ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି: ପୋଲିସ୍ବାବୁଙ୍କ ଅନୁମତି ନେଇ ରଙ୍ଗ ସଙ୍ଗରୋଧ ସ୍କୁଲ୍ ଫାଟକ ଭିତରେ ପଶିଲା । ସାଙ୍ଗରେ ଥାଏ ଧରମଭାଇ ନାରୁ । ପୋଲିସ୍ ବାବୁ କହିଲେ ଦଶମିନଟ୍ରୁ ବେଶିସମୟ ଦେଖା କରିହେବନି । ସେ ପଛଝରକା ପାଖକୁ ଯାଇ ଝରକାଠାରୁ ଦୁଇଗଜ ଦୂରରେ ଛିଡାହୋଇ ଅଭିନାକୁ ଡାକିବ । ତୁମେ ଝରକାପାଖକୁ ଗଲେ ପିଠିରେ କୋରଣା ବସିବ । ଅଳ୍ପସମୟ କଥାହୋଇ ଚାଲିଯିବ । ଯାଅ, ଜଲଦି ଯାଅ । ସେ ପଛପଟ ଝରକା ନମ୍ବର ତିନି ପାଖକୁ ଯାଅ । ରଙ୍ଗ ଓ ନାରୁ ଦୁହେଁ ଗୁଗୁଚିଆ କଂଟାବଣ ଭିତରେ ପଛପଟ ଝରକା ପାଖକୁ ଗଲେ । ସ୍କୁଲ୍ ଘରଭିତରେ କିଛିଲୋକ ଚଳପ୍ରଚଳ ହେଉଥିବାର ଜଣା ଗଲା । ନାରୁ ବଡପାଟିରେ ଡାକିଲା, – ଅଭିନା! ଅଭିନା! । ଅଭିନା ଶୋଇଥିଲା ।

ଶଉପ ଶେଯଉପରୁ ଉଠି ଝରକା ପାଖକୁ ଆସି ଦେଖିଲା ନାରୁ ସାଙ୍ଗରେ ରଙ୍ଗ ଆସିଛି । ଅଭିନା ମନେମନେ ବହୁତ ରାଗିଲା । ଅଭିନାର ଘରେ ତା ବଡଭାଇ, ଭାଉଜ ଓ ପାଂଚ ବର୍ଷର ଝିଆରୀ ସାଙ୍ଗରେ ସାଙ୍ଗହୋଇ ରହେ ତା’ସ୍ତ୍ରୀ ରଙ୍ଗ । ବାହାଘର ଚାରିବର୍ଷ ହେଲାଣି । ପ୍ରଥମ ଦୁଇବର୍ଷ ତିନିମାସରେ ଥରେ ଅଭିନା ଘରକୁ ଆସୁଥିଲା । ତା’ପର ବର୍ଷକୁ ଦୁଇଥର ଘରକୁ ଆସିଥିଲା । ଏ’ବର୍ଷ ବର୍ଷାଦିନେ ଆସି ଜମିବାଡି କାମରେ ଭାଇକୁ ସାହାଯ୍ୟ କରିବବୋଲି ଆଉ ଆସିନଥିଲା । ଦୁର୍ଭାଗ୍ୟକୁ କରୋନା ଆସିଲା । ସୂତାକଳ ବନ୍ଦ । ଦେଢମାସେ ସୁରାଟରେ ହଇରାଣ ହରକତରେ ଦିନକାଟି ଶେଷରେ ସାଇକେଲ୍ରେ ବାହାରି ଆସିଲା ।

ସାଇକେଲ୍ ପେଡାଲ୍ ମାରିମାରି କଷ୍ଟ ହେଲାବେଳେ ଘରକଥା ଭାବେ । ପହଁଚିଲା ପରେ ଭାଉଜ ଥଣ୍ଡାପାଣି ଓ ଦେଶୀ ଗାଈକ୍ଷୀରରେ ତିଆରିକରି ରଙ୍ଗହାତରେ ଗରମା ଗରମ ଚା ’ ପଠେଇବେ । ଝିଆରୀ ତା ବେକରେ ଝୁଲିଯାଇ ଗାଲରେ ବୋକ ଦେଉଦେଉ ପଚାରିବ, ‘କକା! ମୋ ପାଇଁ ଚକୋଲେଟ୍ କହିଁକି ଆଣିନ?’ ତାକୁ କୋଉ ଜଣାଅଛି ସବୁ ଦୋକାନବଜାର ମାସେ ହେଲାଣି ବନ୍ଦ । ଛୁଆଟା, ଜାଣିବ କେମିତି? ଅଭିନା ବର୍ଷେ ହେଲା ଭାଉଜସାଙ୍ଗରେ ଥଟ୍ଟାମଜା ଖେଳିନି କି ଭାଉଜ ହାତବଟା ଭାଙ୍ଗଟିକେ ଚାଖିନି । ଖରାଦିନେ ଭାଉଜ ସପ୍ତାହରେ ଥରେ ଶିଳରେ ଭାଙ୍ଗପତି ପୂରା ଚିଖଲକରି ବାଟି ବେଲପଣା ତିଆରି କରନ୍ତି । ଭାଉଜର ହାତ ଭାରି ସୁଆଦ । ଅଭିନାର ବେଲପଣାରେ ପେଟସଫା ବହୁତ ଭଲହୁଏ । ରଙ୍ଗକୁ ଭାଙ୍ଗ ଭଲ ଲାଗେନି । ରଙ୍ଗ ଆଇଲା ଦିନଠୁଁ ଅଭିନାର ବେଲପଣା ପିଆ କମିଯାଇଛି । ତଥାପି କାଲି ହେବ । ସୁରାଟରୁ ସିଏ ବାହାରିଥିଲା ସପ୍ତାହେ ଉପରେ ହେଲାଣି । ମୁଢିଚୁଡା ଯାହା ବାନ୍ଧିଥିଲା ସବୁ ସରିଗଲାଣି । ରାସ୍ତାରେ କିଛି ବୋଲି କିଛି ଖାଇବାକୁ ନାହିଁ । କଷ୍ଟ ହେଲେ ରଙ୍ଗ, ଭାଉଜ ଓ ଝିଆରୀ ମୁହଁ ମନେପକେଇ କଷିକି ପେଡାଲ୍ ମାରୁଛି ।

ଗତମାସରେ ଭାଇ ପାଂଚଥର ଫୋନ କରି ଭଲମନ୍ଦ ପଚାରୁଥିଲା, ତା’ପରେ ଆଉ କାହାରି କିଛି ଖବରଅନ୍ତର ନାହିଁ । ଥରେ ଭାଉଜ ଭାଇଙ୍କଠାରୁ ନେଇ ରଙ୍ଗବିଷୟରେ କିଛି ଖରାପ କଥା କହୁଥଲା । ଛଅମାସେ ହେଲା ଅଧିକାଂଶ ସମୟ ନାରୁ ରଙ୍ଗସାଙ୍ଗରେ ନଙ୍ଗରପଙ୍ଗର ହୋଉଛି । ଏବେ ଚାରିମାସେ ହେଲା ନାରୁକୁ ରଙ୍ଗ ଧରମଭାଇ କରିଛି । ଭାଇ ଭଉଣୀ ଦ୍ୱିପ୍ରହର ସାରା ପଛଅଗଣା ଲିମ୍ବଗଛ ମୂଳ ପଥରଉପରେ ବସି ଦି ତିନିଘଂଟା ଦୁଃଖସୁଖ ହେଉଛନ୍ତି । ସାଇପଡିଶା ଲୋକେ ଦେଖି ଯାହା ମୁହଁରେ ଯାହା ପଶିଲା କହୁଛନ୍ତି । କେହି କୁହନ୍ତେନି, ମୂଳକାରଣ ରଙ୍ଗର ଗେରସ୍ତ ଅଭିନା ସୁରାଟରେ ରହୁଛି । ଷୋଳବୟସି ଜବାନ ବୋହୂଟା ସାଙ୍ଗରେ ବିଜିବିଜା ବୟସରେ ଓଥରା ଟୋକା ନାରୁ ହେଁ ହେଁ ଫେଁ ଫେଁ ହେଲେ ମଫସଲ ଗାଁରେ କିଏ ନକହିବ କହିଲେ! ଛଅବର୍ଷ ତଳେ ନାରୁ ଓ ଅଭିନା, ଦୁହେଁ ଅନ୍ତରଙ୍ଗ ବନ୍ଧୁଥିଲେ ।

