ହିମାଂଶୁ ଶେଖର ଆଚାର୍ଯ୍ୟ : ଗୋପବନ୍ଧୁ-ଏହି ନାଆଁଟି ସ୍ମରଣ କରିବା ମାତ୍ରେ ପ୍ରଥମେ ଆସନ୍ତି ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ସବୁରି ପ୍ରିୟ ଦାସେ ଆପଣେ । ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରୁ ସତ୍ୟବାଦୀ ବନବିଦ୍ୟାଳୟ – ଏହାହିଁ ପାଞ୍ଚ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୯ ଅକ୍ଟୋବର ୧୮୭୭ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୧୭ ଜୁଲାଇ ୧୯୨୮ ପବିତ୍ର ନେତ୍ରୋତ୍ସବ ତିଥିରେ । ସେବା, ତ୍ୟାଗ ଓ ତିତିକ୍ଷାରେ ବିତିଗଲା ଜୀବନ । ମଣିଷ ପଣିଆର ନିଚ୍ଛକ ଉଦାହରଣ ଭିତରେ ହଜିଗଲା ଜୀବନଟି । ଜୀବନ ସିନା ହଜିଗଲା, ହେଲେ ସେ ଜୀଇଁ ରହିଛନ୍ତି ଆମ ଭିତରେ ତାଙ୍କ ସୁକର୍ମ ପାଇଁ ଆଉ ଜୀଇଁ ରହିଥିବେ ସବୁଦିନ ପାଇଁ ।

ଅଶିକ୍ଷା, କୁସଂସ୍କାର ଓ ଦାରିଦ୍ର୍ୟ ହିଁ ସମାଜର ମୁଖ୍ୟ କଳଙ୍କ ବୋଲି ମର୍ମେ ମର୍ମେ ଅନୁଭବ କରିଥିଲେ ଗୋପବନ୍ଧୁ । ଏଥିରୁ ମୁକ୍ତିପାଇଁ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳ ଛୁରୀଅନା କୁଞ୍ଜତଳେ ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଥିଲା ଏକ ମଣିଷ ତିଆରି କାରଖାନା । ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟଚେତନା, ଦେଶାତ୍ମବୋଧ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା । ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ମନିଷୀମାନଙ୍କ ନିଷ୍ଠାପର ସାଧନା ଓ ଶ୍ରମଦାନରେ ଗୁରୁକୁଳ ଶିକ୍ଷାର ଏକ ନୂତନ ଅ୍ମାୟ ସୃଷ୍ଟି ହୋଇଥିଲା ।

ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିନିକେତନ ଏବଂ ଆର୍ଯ୍ୟସମାଜ ଦ୍ୱାରା ପ୍ରତିଷ୍ଠିତ ବୈଦିକ ଶିକ୍ଷାନୁଷ୍ଠାନ ଢ଼ାଞ୍ଚାରେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ଏହା ପଛରେ ଥିଲା ଗୋପବନ୍ଧୁଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ସାଧନାର ‘ଫଳଶ୍ରୁତି । ରାଜନୈତିକ, ସାମାଜିକ ଓ ଜନସେବା ପରି ବିଭିନ୍ନକ୍ଷେତ୍ରରେ ଥାଇ ମଧ୍ୟ ସେ ସାହିତ୍ୟ ସେବା ପ୍ରତି ବିମୁଖ ହୋଇନଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋପବନ୍ଧୁ ଥିଲେ ନୂତନ ଯୁଗର ସ୍ରଷ୍ଟା ଯାହା ‘ସତ୍ୟବାଦୀ ଯୁଗ’ ରୂପେ ପରିଚିତ । ଗୋପବନ୍ଧୁ ଦାସ ଓ ତାଙ୍କର ସହଯୋଗୀ ସ୍ରଷ୍ଟାମାନେ ସେମାନଙ୍କ ଲେଖାରେ ଜାତୀୟତାବାଦକୁ ଗୁରୁତ୍ୱ ଦେଇଥିଲେ ।

