ବେଙ୍ଗାଲୁରୁ, ୭ା୧୧(ଏଜେନ୍ସି): ଫିକ୍ସିଂ କଳଙ୍କ ପୁଣି କ୍ରିକେଟକୁ ଫେରିଛି । କର୍ଣ୍ଣାଟକ ପ୍ରିମିୟର ଲିଗ(କେପିଏଲ)ରେ ସ୍ପଟ୍‌ ଫିକ୍ସିଂ କରିଥିବା ଅଭିଯୋଗରେ ଦୁଇ ଜଣ କ୍ରିକେଟର ଗିରଫ ହୋଇଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟର ତଥା କେପିଏଲରେ ବେଲାରୀ ଟସ୍କରର ନେତୃତ୍ୱ ନେଉଥିବା ସିଏମ ଗୌତମ ଓ ତାଙ୍କ ପୂର୍ବତନ କର୍ଣ୍ଣାଟକା ଦଳର ସହଯୋଗୀ ଅବରାର କାଜିଙ୍କୁ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏମାନେ କେପିଏଲରେ ସ୍ପଟ ଫିକ୍ସିଂ ପାଇଁ ବୁକିଙ୍କ ଠାରୁ ଟଙ୍କା ନେଇଥିବା ଜଣାପଡ଼ିଛି। ଗୌତମ ଏବେ ଗୋଆ ପକ୍ଷରୁ ଖେଳୁଥିବା ବେଳେ ଅବରାର ମିଜୋରାମ ପକ୍ଷରୁ ଖେଳୁଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଉଭୟ ଖେଳି ଥାଆନ୍ତେ । ଏଥିପାଇଁ ଗୋଆ ଓ ମିଜୋରାମ ଦଳରେ ଉଭୟଙ୍କ ନାଁ ଥିଲା। ତେବେ ଉଭୟ ଗିରଫ ହେବାରୁ ସେମାନଙ୍କୁ ବାଦ ଦିଆଯାଇଛି । ଏହି ଦୁଇ ଖେଳାଳି କେପିଏଲ ଫାଇନାଲରେ ଧିମା ବ୍ୟାଟିଂ କରିବାକୁ ବୁକିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲେଖାଏ ନେଇଥିବା ପୋଲିସ କହିଛି । ଫାଇନାଲରେ ବରେଲୀ ଟସ୍କର ଓ ହୁବଲି ଟାଇଗର ମୁହାଁମୁହିଁ ହୋଇଥିଲେ । ଏଥିରେ ହୁବଲି ଟାଇଗର ୮ ରନରେ ବିଜୟୀ ହୋଇଥିଲା । ଖାଲି ସେତିକି ନୁହେଁ, ବେଙ୍ଗାଲୁରୁ ବିପକ୍ଷ ମ୍ୟାାଚରେ ମଧ୍ୟ ଏହି ଦୁଇ ଖେଳାଳି ଫିକ୍ସିଂ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here