ପ୍ରଥମେ ଅଭିନା ଓ ନାରୁ ଦୁଇଜଣଯାକ ବିବାହ ପୂର୍ବରୁ ରଙ୍ଗକୁ ଦେଖିବାକୁ ଏକାଠି ଗୋଟିଏ ମୋଟରସାଇକେଲ୍ରେ ଯାଇଥିଲେ । ସେଦିନ ପ୍ରଥମ ଦେଖାରେ ରଙ୍ଗ ନାରୁକୁ ତା’ର ଭାବି ବରବୋଲି ଭାବି ବାହାଘର ପର୍ଯ୍ୟନ୍ତ ଅନେକଥର ତାକୁ ନେଇ ଘରସଂସାର ସ୍ୱପ୍ନ ଦେଖୁଥିଲା ବୋଲି ଦୁହିଁଙ୍କ ଆଗରେ ବହୁତଥର କହିଛି । ଯାହାହେଉ ଏବେ ତ ଅଭିନାସହ ରଙ୍ଗର ବାହାଘର ସମ୍ପର୍ଣ୍ଣର୍ର୍ ହେଲା । କିନ୍ତୁ ପ୍ରଥମଦିନରୁ ନାରୁପ୍ରତି ରଙ୍ଗର ଦୁର୍ବଳତା ଥାଏ । ଏବେ ନାରୁ ବିଦେଶ ଚାଲିଯିବା ପରେ ରଙ୍ଗର ସ୍ୱାଧୀନତା ବଢିଯିବାରୁ ନାରୁ ସହ ପୁରୁଣା ମନୋକାମନା ଚରିତାର୍ଥ କରିବାପାଇଁ ତା’ସହିତ ଧରମଭାଇ ବୋଲି ନୂଆସମ୍ପର୍କ ସୃଷ୍ଟିକରି ସିନେମା, ବଗିଚାଆଦି ବୁଲିବା ସହ ଡେରିହେଲେ କେତେବେଳେ ତା’ଙ୍କ ଘରେ ବି ତା’ସାଙ୍ଗରେ ରହିଯାଉଛି । ନାରୁର ଘରେ ନାରୁକୁ ଛାଡି ମାତ୍ର ଜଣେ ଲୋକ । ତାର ମାଆବୁଢୀ, ଆଖିକୁ ଭଲରେ ଦିଶୁନି ।

ସିଏ ରଙ୍ଗକୁ ଆରେଇ ଗଲାଣି, କିଛି ବାରଣ କରେନି । ଏସବୁ ଚୁମ୍ବକରେ ଅଭିନାର ଭାଉଜ ଦିନେ ନାରୁକାନରେ ପକେଇଛି । କିନ୍ତୁ ନାରୁ ଭାବିଛି, ‘ଯାହା ନଦେଖିବ ବେନି ନୟନେ, ପରତେ ନଯିବ ଗୁରୁ ବଚନେ ।’ ସୁରାଟରୁ ଗଞ୍ଜାମ ଷୋଳଶହ ମାଇଲ୍ ଦୂର । ସବୁରାସ୍ତା ପାରକରି ଆସିଲାଣି । ଆଜିସନ୍ଧ୍ୟାରେ ଇଚ୍ଛାପୁରମ୍ରେ କୋଉଠି ଟିକେ ବିଶ୍ରାମକରି, ପାହାନ୍ତିଆ ସାଇକେଲ୍ ବାହାରକଲେ ଦ୍ୱିପହରେ ଗାଁରେ ପହଁଚିଯିବ । ପ୍ରଥମେ ଝିଆରୀକୁ ଟିକେ ଗେଲକରି ରଙ୍ଗକୁ ଦେବ ଜାଦୁକି ଝପି । ବିଡୁ ସ୍ଟାଇଲ୍ରେ ସଞ୍ଜୟ ଦତ୍ତ ପରିକା । ଭାଉଜ ବାଧକ ସାଜିଲେ ତାଙ୍କୁ ଆଖିମାରି ଯା’ ବୋଲିକହିବ । ରଙ୍ଗଠାରେ ମନ ବୋଧ ହେଲାପରେ ଯାଇ ଯିବ ଭାଉଜପାଖକୁ, ଦେହ ମଜରା ଛାଡିବାକୁ ଭାଙ୍ଗବେଲ ପଣା ବନେ୍ଦାବସ୍ତ କରି ତିନି ଚାରିଦିନ ଯାଏଁ ଖାଲି ଖାଇବ ଶୋଇବ, ଖାଇବ ଶୋଇବ । କିଛି ବୋଲେ କିଛି କରିବନି । ଗୋଡ ଘସିଘସି ରଙ୍ଗ ହାତ ଦରଜ କରେଇବ । ରଙ୍ଗ ବିଶ୍ରାମ ନେଲାବେଳେ ଝିଆରୀ ତା’ଅଂଟାରେ ଚଢିବ ।

ଏମିତି ରଙ୍ଗିନ୍ ଦୁନିଆରେ ବୁଲିବୁଲି ଅପରାହ୍ନ ଚାରିଟାରେ ଗାଁ ମୁଣ୍ଡ ଛକରେ ଅଭିନା ପହଁଚିଲା । ପୋଲିସଦଳଙ୍କ ତମ୍ବୁ ଟଣାଯାଇଛି । ଆରବର୍ଷ ନୂଆ ନିର୍ବାଚିତ ସରପଂଚ ସ୍କୁଲ୍ ଯିବାର କେହି ଦେଖିନାହାନ୍ତି । କିନ୍ତୁ ଏବେ ଜିଲ୍ଲାପାଳ କ୍ଷମତା ପାଇବାପରେ ସିଏ ଇନ୍ଦ୍ରଚନ୍ଦ୍ର ମାନୁନି । ଅଭିନାର ପୂରା ଜାତକ ଟିପିସାରିଲା ପରେ ସ୍କୁଲ୍ଘରକୁ ନେଇ ଗୋଟାଏ ଖଟ ଦେଖେଇ ଶୋଇବାକୁ କହିଲା । ଅଭିନା କହିଲା, ‘ଆମ ଘରେ ତ ମୁଁ ରହି ପାରିବି?’ ସରପଂଚ କହିଲା, -‘ଆମେ ତୁମ ଭାଇଭାଉଜକୁ ଆଗରୁ ପଚାରିଛୁ । ତୁମର ଗୋଟେ ପାଇଖାନା । ତେଣୁ ସେଠି ରହିବାକୁ ହେଲେ ଘରେ ତୁମପାଇଁ ଆଉଗୋଟେ ପାଇଖାନା ଦରକାର ।

