ଭୁବନେଶ୍ୱର : ପାର୍ଲିଆମେଂଟ ଏବଂ ବିଧାନସଭା ମାନଙ୍କରେ ମହିଳା ମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ପତ୍ର ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦେଶ ଓ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏବଂବିାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ମହିଳାମାନେ ସଶକ୍ତ ନ ହେଲେ କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ ଅଗ୍ରଗତି କରିପାରିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଲୋକସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା । ତେଣୁ ବିକାଶ ପ୍ରକ୍ରିୟା ଏବଂ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ସେମାନଙକ ଯୋଗଦାନ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବ । ୧୯୯୦ ରେପ୍ରବାଦ ପୁରୁଷ ବିଜୁ ବାବୁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁ ହିଁ ସାରା ଦେଶରେ ପ୍ରଥମେ ମହିଳା ମାନଙ୍କ ପାଇଁ ବିଭିନ୍ନ ପଂଚାୟତ, ପୌର ପରିଷଦ ସମେତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଆରମ୍ଭ କରିଥିଲେ ଏବଂ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି । ଏହି ସଫଳତାକୁ ଦୃଷ୍ଟିରେ ରଖବ ୨୦୧୧ରେ ମୋ ସରକାର ମହିଳାଙ୍କ ପାଇଁ ପଂଚାୟତ ଓ ପୌର ପରିଷଦର ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଆମ ସମ୍ବିଧାନ ଲିଙ୍ଗଗତ ବୈଷମ ଦୂର କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିବା ଆବଶ୍ୟକ ।
ମୁଁ ଆନନ୍ଦର ସହ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ, ମହିଳା ମାନଙ୍କ ପାଇଁ ପାର୍ଲିଆମେଂଟ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଦେବା ସପକ୍ଷରେ ଓଡ଼ିଶା ବିଧାନସଭା ଏକ ସଂକଳ୍ପ ପାରିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ସୂଚନା ଦେଇଛନ୍ତି ।
ମହିଳା ମାନଙ୍କ ପାଇଁ ପାର୍ଲିଆମେଂଟ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଦିଗରେ ନେତୃତ୍ୱ ନେଇ ପଦକ୍ଷେପ ନେବାପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ପତ୍ର ଲେଖିଥିବା ବିଷୟ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ମାନଙ୍କର ସହଯୋଗ ମହିଳା ସଶକ୍ତିକରଣକୁ ନୂତନ ମାର୍ଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here