ଉକôଳମଣି ଗୋପବନ୍ଧୁ ସାରା ଓଡ଼ିଶାର ମଉଡ଼ମଣି ଥିଲେ । ସେଇ ଗୋପବନ୍ଧୁ ଯିଏ ନିଜ ପୁଅକୁ ମୃତୁ୍ୟର ଦ୍ୱାର ଦେଶରେ ଛାଡ଼ି ଶହ ଶହ ମାଆଙ୍କ ସନ୍ତାନକୁ ମୃତୁ୍ୟ ମୁଖରୁ ବଞ୍ଚାଇବାକୁ ଘରୁ ବାହାରି ଆସିଥିଲେ, ସେ ଆଜି ନାହାଁନ୍ତି । ଆଜିବି ବଢ଼ି, ମରୁଡ଼ି ବେଳେ ଅସହାୟ ମଣିଷର ଆର୍ତ୍ତ ଚିକôାର ଶୁଭୁଛି । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚô ତାଙ୍କୁ ବୋଧ ଦେଇ, ଭରସା ଦେଇ ଆଖିର ଲୁହ ପୋଛି ନିଜ ହାତରେ ଖୁଆଇ ଦେବା ଭଳି ମଣିଷ ଜଣେ ବି କେହି ନାହାଁନ୍ତି । ସେଥିପାଇଁ ଆମ ଗୋପବନ୍ଧୁ ଆମ ପାଇଁ କାଳେ କାଳେ ନମସ୍ୟ, ସବୁଦିନର ଆଦର୍ଶ ।

ସେହିପରି ଆଉଜଣେ ଗୋପବନ୍ଧୁ ହେଉଛନ୍ତି- ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ଗୋପବନ୍ଧୁ ଚୈାଧୁରୀ ଜଗତସିଂହପୁର ଚୈାଧୁରୀ ପରିବାରର ସୁଯୋଗ୍ୟ ସନ୍ତାନ । ଏହି ପରିବାରର ମୁଖିଆ ଥିଲେ ତତ୍କାଳିନ ଜମିଦାର ବରିଷ୍ଠ ଆଇନଜୀବୀ ତଥା ଉକôଳ ଗୈାରବ ମଧୁସୁଦନ ଦାସଙ୍କ ଘନିଷ୍ଠ ସହଯୋଗୀ ଗୋକୁଳାନନ୍ଦ ଚୈାଧୁରୀ । ସାରା ଭାରତ ବର୍ଷରେ ଏହି ଚୈାଧୁରୀ ପରିବାର ଏମିତି ଏକ ପରିବାର ଯେଉଁ ପରିବାରର ପ୍ରତ୍ୟେକ ସଦସ୍ୟ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ ।

ଗୋପବନ୍ଧୁ ଚୈାଧୁରୀଙ୍କ ସହଧର୍ମିଣୀ ରମା ଦେବୀ, ସାନଭାଇ ବିପ୍ଳବୀ ଜନନାୟକ ନବକୃଷ୍ଣ ଚୈାଧୁରୀ , ଭାଇବୋହୂ ମାଳତୀ ଚୈାଧୁରୀ , ପୁତ୍ର ମନମୋହନ ଚୈାଧୁରୀ , କନ୍ୟା ଅନ୍ନପୂର୍ଣ୍ଣା ମହାରଣା, ଜ୍ୱାଇଁ ଶରତ ମହାରଣା, ଝିଆରି କ୍ରୀଷ୍ଣା ମହାନ୍ତି ଓ ଝିଆରୀ ଜ୍ୱାଇଁ ପ୍ରଫୁଲ ମହାନ୍ତି ଙ୍କୁ ବା ନଜାଣେ କିଏ? ଭାରତର ମୁକ୍ତି ସଂଗ୍ରାମ ଏମାନଙ୍କ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ ।