ଏବେ ଚଉଦଦିନ ପର୍ଯ୍ୟନ୍ତ ତୁମେ କାହାସହ ମିଳାମିଶା କରି ପାରିବନି । ତୁମପାଇଁ ଗାଧୁଆଘର ପାଇଖାନା ଅଲଗା ଥିବା ଦରକାର । ଏମିତିରେ ତୁମ ଦେହ ଟିକେ ଅଧିକ ଗରମ ଅଛି ।’ ଅଭିନା କହିଲା, -‘ଭାଇ ଗତ ନଅ ଦଶଦିନ ହେଲା ମୁଁ ସାଇକେଲ୍ରେ ସୁରାଟରୁ ଆସୁଛି । ବାଟଘାଟରେ ଯେତେ ହ୍ୟାଣ୍ଡ୍ପମ୍ପ ପଡିଛି, ସବୁଥିରୁ ପାଣି ପିଇଛି । ମୋ’ଠି କରୋନା ଫରୋନା କିଛି ନାହିଁ ।’ ସରପଂଚ ରାଗିକି କହିଲା, -‘ଭାଇ ସୁରାଟ ଓ ପଶ୍ଚିମବଙ୍ଗ ଦୁଇଟି ଜାଗାପାଇଁ ଓଡିଶା କରୋନା ରୋଗୀଙ୍କ ସ୍ୱର୍ଗ ହେବାକୁ ଯାଉଛି । ଅଳ୍ପଦିନରେ ଲାଗୁଛି ମହାରାଷ୍ଟ୍ରକୁ ଟପିବ । ତୁମ ଭାଷଣ ସେତିକି ଥାଉ, ଆଜି ଏହି ସ୍କୁଲ୍ରେ ରୁହ । କାଲି ତୁମ ଭାଇଭାଉଜ ଯଦି ତୁମକୁ ଦେଖିବାପାଇଁ ଚାହିଁବେ ତେବେ ଆମେ ସୁଯୋଗ ଦେବୁ ।

ସାକ୍ଷାତ ସମୟରେ ତୁମେ ଯଦି ତୁମପାଇଁ ଅଲଗା ଗାଧୁଆଘର ଓ ପାଇଖାନା ସୁବିଧା କରି ଆମକୁ କହିବ ତେବେ ଦେଖିବା । ଅଭିନା ତ ରଙ୍ଗିନ୍ ଦୁନିଆରେ ଉଡିଉଡି ଏତେଗୁଡାଏ ବାଟରୁ ଆସିଥିଲା । ସରପଂଚକୁ ନେହୁରା ହେଲା, -‘କାଲିସକାଳେ କାହିଁକି ଡାକିବ? ଏବେ ଆମଘରେ ଖବର ଦିଅ,ଏଇଠି ଯଦି ସେମାନେ ଚାହିଁବେ ତେବେ ଘରକୁ ନେଇଯିବେ । ଆମକାକାଙ୍କ ଘରେ ଗୋଟେ ଗାଧୁଆ ଘର ଓ ପାଇଖାନା ଅଛି । ସେଥିରେ ଦୁଇ ପରିବାରର ସମସ୍ତ ସଭ୍ୟ ଚଳେଇନେଲେ, ମୁଁ ଆମ ଗାଧୁଆଘର ଓ ପାଇଖାନା ବ୍ୟବହାର କରନ୍ତି । ତୁମେ ଯାଇ ମୋ ଭାଇକୁ କୁହ, ଏବେ ଏଠିକି ଆସନ୍ତୁ ।’

ସରପଂଚ ବାବୁ, ତା’ର ଡ୍ରାଇଭର୍ ପ୍ରତାପକୁ ଅଭିନାଘରକୁ ପଠେଇଲା । ପ୍ରତାପ ଯାଇ ଖବରଦେଲା, -‘ଅଭିନା ଗାଁମୁଣ୍ଡ ଛକରେ ପୋଲିସଦଳଙ୍କ ପାଖରେ ସୁରାଟରୁ ଆସିକି ଅଛି ।’ ଭାଇ ବାହାରିଲା । ଭାଉଜ ମନାକରି କହିଲା, -‘ଖବରଦାର୍ । ମୋ’ଝିଅ ଛୋଟଛୁଆ । କରୋନା ଛୁଆ ଓ ବୁଢାଙ୍କୁ ଦି ଚାରିଦିନରେ ଶେଷ କରିଦେଉଛି । କାଲି ସକାଳେ ଆମେଦୁହେଁ ଅଭିନା ପାଖକୁ ଯିବା । ବହୁତ ଲୋକଙ୍କୁ ସେଠି ଖୁଆଇପିଆଇ ରଖିଛନ୍ତି, ତୁମଭାଇ ବି ସେଠି ରହିବ । ଅସୁବିଧା କଣ!’ ଏମିତି କଥାଶୁଣି ପ୍ରତାପ ଫେରି ଆସି ଜଣେଇଲା ଯେ କାଲି ଅଭିନା ଭାଇ ଓ ଭାଉଜ କ୍ୱାରାଂଟାଇନ୍ ସେଂଟର୍କୁ ଆସି ତା ସହ କଥାହେବେ ।

ଅଭିନା ଏକଥା ଶୁଣି ଭାଙ୍ଗିପଡିଲା । ଭାବିଲା ଯେଉଁ ଭାଇ ଭାଉଜଙ୍କ ପାଇଁ ସେ ନିଜରକ୍ତକୁ ପାଣିକରି ଦଶ ଦଶଘଂଟା ଅତିରିକ୍ତ ଡୁ୍ୟଟିକରି ମାସକୁମାସ ଏତେଏତେ ପଇସା ପଠାଏ, ଆଜି ତା’ଙ୍କ ପାଖରେ ଘଂଟାଏ ସମୟ ନାହିଁ । ସିଏ ତ ଭାବିଥିଲା ସେମାନେ ଶୁଣିଲା ମାତ୍ରେ କୃଷ୍ଣ ସୁଦାମାଙ୍କୁ ପାଛୋଟି ଆଣିବାପରି ଦୌଡିବେ ବୋଲି । ହେଲେ କେହି ଜଣେ ବି ଘରୁ ଗାଁ ମୁଣ୍ଡଛକକୁ ଦେଖିବାକୁ ବି ଆସିଲେନି! ଆଉ କିଛି କହିଲାନି । ଚୁପ୍ପ୍ଚାସରପଂଚ ଯାହାକହିଲା ମାନି ସ୍କୁଲ୍ଘର ଭିତରେ ଯାଇ ଶୋଇଗଲା । ରାତି ନଅଟାରେ କିଏ ଜଣେ ଥାଳିରେ କିଛି ଭାତ, ରୁଟି, ଭଜା, ଡାଲି, ଭରତା ଆଣି ତାକୁ ଶେଯରୁ ଉଠେଇ ଖାଇବାକୁ ଦେଲା । ଖାଇଲା ପରେ ହାତଧୋଇ ଆଉଥରେ ଶୋଇଲା ଯେ ଉଠିଲା ସକାଳ ଆଠଟାରେ । ଏଣେ ଅଭିନାର ଘରେ ଭାଇଭାଉଜ ସକାଳେ ଅଭିନାକୁ ଭେଟିବା ଯୋଜନା କରିବାରୁ ରଙ୍ଗ କହିଲା ନାରୁଭାଇ ସାଙ୍ଗରେ ମୁଁ ଏବେ ଯାଇ ତାଙ୍କୁ ଟିକେ ଦେଖିଆସୁଛି ।

