ଇଂ. ବିଦ୍ୟାଧର ପଣ୍ଡା, : ଈଶ୍ୱର ତାଙ୍କର ବିଚିତ୍ରଦୁନିଆରେ ଅସଂଖ୍ୟ ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ଛୋଟବଡ ପ୍ରତ୍ୟେକଜୀବର ଧରାପୃଷ୍ଠରେ ସମାନ ପରିମାଣରେ ମହତ୍ତ୍ୱ ଅଛି । ଅଣୁ ପରମାଣୁ ଆକୃତିର ଜୀବମାନଙ୍କ ଠାରୁ ବିଶାଳକାୟ ହାତୀପର୍ଯ୍ୟନ୍ତ ସମସ୍ତଙ୍କର ଅବସ୍ଥିତିରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପରିକଳ୍ପନା ସୃଷ୍ଟିକର୍ତ୍ତା ବ୍ରହ୍ମା କରିଛନ୍ତି । ଏସବୁ ଭିତରେ ଅନ୍ତର୍ନିହିତ ଗୁଢରହସ୍ୟକୁ ବୁଝିବାପାଇଁ ସାଧାରଣ ମଣିଷପକ୍ଷରେ ଆଦୌ ସମ୍ଭବ ନୁହେଁ । ସାମ୍ୟଦୃଷ୍ଟିରେ ଦେଖିବାକୁ ଗଲେ ନୀଳସମୂଦ୍ର ଯେପରି ସୁନ୍ଦର ରୁକ୍ଷ ଉତ୍ତୁଙ୍ଗ ପର୍ବତମାଳା ବି ସେହିପରି ମନ ମୁଗ୍ଧକର । ଜ୍ୟୋସ୍ନାବିଧୌତ ରଜନୀ, ସୂର୍ଯ୍ୟଦ୍ୟୋୟ, ସୂର୍ଯ୍ୟାସ୍ତ, ଝରଣାର କଳକଳ ନାଦ ସହ କୋଇଲିର କୁହୁ ତାନ, ସୁନ୍ଦର ସବୁଜିମା ବନଭୂଇଁ, ଘଂଚଅରଣ୍ୟର ଶ୍ୟାମଳିମା ଭିତରେ କିଚିରିମିଚିରି ପକ୍ଷୀରାବ ସବୁ ଯେମିତି ଅମୃତମୟ, ସେମିତି ରାତିପାହିଲେ କୁମ୍ଭାଟୁଆ ଓ କୁକୁଡାର ଡାକ ମଧ୍ୟ ପ୍ରକୃତିମାଆର ଅସରନ୍ତି ପ୍ରେମସଦୃଶ । ଏହି ପ୍ରେମରେ କୋଟିକୋଟି ଜୀବଜନ୍ତୁଙ୍କର ସମାନପରିମାଣରେ ଭାଗିଦାରୀ ଅଛି ।