ଚୌଧୁରୀ ପରିବାରର ବଡପୁଅ ଗୋପବନ୍ଧୁ ଚୌଧୁରୀ । ଏହି ମହାନ୍ ଜନନାୟକ ୧୮୯୫ ମସିହା ମେ’ ୮ତାରିଖ କଟକ ସହରରେ ସ୍ୱରାଜ ଆଶ୍ରମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈ÷ତୃକ ଜନ୍ମସ୍ଥାନ ଜଗତସିଂହପୁରର ଖେରସ ଗ୍ରାମରେ ।ଗୋପବନ୍ଧୁ ଚୌଧୁରୀ ଥିଲେ ଜଣେ ମେଧାବୀ ଛାତ୍ର । ସେ କଟକରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି କଲିକତାରେ କୃତିତ୍ୱର ସହ ବି.ଏ. ଓ ଏମ୍.ଏ ପାଶ୍ କରିଥିଲେ ।

ପରେ କଲିକତାରେ ଆଇନ ପରୀକ୍ଷାର ପ୍ରଥମ ଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଆଇନ ପାଠ ଅସମାପ୍ତ ରଖି କଟକରେ ଡେପୁଟି ମାଜିଷ୍ଟ୍ରେଟ୍ ରୂପେ ଅବସ୍ଥାପିତ ହୋଇଥିଲେ । ମାତ୍ର ଏହି ଚାକିରି ତାଙ୍କୁ ଭଲ ଲାଗୁନଥିଲା । ଓଡ଼ିଆ ମାନଙ୍କ ପ୍ରତି ଇଂରେଜ ମାନଙ୍କ ତାଚ୍ଛଲ୍ୟ ବ୍ୟବହାର ତାଙ୍କୁ ବ୍ୟଥିତ କରି ପକାଇଥିଲା । ୧୯୨୦ ମସିହାରେ ଯେତେବେଳେ ଯାଜପୁର ଅଞ୍ଚଳରେ ଭୀଷଣ ନଈବଢିÿ ସମୟରେ ବନ୍ୟା ବିଧ୍ୱସ୍ତ ଗ୍ରାମ ମାନଙ୍କୁ ଦେଖି ସେ କାନ୍ଦି ପକାଇଥିଲେ ଓ ସରକାରଙ୍କୁ ସାହାଯ୍ୟ ଯଥେଷ୍ଟ ନୁହେଁ ବୋଲି ଦାବି ଜଣାଇଥିଲେ ।

ସରକାର ଗୋପବନ୍ଧୁଙ୍କ ଦାବିକୁ ଆଗ୍ରାହ୍ୟ କରିଦେବାରୁ ବାଧ୍ୟ ହୋଇ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାପରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଉଦ୍ଘାଟିତ ଅଳକାଶ୍ରମର ତତ୍ତ୍ୱାବଧାରକ ଦାୟିତ୍ୱନେଇଥିଲେ ସେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଅସହଯୋଗ ଅନେ୍ଦନ୍ଦାଳନ,ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଅନେ୍ଦାଳନରେ ସାମିଲ ହୋଇ ଜେଲ୍ ଯାଇଥିଲେ ଓ କାରାବରଣ କରିଥିଲେ ।୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା ।

ହେଲେ ଗୋପବନ୍ଧୁ ଚୌଧୁରୀ ଅନୁଭବ କଲେ ଯେ, ଏ ସ୍ୱରାଜ ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱରାଜ ନୁହେଁ । ସେଥିପାଇଁ ସେ କ୍ଷମତା ରାଜନୀତିରୁ ଦୂରେଇ ଯାଇଥିଲେ । ବରୀକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଥିଲେ ଓ ଏଇଠି ଗଢ଼ି ଉଠିଥିଲା “ ମାନବ ସେବା – ମାଧବ ସେବା ”ର ଯଜ୍ଞବେଦୀ ବହୁ ଚର୍ଚ୍ଚିତ ବରୀ ଆଶ୍ରମ । ଏହି ମହାନ୍ ଜନନାୟକଙ୍କ ମହାପ୍ରୟାଣ ଘଟିଲା ୧୯୫୮ ମସିହା ଏପ୍ରିଲ ୨୯ ତାରିଖରେ ।

କିନ୍ତୁ ଏହି ମହାନ ସ୍ୱଧୀନତା ସଂଗ୍ରାମୀ ଧୀରେ ଧୀରେ ବିସ୍ମୃତିକୁ ଚାଲିଯାଉଛନ୍ତି । ଉକôଳମଣି ଗୋପବନ୍ଧୁ ଦାସଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ଏହି ଗାନ୍ଧିବାଦୀ ମଣିଷ ପ୍ରସାର ପ୍ରଚାର ଅଭାବରୁ କ୍ରମଶଃ ଉତ୍ତର ପିଢିଙ୍କ ଠାରୁ ଦୂରରେ । ତାଙ୍କ ବିଷୟରେ ବିଶେଷ କିଛି ଆଲୋଚନା ହୁଏ ନାହିଁ । କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଆସିଲେ ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ଡାକ ବଙ୍ଗଳା ଛକ ଓ ତାଙ୍କ ଜନ୍ମମାଟି ଖେରସ ଠାରେ ଥିବା ଦୁଇଟି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣରେ ଆମ କର୍ତ୍ତବ୍ୟ ଶେଷ ହୋଇଯାଏ । ସେହିପରି ଯାଜପୁର ବରୀରେ ମଧ୍ୟ ସେହିଭଳି ଢଙ୍ଗରେ ସ୍ମୃତି ଚାରଣରେ ପୂଜ୍ୟପୂଜା ପରମ୍ପରା ବଜାୟ ରଖାଯାଏ । ଜୀବିତାବସ୍ଥାରେ ସେ ଯେପରି ପ୍ରସାର ପ୍ରଚାର ଠାରୁ ଦୂରରେ ଥିଲେ ତାଙ୍କ ଅବର୍ତ୍ତମାନରେ ବି ଉପଯୁକ୍ତ ପ୍ରସାର ପ୍ରଚାର ଅଭାବରୁ ସେ ବି ବିସ୍ମୃତିରେ ।

ଏହାହିଁ କ୍ଷୋଭର ବିଷୟ । କେବଳ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦୁଇଟି ପୁସ୍ତକ- ‘ଦୀପଂ ଜ୍ୟୋତି ପରମ ଜ୍ୟୋତି’ ଓ ‘ଧୂଳି ମାଟିର ସନ୍ଥ’ ତାଙ୍କ ଅମ୍ଳାନ ସ୍ମୃତିକୁ ସାଇତି ରଖିଛି । ସେହିପରି ବରୀ-ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ମହାବିଦ୍ୟାଳୟ ତାଙ୍କୁ ମନେ ରଖିବାର ଅନ୍ୟ ଏକ ମାଧ୍ୟମ ହୋଇ ରହିଛି । ଜିଲ୍ଲା ସ୍ତରରେ ବା ରାଜ୍ୟ ସ୍ତରରେ ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ ଓ ଶ୍ରଦେ୍ଧାସôବ ସେପରି ଆଖିଦୃଶିଆ ଭାବେ ପାଳନ କରାଯାଏ ନାହିଁ । ଏବେବି ସମୟ ଅଛି । ଡେରିରେ ହେଲେବି ଏହି ତ୍ୟାଗ ବୀର ତଥା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଓଡିଶା ସଂସ୍କୃତି ବିଭାଗ , ସାହିତ୍ୟ ଏକାଡେମୀ ବିଶେଷ କରି ଓଡିଶା ସରକାର ସମୁଚିତ ପଦକ୍ଷେପ ନେଲେ ବିସ୍ମୃତିକୁ ଚାଲିଯାଉଥିବା ଏହି ମହାନ ବ୍ୟକ୍ତିଙ୍କୁ ପୁଣି ଜନମାନସରେ ଉଜ୍ଜିବୀତ କରି ରଖାଯାଇପାରନ୍ତା!

LEAVE A REPLY

Please enter your comment!
Please enter your name here