????????????????????????????????????

ଭୂବନେଶ୍ୱର, ୦୧/୧୨/୧୯- ଗିନିସ ୱାଲ୍ଡ ରେକର୍ଡ଼ରେ ନିଜର ନାମ ଦରଜ କରାଇବା ପାଇଁ ଶନିବାର ଦିନ ନିଜ ଖବରକାଗଜ ସଂଗ୍ରହର ପ୍ରଦର୍ଶନ କରାଇଥିଲେ ୪ଥର ଲିମକା ରେକର୍ଡ଼ଧାରୀ ପେପରମ୍ୟାନ ଶଶାଙ୍କ ଶେଖର ଦାଶ । ଏହି ପ୍ରଦର୍ଶନୀଟି ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ସଂଘଟିତ ହୋଇଥିଲା । ସେ ପ୍ରଦର୍ଶନୀରେ ୧୦୬ଟି ଦେଶର ୮୮ଟି ଭାଷାର ମୋଟ ୪୪୧୪ଟି ଖବରକାଗଜ ପ୍ରଦର୍ଶନ କରାଇଥିଲେ । ଏଠାରେ ପ୍ରସ୍ତୁତ କରାଯାଇଥିବା ଭିଡ଼ିଓ ଓ ଅନ୍ୟାନ୍ୟ ଦସ୍ତାବିଜ ସେ ଗିନିସ ୱାଲ୍ଡ ରେକର୍ଡ଼କୁ ପ୍ରେରଣ କରିବେ । ଗିନିସ ଅଧିକାରୀମାନେ ତାଙ୍କର ସମସ୍ତ ତଥ୍ୟକୁ ଯାଂଚ କରିବା ପରେ ନିଷ୍ପତି ଜଣାଇବେ ବୋଲି ଶ୍ରୀ ଦାଶ କହିଛନ୍ତି ।

