????????????????????????????????????

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ୨୯୩୦ ଟଙ୍କା କରିବାକୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଦିଲ୍ଲୀରେ ବିଶାଳ କୃଷକ ସମାବେଶ କରିବ ବିଜେଡି। ବିଜୁ କୃଷକ ଜନତା ଦଳ ପକ୍ଷରୁ ଆୟୋଜି ତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସମେତ, ବିଜେଡିର ସମସ୍ତ ସାଂସଦ,ମନ୍ତ୍ରୀ,ବିଧାୟକଙ୍କ ସମେତ ତୃଣ ମୂଳର ସ୍ତରରେ କୃଷକ ପ୍ରତିନିଧିମାନେ ଯୋଗଦେବେ।

ସମାବେଶ ନେଇ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ବିଜୁ କୃଷକ ଜନତାଦଳ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ୮ ତାରିଖ ଦିନ ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଦିନବ୍ୟାପୀ କୃଷକ ସମାବେଶ କରାଯିବ। ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଦୀର୍ଘ ଦିନରୁ ଯେଭଳି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ତା ବିରୋଧରେ ସ୍ବର ଉଠାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବାକୁ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ସେସବୁ ପ୍ରତିଶ୍ରୁତି ପାଣିରଗାର ହୋଇଯାଇଛି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ସ୍ବାମୀନାଥନ୍ କମିଟି ସୁପାରିସ ଗୁଡ଼ିକ କାର୍ଯ୍ୟକାରି କରିବାକୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ନେଇ ଓଡ଼ିଶା ବିଧାନସଭାରେ ଦଳମତ ନିର୍ବିଶେଷରେ ସଂକଳ୍ପ ପାରିତ ହୋଇଛି। ଏ ନେଇ ମଧ୍ୟ ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିବାକୁ ବାରମ୍ବାର ସମୟ ମାଗୁଥିଲେ ବି ପ୍ରଧାନମନ୍ତ୍ରୀ ସମୟ ଦେଉନାହାନ୍ତି । ଏଭଳି ସ୍ଥିତିରେ ଓଡ଼ିଶା ଚାଷୀମାନଙ୍କର ଦାବିକୁ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇବାକୁ ଦିଲ୍ଲୀରେ ଏପରି ବିକ୍ଷୋଭ କରାଯିବ। ଦାବି ପୂରଣ ନହେବା ଯାଏ ଏଭଳି ଧାରଣା ଓ ପ୍ରତିବାଦ ରାଜ୍ୟବ୍ୟାପି କରାଯିବ ବୋଲି ସେ କହିଛନ୍ତି।

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ରାଜ୍ୟ ସରକାର କୃଷକଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଥିବା ବେେଳ ଏମଏସପି ବୃଦ୍ଧି କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କ କ୍ଷମତା ପରିସର। ଅଥଚ ଦାବି ମୁତାବକ ଏମଏସପି ବୃଦ୍ଧି ନକରି ଯେପରି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ବିଜେଡି ନିନ୍ଦା କରୁଛି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ,ପ୍ରତାପ କେଶରୀ ଦେବ,ଏନ୍.ଭାସ୍କର ରାଓ,ସିଦ୍ଧାନ୍ତ ମହାପାତ୍ର,ତଥାଗତ ଶତପଥୀ,ପ୍ରସନ୍ନ ପାଟ୍ଟଶାଣୀ,ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here