ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ହେବେ । ନିରଞ୍ଜନଙ୍କୁ ମିଳିଲା କ୍ଲିନ ଚିଟ । ଏହି କ୍ଲିନଚିଟ ମିଳିଛି ଏଆଇସିସିରୁ । ଓଡିଶା ଗସ୍ତରେ ଆସିଥିବା ଏଆଇସିସି ମୁଖପାତ୍ର ମୋହନ ପ୍ରକାଶ ନିଜେ ଏହି କଥା ଏକ ସାଧାରଣ ସଭାରେ କହିଛନ୍ତି । ଫଳରେ ପୂର୍ବରୁ ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟନେତା ମାନେ ମତ ରଖୁଥିଲା ବେଲେ ଏବେ ଏଆଇସିସି ନେତାଙ୍କ ମତ ପରେ କଥା ଅଧିକ ସ୍ପଷ୍ଟ ହୋଇଛି ।
ଆଜି ବଲାଙ୍ଗୀରରେ କଂଗ୍ରେସ ପକ୍ଷରୁ ଚାଷୀ ଅଧିକାର ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ଭାବରେ ଯୋଗ ଦେବା ପାଇଁ ଏଆଇସିସିର ପ୍ରତିନିଧି ହୋଇ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ମୋହନ ପ୍ରକାଶ ଆସିଥିଲେ । ସମାବେଶରେ ଉଦବୋଧନ ଦେଲାବେଳେ କହିଥିଲେ ଓ ନାରା ଦେଇଥିଲେ “ନବୀନ ଯାଏଗା ନିରଞ୍ଜନ ଆଏଗା” ଅର୍ଥାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ତାଙ୍କ ସ୍ଥାନରେ ନିରଞ୍ଜନ ପଟ୍ଟନାୟକ ଆସିବେ । ସେ ପୁଣି ଏ କଥାକୁ ଅଧିକ ବାଖ୍ୟା କରି ଜନସାଧାରଣଙ୍କ ପାଖରେ ଉପସ୍ଥାପନ କରି ଲୋକଙ୍କ ପସନ୍ଦ କିଏ ବୋଲି ପଚାରିଥିଲେ । ନବୀନ ତିନୋଟି ଅକ୍ଷର ନରେନ୍ଦ୍ର ମୋଦୀ ସାଢେ ତିନି ଅକ୍ଷର ଓ ନିରଞ୍ଜନ ୪ ଅକ୍ଷର । ଏହା ଭିତରେ ବଡ କିଏ । ଏଣୁ ତିନି କି ଚାହିଁବେ ନା ଚାରିକୁ ଚାହିଁବେ । ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ ଓ ମୋଦୀଙ୍କ ପ୍ରତି ବି କଠୋର ମନ୍ତବ୍ୟ ରଖିଥିଲେ ।
ସାଧାରଣତଃ ମୁଖପାତ୍ରମାନେ ହେଉଛନ୍ତି ଦଳର ଦର୍ପଣ । ସେମାନେ ଯେଉଁ ମତ ରଖନ୍ତି ବା ଯାହା କୁହନ୍ତି ତାହା ହେଉଛି ଦଳର ମତ ବା ନିଷ୍ପତ୍ତି । ଏ କ୍ଷେତ୍ରରେ ଯେତେବେଳେ ମୋହନ ପ୍ରକାଶ ହେଉଛନ୍ତି ଏଆଇସିସିର ମୁଖପାତ୍ର ସେତେବେଳେ ଧରି ନେବାକୁ ହେବ ଯେ, ଏଆଇସିସି ମଧ୍ୟ ନିରଞ୍ଜନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ନିର୍ବାଚନରେ ଦଳର ଛବି ଭାବେ ରଖିବାକୁ ଚାହୁଁଛି ।
ପୂର୍ବରୁ ଦଳରେ ଏନେଇ ଆଲୋଚନା ହେଉଥିଲା । କିନ୍ତୁ ଖୋଲାଖୋଲି ଭାବେ କେହି ମତ ରଖୁନଥିଲେ । ବାଲେଶ୍ୱର ଜିଲ୍ଲାରେ ଦଳର ଜାଗରଣ ଯାତ୍ରା କାର୍ଯ୍ୟକ୍ରମରେ ନେତାମାନେ ଖୋଲାଖୋଲି ପ୍ରକାଶ କରିଥିଲେ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଏହି କଥା କହିଥିଲେ । ଏପରିକି ନିରଞ୍ଜନଙ୍କ ଖାସ ରାଜନୈତିକ ବିରୋଧୀ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ମୁହଁରୁ ଏ ବିଷୟ ଶୁଣିବାକୁ ମିଳିଥିଲା । ସବୁବେଳେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ କଥା କହୁଥିବା ଏବଂ ଏବେ ମଧ୍ୟ ଏହି କଥା ଉଠାଉଥିବା ଶ୍ରୀକାନ୍ତ ଜେନା ସେତେବେଳେ କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ । ଶ୍ରୀକାନ୍ତଙ୍କ ମୁହଁରେ ନିରଞ୍ଜନଙ୍କ ସ୍ତୁତି ସେତେବେଳେ ଲଙ୍କା ପୁରୀରେ ହରି ଭଳି ଶୁଭିଥିଲା, ଆଉ ସମସ୍ତଙ୍କୁ ଚକିତ କରିଥିଲା । ନିରଞ୍ଜନଙ୍କ କଠୋର ବିରୋଧୀ ଶ୍ରୀକାନ୍ତ ଯେତେବେଳେ ଏକଥା କହୁଛନ୍ତି ସେତେବେଳେ ଏହାକୁ ଅନେକ ବିଶ୍ୱାସକୁ ନେଇଥିଲେ । କେବଳ ଶ୍ରୀକାନ୍ତ ନୁହଁନ୍ତି ବାଲେଶ୍ୱର କାର୍ଯ୍ୟକ୍ରମକୁ ଯାଇଥିବା ବିରୋଧୀ ଦଳର ଉପ ନେତା ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ ଓ ଅନ୍ୟନେତାମାନେ ମଧ୍ୟ ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ ।
ବର୍ତ୍ତମାନ ଏଆଇସିସି ମୁଖପାତ୍ରଙ୍କ ମତ ପରେ ଘଟଣା ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ନିରଞ୍ଜନ ସେହି ସୂଚନା ବୋଧହୁଏ ଉପରୁ ପାଇଥିବାରୁ ସେଥିପାଇଁ ପୂରା ଦମରେ ଦଳ କିପରି କ୍ଷମତାକୁ ଆସିବ ଲାଗି ପଡିଛନ୍ତି । ଚାରିଆଡେ ସଭା ସମିତି କରି କଂଗ୍ରେସ ସପକ୍ଷରେ ଏକ ମାହୋଲ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଥିବା ଦେଖାଯାଉଛି । ଦଳର ସବୁ ମତବାଦର ନେତାମାନଙ୍କୁ ମଧ୍ୟ ଏକାଠି କରିବା ପାଇଁ ଉଦ୍ୟମ ଅବ୍ୟାହାତ ରଖିଛନ୍ତି । ବଲାଙ୍ଗିରରେ ଦଳୀୟ ନେତାଙ୍କ ମଧ୍ୟରେ ଅନେକ ଫାଟ ସର୍ତ୍ତେ୍ବ ଆଜିର ସମାବେଶରେ ସମସ୍ତେ ଏକାଠି ହୋଇଥିଲେ । ଏହି ସମାବେଶରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here