ନୀଳଗିରି -ଜନୈକ ମେଡ଼ିକାଲ କର୍ମଚାରୀଙ୍କ ଦଲାଲଗିରି ଓ ପରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଭୁଲ ଅସ୍ତ୍ରୋପଚାର ଯୋଗୁଁ ଜନୈକ ଯୁବକ କ୍ୟାନସରରେ ଆକ୍ରାନ୍ତ ହେବା ଘଟଣାକୁ ନେଇ ଦଲାଲ ଓ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଶଶିକାନ୍ତ ରାଉତ ନିଜ ପିଲାଛୁଆକୁ ଧରି ନୀଳଗିରି ଉପ-ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି । ସୂଚନା ଥାଉକି ନୀଳଗିରି ଥାନା ଅଧିନସ୍ଥ ପ୍ରତାପଡା ଗ୍ରାମର ଶଶିକାନ୍ତ ରାଉତ (୪୩) ମୁଖ ଗହ୍ୱର ଚିକିତ୍ସା ପାଇଁ ଉକ୍ତ ଗ୍ରାମର କଟକ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ଆଦିକନ୍ଦ ବେହେରାଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ । ଦଲାଲ ଆଦିକନ୍ଦ ବେହେରା ଶଶୀକାନ୍ତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ଶେଷରେ ଏକ ଅନଭିଜ୍ଞ ଡାକ୍ତରଙ୍କ ଠାରେ ଅପରେସନ କରାଇଥିଲା । ମାତ୍ର ରୋଗ ଭଲ ହେବା ପରିବର୍ତ୍ତେ ଏହା କ୍ୟାନସରକୁ ପାଇଗଲା । ବହୁବାର ଏ ଘଟଣା ବାବଦରେ ସଂପୃକ୍ତ ଡାକ୍ତର ଓ ଆଦିକନ୍ଦଙ୍କ କହିଲା ପରେ ବି ସେମାନେ ଏ ଦିଗରେ କର୍ଣ୍ଣପାତ କରିନଥିଲେ । ଘଟଣା ବାବଦରେ ଶଶିକାନ୍ତ ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନର. ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ, ବାଲେଶ୍ୱର ଏସ୍.ପି. , ଜିଲ୍ଲାପାଳ , ନୀଳଗିରି ଥାନାକୁ ବହୁବାର ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟହୋଇ ନ୍ୟାୟ ପାଇଁ ଶଶିକାନ୍ତ ରାଉତ ନିଜର ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଏକମାତ୍ର ୧୨ ବର୍ଷର ପୁଅ ଦିପଙ୍କରକୁ ଧରି ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here