ଏମାନଙ୍କ ମଧ୍ୟରେ ମଣିଷ ଏକ ଉନ୍ନତ ଏବଂ ବୁଦ୍ଧିମାନ ପ୍ରାଣୀ ହୋଇଥିବାରୁ ସେ ସମସ୍ତଙ୍କୁ ଆପଣାର କରାୟତ୍ତ କରି ବେଳେବେଳେ ପ୍ରକୃତି ମାଆର ଆଖିରେ ଲୁହ ଭରିଦେଉଛି । ଭଗବାନଙ୍କ ଦ୍ୱାରା ସୃଷ୍ଟି ଏହି କୋଟିକୋଟି ଜୀବଜନ୍ତୁ ମାନଙ୍କ କଥା ଭୁଲିଯାଇ ମଣିଷ ନିଜର ସ୍ୱାର୍ଥସାଧନାରେ ଦିନରାତି ବ୍ୟସ୍ତ ରହୁଛି । ଏବେ ହେଉଥବା ବିଭିନ୍ନପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏହି ଆତ୍ମଘାତି ନୀତି ଦାୟି ବୋଲି ଅନୁଭବକରି ଜାତିସଂଘ ଦ୍ୱାରା ୨୦୦୬ମସିହାରୁ ଏହି ମଇମାସ ୨୨ତାରିଖକୁ ଆନ୍ତର୍ଜାତିୟ ଜୈବ ବିବିଧତା ଦିବସ ରୂପରେ ପାଳନ କରାଯାଉଛି ।
ବୈବଧ୍ୟ ହେଉଛି ସମ୍ପୂର୍ଣ୍ଣ ଜୀବଜଗତର ଏକ ନିଆରା ବିଶେଷତ୍ୱ । ଆମଦେଶର ଜଳବାୟୁରେ ଯେତେପ୍ରକାର ବୃକ୍ଷଲତା, ଫଳ, ଫୁଲ ଓ ପଶୁପକ୍ଷୀ ଦୃଷ୍ଟିଗୋଚର ହୁଅନ୍ତି ତାହା ଅନ୍ୟଦେଶରେ ବିରଳ । ପ୍ରକୃତରେ ସମଗ୍ରପ୍ରାଣୀମାନଙ୍କୁ ଗଣି ପ୍ରକାର ଭେଦ କରିବା ଏକ କଷ୍ଟକର କାମ, ତଥାପି ଯେତିକି ପ୍ରକାର ଜୀବମାନଙ୍କୁ ଆମ ଭାରତୀୟ ଜୈବବିଜ୍ଞାନିମାନେ ଏ’ପର୍ଯ୍ୟନ୍ତ ଅନୁଧ୍ୟାନ କରିଛନ୍ତି ସେମାନଙ୍କ ମଧ୍ୟରେ ୩୫୦ପ୍ରକାର ପଶୁ, ୧୨,୦୦୦ଜାତିର ପ୍ରାଣୀ ଏବଂ ୩୦,୦୦୦ଜାତିର କୀଟପତଙ୍ଗ, ସରୀସୃପ ଓ ମାଛଥିବାର ଗଣନା କରାଯାଇଛି ।

ହିମାଳୟର ପାଦଦେଶ ଓ ଦାକ୍ଷୀଣାତ୍ୟର ପାର୍ବତ୍ୟାଂଚଳରେ ଭିନ୍ନଭିନ୍ନ ପ୍ରକାରର ବାଘ, ଭାଲୁ, ହରିଣ, ଚଉଶିଙ୍ଗା, ସମ୍ବର, ଚମରୀ ଗାଈ, ବନ୍ୟଛାଗ, ଗୟଳ ଆଦି ବହୁସଂଖ୍ୟାରେ ଦେଖାଯାନ୍ତି । ବନ୍ୟସମ୍ପଦ ପରି ନାନା ଜାତିର ବନପ୍ରାଣୀରେ ଆମଓଡିଶା ମଧ୍ୟ ସମୃଦ୍ଧ ।

ଓଡିଶାର ଅରଣ୍ୟରେ ମହାବଳ, କଲରାପତ୍ରିଆ, ଚିତା, ଗାଡଭାଲୁ, ହାତୀ, ଗଣ୍ଡା, ଗୟଳ, ନୀଳଗାଈ, ବନ୍ୟ ମହିଷି, କୃଷ୍ଣସାର, ସମ୍ବର,ଖୁଂରାଂଟ, ବାର୍ହା ପଶୁମାନଙ୍କ ସହ ଶୁଆ, ସାରୀ, ହଳଦୀବସନ୍ତ, କୁମ୍ଭାଟୁଆ, ମୟୁର, କୋଚିଲାଖାଇ, କାଠହଣା, ମାଛରଙ୍କା, ଚିଲ୍ଲ, ଶାଗୁଣା, କାଉ, କଜଳପାତୀ ଓ କୋଇଲି ପରି ଅନେକ ପକ୍ଷୀମଧ୍ୟ ବାସକରନ୍ତି । ସୃଷ୍ଟିର ଆଦିକାଳରେ ସମଗ୍ର ପୃଥିବୀରେ ପଶୁପକ୍ଷୀମାନେ ଯେମିତି ସ୍ୱଛନ୍ଦରେ ଆହାରବିହାର କରୁଥଲେ ମନୁଷ୍ୟମାନଙ୍କର ସଂଖ୍ୟା ବଢିଯିବାରୁ ଆଜିକାଲି ଏହା ସମ୍ଭବ ହେଉନାହିଁ ।

