ହିମାଂଶୁ ଶେଖର ଆଚାର୍ଯ୍ୟ : ଇତିହାସ ପୃଷ୍ଠାରେ ଅକ୍ଟୋବର ଦୁଇ ତାରିଖ ହେଉଛି ଏକ ଅବିସ୍ମରଣୀୟ ଦିବସ । ସେହିଦିନ ୧୮୬୯ ମସିହାରେ ସତ୍ୟ ଓ ଅହିଂସାର ପୂଜାରୀ, ଜାତିର ପିତା, ମହାମାନବ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମଦିବସରେ ତାଙ୍କର ସମସ୍ତ ଗୁଣକୁ ଧାରଣ କରି ଲାଲବାହାଦୂର ଶାସ୍ତ୍ରୀ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ପବିତ୍ର ଗଙ୍ଗାନଦୀ କୂଳରେ ଉତ୍ତରପ୍ରଦେଶର ମୋଗଲ ସରାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦୃଷ୍ଟିରୁ ଅକ୍ଟୋବର ୨ ତାରିଖ କେବଳ ଆମ ଦେଶ ନୁହେଁ ସମଗ୍ର ବିଶ୍ୱପାଇଁ ଏକ ମହାନ୍ ଦିନ ।

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଯୋଗଦାନ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁତନ ମୋଡଦେଇ ତାଙ୍କୁ ବିଶ୍ୱବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିବା ବେଳେ ଶାନ୍ତିଦୂତ ଲାଲବାହାଦୂର ଜଣେ ନିଆରା ଜନ ନାୟକ ଭାବେ ସାରା ବିଶ୍ୱରେ ସୁପରିଚିତ ହୋଇଥିଲେ । ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାନବ ଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । ସେମାନଙ୍କ ତ୍ୟାଗ,ତିତିକ୍ଷା ଓ ବଳିଦାନର ପଟ୍ଟାନ୍ତର ନାହିଁ । ଯଥାର୍ଥରେ ସେ ଦୁହେଁ ଥିଲେ କାଳଜୟୀ ବ୍ୟକ୍ତିତ୍ୱର ଅଧିକାରୀ ।

ମହାତ୍ମାଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନେ୍ଦାଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ ।

୧୯୧୫ ମସିହାରେ ଗାନ୍ଧିଜୀ ଭାରତକୁ ଫେରିଆସିଲେ । ସେ ଶାନ୍ତିର ଦେବଦୂତ ହୋଇଆସିଥିଲେ । ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇ ସେ ତାର ମଙ୍ଗୁଆଳ ସାଜିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଶେଷରେ ୧୯୪୨ରେ ଭାରତଛାଡ ଆନେ୍ଦାଳନର ଫଳସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତହେଲା । ପରାକ୍ରମୀ ଇଂରେଜ ସରକାର ତାଙ୍କ ପାଖରେ ପରାଜୟ ସ୍ୱୀକାର କଲେ । ଏହାଥିଲା ସେହି ମହାମାନବଙ୍କ ଐକାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନାର ଫଳ । ସେଥିପାଇଁ ସେ ମାହାମାନବର ଆସନରେ ଆସୀନ ।

ପ୍ରତ୍ୟେକ କାର୍ଯ୍ୟରେ ପ୍ରତିମୁହୂର୍ତ୍ତରେ ଗାନ୍ଧୀ ହିଁ ଥିଲେ ମଣିଷଜାତିର ବିସ୍ମୟ । ଗାନ୍ଧୀଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି । ତାଙ୍କ ମତରେ ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା । ସତ୍ୟ ହିଁ ସବୁଠାରୁ ସ୍ୱଳ୍ପ ଓ ବିନା ମୂଲ୍ୟରେ ହାସଲ କରାଯାଇପାରେ । ସତ୍ୟ ହିଁ ଈଶ୍ୱର ଓ ଶ୍ରମ ହେଉଛି ତାହାର ଉପାସନା । ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ୱରଙ୍କ ନିକଟରେ ପହଞ୍ଚିବା । ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା । ଗାନ୍ଧୀଙ୍କ ଆଦର୍ଶ ଓ ଦୃଷ୍ଟିକୋଣକୁ ନେଇ ଆମ ଦେଶ ସ୍ୱାଧୀନ ହେବାର ୨୦ ବର୍ଷ ପରେ ଏସିଆ ଓ ଆଫ୍ରିକାର ବହୁ ପରାଧୀନ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱାଧୀନତା ଲାଭ କରିବାରେ ସଫଳ ହେଲେ ।

କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ଧର୍ମନିରପେକ୍ଷତାର ଏକ ନିଚ୍ଛକ ପ୍ରତିଛବି ଥିଲେ ମହାତ୍ମାଗାନ୍ଧି । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ଗଣ୍ଡି ଭିତରେ ବାନ୍ଧି ହୋଇନଥିଲେ ସେ । ସର୍ବଧର୍ମ ସମନ୍ୱୟ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସେଥିପାଇଁ ତାଙ୍କ ପ୍ରାର୍ଥନା ସଭାରେ ସବୁଧର୍ମର ସାରକଥା ଆଲୋଚିତ ହେଉଥିଲା । ସେ କହୁଥିଲେ ଆମେ ସମସ୍ତେ ପରମପିତାଙ୍କ ସନ୍ତାନ – ମାତ୍ର ଭିନ୍ନଭିନ୍ନ ଭାବରେ ତାଙ୍କୁ ଉପାସନା କରୁଛୁ । ଭାରତରେ ରାମରାଜ୍ୟ ଗଢିବାର ଯେଉଁ ସ୍ୱପ୍ନ ଗାନ୍ଧିଜୀ ଦେଖିଥିଲେ, ତାହା ଅଧୁରା ରହିଗଲା । ତାଙ୍କର ଘଟଣାବହୁଳ ଜୀବନର ଅନ୍ତହେଲା ଆତତାୟୀର ଗୁଳିଚୋଟରେ ୧୯୪୮ମସିହା ଜାନୁଆରୀ ୩୦ ତାରିଖରେ ।

ସେହିପରି ଭାରତମାତାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଲାଲବାହାଦୁର ଶାସ୍ତ୍ରୀ ୧୯୨୧ ମସିହାରେ ଗାନ୍ଧିଜୀଙ୍କର ଅସହଯୋଗ ଆନେ୍ଦାଳନର ଡାକରାରେ ସାମିଲ ହୋଇ ଗିରଫ ହୋଇଥିଲେ । ଏଥିସହିତ ୧୯୩୦ ମସିହା ଲବଣ ସତ୍ୟାଗ୍ରହ ଓ ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଲାଲବାହାଦୂର ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ କରିଥିଲେ । ନିଷ୍କାମ ସାଧନା ଯେ ମନୁଷ୍ୟକୁ ସଫଳତାର ଶିଖରରେ ପହଞ୍ଚାଇପାରେ ତାହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସେଥିପାଇଁ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବହୁ ବଡବଡ ପଦବୀରେ ଅଧିଷ୍ଠିତ ହୋଇଥିଲେ । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଲାଲବାହାଦୂର ଉତ୍ତରପ୍ରଦେଶର ନୂତନ ସରକାରରେ ମନ୍ତ୍ରୀପଦ ଗ୍ରହଣ କରିବା ସହିତ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭଳି ଗୁରୁଦାୟିତ୍ୱକୁ ସଫଳତାର ସହ ତୁଲାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ୧୯୫୬ ମସିହାରେ କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ଯୋଗଦେଲେ ସେ ।

କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କରି ମନ୍ତ୍ରୀତ୍ୱ କାଳରେ ତାମିଲନାଡୁର ଆରୟାଲୁର ଠାରେ ଏକ ଟ୍ରେନ୍ ଦୁର୍ଘଟଣାରେ ୧୫୦ ଜଣ ଯାତ୍ରୀ ମୃତୁ୍ୟବରଣ କରିଥିଲେ । ଏଥିରେ ମର୍ମାହତ ହୋଇ ଶାସ୍ତ୍ରୀଜୀ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏଭଳି ଚରମ ତ୍ୟାଗର ଉଦାହରଣ ପୃଥିବୀ ଇତିହାସରେ ବିରଳ କହିଲେ ଅତୁ୍ୟକ୍ତି ହେବନାହିଁ ।

ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତୁ୍ୟ ପରେ ୧୯୬୪ ମସିହା ଜୁଲାଇ ୮ ତାରିଖ ଦିନ ଶାସ୍ତ୍ରୀଜୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ । ପ୍ରଧାନମନ୍ତ୍ରୀ ହେବାପରେ ଭାରତରୁ ଖାଦ୍ୟ ସମସ୍ୟା ଦୂର କରିବା ଓ ଦରିଦ୍ରଲୋକଙ୍କୁ ବାସଗୃହ ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଲୋକମାନେ ଯେପରି ଦୁଇଓଳି ଶାନ୍ତିରେ ଓ ଆନନ୍ଦରେ ପେଟପୁରା ଖାଇବାକୁ ପାଇବେ ସେଥିପାଇଁ ସେ ଅଗ୍ରାଧିକାର ଦେଇଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଗତି ପଥରେ ଆଗେଇଥିଲା । ଆମ ଦେଶର ପ୍ରଗତିରେ ଇର୍ଷାନ୍ୱିତ ହୋଇ ପାକିସ୍ତାନ ୧୯୬୫ ମସିହାରେ ଆମ ଦେଶକୁ ଆକ୍ରମଣ କଲା । ମାତ୍ର ଶାନ୍ତିକାମୀ ଶାସ୍ତ୍ରୀଜୀ ଏଥିରେ ବିଚଳିତ ହେଲେନାହିଁ । ତାଙ୍କ ପିଞ୍ଜରା ମଧ୍ୟରେ ଶତସିଂହର ବଳ ଆତ୍ମପ୍ରକାଶ କଲା ।

ଆମ ଦେଶକୁ ରକ୍ଷା କରିବା ପାଇଁ ସେ ବଜ୍ର ନିର୍ଘୋଷ କଣ୍ଠରେ ଆହ୍ୱାନ ଦେଇ କହିଲେ – “ଗୁଳିର ଜବାବ ଆମେ ଗୁଳିରେ ଦେବା” । ଶେଷରେ ରୁଷିଆର ପ୍ରଧାନମନ୍ତ୍ରୀ କୋସିଜିନ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ତାସ୍କେଣ୍ଟକୁ ଆମନ୍ତ୍ରଣ କଲେ । ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଳାଲବାହାଦୂର ଓ ପାକିସ୍ତାନର ରାଷ୍ଟ୍ରପତି ଆୟୁବ୍ ଖାଁ ତାସ୍କେଣ୍ଟଠାରେ ମିଳିତ ହେଲେ । ତାସ୍କେଣ୍ଟ ଠାରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେଲା । ମାତ୍ର ଶାନ୍ତିଦୂତ ଆଉ ଫେରିଆସିଲେ ନାହିଁ । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଚିରଦିନ ପାଇଁ ଶୋଇଗଲେ ସେ ।
ଆଜି ସେହି ଦୁଇ ମହାମାନବଙ୍କ ଜୟନ୍ତୀ ପାଳନ ଅବସରରେ ଅନେକ କଥା ମନେ ପଡୁଛି ।

ହେଲେ ସେଦିନର ସାଧନା ଆଜି ଇତିହାସ, ସଂକଳ୍ପ ସବୁ ସ୍ୱପ୍ନିଳ, ଆଉ ମୂଲ୍ୟବୋଧ ମାନ ଅଭିଧାନ ଗତ । ଖଟିଖିଆ – ମେହନତି ମଣିଷ ପାଇଁ ସେ ଦେଖିଥିବା ସ୍ୱପ୍ନ ଏବେ ବି ଅଧୁରା । ଏବେ ବି ସମୟ ଅଛି । ଏହି ଦୁଇ ମହାନ୍ ଜନନାୟକଙ୍କ ତ୍ୟାଗ, ସେବା ଓ ଜୀବନାଦର୍ଶକୁ ଉତ୍ତରପିଢିଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ଆମ ସମସ୍ତଙ୍କର । ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେଉ, ଏହା ହିଁ ଆଜିର ଅନୁଚିନ୍ତା ।

LEAVE A REPLY

Please enter your comment!
Please enter your name here