ଖଲ୍ଲିକୋଟ–୧୫/୦୯–ଖଲିକୋଟ ବ୍ଳକ ଅନ୍ତର୍ଗତ ଲଙ୍ଗଳେଶ୍ବର, ପଥରା, ଓଡ଼ିଆଆଲପୁର ,କେଶପୁର, କନକା,ସାବିଳିଆ,ପ୍ରଭୃତି ପଞ୍ଚାୟତ ସନ୍ନିକଟରେ ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ପ୍ରବାହିତ ହେଉଛି। ଉକ୍ତ ସବୁ ପଞ୍ଚାୟତର ସହସ୍ରାଧିକ ଚାଷୀଙ୍କର ବିସ୍ତୀର୍ଣ୍ଣ ଚାଷ ଜମି ଚିଲିକା ଉପକୂଳରେ ଅବସ୍ଥିତ।
ପୁରୁଷାନୁକ୍ରମେ ଉକ୍ତ ଚାଷୀକୂଳ ତାଙ୍କର ଜମିରେ ବର୍ଷ ତମାମ ଧାନ, ମୁଗ ଓ ପନିପରିବା ସମେତ ଅନେକ ଫସଲ ଚାଷ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ପ୍ରାୟ ଗତ କିଛି ବର୍ଷ ହେଲା ଚିଲିକାରେ ପଡିଥିବା ଭାର୍ଗବୀ, ଦେଵୀ,ମଲାଗୁଣୀ,ଦୟା, ଲୁଣା ,ସାଳିଆ ପ୍ରଭୃତି ନଦୀ ଓ ଅନେକ ଉପନଦୀରେ ବର୍ଷା ଦିନେ ପଟୁମାଟି ଆସି ଚିଲିକା ହ୍ରଦ ପ୍ରାୟତଃ  ପୋତି ହୋଇ ଗଲାଣି। ଯାହା ଫଳରେ ବର୍ଷା ଦିନେ ଏହି ସବୁ ନଦୀ ଗୁଡିକରେ ଉପର ମୁଣ୍ଡରେ ବର୍ଷା ହେଲେ ପ୍ରଚୁର ପରିମାଣର ଜଳ ଚିଲିକା ହ୍ରଦକୁ ପ୍ରବେଶ କରି ଏହାର କୂଳ ଲଙ୍ଘି ନିକଟସ୍ଥ ଜମି ମାନଙ୍କରେ ହୋଇଥିବା ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଚାଷୀକୂଳ ଅଭିଯୋଗ କରିଛନ୍ତି।
ଚଳିତ ବର୍ଷ ସିଡିଏର ସୂଚନା ମୂତାବକ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଉପରୋକ୍ତ ନଦୀ ଗୁଡିକରେ ପ୍ରବଳ ବନ୍ୟା ଆସିବା ଫଳରେ ଉକ୍ତ ନଦୀର ବନ୍ୟା ପାଣି ଚିଲିକାରେ ମିଶି ଏହି ହ୍ରଦର ପାଣିର ଗଭୀରତା ପ୍ରାୟ ଚାରି ଫୁଟରୁ ପାଞ୍ଚ ଫୁଟ ବୃଦ୍ଧି ପାଇଛି। ଫଳରେ ବନ୍ୟା ଜଳ ମିଶ୍ରିତ ଚିଲିକାର ଲୁଣିପାଣି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ୟାପକ ଫସଲ ହାନି କରିବା ସହ କେତେକ ସ୍ଥାନରେ ଜମି ବାଲିଚର ହୋଇ ଯାଇଛି। ଚାଷୀ ମାନେ ବର୍ଷ ପରେ ବର୍ଷ ସ୍ଥାନୀୟ ରାଜସ୍ବ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସେମାନଙ୍କ ଫସଲ ହାନିର ଆକଳନ କରି ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ଓ ବିକ୍ଷୋଭ କରୁଥିଲେ ମଧ୍ୟ ସେମାନଙ୍କ ଦାବିକୁ କେହି କର୍ଣ୍ଣପାତ କରୁନାହାନ୍ତି।
ଅପରପକ୍ଷେ ଚଳିତ ବର୍ଷ କରୋନା ମାଡ଼ ସାଙ୍ଗକୁ ବ୍ୟାପକ ଫସଲ ହାନି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇ ଥିବା ବେଳେ ବହୁ ପରିବାର ଚାଷକାର୍ଯ୍ୟ ଛାଡି ଦାଦନ ମୂହାଁ ହେଲେଣି। ଅପରପକ୍ଷେ ସିଡିଏ ଚିଲିକାର ଉନ୍ନୟନ ପାଇଁ ବିପୁଳ ଅର୍ଥ ବ୍ୟୟ କରୁଥିବା ବେଳେ ଖଲିକୋଟ ବ୍ଳକରେ ଅବସ୍ଥିତ ଏହି ସବୁ ବିସ୍ତୀର୍ଣ୍ଣ ଚାଷଜମିର ସବୁଦିନିଆ ସୁରକ୍ଷା ପାଇଁ ବାରମ୍ବାର ଦାବି ସତ୍ବେ କୌଣସି ପଦକ୍ଷେପ ନେଉ ନାହାନ୍ତି।
ଚିଲିକା ଉପକୂଳ ଖନନ ସାଙ୍ଗକୁ ଜମିର ସୁରକ୍ଷା ପାଇଁ ଉପଯୁକ୍ତ ଘେରିବନ୍ଧ ନିର୍ମାଣ ପାଇଁ ଚାଷୀ କୂଳ ଦାବି କରୁଛନ୍ତି। ରାଜସ୍ବ ବିଭାଗ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବା ଓ ଚିଲିକା ଉପକୂଳର୍ବୀ ଜମିକୁ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ବିଭିନ୍ନ କୃଷକ ସଂଗଠନ ଦାବି ଜଣାଇଛନ୍ତି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଚାଷୀ ମାନଙ୍କ ହିତର ସୁରକ୍ଷା କରାନଗଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସମାଜସେବୀ  ଅଶୋକ କୁମାର ତ୍ରିପାଠୀ, ବୁଲୁ ତରେଇ,ଦେବବ୍ରତ ମାନସିଂ, ବାବୁଲା ପରିଡା ,ସରପଞ୍ଚ ସୁଦାମ ନାୟକ,ବନମାଳୀ ବାଲା ପ୍ରମୂଖ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here