ମାହାଙ୍ଗା ୯ା୯ : ମାହାଙ୍ଗା ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଫଳରେ ସାଧାରଣ ଲୋକ ଏପରିକି ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବାସିକ ପ୍ରମାଣପତ୍ର, ଆୟ, ଜାତିଗତ ନ୍ୟାୟିକ ଦାବୀ ଦ୍ୱାରା ପ୍ରମାଣପତ୍ର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ ପ୍ରମାଣପତ୍ର ପାଇବା ପାଇଁ ଆବେଦନ କରି ଠିକ୍ ସମୟରେ ତହସିଲ କାର୍ଯ୍ୟାଳୟରୁ ପାଇ ପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ସାଧାରଣରେ ହେଉଛି ଯେ ଦାୟିତ୍ୱରେ ଥିବା କିରାଣୀ ଦାୟିତ୍ୱହୀନ ପାଇଁ ଅନେକ ସମୟରେ କାଗଜପତ୍ର ହଜାଇ ଦେଉଛନ୍ତି । ଦିନ ୧୧ଟା ବେଳେ କାର୍ଯ୍ୟାଳୟକୁ ଆସି ଦିନ ୨ ଟା ବେଳେ ପଳାଇ ଯାଇଛନ୍ତି ।

ଠିକ୍ ଭାବରେ କାର୍ଯ୍ୟ ସଂପାଦନ ନ କରିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମାହାଙ୍ଗା ତହସିଲ କାର୍ଯ୍ୟାଳୟ ଅଧିନରେ ଥିବା କେତେକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିକାଂଶ ସରକାରୀ କାର୍ଯ୍ୟ ଦିବସରେ ବି ତାଲା ପଡିଥିବା ଅଭିଯୋଗ ହେଉଛି । ଗୋତରା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଅଧିକାଂଶ ଦିନ ଆସୁନଥିବାରୁ ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରମାଣପତ୍ର ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ମାହାଙ୍ଗା ତହସିଲ କାର୍ଯ୍ୟାଳୟରେ ଦଲାଲ ସକ୍ରିୟ ରହିଥିବାରୁ ତହସିଲ କର୍ମଚାରୀ ଓ ଦଲାଲଙ୍କୁ ସଲାସୁତରାରେ ତହସିଲ କାର୍ଯ୍ୟାଳୟ ଚାଲିଛି । ବିନା ହାତ ଗୁଞ୍ଜାରେ କିଛି କାର୍ଯ୍ୟ ତହସିଲରେ ହେଉନଥିବା ଅଭିଯୋଗ ସାଧାରଣରେ ଶୁଣିବାକୁ ମିଳୁଛି । ଏଣୁ କଟକ ଜିଲ୍ଲାପାଳ ଓ ସଦର ଉପଜିଲ୍ଲାପାଳ ସାଧାରଣ ଲୋକଙ୍କର ସମସ୍ୟାକୁ ଦୃଷ୍ଟି ଦେବା ସହିତ ମାହାଙ୍ଗା ତହସିଲରେ ହେଉଥିବା ଅବ୍ୟବସ୍ଥାକୁ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବୀ ହେଉଅଛି ।

LEAVE A REPLY

Please enter your comment!
Please enter your name here