ଓଡ଼ିଶାର ୮ଟି ଅଗ୍ରଣୀ ଅନୁଷ୍ଠାନ ସହ ସାଂସ୍କୃତିକ ବୁଝାମଣାପତ୍ର ସ୍ୱାକ୍ଷରିତ
 ଓଡ଼ିଶାର ୧୦୦ ଜଣ ଉଦୀୟମାନ କ୍ରୀଡ଼ାପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ନାଲ୍‌କୋ
ପଦ୍ମଶ୍ରୀ ମନୋଜ ଦାସଙ୍କୁ ନାଲ୍‌କୋ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ସମ୍ମାନ : ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିଙ୍କୁ
ନାଲ୍‌କୋ ସମ୍ମାନ ପ୍ରଦାନ
୨୦୧୯ରେ ନୂତନ କୋଇଲା ଖଣିର ଶୁଭାରମ୍ଭ ସହ ଅନୁଗୁଳରେ ଆଲୁମିନିୟମ୍ ୱାୟାର୍ ରଡ୍ ମିଲ୍ ପ୍ରକଳ୍ପ ଓ
ଏମ୍ଏସ୍ଏମ୍ଇ ପାଇଁ କ୍ୟାସ୍ଲେସ୍ ମଡେଲ୍ର ପ୍ରଣୟନ ଉପରେ ଗୁରୁତ୍ୱ ଆରୋପ
 ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମେଳନରେ ନାଲ୍‌କୋ ପ୍ରମୁଖ
ସହଯୋଗୀ
ଓଡ଼ିଶାର ସାଂସ୍କୃତିକ ଏବଂ କ୍ରୀଡ଼ା କ୍ଷେତ୍ରକୁ ପ୍ରଭାବଶାଳୀ ଭାବେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍‌କୋ) ପକ୍ଷରୁ ଆଜି ଏହାର ୩୯ତମ ପ୍ରତିଷ୍ଠା ଦିବସ ଅବସରରେ କେତେକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ନାଲ୍‌କୋନଗର ଠାରେ ଆୟୋଜିତ ଏକ ଉତ୍ସବରେ, ପଦ୍ମଶ୍ରୀ ମନୋଜ ଦାସଙ୍କୁ ନାଲ୍‌କୋ  ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଲୋକସେବକ ମଣ୍ଡଳର ସଚିବ ଶ୍ରୀ ନିରଞ୍ଜନ ରଥଙ୍କୁ ନାଲ୍‌କୋ ଉଲ୍ଲେଖନୀୟ ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ନାଲ୍‌କୋ ପକ୍ଷରୁ ରାଜ୍ୟର ୮ଟି ଅଗ୍ରଣୀ ଅନୁଷ୍ଠାନ ସହ ସାଂସ୍କୃତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । କୌଣସି ଉଦ୍ୟୋଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହିତ, ଓଡ଼ିଶାକୁ କ୍ରୀଡ଼ା ମାନଚିତ୍ରରେ ପ୍ରମୁଖସ୍ଥାନ ଦେବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ୧୦୦ ଜଣ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇ ସହଯୋଗ ଓ ସହାୟତା ପ୍ରଦାନ କରାଯିବ ।
ଏହି ଅବସରରେ, ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ପଦ୍ମଶ୍ରୀ ମନୋଜ ଦାସଙ୍କୁ ନାଲ୍‌କୋ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାଛଡ଼ା, ଚଳିତ ବର୍ଷ, ଡଃ ଭାସ୍କର ମିଶ୍ର ଏବଂ ଡଃ ଭାଗୀରଥି ନନ୍ଦଙ୍କୁ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ନାଲ୍‌କୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ, ଶ୍ରୀ ପ୍ରଭାତ କୁମାର ସ୍ୱାଇଁ ଏବଂ ସସ୍ମିତା ପଣ୍ଡାଙ୍କୁ ନାଲ୍‌କୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିଲା । ଧୃତିମୟ ବେହେରାଙ୍କୁ ନାଲ୍‌କୋ ଉଦୀୟମାନ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଆଂଶିକା ରାଉତରାୟ, ପ୍ରଜେଶ ମୂର୍ମୁ, ମୋହିତ ପାଶ୍ୱାନ, ଟିକାରାମ ସୋରେନ୍ ଏବଂ ଅମିତ କୁମାର ବେହେରାଙ୍କୁ ନାଲ୍‌କୋ ଉଦୀୟମାନ କ୍ରୀଡ଼ା ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ବିଜେତାଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here