କନ୍ଧମାଳ(ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାର ଅପହଂଚ ଇଲାକା ରୂପେ ବେଶ୍ ପରିଚିତ ବାଲନ୍ଦାପଡ଼ା ଅଂଚଳରେ ସ୍ୱାସ୍ଥ୍ୟ ସେବାରେ ସେପରି ଆଖିଦୃଷ୍ଟିଆ ସୁବିଧା ସୁଯୋଗ ନଥିବା ଯୋଗୁଁ ପୂର୍ବରୁ ପ୍ରସୂତୀ ସମୟରେ ଅଂଚଳର ଗର୍ଭବତୀ ମା’ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସୁରକ୍ଷିତ ପ୍ରସବ ଅଂଚଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳ ତରଫରୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ବାଲନ୍ଦାପଡ଼ାଠାରେ ମା’ ଗୃହ ସ୍ଥାପନ ହେବା ସହ ଏହାର ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀକୁ ପ୍ରଦାନ କରାଯାଇଥିଲା ।

ଏହି ଦିନଠାରୁ ବାଲନ୍ଦାପଡ଼ା ସ୍ଥିତ ଏହି ମା’ ଗୃହ ଗର୍ଭବତୀ ମା’ ଗୃହ ନିଜର ଅନବରତ ସେବା ଜାରି ରଖିଛି । ବାଲନ୍ଦାପଡ଼ା ପଂଚାୟତ ଅନ୍ତର୍ଗତ ବାଟିମୁଣ୍ଡା ଗ୍ରାମର ସିଦେ୍ଧଶ୍ୱର ନାୟକଙ୍କ ପନôୀ ସପୁରୀ ନାୟକ ଏହି ମା’ ଗୃହରେ ପ୍ରଥମ ମା’ ରୂପେ ସେବା ଗ୍ରହଣ କରିଥିଲେ । ସେହିଦିନଠାରୁ ଅଦ୍ୟାବଧି ପ୍ରାୟ ଦୁଇ ହଜାରରୁ ଅଧିକ ମା’ ବାଲନ୍ଦାପଡ଼ାସ୍ଥିତ ଏହି ମା’ ଗୃହରୁ ସେବା ପାଇବା ସହ ୧୮୦୦ରୁ ଉଦ୍ଧ୍ୱର୍ ଗର୍ଭବତୀ ମା’ଙ୍କୁ ସୁରକ୍ଷିତ ମାତୃତ୍ୱ ପ୍ରଦାନ କରିପାରିଛି ଏହି ମା’ ଗୃହ ।

ସୁରକ୍ଷିତ ମାତୃତ୍ୱ ପାଇଁ ସୁଷମ ଖାଦ୍ୟ ଗ୍ରହଣ ନିତାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ବାଲନ୍ଦାପଡ଼ା ମା’ଗୃହର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, କ୍ରାଏ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଗର୍ଭବତୀ ମା ଓ ପ୍ରସୂତୀ ମାଆ ମାନଙ୍କୁ ନେଇ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲନ୍ଦାପଡ଼ାର ସରପଂଚ ପ୍ରଦୀପ କୁମାର ନାୟକ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବାଲନ୍ଦାପଡ଼ା ଓ ବଣିଆସାହି ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ଅତିଥି ରୂପେ ଯୋଗଦାନ କରିଥିଲେ ।

ଏହି ଅବସରରେ ପୋଷଣଯୁକ୍ତ ଖାଦ୍ୟ ଖାଇବାର ମହତ୍ୱ ସମ୍ପର୍କରେ ବୁଝାଯିବା ସହ କେବଳ ଗର୍ଭବତୀ ମା’ ନୁହେଁ, ଆଗାମୀ ଦିନରେ ମା’ ହେବାକୁ ଯାଉଥିବା କିଶୋରୀ ବାଳିକାମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଅନୁରୋଧ କରାଯାଇଥିଲା । ଉପସ୍ଥିତ ଗର୍ଭବତୀ ମା ଓ ପ୍ରସୂତୀ ମାଆମାନଙ୍କୁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ ଓ ଘିଅ କିପରି ଊପଯୁକ୍ତ ପରିମାଣରେ ପକାଇ ଖାଇବେ ସେ ସମ୍ପର୍କରେ ମଧ୍ୟ ବୁଝାଯାଇଥିଲା । ଏହି ଅବସରରେ ଆମର ଜାତୀୟ ପତାକା ତି୍ରରଙ୍ଗାର ତିନୋଟି ରଙ୍ଗ ହିସାବରେ ଖାଦ୍ୟ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।

ଯେପରି ନାରଙ୍ଗୀ ଅର୍ଥାତ୍ ଅମୃତଭଣ୍ଡା ଭଳି ବିଭିନ୍ନ ପାଚିଲା ଫଳ, ଧଳା ଅର୍ଥାତ୍ କ୍ଷୀର, ଅଣ୍ଡା ଭଳି ଖାଦ୍ୟ ଓ ସବୁଜ ଅର୍ଥାତ୍ ତଟକା ପନିପରିବା, ଶାଗ ଭଳି ଖାଦ୍ୟ ପ୍ରଚୂର ପରିମାଣରେ ଖାଇବାକୁ ଅନୁରୋଧ କରାଯାଇଥିଲା । ଏହା କଲେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନେ ସୁସ୍ଥ ରହିବା ସହ ସୁସ୍ଥ ଭବିଷ୍ୟତକୁ ସେମାନେ ଗଢ଼ିପାରିବେ ବୋଲି କୁହାଯାଇଥିଲା । ଏହି ଅବସରରେ ବାଲନ୍ଦାପଡ଼ା ସରପଂଚ ପ୍ରଦୀପ କୁମାର ନାୟକଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପିତା ସାହୁ, ଚଂଚଳା କହଁର, ସାମନ୍ତି ଦିଗାଲ, ରୀତାଞ୍ଜଳୀ ସାହୁ, ବିବିସ୍ମିତା ଦେହୁରୀ, ମାଳିକ ବେହେରା, ଉମେଶ କୁମାର ମିଶ୍ର, ବବୁନ୍ ବଗାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here