ଘରେ ବା କାହିଁକି ମନା କରିବେ! ରଙ୍ଗ ପୂରା ମେକ୍ଅପ୍ ନେଇ ବାହାରିଲା ବେଳେ ଭାଉଜ ମୁହଁ ମୋଡୁଥାଏ । ହଁ ମ! ବର୍ଷେହେଲା ଅଭିନାକୁ ଦେଖିନି ଯେତେବେଳେ ଟିକେ ମୁହଁରେ ରଙ୍ଗବୋଳି, ଶାଢୀରେ ଅତର ଢାଳି ନଗଲେ କେମିତି ଚଳିବ! ରଙ୍ଗର ବାସ୍ନାରେ କିନ୍ତୁ ଧରମଭାଇ ନାରୁର ବଦମାସ୍ ମନଟା ବିଗିଡିଗଲା । କହିଲା, ରଙ୍ଗ! ଏବେ ନାରୁ ଆସିଗଲା । କାଲିଠାରୁ ଆମର ଆଉ ଖେଳ ଜମିବନି । ଏ’ରାତିରେ ପୋଲିସ୍ ସ୍କୁଲ୍ ଭିତରକୁ ଛାଡିବେନି । ଆଜିରାତିରେ ଚାଲ୍ ଆମଘରେ ରହିଯିବା । କାଲିସକାଳୁ ଆସି ଅଭିନାକୁ ଦେଖା କରି ଫେରିବା । ରଙ୍ଗ ରାଜିହେଲା । ଅଭିନାଘରେ ଭାଇ ଭାଉଜ ଝିଆରୀ ଶୋଇଲେ ଏବଂ ରଙ୍ଗ ଅଭିନାକୁ ଦେଖିବା ନାଁ ରେ ନାରୁସାଙ୍ଗରେ ନିଜ ଘରୁ ବାହାରିଆସି ଚାଲିଲା ନାରୁଘରକୁ ମଜା କରିବାକୁ । ସମସ୍ତେ ନିଜ ନିଜ ଲାଭରେ । ଏଇତ ଦୁନିଆ ।
ସୂର୍ଯ୍ୟ ମୁଣ୍ଡ ଉପରେ ହେଲେଣି । ସମସ୍ତଙ୍କ ଘରୁ ଚା’ଜଳଖିଆ ପୋଲିସ ମାଧ୍ୟମରେ ସେ ସଙ୍ଗରୋଧ କୋଠରୀକୁ ଆସି ସାରିଲାଣି । ସରକାରଙ୍କ ତରଫରୁ ଦିନ ଗୋଟାଏ ରୁ ଦେଢଟା ଭିତରେ ଅରୁଆଭାତ ଡାଲ୍ମା ମିଳୁଛି ।

ସକାଳେ ଓ ସନ୍ଧ୍ୟାରେ ନିଜର ଲୋକ ଯାହାକୁ ଯାହା ମିଳିଲା ଖାଇବାକୁ ଦେଇଯାଉଛନ୍ତି । ସରପଂଚମାନଙ୍କ ମଧ୍ୟରେ ଅଧିକାଂଶ ଟାଉଟର୍ । ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଘୋଷଣା ହେଲା ଦିନ ବିଧାୟକ ମହୋଦୟ ଶୁଭେଚ୍ଛାପତ୍ରରେ ନିଜଭାଗଟା ଠାରରେ ଲେଖିକି ପଠେଇଛନ୍ତି । ସରପଂଚର ସେ କଣାକଥାରେ ବିଶ୍ୱାସ ନାହିଁ । ଆଉଥରେ କନଫର୍ମ ହେବାକୁ ବିଧାୟକ ମହାଶୟଙ୍କୁ ଫୋନ୍କରି କହିଲା, ‘ସାର୍ ମୁଣ୍ଡପିଛା ଶହେ କୋଡିଏ ଟଙ୍କା ମିଳୁଛି । କଣା କହୁଥିଲା ଯୋଉ ୨ଲେଖା ହୋଇଛି, ତା’ମାନେ ପାଂଚଲକ୍ଷରୁ ତୁମ ଭାଗ ଦୁଇଲକ୍ଷ! ବାକି ତିନିରୁ ମୋ’ଭାଗ ନେଇ କେତେବଂଚିବ ଯେ କେମିତି କ’ଣ ଖାଇବାପିଇବା କଥା ବୁଝିବି! ଟିଭି ଓ ଖବରକାଗଜ ସାମ୍ବାଦିକଗୁଡାଙ୍କୁ କ’ଣ କରିବି? ଆମ ଗାଁ ମେମ୍ବରଗୁଡା ବି ପାଂଚଲକ୍ଷ ନାଁ ଶୁଣି ନାଳ ଗଡଉଛନ୍ତି । ସରକାରୀ ଅଧିକାରୀ ଓ ଆକାଉଁଟସ୍ ବିଭାଗମାନଙ୍କର ତ ଫିକ୍ସ୍ ପନ୍ଦର ପରସେଂଟ୍ ।

ତୁମେ ନହେଲେ ଅନ୍ୟକାହାକୁ ଏଠିକି ପଠାଅ, ସେଇ ଦାୟିତ୍ୱ ନେଇ ସବୁ ବୁଝାବୁଝି କରୁ । ମୋତେ ହାତଟେକା ଯାହି ଦେଲେ ଦେବେ ନହେଲେ ନାହିଁ । ମୁଁ ନେଇ ଆଣି ଥୋଇପାରିଲା ଭଳି ଲାଗୁନି । ଶଳା! ଗୁଡ୍ୱକ କୋଉଠିକାର! ସରକାରୀ ସ୍କୁଲ୍ର ହାଜିରଖାତା ପରିକା ମିଛରେ ଦଶ କୋଡିଏ ଲୋକର ନାଁ ବାଁ ଡାହାଣ କରି ଲେଖେ । ସବୁଦିନେ ସମସ୍ତଙ୍କର ବେଟ୍ସିଟ୍, ତକିଆଖୋଳ ଓ ଗାମୁଛା ଆଦିକୁ ଡ୍ରାୟ୍ୱାସ୍ କରୁଛୁ ବୋଲି ହିସାବରେ ପକା । ତା’ଙ୍କ ଘର ଜଳଖିଆ ବି ତୋ ହିସାବଖାତାରେ ଯୋଡ । ଖଟ କିଣା ମହଙ୍ଗା ବିଲ୍ ଆଣ, ହାତଧୁଆ ପାଣି, ସାବୁନ, ବାଲ୍ଟିମଗ୍ ସବୁଥିରେ ଯୋଡାଯୋଡି କରି ପାଂଚଲକ୍ଷଟଙ୍କାର ହିସାବ ଦେଇଦେ, ମୋ’ଭାଗୁଟା ମୋ ପାଖରେ ଶୀଘ୍ର ପହଁଚେଇଦେ ।

କାଲି ତିନିମହଲାରୁ ଫୋନ୍ ଆସିଥିଲା । ସବୁ ପଂଚାୟତରୁ ଆସିଗଲାଣି, ଖାଲି ଆମରି ବିଧାନସଭା କ୍ଷେତ୍ରରେ ବାକି ଅଛି । ଏଥର ଖିଲାପ କଲେ ଆଗାମୀ କିସ୍ତିରେ ଖାଲି ଦସ୍ତଖତ କରିବ, ହେଲେ ପଇସା ମିଳିବନି । ସରପଂଚ ମୁଣ୍ଡ ଏ’ସବୁ କଥାରେ କିଛି କାମକରୁନି । ଏତିକି ବେଳକୁ ଅଭିନା ପଚାରୁଛି ଆମଘରେ ସତରେ ଖବର ଦେଇଥିଲ? ସରପଂଚ ବିଗିଡିକି କହିଲା ତୁମଘରେ କହିଲେ କେହି ତୋ’ପାଖକୁ ଆସିବେନି । ସୁରାଟ ଫେରନ୍ତା ସମସ୍ତଙ୍କୁ କରୋନା । ତା’ଙ୍କ ଦେହକୁ କାଳେ ଡେଇଁବ! ସେଥିପାଇଁ ସେମାନେ କେହି ଆସିବେନି । ଦିନ ବାରଟା ତିରିଶ । ଝରକା ପଛରେ ଅଭିନା ଦେଖିଲା ଭାଇଭାଉଜ ସାଙ୍ଗରେ ଝିଆରୀ ଛିଡା ହୋଇଛି । ଝରକାପାଖରୁ ତିନିଜଣ ଜାକିଜୁକି ଛିଡାହୋଇ ଘର ଭିତରକୁ ଚାହୁଁଛନ୍ତି ।

