ହିମାଂଶୁ ଶେଖର ଆଚାର୍ଯ୍ୟ : ଉଦ୍ଭିଦ ଓ ପ୍ରାଣୀଜଗତ ଈଶ୍ୱରୀୟ ସୃଷ୍ଟି ଓ ଅନାଦି ଅଟେ । ପ୍ରାଣୀଜଗତର ସ୍ଥିତି, ବିକାଶ ଓ ବିଲୟ ଜଙ୍ଗଲର ଅବସ୍ଥିତି ଉପରେ ନିର୍ଭର କରିଥାଏ । କିନ୍ତୁ ଆଧୁନିକ ସଭ୍ୟତା ଜଙ୍ଗଲ ସମ୍ପଦର ଅବକ୍ଷୟର କାରଣ ହୋଇଛି । ଫଳରେ ବିଶ୍ୱ ପରିବେଶ ଦିନକୁ ଦିନ  ପ୍ରଦୂଷିତ ହେବାରେ ଲାଗିଛି  ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି ।  ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆମ ଦେଶରେ ୧୯୫୦ ମସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ  “ବନମହୋତ୍ସବ” ପାଳିତ ହୋଇ ଆସୁଅଛି ।  ବନମହୋତ୍ସବ ପାଳନର ଉଦେ୍ଦଶ୍ୟ ହେଲା ପରିବେଶ ସନ୍ତୁଳନ ରକ୍ଷାପାଇଁ ଲୋକମାନଙ୍କୁ ଗଛଲଗାଇବା ଓ ଏହାର ଯତ୍ନ ନେବାକୁ ସଚେତନ କରାଇବା । ଅନ୍ୟ ଅର୍ଥରେ କହିଲେ ଏହି ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ପରିବେଶ ପ୍ରଦୂଷଣର ଭୟଙ୍କରତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସlହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି । ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ,  ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି ଓ ଉତ୍ପାଦନ ବ୍ୟାହତ ହେଉଛି ।

ସମ୍ପ୍ରତି ପରିବେଶ ପ୍ରଦୂଷଣ,ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି । ପରିଣାମ ସ୍ୱରୂପ, ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଲାଣି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡୁଛି । ଫାଲ୍ଗୁନ-ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢି ବଢି ·ଲିଛି । କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା ।  ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ -ବାହାରେ ଅଗ୍ନିବର୍ଷା  ।  ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା ।

ଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା  ହେଉଛି । ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ  ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍,ଭୁଟାନ,ଭାରତ,ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା  । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ତିନିବର୍ଷ ପୂରିବାକୁ ଯାଉଛି । ସେହି ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ ।  ଆଗାମୀ ଦିନରେ ପ୍ରକୃତିର ଏହି କ୍ରୁର ରୂପ କିଭଳି ଆକାର ଧାରଣ କରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁ·ପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । ଜଙ୍ଗଲ ଧଂ୍ୱସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି ।

ବୈଜ୍ଞାନିକଙ୍କ ମତରେ ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷରାଜି ଓ ବନାନୀ ଏକାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡା ବୃକ୍ଷ ଶୂନ୍ୟ । କାଁ ଭାଁ ଦୁଇ ·ରିଟା ଗଛ ଥିବ କି ନ ଥିବ । ସେଗୁଡିକର ଶାଖା ମଧ୍ୟ କର୍ତ୍ତିତ । ଯାହାଫଳରେ ଅଦିନରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ଡାକି ଆଣିଛୁ ବୋଲି କହିଲେ ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଓ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ୱଂସ । ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ୱଂସ ଯୋଗୁଁ ଅସମୟରେ ବନ୍ୟା,  ଝଡବାତ୍ୟା, ବଜ୍ରପାତ, ସୁନାମୀ, ଅଂଶୁଘାତ ଓ ଭୂକମ୍ପ ଭଳି ବିପର୍ଯ୍ୟୟର ସମ୍ଭାବନା ବଢି ବଢି ·ଲିଛି । ଏବେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ।  ଅସମ୍ଭାଳ ହୋଇଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଆକାଶରୁ ନିଆଁ ହୁଳା ପଡୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏଥର ମଧ୍ୟ ପ୍ରାୟ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍  ଟପିଥିବା ବେଳେ ଟିଟିଲାଗଡ, ତାଳଚେର, ଅନୁଗୁଳ ବିଭିନ୍ନ ସମୟରେ ରାଜ୍ୟର ଉତ୍ତପ୍ତ ସହର ଥିଲା ।ଏପରିକି ବାତ୍ୟା ଅମ୍ଫାନ ଓ ମୈାସୁମୀ ନିଦ୍ଧାରିତ ସମୟରେ ଆସିଥିଲେ ବି ତାତିରୁ ନିସ୍ତାର ମିଳୁନାହିଁ  ।ଅସ୍ତ ବ୍ୟସ୍ତ ହେଉଛି ଜୀବନ  ।    ସବୁଠୁ ଦୟନୀୟ ଅବସ୍ଥା ପଶୁପକ୍ଷୀଙ୍କର । ସେମାନଙ୍କ ଅବସ୍ଥା ନକହିଲେ ଭଲ ।

ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି  । ଏହାର ପ୍ରଭାବ ସବୁ ସ୍ତରରେ ଅନୁଭୂତ ହେଉଛି । ପରିବେଶ ମଧ୍ୟ ଏଥିରୁ ବାଦ୍ ପଡିନି । କରୋନାକୁ ପ୍ରତିହତ କରିବାପାଇଁ ମାର୍ଚ୍ଚ ୨୨ ଗୋଟିଏ ଦିନ ପାଇଁ ସାରା ଦେଶରେ ଲକ୍ଡାଉନ ରହିଥିଲା  । ମାର୍ଚ୍ଚ ୨୪ ରୁ ପର୍ଯ୍ୟାୟକ୍ରମେ ଚାରି ପର୍ଯ୍ୟାୟରେ ଲକଡାଉନ ଲାଗୁ କରାଗଲା ।ରାସ୍ତାରେ ଗାଡି ମଟର ଗଡିନଥିଲା ।ଶିଳ୍ପ ସଂସ୍ଥା ବି ବନ୍ଦରହିଲା । ଫଳରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ହ୍ରାସ ପାଇଥିଲା  । ପର୍ଯ୍ୟାୟକ୍ରମେ କଟକଣା କୋହଳ  ହେଲା । ଗାଡି ମଟର ଗଡିଲା ଶିଳ୍ପ ସଂସ୍ଥା ଚାଲିଲା ପରିଣାମ ସ୍ୱରୂପ, ଏବେ ସହରର ପ୍ରଦୂଷଣ ମାତ୍ରା ପୁଣିଥରେ ଉପର ମୁହାଁ ଧରିଛି ।ଦେଶର ୧୨୦ଟି ସହର ମଧ୍ୟରେ ଓଡିଶାର ୬ ଟି ସହର ସମେତ ଯଥା-ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର,ବାଲେଶ୍ୱର, ଓ ରାଉଲକେଲାରେ ପ୍ରଦୂଷଣ ମାତ୍ରା ଏବେବି ଉଦ୍ବେଗଜନକ ସ୍ଥିତିରେ ରହିଛି ।  ପ୍ରତି ବର୍ଷ ବନମହୋସôବ ଆସିଲେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ  ନୂତନ ଜଙ୍ଗଲର ସୃଷ୍ଟି,  ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଲଣ୍ଡା ପାହାଡରେ ବୃକ୍ଷରୋପଣ,ସହରାଞ୍ଚଳରେ ବନୀକରଣ ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ  । ମଣିଷଟିଏ -ଗଛଟିଏ ସ୍ଲୋଗାନ ଦିଆଯାଇଥାଏ  ।

ନୂତନ ଚାରା ରୋପଣ କରାଯାଇ ବନମହୋତ୍ସବ ସପ୍ତାହକୁ ଧୁମ୍ଧାମରେ ପାଳନ କରାଯାଇଥାଏ । ଛାତ୍ରଛାତ୍ରୀ ମାନଙ୍କୁ ଠାରୁ ଆରମ୍ଭ କରି ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ଏପରିକି ବେସରକାରୀ ଓ ସରକାରୀ ସ୍ତରରେ ଏହି ସାତ ଦିନ ଧରି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥାଏ । କିନ୍ତୁ ଲଗାଯାଇଥିବା ଚାରା ଗଛ ମଧ୍ୟରୁ ଆସନ୍ତା ବର୍ଷ ଏହି ବର୍ଷକୁ କେତେ ଚାରା ଗଛ ବଞ୍ଚିଥାଏ ତାହା ସମସ୍ତଙ୍କୁ ଜଣା । କାଗଜ କଲମରେ ସବୁ ସୀମିତ ରହିଥାଏ  । ସାତ ଦିନ ଚାଲିଗଲେ ସତେ ଯେମିତି ଆମ ଦାୟିତ୍ୱ ସରିଯାଏ  । ତାପରେ ଆମେ ଚୁପ୍ଚାପ ବସିଯାଉ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ  ।    ଏବେ  ଚିନ୍ତା କରିବାର ବେଳେ ଆସିଛି । ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଆହ୍ୱାନ । ଆମକୁ ମନେରଖିବାକୁ ହେବଯେ, କେବଳ ଆମର ସୁରକ୍ଷା ନୁହେଁ ଉତ୍ତରପିଢିର ସୁରକ୍ଷା ଦାୟିତ୍ୱ ହିଁ ଆମ ଉପରେ ନ୍ୟସ୍ତ । ଏଥିପାଇଁ ସୁବ ସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର ।  ପରିବେଶକୁ ଭଲପାଉଥିବା ଓ ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଜାଣିବା ଜରୁରୀ  ।ଏହାହିଁ ବନମହୋ ବନମହୋତ୍ସବ  ସପ୍ତାହ ପାଳନ  ଅନୁଚିନ୍ତା ।

LEAVE A REPLY

Please enter your comment!
Please enter your name here