ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ କାଳିଆ ଯୋଜନାରେ ଚାଷୀମାନେ ସେମାନଙ୍କ ନାମକୁ ହିତାଧିକାରୀ ତାଲିକାରେ ଯୋଗ କିମ୍ବା ବାଦ୍ ଦେବା ପାଇଁ ସବୁଜ ତଥା ନାଲି ଫର୍ମ ପୂରଣ କରି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଜମା କରିବେ । ଜାନୁଆରୀ ମାସ ୨ ତାରିଖରୁ ସମସ୍ତ ଗ୍ରାମ ପଂଚାୟତରେ ଚିଠା ତାଲିକାଗୁଡିକ ପ୍ରକାଶିତ ହୋଇଛି । ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଦ୍ୱାରା ହସ୍ତଗତ ହୋଇଥିବା ସମସ୍ତ ସବୁଜ ଏବଂ ନାଲି ଫର୍ମଗୁଡିକୁ ଯାଂଚ କରି କେଉଁମାନେ ଏହି ଚିଠା ତାଲିକାରେ ଯୋଗ କିମ୍ବା ବାଦ୍ ପଡିବେ ତାହାର ବିବରଣୀ ସରକାରଙ୍କ ଦ୍ୱାରା ପରବର୍ତୀ ପର୍ଯ୍ୟାୟରେ ପ୍ରକାଶିତ ହେବ ।
ରାଜ୍ୟର ୬,୭୯୯ଟି ଗ୍ରାମପଂଚାୟତରେ ‘କାଳିଆ ଯୋଜନା’ର ହିତାଧିକାରୀଙ୍କ ଚିଠାତାଲିକା ଉପଲବ୍ଧ ହୋଇସାରିଛି । ଚିଠା ତାଲିକାକୁ ଯାଂଚ କରିବା ପରେ, ଚିଠା ତାଲିକାରେ ଯଦି ଚାଷୀଙ୍କର ନାମ ନଥିବ ତେବେ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ମିଳୁଥିବା ସବୁଜ ରଙ୍ଗର ଫର୍ମକୁ ପୂରଣ କରି ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ସେଠାରେ ରଖାଯାଇଥିବା ସବୁଜ ଡ୍ରପବକ୍ସରେ ପକାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଚିଠା ତାଲିକାରୁ ଯଦି ହିତାଧିକାରୀ ତାଙ୍କ ନିଜର ନାମକୁ ବାଦ୍ ଦେବାକୁ ଚାହାଁନ୍ତି ତେବେ ସେ ପଂଚାୟତଚ କାର୍ଯ୍ୟାଳୟରେ ଉପଲବ୍ଧ ନାଲି ରଙ୍ଗର ଫର୍ମକୁ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସେଠାରେ ରଖାଯାଇଥିବା ନାଲି ଡ୍ରପବକ୍ସରେ ପକାଇବାକୁ ହେବ । ସେହିଭଳି ଭାବରେ ଏହି ନାଲି ଫର୍ମ ମାଧ୍ୟମରେ ଜଣେ ଚାଷୀ ବା ଯେକୌଣସି ବ୍ୟକ୍ତି ମଧ୍ୟ ନିର୍ଦ୍ଦିଷ୍ଟ କର୍ତୁପକ୍ଷଙ୍କୁ ଅଭିଯୋଗ ଦାଖଲ କରିହେବ । କେନ୍ଦ୍ର ଓ ରାଜ୍ୟ ସରକାରୀ / ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ବା ଅବସରପ୍ରାପ୍ତ କର୍ମଚାରୀ ଆୟକର ଦାତା କୃଷକ କିମ୍ବା ତାଙ୍କର ସ୍ୱାମୀ ବା ସ୍ତ୍ରୀଙ୍କ ନାମକୁ ବାଦ୍ ଦେବା ପାଇଁ ନାଲି ରଙ୍ଗର ଫର୍ମ ପୂରଣ କରି ଏହାକୁ ନାଲି ରଙ୍ଗର ଡ୍ରପବକ୍ସରେ ପକଇବାକୁ କୁହାଯାଇଛି ।
‘କାଳିଆ’ ବାର୍ତା ରେ ଆଜି ସୁଦ୍ଧା ପ୍ରାୟ ୩୪,୦୦୦ କୃଷକ ଯୋଗଦାନ କରିପାରିଛନ୍ତି । ‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୨ ଲକ୍ଷ ୧୮ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୨୯,୫୦୮ଜଣ କୃଷକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here