହୋଇ ପାରିବ ଏବଂ ଅନ୍ୟ ଯୁବକ ଯୁବତୀ ମାନଙ୍କୁ କିଭଳି ପ୍ରେରଣା ମିଳି ପାରିବ ସେଥି ନିମନ୍ତେ ସ୍ୱାତୀ ସଂଗଠନର କର୍ମକର୍ତା ସରସ୍ୱତୀ ବିନ୍ଧାଣୀ ସମସ୍ତ ପ୍ରକାରର ସାହାର୍ଯ୍ୟ କରନ୍ତି । ବର୍ତମାନ ସେ ନିଜ ଉଦ୍ୟମ ବଳରେ ପ୍ରାୟ ୫୦ କିଗ୍ରା ଛତୁ ଅମଳ କରି ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି । ପାଠ ପଢା ସହିତ ଛତୁ ଚାଷ କରିବାରେ କୈାଣସି ପ୍ରକାରର ଅସୁବିଧା ନାହିଁ ଓ ପାଠ ପଢିବା ସହିତ ଛତୁ ଚାଷ କରି ସେ ନିଜ ପରିବାରକୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ  କରିପାରୁଥିବାରୁ ଅତ୍ୟନ୍ତ ଖୁସି ଓ ଯୁବ ସମାଜ କେବଳ ଚାକିରି କରିବା ଆଶାରେ ବେକାର ହୋଇ ନରହି ନିଜ ଉଦ୍ୟମରେ ନିଜେ ରୋଜଗାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here