ଅଭିନା ଝରକା ପାଖକୁ ଦୌଡିଆସି ଅଭିମାନଭରା କଣ୍ଠରେ ଭାଉଜକୁ ପଚାରିଲା, – ‘ଏତେବେଳକୁ ସମୟ ହେଲା?’ ଭାଉଜ କହିଲେ, – ‘ଆମଠେଇ କିଛି କଥା ନାହିଁ । ତୁମ ଝିଆରୀଟା ପାଇଁ ଆମକୁ ଡର । କରୋନା ଛୁଅାଁଙ୍କୁ ଶୋଷି ଦେଉଛି । ତୁମକୁ ଦେଖିବାକୁ କାଲି ରାତିରେ ତ ରଙ୍ଗ ଆସିଥିଲା, ହେଲେ ଘରକୁ ଫେରିଲାନି । ବାପଘରକୁ ଚାଲିଯାଇଥିବ ବୋଧେ ।’ – ‘କାଇଁ, ରଙ୍ଗଫଙ୍ଗ କେହି ତ ମୋ’ପାଖକୁ କାଲି ଆସି ନାହାନ୍ତି । ତା’ବାପାପାଖକୁ ଦେଖି ଫୋନ୍ କରେ । କି୍ରଂ କି୍ରଂ..ବାପା! ପ୍ରଣାମ । ରଙ୍ଗ କାଲି ତୁମଘରେ କେତେବେଳେ ପହଁଚିଲା?’ – ‘କାଇଁ, ରଙ୍ଗ ତ ଆମଘରକୁ ଆସିନି । ତା’ମାମୁଁ ଘରକୁ ଚାଲି ଯାଇଥିବ । ମୁଁ ତା’ମାଇଁ ସାଙ୍ଗରେ କଥାହୋଇ ତୁମକୁ ଜଣେଇବି । ମୁଁ ଜାଣିଛି, ତୁମେ ସ୍କୁଲ୍ର ସଙ୍ଗରୋଧ ଘରେ ଅଛ ବୋଲି । ପୁଅ! ସେଇଠି ଚଉଦଦିନ ରହିଯା ଭଲ ହେବ । ଇଏ କି ରୋଗ କୁଆଡୁ ଆଇଲା, ସାଢେ ତିନିଲକ୍ଷ ଲୋକଙ୍କୁ ମାରି ସାରିଲାଣି । ହଉ ପୁଅ, ମୁଁ ଜଣେଇବି । ରଖୁଛି ।’ – ‘ରଙ୍ଗ ତ ତା ବାପାଘରକୁ ଯାଇନି । ତେବେ ଗଲା କୁଆଡେ?’ – ‘ତା ଧରମଭାଇ ନାରୁ ସାଙ୍ଗରେ ଆସିଥିଲା ।’ – ‘ନାରୁଫୋନ୍ ନମ୍ବର ମୋ’ପାଖରେ ନାହିଁ । ମୁଁ କହୁଥିଲି କାକାଘର ଗାଧୁଆଘର ପାଇଖାନାରେ ତୁମେମାନେ ଦୁଇସପ୍ତାହ ଚଳେଇନେଲେ ମୁଁ ଘରେ ରହି ପାରିଥାନ୍ତି ।

ସେମାନେ କହୁଛନ୍ତି ସୁରାଟରୁ ଯିଏ ଫେରୁଛି ଯଦି ଅଲଗା ଗାଧୁଆଘର ପାଇଖାନା ନାହିଁ ତେବେ ଘରକୁ ଛାଡିବେନି ।’ – ‘ଅଭିନା! ତୁମେ ସିନା ଖାଲି ଗାଧୁଆଘର ପାଇଖାନା କଥା କହୁଛ, ହେଲେ ତୁମ ଝିଆରୀକୁ କ’ଣ ଜଗିହେବ । ତୁମେ ଯେଉଁ ପିଣ୍ଡାରେ ଚାଲିବ, ସିଏ ସେଇ ପିଣ୍ଡାରେ ଚା ଲିବାକୁ ବାଧ୍ୟ । ତୁମେ ଘରୁ ବାହାରି ଯେଉଁ ରାସ୍ତାଦେଇ ଆମ ପାଇଖାନାକୁ ଯିବ, ଆମେ ସେଇ ଏକାରାସ୍ତା ଅତିକ୍ରମ କରି କାକାଙ୍କର ପାଇଖାନା ଯିବୁ । ତା’ପରେ ଭଲବେଳ କଥା ଅଲଗା । ଏବେ ଏଇ କରୋନାକାଳରେ କାକାକୁ ପଚାରିଲେ ସିଏ କ’ଣ କହିବେ ମା’ଗଙ୍ଗେ ଜାଣନ୍ତି । ସବୁଠାରୁ ଭଲହେବ ଏଇଠି ତୁମେ ରହିଯାଅ । ଭାଇ ପାଟି ପୂରା ଚୁପ୍, ଯେମିତି ମୌନବ୍ରତ କରିଛି । ଅଭିନା ଆଉ କିଛି କଥା କହିଲାନି । ତିନିଜଣ ଯାକ ଦଶମିନିଟ୍ ନୀରବରେ ଛିଡାହୋଇ ‘ଆସୁଛୁ’ ବୋଲି କହି ଚାଲି ଆସିଲେ ।

ସେମାନେ ଗଲାର ଘଂଟାଏପରେ ନାରୁସାଙ୍ଗରେ ଏବେ ରଙ୍ଗ ଆସିଛି । ଅଭିନା ରାଗରେ ରକ୍ତ ଚାଉଳ ଚୋବାଉଛି । ସଙ୍ଗରୋଧ ଘରେ ପନ୍ଦର ଷୋଳଜଣ ରୋଗି ଅଛନ୍ତି । ରଙ୍ଗକୁ କ’ଣ କହିବ କିଛି ଭାବି ପାରୁନି । ବହୁତ ସମୟ ପରେ ପଚାରିଲା, – ‘କାଲି କୋଉଠି ଥିଲୁ?’ – ‘ମୁଁ ଆମ ଘରକୁ ଯାଇଥିଲି?’ – ‘ତୋ’ବୋପାସାଙ୍ଗରେ ମୁଁ କଥାହୋଇ ସାରିଛି । ସତ କହ! କୋଉଠି ଥିଲୁ?’ – ‘ନାରୁ ଭାଇ ପରା ମୋ’ଧରମଭାଇ । ନାରୁଭାଇ ଘର ବି ଆମ ନିଜଘର ପରି । ମୁଁ ସେଇଠି ଥିଲି । ସେଇଟାକୁ ନିଜଘର ଭାବି ଏବେ ତୁମକୁ ଆମଘରକୁ ଯାଇଥିଲି ବୋଲି କହିଲି ।’ – ‘ଆଚ୍ଛା! କାଲି ରାତିରୁ ମୋ’ପାଖକୁ ଆସିବୁ ବୋଲି ଘରୁ ବାହାରିଲୁ, ଏ’ତେ ବେଳ କାହିଁକି ହେଲା?’ – ‘ମୁଁ ଭାବିଲି ତୁମେ ସାଇକେଲ ଚଲେଇ ଆସିଥିଲ ତ, ଥକି ଶୋଇ ପଡିଥିଲେ ସକାଳୁ ଡେରିରେ ଉଠିବ ।

ସେଥିପାଇଁ ମୁଁ ଜାଣିଜାଣି ଡେରିକରି ଆସିଲି ।’ – ‘ଛାଡ୍ , ଏବେ କହ ଏଠିକି କାହିଁକି ଆସିଛୁ?’ – ‘ତୁମର ଭଲମନ୍ଦ ବୁଝିବାକୁ, ତୁମକୁ ଦେଖିବାକୁ ।’ – ‘ମୋର ସବୁ ଭଲ । ଏଠି ବହୁତ ଭଲ । ଦେଖିଲୁ ତ ଏବେ ଯା’, ଆମକୁ ଖାଇବାକୁ ଡାକିଲେଣି । ମୁଁ ଆସୁଛି ।’ ଏମିତି କଥାହୋଇ ଅଭିନା ଖାଇବାକୁ ଭିତରପଟ ବାରଣ୍ଡାକୁ ଚାଲି ଆସିଲା । ନାରୁ ଓ ରଙ୍ଗ ପଛପଟେ ଛିଡା ହୋଇ ରହିଲେ । ଦଶମିନିଟ୍ରେ ଅଭିନା ଖାଇସାରି ଫେରିଲା ବେଳକୁ ଦେଖୁଛି ରଙ୍ଗ ଯାଇନି । ପୁଣି ଝରକା ପାଖକୁ ଆସି ପଚାରିଲା, – ‘ଯାଉନ, କାହିଁକି ଖରାରେ ଛିଡା ହୋଇଛ?’ – ‘ତୁମ ପାଖରେ କେତେଟଙ୍କା ଅଛି ଦେଇ ଦେଉନ!

