କୋଣାର୍କ(ସଂଗ୍ରାମ କେଶରୀ ମହାପାତ୍ର ) : ବିଶ୍ବ ପର୍ଯ୍ୟଟନସ୍ଥଳୀ କୋଣାର୍କ କୁ ଭିଆଇପି ଓ ଭିଭିଆଇପିଙ୍କ ଆଗମନକୁ ଦୃଷ୍ଟିରେ ରଖି ହେଲିକପ୍ଟରେ ଅବତରଣ ଲାଗି ଏକ ହେଲିପ୍ୟାଡ଼ ରହିଛି ।ମାଘମେଳା, କୋଣାର୍କ ଉତ୍ସବ , ବୋଇତବନ୍ଦାଣ ଭଳି ଉତ୍ସବ ସମୟରେ ହେଲିପ୍ୟାଡ଼କୁ ଏନଏସି କର୍ତ୍ତୁପକ୍ଷ ଲକ୍ଷାଧିକ ଟଙ୍କାରେ ପାର୍କିଂ ପାଇଁ ନିଲାମ ଦେଇଥାନ୍ତି ।

ସବୁବର୍ଷ ଡ଼ିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ ଓ ଆର୍ନ୍ତଜାତୀୟ ବାଲୁକାକଳା ପଦର୍ଶନୀ ସମୟରେ କୋଣାର୍କ ଏନଏସି କର୍ତ୍ତୁପକ୍ଷ ହେଲିପ୍ୟାଡ଼କୁ ପ୍ଳଟିଂ କରି ମୀନାବଜାର ବ୍ୟବସାୟୀଙ୍କୁ ବଣ୍ଟନ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।କିନ୍ତୁ ବର୍ତ୍ତମାନ ଏହି ହେଲିପ୍ୟାଡ଼ର ରକ୍ଷଣାବେକ୍ଷଣ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସ୍ଥାନୀୟ ଅଧିକାରୀ ମାନେ ବୈମାତୃକ ମନୋଭାବ ପୋଷଣ କରୁଥିବାର ଦେଖାଯାଇଛି ।

ହେଲିପ୍ୟାଡ଼ରୁ ପ୍ରତ୍ୟେକଦିନ ରାତିରେ ବାଲି ମାଫିଆଙ୍କ ଦ୍ୱାରା ଶହଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି ।ସ୍ଥାନୀୟ ଲୋକଙ୍କ ବାରମ୍ଭାର ଅଭିଯୋଗ ସତ୍ତ୍ବେ ମଧ୍ୟ ଏନଏସି, ତହସିଲ କିମ୍ବା ଜିଲ୍ଲା ପ୍ରଶାସନ କାହା ପକ୍ଷରୁ ମଧ୍ୟ ଏହି ବେଆଇନ ବାଲି ଚୋରାଚାଲାଣ ପାଇଁ ପଦକ୍ଷେପ ନିଆଯାଉନାହିଁ ।ନିୟମିତ ଭାବେ ଶହଶହ ଟ୍ରିପ ବାଲି ପ୍ରତ୍ୟକ ଦିନ ରାତ୍ରିରେ ଚୋରାଚାଲାଣ ହେବା ଫଳରେ ଏବେ କୋଣାର୍କ ହେଲିପ୍ୟାଡ଼ ଅସରାଏ ବର୍ଷାରେ କୁତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ।ଯଦି ଆଉକିଛିଦିନ ଧରି ଏହି ବାଲି ଚୋରାଚାଲାଣ ଜାରି ରୁହେ ତେବେ ହେଲିପ୍ୟାଡ଼ ତାର ଅସ୍ତିତ୍ବ ହରାଇବ ବୋଲି ସନ୍ଧେହ ପ୍ରକାଶ ପାଇଛି । ଏଦିଗରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଦୃଷ୍ଟି ଦେଇ ଏହି ବେଆଇନ ବାଲି ଚୋରାଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବିକରାଯାଉଛି ।

LEAVE A REPLY

Please enter your comment!
Please enter your name here