Demonstrators shout slogans during a protest against the attacks on students of New Delhi's Jawaharlal Nehru University (JNU) on Sunday, in Chandigarh, India, January 6, 2020. REUTERS/Ajay Verma - RC2AAE9FPPGN

ନୂଆଦିଲ୍ଲୀ : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଗତକାଲିର ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ବିଶ୍ବବିବ୍ୟାଳୟରେ ଛାତ୍ରଛାତ୍ରୀମାନେ ଜେଏନ୍‌ୟୁକୁ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଭାରତରେ ନୁହେଁ, ଲଣ୍ଡନ ଅକସଫୋର୍ଡ ବିଶ୍ବବିଦ୍ୟାଳୟରେ ମଧ୍ୟ ଜେଏନ୍‌ୟୁ ହିଂସା ବିରୋଧରେ ଶୋଭାଯାତ୍ରା ବାହାରିଥିବାର ଖବର ମିଳିଛି।

ଜେଏନ୍‌ୟୁରେ ଆଜି ମଧ୍ୟ ଉତ୍ତେଜନା ଲାଗି ରହିଛି। ଅପ୍ରୀତିକର ପରିସ୍ଥିିତିର ମୁକାବିଲା ଲାଗି ବିଶ୍ବବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗତକାଲିର ହିଂସା ପାଇଁ ଜେଏନ୍‌ୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ବର୍ତମାନ ସୁଦ୍ଧା କେହି ଗିରଫ ହୋଇ ନାହାନ୍ତି। ତେବେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି।

ଗତକାଲି ସନ୍ଧ୍ୟାରେ ପ୍ରାୟ ୫୦ରୁ ୧୦୦ ପର୍ଯ୍ୟନ୍ତ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନ୍‌ୟୁ ହଷ୍ଟେଲ୍‌ରେ ପଶି ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥି‌ଲେ। ଆକ୍ରମଣରେ ୧୦୦ ଜଣ ଆହତ ହୋଇଥିବା ବେଳେ ‌େସମାନଙ୍କ ମଧ୍ୟରୁ ୩୪ ଜଣ ଛାତ୍ରଛାତ୍ରୀ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ଆଜି ସେମାନେ ଘରକୁ ଫେରିଛନ୍ତି।

ଛାତ୍ର ସଂଘ ଅଭିଯୋଗ କରିଛି ଯେ ଆକ୍ରମଣ ପଛରେ ଜେଏନ୍‌ୟୁର କିଛି ପ୍ରଫେସରଙ୍କର ମଧ୍ୟ ହାତ ରହିଛି। ସେମାନେ ଆକ୍ରମଣକାରୀଙ୍କୁ ଉସୁକାଇଥିଲେ। ଏହି ଆକ୍ରମଣ ବେ‌ଳେ ପୋଲିସ ଏବଂ ସୁରକ୍ଷା ଗାର୍ଡ ଉପସ୍ଥିତ ଥିଲେ ମଧ୍ୟ କିଛି କରିନଥିଲେ। ‌େସମାନେ ଆକ୍ରମଣକାରୀଙ୍କୁ ନିରବ ରହି ସମର୍ଥନ ଜଣାଇଥିବା ସଂଘ ଅଭିଯୋଗ କରିଛି।