ଏଠି ଚୋରୀଚାରି ହୋଇଯିବ?’ – ‘ଓଃ! କଥା ତେବେ ଏଠି? ମୁଁ ଭାବୁଛି, ଏତେ ଖରାରେ ମୋ’ସ୍ତ୍ରୀ ମୋତେ ଭଲପାଉଛି ବୋଲି ଛିଡା ହୋଇଛି । ଟଙ୍କାଫଙ୍କା ମୋ’ପାଖରେ କିଛି ନାହିଁ । ଯାଅ, ଏବେ ମୋତେ ନିଦ ମାଡିଲାଣି । ଏମିତି ଧମକେଇ ଦିପଦ ଶୁଣେଇବାରୁ ଦିଜଣ ଯାକ ସେଠାରୁ ଚାଲିଗଲେ ।

ଘରେ ପହଁଚି ରଙ୍ଗ ନାରୁ ଭାଉଜକୁ ସବୁକଥା କହିଲା । ଭାଉଜ ବୁଝେଇଦେଲା ଯେ ସିଏ ସେଇଠି ରହିଲେ ଭଲ । ଆମର ତ ଗୋଟିଏ ଗାଧୁଆଘର ପାଇଖାନା । ଆମେ କେମିତି ତାକୁ ଏ ଘରକୁ ଆଣିବା! ସିଏ ଥାଉ ସେଠି, ଚଉଦ ଦିନର କଥା । କାନ କୁଣ୍ଡେଇଲା ପରି ପଳେଇବ । ତା’ପରେ ଆସି ଘରେ ରହିବ । ଏଣେ ଅଭିନା ମନେମନେ କେତେକଥା ଭାବୁଛି । ତା ବାହାଘର ପୂର୍ବରୁ ସେଇ କୋଡିଏ ହଜାର ଉଧାର ଆଣି ଗାଧୁଆଘର ପାଇଖାନା ରଙ୍ଗ ପାଇଁ ଗଢେଇଥିଲା ଯେ ସେଇ ପଇସା ସୁଝିବା ପାଇଁ ସୁରାଟ ଗଲା । ଏବେ ତାକୁ ସେଇ ଗାଧୁଆଘର ପାଇଖାନା ମନା ହେଉଛି । ସୁରାଟରେ ରୋଜଗାର କରେ ମାସକୁ ତେର ହଜାର ଟଙ୍କା ।

ଝିଆରୀ ନାଁରେ ଫିକ୍ସ ଡିପୋଜିଟ୍ କୋଡିଏ ବର୍ଷପାଇଁ ମାସକୁ ଦୁଇଚହଜାର, ତା’ବାହାଘର ବେଳକୁ ତିନିଲକ୍ଷ ଟଙ୍କା ହେବ ଯେ ବହୁତ ବଡଲୋକଘରେ ତାକୁ ବାହା କରିବାରେ କକା ଅଭିନାର ଇଚ୍ଛା । ଭାଉଜ ନାଁରେ ଘରଖର୍ଚ୍ଚ ପାଇଁ ପଠାଏ ପାଂଚ ହଜାର । ସେଥିରୁ ଭାଉଜ ସ୍ୱୟଂସହାୟୀକା ଗୋଷ୍ଠିର ନେତ୍ରୀ ହିସାବରେ ମାସକୁ ଦେଢହଜାର ରଖୁଛନ୍ତି । ରଙ୍ଗପାଖକୁ ହାତ ଖର୍ଚ୍ଚପାଇଁ ପଠାଏ ଦେଢହଜାର ଏବଂ ନିଜେ ଚଳିବାକୁ ଘରଭଡା ଚାରିଶହ, ଇଲେକ୍ଟ୍ରିକ୍ ଚାର୍ଜ ଶହେ ଏମିତି ସବୁ ମିଶି ଦେଢହଜାର ଭିତରେ ନିଜଖର୍ଚ୍ଚ କରେ । ତା’ଭିତରୁ ବି ସବୁମାସରେ ଶହେ ଦୁଇଶହ ସଂଚିସଂଚି ଆସିଲାବେଳେ ଖାତା ବନ୍ଦକରି ସାଙ୍ଗରେ ପୂରା ଜମାପଇସା କୋଡିଏ ହଜାରେଟଙ୍କା ଆଣି ଆସିଛି । ସିଏ କେବେ ବି ଭାବିନଥିଲା ଯେ ଭାଇ, ଭାଉଜ, ଝିଆରୀ ଓ ରଙ୍ଗ ତା’ପ୍ରତି ଏମିତି ବ୍ୟବହାର ଦେଖେଇବେ ।

ସିଏ ଜାଣିଛି ତାକୁ କରୋନା ହୋଇନି । କିନ୍ତୁ ଭାବୁଛି ମୋତେ କରୋନା ହୁଅନ୍ତା କି! ମୁଁ ମରିଗଲେ ଭଲ ହୁଅନ୍ତା । ନିଜେ ଗଧଭଳି ଖଟି ଯେଉଁମାନଙ୍କୁ ଭଲରେ ଦେଖୁଥିଲି ସେମାନଙ୍କ ହୃଦୟରେ ମୋ ପ୍ରତି ତିଳେ ହେଲେ ଦୟାମାୟା ନାହିଁ! ସେମାନେ କ’ଣ ମଣିଷ ନୁହଁନ୍ତି? ଷୋଳଶହ ମାଇଲ୍ ସାଇକେଲ୍ରେ ମୁଁ କ’ଣ ପାଇଁ ଏତେ କଷ୍ଟକରି ଆସିଲି? ମୋ ଆସିବା ଖବର ପାଇ ଭାଇ ଭାଉଜଙ୍କୁ ସମୟ ଦ୍ୱିପହରେ ହେଲା ବେଳକୁ ସ୍ତ୍ରୀ ରଙ୍ଗ ଧରମଭାଇ ସାଙ୍ଗରେ ରାତିବିତେଇ ଅପରାହ୍ନରେ ଆସୁଛି । ଭଗବାନ୍! ମୁଁ ଏ ଦୁନିଆରେ ବଂଚିକି ଲାଭ କ’ଣ!ରିବର୍ଷରେ ଯେତିକି ପରିଶ୍ରମ ଯେତିକି ଓଭର୍ଟାଇମ୍ କରିଛି, ଆଉ କଣ ସେତିକି ଖଟି ପାରିବି? ଆଉ କଣ ସେମିତି ରୋଜଗାର ମୋ ଦ୍ୱାରା ସମ୍ଭବ ହେବ! ଏମିତି ଭାବିଭାବି ଖଟରେ ଗଡପଡ ହେଉଥିବା ବେଳେ ତା’ଙ୍କ ଗାଁର ନର୍ସଚାକିରି କରିଥିବା ସାବିତ୍ରୀ କଅଁର ରୋଗିଙ୍କର ତାପମାତ୍ରା ଦେଖିବାକୁ ସେଠିକି ଆସିଲେ ।