ସକାଳ ୯ଟାରୁ ଆରମ୍ଭ ହୋଇ ୫ଟା ଯାଏ ଚାଲିଥିବା ଏହି ପ୍ରଦର୍ଶନୀରେ ରାଜ୍ୟର ଅନେକ ପ୍ରତିଷ୍ଠିତ ସାମ୍ବାଦିକ, ସମ୍ପାଦକ ଯୋଗଦେଇଥିବାବେଳେ ଏହାକୁ କେନ୍ଦ୍ର ଭୁବନେଶ୍ୱର ବିଧାୟକ ଅନନ୍ତ ଜେନା ଉଦଘାଟନ କରିଥିଲେ । ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡ଼ା, ସାମାଜିକ କର୍ମୀ ରୁଦ୍ର ସାମନ୍ତରାୟ, ଓୟୁଏଟି ମୁଖ୍ୟ ବିତ ଅଧିକାରୀ ସଂଗ୍ରାମ ସାମନ୍ତରାୟ, ଖଦୀ ବୋର୍ଡ଼ ସଭାପତି ସଂଗ୍ରାମ ପାଇକରାୟ ପ୍ରମୁଖ ଯୋଗ ଦେଇ ଖବରକାଗଜ ପ୍ରଦର୍ଶନୀର ଭୂୟସୀ ପ୍ରଂଶସା କରିଥିଲେ । ଜଣେ ବ୍ୟକ୍ତି ଏପରି ଏକ ବିରାଟ ସଂଗ୍ରହ କରିପାରିଥିବାରୁ ସେମାନେ ଶଶାଙ୍କଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ବିଧାନସଭାରେ ଏକ ଖବରକାଗଜ ମୁ୍ୟଜିୟମ ପ୍ରତିଷ୍ଠା ପାଇଁ ପ୍ରଶ୍ନ ଉଠାଇବାକୁ ଶ୍ରୀ ଜେନା ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ଦାଶଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ମହାନଗର ଟାଇମସ ଖବରକାଗଜ ଦ୍ୱାରା ଆୟୋଜିତ ପ୍ରଥମ ମିଡ଼ିଆ ଏକ୍ପୋରେ ଏହି ପ୍ରଦର୍ଶନୀ କରାଯାଇଥିଲା । ମହାନଗର ଗ୍ରୁପର ମୁଖ୍ୟ ରାମଚନ୍ଦ୍ର ବେହେରା ଓ ବେଣୁଧର ସାହୁ ଏହି କାର୍ଯ୍ୟକ୍ରମ ସଫଳ କରାଇବାରେ ମୁଖ୍ୟ ପୁରୋଧା ସାଜିଥିଲେ । ସୂଚନାଯୋଗ୍ୟ ନିକଟରେ ପେପରମ୍ୟାନ ଶଶାଙ୍କ ଶେଖର ଦାଶ ୪ର୍ଥ ଥର ଲାଗି ଲିମ୍କା ବୁକ୍ ଅଫ ରେକଡ଼ସ୍ରେ ନିଜର ନାମ ଦରଜ କରାଇ ସମଗ୍ର ରାଜ୍ୟର ଗୌରବ ପୁଣି ବୃଦ୍ଧି କରିଛନ୍ତି । ପୂର୍ବରୁ ପେପରମ୍ୟାନ ତଥା ଅର୍ନ୍ତଜାତୀୟ ଗାନ୍ଧୀ ପିସ ଫାଉଣ୍ଡେସନର ଅବୈତନିକ ଆମ୍ବାସଡ଼ର ଶଶାଙ୍କ ଶେଖର ଦାଶଙ୍କ ନାମ ୨୦୧୩ ଓ ୨୦୧୯ ଲିମ୍କା ବୁକରେ ସ୍ଥାନିତ ହୋଇଥିଲା । ୨୦୧୩ରେ ସେ ଏକାଥରେ ଦୁଇଟି ରେକର୍ଡ଼ କରିଥିଲେ । ଗୋଟିଏ ଦିନରେ ସର୍ବାଧିକ ଖବରକାଗଜ ଓ ଭାରତରୁ ପ୍ରକାଶିତ ଖବରକାଗଜ ମଧ୍ୟରୁ ସର୍ବାଧିକ ଦୈନିକ ସଂଗ୍ରହ କରିବା ପାଇଁ ତାଙ୍କୁ ଏହି ରେକର୍ଡ଼ ପ୍ରଦାନ କରାଯାଇଥିଲା । ବିଭିନ୍ନ ନାମର ସର୍ବାଧିକ ଖବରକାଗଜ ସଂଗ୍ରହ କରି ସେ ୨୦୧୯ରେ ମଧ୍ୟ ନିଜର ନାମ ଲିମ୍କା ବୁକରେ ସ୍ଥାନିତ କରିଥିଲେ । ଅଧୁନା ତାଙ୍କୁ ସ୍ୱିକୃତି ମିଳିବା ସହ ସେ ୪ଟି ଲିମକା ରେକର୍ଡ଼ର ଅଧିକାରୀ ହୋଇପାରିଛନ୍ତି ।
ନିଜକୁ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ କରାଇପାରିଥିବା ଶଶାଙ୍କ ଶେଖର ଦାଶ ନିଜ ପତ୍ନୀ ରାଧାରାଣୀ ଓ ପୁତ୍ର ସାଇବ୍ରତ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କିଛି ଦିନ ତଳେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ କିଛି ପୂରାତନ ଖବରକାଗଜର ନମୂନା କପି ଦେଖାଇଥିଲେ । ଓଡ଼ିଶାର ପ୍ରଥମ ଖବରକାଗଜ “ଉକ୍ରଳ ଦୀପିକା” ଦେଖି ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଥିଲେ । ପୂର୍ବରୁ ଡ଼ାକଟିକଟ, ମୁଦ୍ରା ଓ କାଗଜ ନୋଟ ସଂଗ୍ରହ ଦେଖିଥିଲି ତେବେ ଖବରକାଗଜ ସଂଗ୍ରହ ଏକ ନୂତନ ସଂଗ୍ରହ ବୋଲି କହିଥିଲେ । ଏହାକୁ ବଜାୟ ରଖ ଓ ଓଡ଼ିଶାର ନାମ ଉଜ୍ଜଳ କର ବୋଲି ଆଶୀର୍ବାଦ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ଦାଶ ୨୦୦୧ ମସିହାରେ ପ୍ରଥମେ ଖବରକାଗଜ ସଂଗ୍ରହ ଆରମ୍ଭ କରିଥିଲେ । ଇତିମଧ୍ୟରେ ଶଶାଙ୍କ ୧୦୬ଟି ଦେଶର ୮୮ଟି ଭାଷାର ୪୪୧୪ଟି ଖବରକାଗଜ ସଂଗ୍ରହ କରିଥିବାବେଳେ ଓ ନିଜ ଗ୍ରାମ ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦଠାରେ ନିଜ ବାପାଙ୍କ ନାମରେ “ଦୋଳଗାବିନ୍ଦ ନୁ୍ୟଜପେପର ମୁ୍ୟଜିୟମ ଆଣ୍ଡ ରିସର୍ଚ୍ଚ ସେଂଟର” ପ୍ରତିଷ୍ଠା କରିଛନ୍ତି ।

LEAVE A REPLY

Please enter your comment!
Please enter your name here