ଅନେକ ବିକାଶମୂଳକ କାମ ପାଇଁ ଅନେକ ପଶୁପକ୍ଷୀଙ୍କର ବାସସ୍ଥାନ ହରେଇବାକୁ ପଡୁଛି । ଦେଶରେ ପ୍ରତିଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ବେଆଇନ ତଥା ଗୋପନ ପଶୁଶିକାର କରି ହାତୀଦାନ୍ତ, ବଜ୍ରକାପ୍ତା, ବ୍ୟାଘ୍ରନଖ, ହରିଣ ଛାଲ ଆଦିର ଗୁପ୍ତଚାଲାଣରେ ସରକାର ଲଗାମ ଲଗାଇବାରେ ଅସମର୍ଥ ହେତୁ ପଶୁପକ୍ଷୀମାନଙ୍କର ବଂଚିବାପାଇଁ ସ୍ଥାନ ଦିନୁଦିନ ସଂକୀର୍ଣ୍ଣ ହେବାସହ ଜୀବନ ସଂଙ୍କଟାପନ୍ନ ହେବାରୁ କେତେକଙ୍କର ବଂଶ ଲୋପ ହୋଇସାରିଲାଣି ଏବଂ କେତେକଙ୍କର ଅତିଶୀଘ୍ର ଲୋପହେବାକୁ ବସିଲାଣି ।

ବିଗତ ଦିନରେ ଆମ ଭାରତରେ ୪୦ହଜାର ବାଘ ଥିଲେ । ୨୦୦୨ଗଣନାରେ ଏ ସଂଖ୍ୟା ୩୬୪୨କୁ ଖସି ଆସିଲା । ୨୦୧୪ଗଣନା ହିସାବରେ ଏ ସଂଖ୍ୟା ଯାହା ୨୨୨୬ଥିଲା, ଯାହା ୨୦୧୮ମସିହାରେ ୨୯୬୭ ହୋଇଛି । ଶୁଭ ଲକ୍ଷଣ, କିନ୍ତୁ ତା ପାଇଁ ବହୁତ ନିୟମକାନୁନ କଡାକଡି ଭାବରେ ପାଳନ କଲାପରେ ଫଳାଫଳ ଏଇଆ । ବିଶ୍ୱର ସମଗ୍ର ଜୀବସମୂହକୁ ହିସାବକଲେ ଜଣାଯାଏ ଏପର୍ଯ୍ୟନ୍ତ ହଜାରହଜାର ପ୍ରଜାତି ଲୋପ ହୋଇ ଜୀବଜଗତରୁ ବିଦାୟ ନେଇ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇ ସାରିଲେଣି ।

ଆଉରି ହଜାରହଜାର ପ୍ରଜାତି ଜୀବ ଏବେ ଲୋପହେବାର ବନ୍ଧରେ ଧାଡିଦେଇ ବସିଛନ୍ତି । ବର୍ଷାଦିନେ ଆମେ ଦୋରଷାମାଟିରେ ଆଗରୁ ସାଧବବୋହୂ ପୋକ ଦେଖୁଥିଲୁ, ଆଉ ଏବେ ଦେଖାଯାଉ ନାହାନ୍ତି । ମଖମଲ୍ଲ ରେଶମି ଚମ ଢାଙ୍କି ଛ’ଛଟା ଟିକିଟିକି ରୁମପରି ଗୋଡରେ ମଟରଦାନା ଆକାରର ଗୋଲାପି ଦେହନେଇ ଭୂଇଁରେ ନାଲି ଟିକୁଟୁକୁ ସାଧବବୋହୂମାନେ ଚାଲୁଥଲେ କେତେ ସୁନ୍ଦର ଦେଖାଯାନ୍ତି! ଶଙ୍ଖଚିଲ୍ଲ, ଚିଲ ଶାଗୁଣା, ଶୁଆ ସାରୀଙ୍କର ସଂଖ୍ୟା ବହୁ ପରିମାଣରେ କମି ଗଲାଣି ।

