ହକି ଭାରତର ଜାତୀୟ କ୍ରୀଡା । ଏଇ କ୍ରୀଡାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଭାରତ ସମ୍ମୁଖରେ ସୃଷ୍ଟି ହୋଇଛି ଏକ ବଡ ସୁଯୋଗ । ତୃତୀୟ ଥର ଲାଗି ଓଡିଶାର ସ୍ମାର୍ଟ ସିଟି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ ହକି କପ ଚଳିତ ନଭେମ୍ବର ୨୮ ତାରିଖରେ ଏହି ବିଶ୍ୱ କପ ଉଦଘାଟନ ହେବ ଏବଂ ଏହା ଡିସେମ୍ବର ୧୬ ତାରିଖରେ ଉଦଯାପନ ହେବାର ସ୍ଥିରୀକୃତ ହୋଇଛି । ବିଶ୍ୱର ବିଭିନ୍ନ ଦେଶରୁ ବଛାବଛା ୧୬ ଗୋଟି ଦିଗଜ ହକି ଦଳ ଏଥିରେ ଭାଗ ନେବେ । ଅତୀତରେ ଆମ ଦେଶରେ ଆୟୋତି ହୋଇଥିବା ବିଶ୍ୱ ହକି କପ ଏତେଟା ଆକର୍ଷଣୀୟ,ଚମକ୍ରାର ତଥା ଆଖିଦୃଶିଆ ହୋଇନଥିଲା । ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଆୟୋଜିତ ବିଶ୍ୱ ହକି କପରେ ପଂଚମ ସ୍ଥାନ ଅକ୍ତିଆର କରିଥିଲା ଭାରତ । ପୁଣି ୨୦୧୦ରେ ଦିଲ୍ଲୀ ଠାରେ ଆୟୋଜିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ଦଖଲ କରିଥିଲା ଅଷ୍ଟମ ସ୍ଥାନ । କିନ୍ତୁ ଏଇଠି ପ୍ରଶ୍ନ ଉଠେ,ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ହକି କପ କଣ ଆମର ସ୍ଥିତିରେ ସୁଧାର ଆସିବ? ପୁଣି ଏଥର ଚମ୍ପିଆନ ହେବ ବୋଲି ଭାରତର ଯେଉଁ ସ୍ୱପ୍ନ ରହିଛି ତାହା ସାକାର ହେବ ତ?
କହିବା ବାହୁଲ୍ୟ,୨୦୧୪-୧୫ ଏବଂ ୨୦୧୬-୧୭ରେ ଭାରତ ବିଶ୍ୱ ହକି କପରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଅର୍ଥାତ ସମଗ୍ର ବିଶ୍ୱରେ ଅଧିକାର କରିଥିଲା ତୃତୀୟ ସ୍ଥାନ । ଏମିତିରେ ଦେଖିଲେ ଅଧିନାୟକ ଅଜିତପାଲ ସିଂହ ନେତୃତ୍ୱରେ ଭାରତ ୧୯୭୫ରେ ଚମ୍ପିଆନ ହୋଇ ବିଶ୍ୱ କପ ହାତେଇଥିଲା ।


ତେବେ ହରେନ୍ଦ୍ର ସିିଂହ କୋଚ ପଦ ସମ୍ଭାଳିବା ଉପରାନ୍ତେ ଭାରତୀୟ ହକି ଦଳ ଜାକର୍ତା ଠାରେ ଆୟୋଜିତ ଏସୀୟ ହକି ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା । ଫଳତଃ ଦଳର ମନୋବଳ ପୂରାପୂରି ଭାଙ୍ଗି ପଡିଥିଲା । ୟା ଆଗରୁ ଯଦିଓ ଚମ୍ପିଆନସିପ୍ ଟ୍ରଫିରେ ଲଗାଏତ ଭାବରେ ଦ୍ୱିତୀୟ ଥର ଲାଗି ଭାରତ ରୌପ୍ୟ ପଦକ ହାସଲ କରି ଟିମର ମନୋବଳକୁ ବେଶ୍ ଟାଣ କରିଥିଲା । ମାତ୍ର ଏସୀୟ ହକି ଖେଳରେ ଶକ୍ତ ଝଟକା ଲାଗିଥିଲା ଭାରତୀୟ ଟିମକୁ । ସେମିଫାଇନାଲରେ ମାଲେସିଆଠୁ ପରାଜୟ ବରଣ କରି ପ୍ରତିଯୋଗିତାରୁ ବାଦ ପଡିଥିଲା ଭାରତ । ତ୍ରୁଟିପୂଣ୍ଣ ରଣକୌଶଳ ଅବଲମ୍ବନ ହେତୁ ଭାରତ ପରାଜୟରୂପୀ ଧୂଳି ଚାଟିଲା ବୋଲି କୁହାଯାଇଥିଲା । ମ୍ୟାଚ ଆରମ୍ଭରେ ଭାରତୀୟ ଟିମ ଉତ୍ତମ ପ୍ରଦର୍ଶନ କରିଥିଲା ସିନା ହେଲେ ଶେଷରେ ପରାଜୟ ବରଣ କରିଥିଲା । ପରିଣାମରେ ଆକ୍ରମଣାତ୍ମକ ହେବାର ମଉକା ପାଇଥିଲା ମାଲେସିଆ । ଏହି ମଉକାକୁ ହାତେଇ ମାଲେସିଆ ମ୍ୟାଚରେ ଜିତାପଟ ହାସଲ କରିବାରେ ସଫଳ ହୋଇଥିଲା ।

ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ୧୪ ତମ ବିଶ୍ୱ ହକି କପରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଷୋଳ ଗୋଟି ଟିମକୁ ଚାରୋଟି ଗ୍ରୁପ କରାଯିବ ପ୍ରତିଟି ଗ୍ରୁପର ଶୀର୍ଷରେ ଯେଉଁ ଦଳ ରହିବ ସେ ସିଧା କ୍ୱାଟର ଫାଇନାଲରେ ପହଂଚିପାରିବ । ଆଉ ଦ୍ୱିତୀୟ ଆଉ ତୃତୀୟ ସ୍ଥାନରେ ରହୁଥିବା ଟିମ କ୍ରସ ଓଭର ଆଧାରରେ ଖେଳିବେ । ଏବଂ ଏଇ ମ୍ୟାଚର ପ୍ରଦର୍ଶନ ଭିତିରେ କ୍ୱାଟର ଫାଇନାଲରେ ନିଜର ସ୍ଥାନକୁ ପକକା କରୁଥିବା ବାକି ଚାରୋଟି ଟିମକୁ ଚୟନ କରାଯିବ । ଏଇ ବଶ୍ୱ କପ ପ୍ରତିଯୋଗିତାରେ ଭାରତକୁ ଅଲିମ୍ପିକ ବିଜେତା ବେଲଜିଅମ,କାନାଡା ଏବଂ ଦକ୍ଷିଣ ଆଫ୍ରିକାଙ୍କ ଗ୍ରୁପରେ ସାମିଲ କରାଯ।।ଇଛି । ଗ୍ରୁପ ଟିମ ମଧ୍ୟରେ ଭାରତଠୁ ବେଲଜିୟମ ବେଶ୍ ଉନ୍ନତ ମାନ୍ୟତା ଲାଭ କରିଥିବା ଏକ ଟିମ । ମାତ୍ର ଦୁଇ ଦଳ ଭିତରେ ହୋଇଥିବା ଚମ୍ପିଆନ ଟ୍ରଫିରେ ପ୍ରତ୍ୟେକଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ଡ୍ର ହୋଇଥିଲା ।
ଭାରତୀୟ ହକି ଦଳ ଯେଉଁଭଳି ଭାବରେ ଅନ୍ତିମ ମୁହୂର୍ତରେ ବେଲଜିୟମକୁ ବରାବର ସ୍ଥିତିରେ ଆସିବାକୁ ମଉକା ଦେଇଥିଲେ ତାହା ଆମର ଦୁର୍ବଳତାକୁ ଦର୍ଶାଇଥିଲା । ଖାସ୍ ଏଇ ଦୁର୍ବଳତା ହେତୁ ମ୍ୟାଚକୁ ନିଜ ପକ୍ଷକୁ ନେବାରେ ଆମେ ବିଫଳ ହୋଇଥିଲୁ । ସୁତରାଂ ଏଭଳି ମାନସିକ ଦୁର୍ବଳତାର ଶୀକାର ହୋଇଥିଲା ଆମର ହକି ଟିମ । ଯାହା ହଉ, ଅଧିନାୟକ ହରିନ୍ଦ୍ର ସିଂହଙ୍କ ନେତୃତ୍ୱ ଭାରତୀୟ ହକି ଦଳକୁ ମାନସିକ ସ୍ତରରେ ସଶକ୍ତ କରିବ ବୋଲି ଆଶା କରାଯାଏ । ତେବେ ନିଜର ଅନ୍ତର୍ନିହିତ ସାମର୍ଥ୍ୟକୁ ପ୍ରମାଣିତ କରିବା ଲାଗି ଭାରତୀୟ ହକି ଖେଳାଳୀଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଠ ସମୟ । ସେମାନଙ୍କ ପ୍ରଦର୍ଶନ କେତେ ଦୂର ଉନ୍ନତ ତଥା ଶ୍ରେଷ୍ଟ ତାହା ସମୟ ହିଁ କହିବ ।
ଏମିତିରେ ଦେଖିଲେ ଏସୀୟ କ୍ରୀଡା ପ୍ରତିଯୋଗିତାରେ ଭାରତର ଖରାପ ପ୍ରଦର୍ଶନ ଉପରାନ୍ତେ ଏସୀୟ ଚମ୍ପିଆନସିପ ଟ୍ରଫିରେ ଭାରତ ଓ ପାକିସ୍ତାନ ଦୁହେଁ ମିଳିତ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏହା ଦ୍ୱାରା ଭାରତ ନିଜର ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁ କେତେକାଂଶରେ ରକ୍ଷା କରିବାରେ ସାମର୍ଥ୍ୟ ହୋଇଥିଲା । କିନ୍ତୁ ଅଲିମ୍ପିକ ବିଶ୍ୱ କପ ଏବଂ ଏସୀୟ ହକି କପରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଏବେ ସୁଦ୍ଧା କ୍ରୀଡାପ୍ରେମୀଙ୍କ ମାନସପଟ୍ଟଳରେ ଉଜ୍ଜୀବିତ ରହିଛି । ଏଠାରେ ଆୟୋଜିତ ବିଶ୍ୱ ହକି କପରେ ଯଦି ଭାରତ ଏସୀୟ ହକି ପ୍ରତିଯୋଗିତା ଭଳି ଉତ୍ତମ ପ୍ରଦର୍ଶନ ନ କରେ ତାହାହେଲେ ହକି ଇଣ୍ଡିଆ ଅଧିନାୟକ ପଦରୁ ହରିନ୍ଦ୍ର ସିଂହକୁ ବି ସବୁଦିନ ପାଇଁ ଛୁଟି ଦେଇଦେବା ଆବଶ୍ୟକ । ବିଡମ୍ବନା ଯେ, ଏଥର ହକି ବିଶ୍ୱକପରେ ଭାଗ ନେବା ଲାଗି ଫରୱାଡ ଏସ.ବି.ସୁନିଲ ଓ ଡିଫେଣ୍ଡର ରୁପିନ୍ଦର ପାଲ ଭଳି ନାମୀ ଖେଳାଳୀଙ୍କୁ ଚୟନ କରାଯାଇନାହିଁ । ଏସିୟ ଚମ୍ପୟାନସିପ ଟ୍ରଫି ପାଇଁ ହକି ଶିବିରରେ ତାଲିମ ନେଉଥିବାବେଳେ ସୁନୀଲଙ୍କ ଆଂଠୁରେ ଶକ୍ତ ଚୋଟ ଲାଗିଥିଲା ତେଣୁ ସେ ଏଯାଏଁ ପୂରାପୂରି ଭାବେ ଫିଟ ହୋଇନଥିବା କୁହାଯାଏ । ଏଥିପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ ବୋଲି କାରଣ ଦର୍ଶାଯାଉଛି । ସେଇମିତି ପେନାଲଟି କର୍ଣରକୁ ଗୋଲରେ ପରିଣତ କରିବାରେ ରୁପିନ୍ଦର ପାଲ ପୂରା ଓସ୍ତାଦ । ମାତ୍ର ଏଥର ସେ ଡିଫେନସ କରିବା ସ୍ଥିତିରେ ନାହାଁନ୍ତି । କାରଣ ଶାରୀରିକ ଅସୁସ୍ଥତାରୁ ଏଯାଏ ମୁକ୍ତି ପାଇପାରି ନାହାଁନ୍ତି । ହରେନ୍ଦ୍ର ଯେତେବେଳେ ସୁନିୟର ହକି ଟିମରେ କୋଚ ଥିଲେ ଏବେକା ଦଳରେ ସାମିଲ ହୋଇଥିବା ହାତଗଣତି ଖେଳାଳି ତାଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ । ସୁରତାଂ ଭାରତୀୟ ଦଳରେ ଏବେ ଉଭୟ ସିନିୟର ଓ ଜୁନିୟର ହକି ଖେଳାଳି ସାମିଲ ହୋଇଛନ୍ତି । ବିଶ୍ୱର ପ୍ରତିପକ୍ଷ ଦଳ ବିପକ୍ଷରେ ନିଜର ଅନୁଭୁତିକୁ ପାଥେୟ କରି ମୁକାବିଲା କରିପାରିବେ ବୋଲି ଆଶା କରାଯାଏ ।
ଦୀର୍ଘ ୪୩ ବର୍ଷ ପରେ ଭାରତୀୟ ହକି ଦଳ ବିଶ୍ୱ ହକି ରଣାଙ୍ଗନରେ ଅବର୍ତୀଣ୍ଣ ହେବାକୁ ଯାଉଛି । ଅଲିମ୍ପିକ ଚମ୍ପିଆନ ଆର୍ଜଂଟିନା,ଏକ ନମ୍ବର ମାନ୍ୟତା ପ୍ରାପ୍ତ ଅଷ୍ଟ୍ରେଲିଆ,ଚାରି ନମ୍ବର ର‌୍ୟାଙ୍କ ଦଖଲ କରିଥିବା ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ଭଳି ଦେଶକୁ ଭାରତୀୟ ଦଳ ପରାସ୍ତ କରିବ ବୋଲି ଆଶା । ତେବେ ତା ଆଗରୁ ଭାରତ ନିଜ ଗ୍ରୁପର ଶୀର୍ଷରେ ରହିବାକୁ ପ୍ରୟାସ କରିବା ଆବଶ୍ୟକ ।

Loading...

LEAVE A REPLY

Please enter your comment!
Please enter your name here