ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ନେବାର ୭ ମାସ ପରେ ହରେନ୍ଦ୍ର ସିଂଙ୍କୁ ପଦ ହରାଇବାକୁ ପଡ଼ିଛି । ତାଙ୍କ ତତ୍ତ୍ୱାବଧାନରେ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନକୁ ତର୍ଜମା କରାଯାଇଛି । ଏଦୃଷ୍ଟିରୁ ହରେନ୍ଦ୍ର ସିିଂଙ୍କୁ ମୁଖ୍ୟ କୋଚ୍‌ ପଦରୁ ଅପସାରଣ କରିଛି ହକି ଇଣ୍ଡିଆ । ହରେନ୍ଦ୍ରଙ୍କ ମନ ବୁଝାଇବାକୁ ଯାଇ ତାଙ୍କୁ ଜୁନିୟର ଦଳର ମୁଖ୍ୟ କୋଚ୍‌ ପଦ ଅଫର ଦିଅଯାଇଛି । ତାଙ୍କ ନେତୃତ୍ୱରେ ଭାରତ ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିଲା । କିନ୍ତୁ ଭୁବନେଶ୍ୱରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ସଫଳ ହୋଇପାରିନଥିଲା । ଏତଦ୍‌ଭିନ୍ନ ବିଶ୍ୱକପ୍‌ ସମୟରେ କୋଚ୍‌ ହରେନ୍ଦ୍ରଙ୍କ ଖୋଲାଖୋଲି ମନ୍ତବ୍ୟ ଓ ଆଚରଣ ଯୋଗୁଁ ଏଫ୍‌ଆଇଏଚ୍‌ ପକ୍ଷରୁ ତାଙ୍କୁ ଚେତାବନୀ ଦିଆଯାଇଥିଲା । ଗତ ମେ’ ମାସରେ ଜାତୀୟ ମହିଳା ଦଳର କୋଚ୍‌ ଦାୟିତ୍ୱ ତୁଲାଇଥିବା ହରେନ୍ଦ୍ରଙ୍କୁ ପୁରୁଷ ଟିମ୍‌ର ଗୁରୁଦାୟିତ୍ୱ ଦିଅଯାଇଥିଲା । ବୁଧବାର ହକି ଇଣ୍ଡିଆ ପକ୍ଷରୁ ପ୍ରେସ୍‌ ଇସ୍ତାହରରେ ୨୦୧୮ରେ ଭାରତର ପ୍ରଦର୍ଶନ ଗ୍ରହଣୀୟ ନୁହେଁ, ତେଣୁ କୋଚ ହରେନ୍ଦ୍ରଙ୍କୁ ଦାୟିତ୍ୱରୁ ହଟାଗଲା ବୋଲି ସ୍ପଷ୍ଟ କରାଯାଇଛି ।
ଗତ ଗୋଲïକୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ ଦେଖାଇବା ପରେ ଜୁନିୟର ବିଶ୍ୱକପ୍‌ ବିଜୟୀ ଦଳର କୋଚ୍‌ ହରେନ୍ଦ୍ର ସିଂ’ଙ୍କୁ ସିନିୟର ଦଳର ଗୁରୁଦାୟିତ୍ୱ ଦିଆଯାଇଥିଲା । ଇଣ୍ଡୋନେସିଆ ଏସିଆନ୍‌ ଗେମ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏହାପରେ ପରେ ହକି ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ଦଳ ହାରିବାରୁ ହରେନ୍ଦ୍ରଙ୍କ ମୁଣ୍ଡରେ ଖଣ୍ଡା ଝୁଲିଥିଲା । ଖୁବ୍‌ ଶୀଘ୍ର ହକି ଇଣ୍ଡିଆ ପକ୍ଷରୁ ମୁଖ୍ୟକୋଚ୍‌ ପଦ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । ମାର୍ଚ୍ଚ ୨୩ରୁ ସୁଲତାନ ଆଜଲାନ୍‌ ଶାହ କପ୍‌ ହକି ଆରମ୍ଭ ହେବାକୁଯାଉଛି । ଫେବୃଆରୀରୁ ଜାତୀୟ ଶିବିର ଆରମ୍ଭ ହେବ । ତେଣୁ ହକି ଇଣ୍ଡିଆ ମୁଖ୍ୟ କୋଚ୍‌ ନିଯୁକ୍ତି ଯଥାଶୀଘ୍ର ଶେଷ ହେବାକୁ ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here