ଟର୍ଚ୍ଚ ପରିକା ମଥା ସାମ୍ନାରେ ଗୋଟାଏ ଯନ୍ତ୍ରରଖି କ’ଣ ଗୁଡାଏ ତା’ଖାତାରେ ଲେଖି ପକଉଥାନ୍ତି । ସିଏ ଅଭିନାକୁ ଚିହ୍ନି ରଙ୍ଗ ବିଷୟରେ ଏବେ ରଙ୍ଗ ଦେହ କେମିତି ଅଛି ବୋଲି ପଚାରିଲା । ଅଭିନା କହିଲା, -‘କାହିଁକି ପଚାରିଲେ? ଋଙ୍ଗର କ’ଣ ହୋଇଥିଲା କି?’ ତୁମେ ଜାଣିନ, ନା ଜାଣି ସିଆଣା!’ – ‘ନାଇଁ ଦିଦି କୁହ? ତା’ର ପରା ଦୁଇମାସ ଗଢିଯାଇଥିଲା, ଯେ ସେ ଆମ ଗୋଷ୍ଠିକେନ୍ଦ୍ରରୁ ଆରମାସରେ ଆସି ଗର୍ଭପାତ କରିବାକୁ ଔଷଧ ନେଇ ଯାଇଥିଲା? ତା’ପରେ ବୋଧହୁଏ ସବୁ ଠିକ୍ ହୋଇଗଲା ।’ – ‘ଦିଦି! ମୁଁ ତ ବର୍ଷେହେଲା ଘରକୁ ଆସିନି, ତା’ର ଦିମାସର ଗର୍ଭରହିଲା କେମିତି!’ – ‘ତୁମେ ସତ କହୁଛ! କଳିକାଳ କଥା , କାହାକୁ କ’ଣ କହିବ? ମର୍ଦ୍ଦ ବିଦେଶରେ ରହିଲେ ବି ଘରେ ସ୍ତ୍ରୀ ପେଟରେ ପିଲା ରହିଯାଉଛି । ଇଏ କଳିକାଳ କଥା, ଆଗରୁ ଏମିତି ହେଉନଥିଲା । ସେଦିନ କେତେ ଚିକ୍କଣ କଥା କହି ଔଷଧ ମାଗିଆଣିଲା! କହିଲା କ’ଣ ନା ମୋତେ ଅଠର ପୂରିନି, ପିଲା ଜନ୍ମକରିବାକୁ ଭାରି ଡରଲାଗୁଛି । ହଉ! ମୋ’ତେ ରିପୋର୍ଟ ଦେବାର ଅଛି, ମୁଁ ଆସୁଛି ।’

ଅଭିନା ମୁଣ୍ଡ ଭିତରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଲା । ଭାବିଲା ଏ ମିଛମାୟା ସଂସାରରେ ସିଏ ଠକାମିରେ ପଡିଯାଇଛି । ନିଜେ ଭଲ ନଖାଇ ନପିଇ ଯେଉଁମାନଙ୍କୁ ପଇସା ପଠେଇଲା ସେମାନେ ତାକୁ ଧୋକା ଦେଲେ । ଏହି ସମୟରେ ସେହି ସ୍କୁଲ୍ର ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ବାରିକ ସଙ୍ଗରୋଧ ଗୃହକୁ ବୁଲି ଆସିଲେ । ରାତ୍ରି ଆଠଟା । ସଙ୍ଗରୋଧ ଘରର ସମସ୍ତ ରୋଗି ତାଙ୍କରି ଛାତ୍ର । ବୁଢା ଦଶଟଙ୍କିଆ ବିସ୍କୁଟ୍ପ୍ୟାକେଟ୍ କୋଡିଏଟା ଧରି ତା ଛାତ୍ରମାନଙ୍କୁ ରାତ୍ରୀ ଭୋଜନ ଦେବାକୁ ଆସିଛି । ଅଭିନାକୁ ସତରେ ଭୋକ ହେଉଥିଲା । ସରପଂଚ ନେତା ଲୋକ, ନେଇ ଜାଣିଛନ୍ତି । ଦେବାକଥା ଶିଖିବେ କୋଉଠୁଁ? ଅଭିନା ସାର୍ଙ୍କ ହାତରୁ ବିସ୍କୁଟ୍ ପ୍ୟାକେଟ୍ ଧରୁଧରୁ କାନ୍ଦି ପକେଇଲା । ନିଜମୁଣ୍ଡ ତଳ ତକିଆ ଖୋଳରୁ ଦୁଇହଜାରଟଙ୍କିଆ ଗୋଲାପି ନୋଟ୍ ଦଶଖଣ୍ଡ ସମସ୍ତଙ୍କ ସାମ୍ନାରେ ଶ୍ୟାମସୁନ୍ଦର ବାରିକଙ୍କ ହାତରେ ଦେଇ କହିଲା, ‘ସାର୍! ତୁମର ଏଇସବୁ ଧର୍ମ କାମପାଇଁ ମୋ’ ତରଫରୁ ଏହା ଏକ ଛୋଟିଆ ଭେଟି । ରଖନ୍ତୁ ସାର୍ । ଯଦି ନ’ପାରିବେ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଜମା କରିଦେବେ । ଆମ ମୁଖ୍ୟମନ୍ତ୍ରୀ ନବୀନବାବୁ ବି ଆପଣଙ୍କ ପରି ସରଳ ଏବଂ ସଚ୍ଚୋଟ, ବହୁତ ଭଲ କାମ କରୁଛନ୍ତି ।’

ଶ୍ୟାମସୁନ୍ଦର ବାରିକ ସେଦିନ ନିଜର ସେ ମେଟ୍ରିକ୍ ଫେଲ୍ ଛାତ୍ରପାଇଁ ଗର୍ବ ଅନୁଭବ କଲେ । ତାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଶିକ୍ଷକଜୀବନରେ ସେ ବହୁତ ଓକିଲ, ଇଂଜିନିୟର, ଡାକ୍ତର, ମାଷ୍ଟର୍, କମ୍ପାଉଣ୍ଡର, ନର୍ସ ଆଦି ମଣିଷକୁ ନିଜର ଏଇ ହାତରେ ଗଢିଛନ୍ତି । କିନ୍ତୁ ଆଜି ସୁରାଟଫେରନ୍ତା ମାଟ୍ରିକ୍ ଫେଲ୍ ଛାତ୍ରଟିଏ ତାଙ୍କ ହାତରେ କୋଡିଏହଜାରେ ଟଙ୍କା ଗୁଞ୍ଜି କହୁଛି ଏ କରୋନାକାଳରେ ଆମରାଜ୍ୟ ପାଇଁ ଖର୍ଚ୍ଚ କରନ୍ତୁ । ଏଇଟା କ’ଣ ସାମାନ୍ୟ କଥା! ଅଭିନାଘରେ ସମସ୍ତଙ୍କୁ ସିଏ ଜାଣିଛନ୍ତି । ଭଲ ଚଳିବା ପକ୍ଷ ନୁହେଁ, କିନ୍ତୁ ଏଇ ଟୋକାଟା ବିଦେଶ ଗଲା ଦିନରୁ ଅବସ୍ଥା ସୁଧୁରିଛି । ତା’ଭାଇ ସପ୍ତାହକୁ ଥରେ ସାର୍ଙ୍କୁ ଅଲ୍ଲାରକ୍ଷୀ ମାଉଁସ ଦୋକାନରେ ଦେଖାହେଉଛି । ଝିଆରୀର ପୋଷାକ ହଳକୁ ଦୁଇତିନି ହଜାର ଟଙ୍କା ଉପରେ କିଣୁଛନ୍ତି । ଏସବୁ ପରେ ସେ ପ୍ରଥମଥର ପାଇଁ କାହାପାଖରୁ ଏମିତି ତା’ଙ୍କ ସତୁରିବର୍ଷ ଜୀବନକାଳରେ ଟଙ୍କା ଲୋକସେବା ପାଇଁ ଆଜି ପ୍ରଥମଥର ଗ୍ରହଣ କଲେ । ସେଦିନ ରାତିରେ ସେ ଛାତ୍ରଟି ପାଇଁ ମନ ପ୍ରଫୁଲ୍ଲିତ ଥିବାରୁ ସାର୍ଙ୍କୁ ଗାଢା ନିଦ ହେଲା । ସାର୍ ସେମାନଙ୍କୁ ଦେଖି ଘରକୁ ଆସି ଖାଇପିଇ ଶୋଇଗଲେ ।

