ଡ଼ଃ.ଅରୁନ୍ଧତୀ ଦେବୀ : ତେଲୁଗୁ ଭାଷାର ବହୁଳ ବ୍ୟବହାର ସତ୍ତ୍ୱେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୁଣ୍ୟ ପୀଠ ଥିଲା ପାରଳାଖେମୁଣ୍ଡି । ଏଠାରେ ଜନ୍ମ ନେଇଥିଲେ ଅନେକ ଓଡ଼ିଆ । ସେ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଅନ୍ୟତମ । ସେ ପ୍ରଥମ ଓଡ଼ିଆ ଭାଷତତ୍ତ୍ୱ ଆଲୋଚକ ଓ ଗବେଷକ । ତାଙ୍କୁ ଓଡ଼ିଶାର ପାଣିନୀ କୁହାଯାଏ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ । ହେଲେ ଭାଷାତତ୍ତ୍ୱରେ ତାଙ୍କର ଥିଲା ଅଗାଧ ଜ୍ଞାନ । ନିଜ ପ୍ରଚେଷ୍ଟାରେ ସଂସ୍କୃତ, ପାଲି, ପ୍ରାକୃତ, ପାରସୀ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ ଆଦି ୧୧ଟି ଭାଷାରେ ସେ ଦକ୍ଷତା ହାସଲ କରିଥିଲେ । ଶବ୍ଦତତ୍ତ୍ୱବୋଧ ଅଭିଧାନ ଓ ଓଡ଼ିଆ ଭାଷାତତ୍ତ୍ୱ ତାଙ୍କର ଦୁଇଟି ଅମୂଲ୍ୟ ଗ୍ରନ୍ଥ । ତାଙ୍କ ଶବ୍ଦତତ୍ତ୍ୱବୋଧ ଅଭିଧାନରୁ ପ୍ରେରଣା ପାଇ ଗୋପାଳଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରିଥିଲେ । ଗୋପୀନାଥ ଓଡ଼ିଆ ଭାଷାର ବୃହତ୍ ବ୍ୟାକରଣର ସ୍ରଷ୍ଟା । ତାଙ୍କ ପାରିବାରିକ ଜୀବନ ଦୁଃଖମୟ ଥିଲା ।

ପ୍ରଥମ ପତ୍ନୀଙ୍କ ମୃତୁ୍ୟ ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ତଥାପି ସନ୍ତାନ ସୁଖ ପାଇନଥିଲେ । ମାତ୍ର ୩୦ବର୍ଷ ବୟସରେ ସେ ଶ୍ରବଣ ଶକ୍ତି ହରାଇଥିଲେ । ଭାଷା ଓ ବ୍ୟାକରଣ ସମେତ ସାହିତ୍ୟ ଆଲୋଚନାରେ ଗୋପୀନାଥ ପାରଙ୍ଗମ ଥିଲେ । ସଂସ୍କୃତ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଭାଷାରେ ରଚିତ ମହାଭାରତ ସହ ସାରଳା ଦାସଙ୍କ ଓଡ଼ିଆ ମହାଭାରତର ତୁଳନାତ୍ମକ ବିଶ୍ଲେଷଣ କରି ସେ ଏହାର ମୌଳିକତା ପ୍ରତିପାଦନ କରିଥିଲେ । ଜଣେ କବି ଓ ନାଟ୍ୟକାର ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ଚନେ୍ଦ୍ରାଦୟ ଓ କର୍ମ ବିପାକ ତାଙ୍କର ପ୍ରସିଦ୍ଧ କବିତା ଗ୍ରନ୍ଥ । ସେହିପରି ଜାନକୀ ପରିଣୟ, ଉନ୍ମତ୍ତ ରାଘବ, ଦ୍ରୌପଦୀ ବସ୍ତ୍ରହରଣ, ରାମାଶ୍ୱମେଧ, ସୀତା ବନବାସ ଆଦି ତାଙ୍କର ଶ୍ରେଷ୍ଠ ନାଟକ । ଭାଶା ଓ ସାହିତ୍ୟ ଜ୍ଞାନ ପାଇଁ ୱେଲସ୍ ରାଜକୁମାରଙ୍କ ଦ୍ୱାରା ସେ ସୁନା କଙ୍କଣ, ସୁବର୍ଣ୍ଣ ପଦକ ଓ ମାନପତ୍ର ପୁରସ୍କାର ପାଇଥିଲେ । ୧୯୨୪ ଜାନୁଆରୀ ଆଜିର ଦିନ ତାଙ୍କର ପରଲୋକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here