ପଞ୍ଚକୁଲା : ହରିୟାଣାର ଏକ କୋର୍ଟ ବୁଧବାରଦିନ ଜେଲରେ ଥିବା ବାବା ଗୁରମିତ ରାମରହିମଙ୍କ ମୁଖ୍ୟ ସହଯୋଗୀ ହନିପ୍ରୀତ ସିଂଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗତ ୨ ତାରିଖରେ କୋର୍ଟ ତାଙ୍କ ବିରୁଦ୍ଧରେ ଲାଗିଥିବା ଦେଶଦ୍ରୋହ ମାମଲାକୁ ଖାରଜ କରିବା ପରେ ତାଙ୍କୁ ଜାମିନ ମିଳିବା ପଥରେ ଥିବା ଏକ ବଡ଼ ପ୍ରତିବନ୍ଧକ ହଟିଯାଇଥିଲା । ପଞ୍ଚକୁଲାର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ରୋହିତ ଭାଟ୍ସ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଶୁଣାଣି ବେଳେ ହନିପ୍ରୀତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

କୋର୍ଟଙ୍କ ରାୟ ପରେ ହନିପ୍ରୀତ ଖୁବଶୀଘ୍ର ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । ସେ ୨୦୧୭ ଅକ୍ଟୋବର ମାସରୁ ଜେଲରେ ଥିଲେ ।୨୦୧୭ ଅଗଷ୍ଟ ୨୫ରେ ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯିବା ପରେ ପଞ୍ଚକୁଲାରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସା ସୃଷ୍ଟି କରିବାରେ ହନିପ୍ରୀତଙ୍କ ହାତ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିଲା । ହିଂସାକାଣ୍ଡ ଘଟାଇବା ଅଭିଯୋଗରେ  ହନିପ୍ରୀତଙ୍କ ସମେତ ମୋଟ ୪୦ ଜଣଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here