ଇତିମଧ୍ୟରେ ଏହି ହିଂସା‌ ଘଟଣାର ତଦନ୍ତଭାର ଦିଲ୍ଲୀ ପୁଲିସ ପକ୍ଷରୁ କ୍ରାଇମ ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯାଇଛି। ଦିଲ୍ଲୀ ପୁଲିସ ପିଆରଓ ଏମ୍‌ଏସ ରନ୍ଧାୱା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚ୍‌କୁ ଉକ୍ତ ମାମଲାରେ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ୍ ମିଳିଛି ଏବଂ ଏହି ଆଧାରରେ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି। ତଦନ୍ତପ୍ରକ୍ରିୟା‌ରେ ଯେଭଳି କୌଣସି ବିଳମ୍ବ ନହେବ ସେଥିପାଇଁ ଯୁଗ୍ମ ପୁଲିସ କମିସନରଙ୍କ ଅଧୀନରେ ତଥ୍ୟ ସନ୍ଧାନକାରୀ କମିଟି ଗଠନ ହୋଇଛି। ଦିଲ୍ଲୀ ପୁଲିସର ପଶ୍ଚିମାଞ୍ଚଳ ଯୁଗ୍ମ ପୁଲିସ କମିସନର ଶାଳିନୀ ସିଂହ ଉକ୍ତ ତଥ୍ୟ ସନ୍ଧାନକାରୀ କମିଟିର ନେତୃତ୍ବ ନେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀ ପୁଲିସ ଆକ୍ରମଣ କରିଥିବା କିଛି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଛି ଏବଂ ଏନେଇ ଏକ ଏଫ୍‌ଆଇଆର ରୁଜୁ ହୋଇଛି। ତେବେ ଉକ୍ତ ମାମଲାରେ ଏଯାବତ୍‌ କେହି ଜଣେ ହେଲେ ଗିରଫ ହୋଇନାହାନ୍ତି।

ଅନ୍ୟପକ୍ଷେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସଚିବ ଅମିତ ଖାରେ ଆଜି ଜେଏନ୍‌ୟୁ ପ୍ରଶାସନର ଅଧିକାରୀଙ୍କୁ ଭେଟିଛନ୍ତି। ତେବେ ଏହି ବୈଠକରେ ଭିସି ଯୋଗ ଦେଇନାହାନ୍ତି। ‌‌‌ଜେଏନ୍‌ୟୁ ରେଜିଷ୍ଟ୍ରାର, ପ୍ରୋକ୍ଟର ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ ଉକ୍ତ ହିଂସା ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ରାଜ‌ନୈତିକ ଆଡ୍ଡା ସ୍ଥଳ ହେବାକୁ ଦିଆଯିବନି। ଗତକାଲିର ହିଂସା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପୋଖରିୟାଲ ପ୍ରତିଶ୍ରୁତି ଦେଇଛନ୍ତି।

ଜେଏନ୍‌ୟୁରେ ଆଜି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଶ୍ବବିଦ୍ୟାଳୟ ବାହାରେ ୭୦୦ ପୁଲିସ ମୁତୟନ ହୋଇଛନ୍ତି। ଦିଲ୍ଲୀ ମହିଳା କମିସନ୍‌ ସ୍ବାତୀ ମଲିୱାଲ୍‌ ଦିଲ୍ଲୀ ପୁଲିସକୁ ହିଂସା ନେଇ ନୋଟିସ୍‌ କରିଛନ୍ତି। ମାମଲାରେ କେତୋଟି ଏଫ୍‌ଆଇଆର ରୁଜୁ ହୋଇଛି ଏବଂ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ସେନେଇ ମଲିୱାଲ୍‌ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଜେଏନ୍‌ୟୁ ପ୍ରଶାସନ ବିଶ୍ବବିଦ୍ୟାଳୟ ପରିସରରେ ହିଂସା ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିଛନ୍ତି। ସାବରମତୀ ହଷ୍ଟେଲ୍‌ ୱାର୍ଡେନ୍‌ ଆର ମୀନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହଷ୍ଟେଲ୍‌କୁ ସୁରକ୍ଷା ଦେଇ ପାରିନଥିବାରୁ ସେ ନୈତିକତା ଦୃଷ୍ଟିକୋଣରୁ ନିଜ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଜେଏନ୍‌ୟୁ ଛାତ୍ର ସଂଗଠନ (ଜେଏନ୍‌ୟୁଏସ୍‌ୟୁ) ଏବଂ ଜେଏନ୍‌ୟୁ ଶିକ୍ଷକ ସଂଗଠନ (ଜେଏନ୍‌ୟୁଟିଏ) ଭିସି ଏମ୍‌ ଜଗଦେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ‌

LEAVE A REPLY

Please enter your comment!
Please enter your name here