ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ, ଏହା ଏକ ସାମାଜିକ ବିପ୍ଲବ । ଲକ୍ଷ୍ମୀପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହି, ଏହା ଏକାଧିକ ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଥିବା ଏକ ବୈପ୍ଲବିକ ଗ୍ରନ୍ଥ । ଯେଉଁ ବାର୍ତ୍ତାକୁ ବର୍ତ୍ତମାନର ଯୁବପିଢି ନିକଟରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛି ଶ୍ରୀଉତ୍ସବ ଅନୁଷ୍ଠାନ । ଲକ୍ଷ୍ମୀ ପୁରାଣରେ ଥିବା ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢି ତଥା ସହରବାସୀଙ୍କ ମଧ୍ୟରେ ମାଣବସା ଗୁରୁବାରର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ୩ୟ ଥର ପାଇଁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଯାଇଛି ଶ୍ରୀଉତ୍ସବ । ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ଚଳିତ ଗୁରୁବାରଠାରୁ ଉତ୍ସବର ଶୁଭାରମ୍ଭ ହେବ । ଏହା ବର୍ଷତମାମ ଜାରିରହିବ ବୋଲି ଅନୁଷ୍ଠାନ ପକ୍ଷରୁ ବୁଧବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଲକ୍ଷ୍ମୀ ପୂଜାକୁ ସାର୍ବଜନୀନ କରିବା ପାଇଁ ଓଡିଶାରେ ପ୍ରଥମ ଥର ପାଇଁ ଏକ ନୂତନ ଦିଗ୍ଦର୍ଶନ ଓ ବିଚାରଧାରାକୁ ନେଇ ଶ୍ରୀଉତ୍ସବ ଆୟୋଜିତ ହେବ । ଲକ୍ଷ୍ମୀପୁରାଣରେ ଥିବା ଯେଉଁ ସାମାଜିକ ବାର୍ତ୍ତାକୁ ସାଧାରଣ ଲୋକେ ହୃଦୟଙ୍ଗମ କରିପାରିନାହାନ୍ତି, ତାହାର ପ୍ରଚାର ପ୍ରସାର କରାଯିବ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷସାରା ସଚେତନତା ଓ ସାମାଜିକ ବାର୍ତ୍ତା ବହନ କରୁଥିବା କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଶ୍ରୀଉତ୍ସବ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର କହିଛନ୍ତି । ସମାଜରେ ଛୁଆଁ ଅଛୁଆଁ ଭେଦଭାବ ଦୂର, ନାରୀ ସଶକ୍ତୀକରଣ ଓ ଅସ୍ପୃଶ୍ୟତା ଦୂରୀକରଣ କେବଳ ଲକ୍ଷ୍ମୀପୁରାଣ ମାଧ୍ୟମରେ ହୋଇପାରିବ । ତେଣୁ ଲକ୍ଷ୍ମୀପୁଜାକୁ କେବଳ ପୂଜାରେ ସୀମିତ ନ ରଖି ମହୋତ୍ସବର ରୂପ ଦିଆଯିବ । ଏଥିପାଇଁ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଗୁରୁବାର ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ସାର୍ବଜନୀନ ମହାଲକ୍ଷ୍ମୀପୂଜା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ୧୦୮ ମହିଳା ଅଂଶଗ୍ରହଣ କରି ସମୂହ ପୂଜା କରିବା ସହ ଲକ୍ଷ୍ମୀପୂରାଣ ପାଠ କରିବେ ।
ସେହିଭଳି ୨୫ ତାରିଖରେ ଭୁବନେଶ୍ୱରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୦ ତାରିଖ ଅପରାହ୍ନରେ ଏକାମ୍ର ହାଟଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାଲକ୍ଷ୍ମୀ ପୁରାଣ ସମ୍ପର୍କିତ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ । କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଅନୁଷ୍ଠାନ ସଦସ୍ୟ ଡ. ରିନା ରାଉତରାୟ ସୂଚନା ଦେଇଛନ୍ତି । ଉତ୍ସବର ଆବାହକ ପିନାକୀ ମହାନ୍ତି କହିଥିଲେ, ୫୦୦ବର୍ଷ ପୂର୍ବରୁ ବି ସମାଜରେ ମହିଳା ସଶକ୍ତୀକରଣ କଥା ଲୋକ ଚିନ୍ତା କରୁଥିଲେ, ଯାହାକି ଲକ୍ଷ୍ମୀପୁରାଣରୁ ସ୍ପଷ୍ଟ ଜଣାପଡେ । ତେଣୁ ଲକ୍ଷ୍ମୀପୁରାଣକୁ ଧାର୍ମିକ ପରମ୍ପରାରୁ ବାହାରକରି ସାମାଜିକ ପରମ୍ପରାରେ ସାମିଲ କରିବାକୁ ଏହା ଏକ ଛୋଟ ପ୍ରୟାସ । ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସଦସ୍ୟ ଲୋରା ମହାପାତ୍ର, ଜୟଶ୍ରୀ ମହାପାତ୍ର, ଶାଶ୍ୱତୀ ମିଶ୍ର, ଉମାକାନ୍ତ ମିଶ୍ର, ରୁଦ୍ରନାରାୟଣ ମହାନ୍ତି, ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଧରିତ୍ରୀ ଏହାର ମିଡିଆ ପାର୍ଟନର ରହିଛି ।
କେବଳ ରାଜ୍ୟ କି ରାଜ୍ୟ ବାହାରେ ନୁହେଁ, ବିଦେଶରେ ମଧ୍ୟ ଲକ୍ଷ୍ମୀପୁରାଣର ବିଶେଷତ୍ୱକୁ ପହଞ୍ଚାଇବାର ପ୍ରୟାସ କରାଯିବ । ଆମେରିକା, ଦୁବାଇ, ହଙ୍ଗ୍କଙ୍ଗ୍ ଓ ସିଙ୍ଗାପୁର ଭଳି ସ୍ଥାନରେ ମାଣବାସ ଗୁରୁବାର ଓ ଲକ୍ଷ୍ମୀପୂଜାର ପ୍ରଚାର ପ୍ରସାର କରାଯିବ । ଏଥିରେ ଥିବା ସାମାଜିକ ବାର୍ତ୍ତାକୁ ବିଦେଶୀଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ । ବଡ ବଡ ସହରଗୁଡ଼ିକରେ ସେମିନାର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯିବ । ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ସମାଜ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ଦିଲ୍ଲୀ, ବମ୍ବେ, ମାଡ୍ରାସଭଳି ସହରରେ ମଧ୍ୟ ଲକ୍ଷ୍ମୀପୁରାଣର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ରୀନା ରାଉତରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here