ନିଃସନେ୍ଦହରେ କୁହାଯାଇ ପାରେ ଯେ ଭଗବାନଙ୍କର ଏ’ସୁନ୍ଦର ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠଜୀବ ହେଲା ମନୁଷ୍ୟ । କିନ୍ତୁ ମନୁଷ୍ୟ ନିଜର ଆମୋଦପ୍ରମୋଦ ବାସସ୍ଥାନ ଯୋଗୁଁ ଇତରପ୍ରାଣୀଙ୍କର ଜୀବନକୁ ସଙ୍କଟାପର୍ଣ୍ଣ କରିବାରେ ତିଳେ ମାତ୍ର ପଶ୍ଚାତପଦ ହେଉନାହିଁ । ଚୈନା ବିଶ୍ୱରେ ଏକଦେଶ ଯେଉଁଠି ସମସ୍ତ ନାଗରିକ ସବାଖିଆ ପ୍ରଜାତିର କହିଲେ ଅତୁ୍ୟକ୍ତି ହେବନାହିଁ । ଏମିତି କୌଣସି ଏକ ଜୀବନାହିଁ ଯାହାକୁ ସେମାନେ ଖାଆନ୍ତି ନାହିଁ । ସୃଷ୍ଟିରେ ପ୍ରତ୍ୟେକଜୀବର ଏକ ବୈଚିତ୍ର ଓ ବିଶେଷତ୍ୱ ରହିଛି, ଯାହାକୁ ମନୁଷ୍ୟର ଭୃକ୍ଷେପ ନାହିଁ । ଏଥିପାଇଁ ଆଜିର କିଛି ମହାତ୍ମାମାନେ ଅରଣ୍ୟର ଶ୍ୱାପଦମାନଙ୍କଠାରୁ ମନୁଷ୍ୟକୁ ବେଶି ହିଂସ୍ର ହିସାବରେ ଗଣନା କରିବାକୁ ଲାଗିଲେଣି ।

ମଣିଷ ଏବେ ଚନ୍ଦ୍ରାଭିଯାନରେ ସଫଳ ହୋଇ ମଙ୍ଗଳଗ୍ରହରେ ଜୀବନ ସଂନ୍ଧାନରେ ବ୍ୟସ୍ତରହି ନିଜର ଉନ୍ନତ ଜ୍ଞାନକୌଶଳର ପରିଚୟ ଦେବାକୁ ସକ୍ଷମ ହୋଇଥିଲେ ମଧ୍ୟ ନିଜ ଜୀବନରେ ମଙ୍ଗଳ ଓ ଶାନ୍ତିବର୍ଦ୍ଧକ ଜୈବବିବିଧତାକୁ ଭୃକ୍ଷେପ କରି ନାନାପ୍ରକାରର ପ୍ରାକୃତିକ ଆପଦା ଏବଂ ମହାମାରୀର ସମ୍ମୁଖୀନ ହେଉଛି । ଆଜିର ଆଧୁନିକ ମଣିଷ ବିକାଶ ନାଁରେ ଯେଉଁଭଳି ଭାବରେ ଫ୍ଲୋରାଫାଉନା ଧ୍ୱଂସ ସହ ପରିବେଶକୁ ଦୁଷିତ କରିବାପରି ଆତ୍ମଘାତୀ ନୀତି ଅବଲମ୍ବନ କରିଛି ତାହା ଦିନେ ନା ଦିନେ ତା’ର ବିନାଶର କାରଣ ହେବ ଏଥିରେ ଆଦୌ ସନେ୍ଦହ ନାହିଁ ।

LEAVE A REPLY

Please enter your comment!
Please enter your name here