ତାପରେ ଅଭିନା ସଙ୍ଗରୋଧଘରେ ସାଥୀଙ୍କୁ ପାଇଖାନା ଆସୁଛି ବୋଲି କହି ବାହାରକୁ ବାହାରିଲା । ସ୍କୁଲ୍ କୂଅଦଉଡିକୁ କାନ୍ଧରେ ଗଳେଇ ହତାଭିତର ଆମ୍ବଗଛ ଡାଳକୁ ଚଢିଯାଇ ସେଇଠି ବେକରେ ଫନ୍ଦାଲଗେଇ ଝୁଲିଯାଇଛି । ଆଉଜଣକୁ ଝାଡା ଲାଗିବାରୁ ସିଏ ଦଉଡି ଖୋଜିଲା ବେଳକୁ ନପାଇବାରୁ ଟର୍ଚ୍ଚମାରି ଆଖପାଖ ତନଖି ଦେଖିଲେ ଅଭିନା ଆମ୍ବଗଛରୁ ତଲକୁ ଝୁଲୁଛି । କେତେବେଳୁ ପ୍ରାଣ ଯାଇ ସାରିଲାଣି । ପୋଲିସ୍ ହାତରେ ଗ୍ଲୋବ ପିନ୍ଧି ଶବକୁ ଗଛତଳକୁ ଓହ୍ଲାଇ ବାରଣ୍ଡାରେ ଶୋଇ ସମସ୍ତଙ୍କୁ ଖବରକଲେ । ସେଇ ରାତି୍ର ତିନିଟାବେଳେ ପୋଲିସ୍ ଆସି ଶ୍ୟାମସାର୍ଙ୍କ କବାଟ ବାଡେଇ ଅଧା ନିଦରୁ ଉଠେଇ ସ୍କୁଲ୍କୁ ନେଇଗଲା । ବାରଣ୍ଡାରେ ଶୋଇଥାଏ ଅଭିନା ଓରଫ ଅଭିମନୁ୍ୟ ପ୍ରଧାନ । ବେକରେ ରଶି ଚିହ୍ନ, ଅଜଗର ଗଣ୍ଡିପରି ଗଳା ଫୁଲି ଯାଇଥାଏ ।

ଶବ ପାଖରେ ବାହୁନି ବାହୁନି କାନ୍ଦୁଥାନ୍ତି ଅଭିନାର ଭାଉଜ ଓ ସ୍ତ୍ରୀ ରଙ୍ଗ । ସାର୍ଙ୍କୁ ରାତିରେ ଡାକିବା କାରଣ ଅଭିନା ଦେଇଥିବା କୋଡିଏ ହଜାର ଟଙ୍କା ତା’ଭାଇକୁ ଶବସକôାର ଏବଂ ଶୁଦ୍ଧିକ୍ରିୟା ପାଇଁ ଦରକାର । ଶ୍ୟାମସୁନ୍ଦର ବାରିକ୍ ରୋକ୍ଠୋକ୍ କହିବା ଲୋକ, ସିଏ କହିଲେ ସେଥିରୁ ଗୋଟିଏ ଟଙ୍କା ବି ତୁମକୁ ମିଳିବନି । କାରଣ ମୋ ଛାତ୍ରର ଶେଷଇଚ୍ଛା ଯେ ଏ କୋଡିଏ ହଜାରେ ଲୋକଙ୍କ ସେବାରେ ଲାଗିବ । ମୁଁ ଯଦି ଅସମର୍ଥ ତେବେ ଏ ଟଙ୍କା ଆମ ମୁଖ୍ୟମନ୍ତ୍ରୀ ରିଲିଫ୍ଫଣ୍ଡରେ ଜମାହେବ । ଏବେ ତୁମର, ତୁମ ସ୍ତ୍ରୀର ଏବଂ ତା ସ୍ତ୍ରୀର ବ୍ୟାଙ୍କ ଖାତା ଚେକ୍ହେବ । ସେ ଗତ ଚାରିବର୍ଷ ଭିତରେ ତୁମମାନଙ୍କୁ କେତେକେତେ ପଇସା ସୁରାଟରୁ ପଠେଇଛି! ସେଗୁଡା ସବୁ ଏକାଠି କଲେ ଯଦି ତାର ଶୁଦ୍ଧିକ୍ରିୟା ହୋଇପାରିବନି ତେବେ ମୁଁ ମୋ’ହାତରୁ ସବୁଖର୍ଚ୍ଚ ବହନକରି ତା’ର ଶୁଦ୍ଧିକ୍ରିୟା କରିବି ପଛେ, ଏ’କୋଡିଏ ହଜାର ଟଙ୍କାରୁ ଟଙ୍କାଟିଏ ଦେବିନାହିଁ । ତା’ଛଡା ତୁମପାଖରେ କଣ ପ୍ରମାଣ ଅଛି ଯେ ସିଏ ମୋତେ ଦେଇଛି? ଜଲଦି ତା’ର ଶବନେଇ ସକôାର କର । ଶୁଦ୍ଧିକ୍ରିୟା ବନେ୍ଦାବସ୍ତ ଭଲରେ କର ।

କରୋନା ପାଇଁ ବଂଚିଗଲ, ନହେଲେ ପାଂଚ ପଂଚାୟତକୁ ତୁମେ ଖାଇବାକୁ ଦେଇଥାନ୍ତ । ତୁମରି ଯୋଗୁଁ ସିଏ ଆତ୍ମହତ୍ୟା କଲା । ତାରି ପଇସାରେ ଗଢା ଗାଧୁଆଘର ଓ ପାଇଖାନାକୁ ତା’କୁ ବ୍ୟବହାର କରିବାକୁ ମନା କଲ? ଛି ଛି । ଇଏ ଗୋଟାଏ ସ୍ତ୍ରୀ । ବାରବୁଲି ଛତରି । ବର୍ଷକ ପରେ ସୁରାଟରୁ ସ୍ୱାମୀ ଆସିଛି, ସିଏ ଚବିଶଘଂଟା ପରେ ଆସୁଛି ତାକୁ ଦେଖିବାକୁ? ମିଛ କାନ୍ଦଣା ପ୍ରହସନ ବନ୍ଦ କର । ତୁମେମାନେ ହିଁ ତାକୁ ମାରିଛ । ମୁଁ ଆମୂଳଚୂଳ ସବୁ ଜାଣେ । ଯେଉଁ ପରିବାର ପାଇଁ ସିଏ ଏତେ ତ୍ୟାଗ କଲା, ତା’ର ପ୍ରତିବଦଳରେ ତୁମେ କ’ଣ ଦେଲ ତା’କୁ? ଏତେବାଟରୁ ସାଇକେଲ୍ ପେଲିପେଲି ଆସିଥିଲା ସ୍ନେହଁଟିକେ ପାଇଁ, ମିଳିଲାନି ବୋଲି ସଂସାରକୁ ଛି କରିଦେଲା । ତା’ଆତ୍ମହତ୍ୟା ପାଇଁ ତୁମେମାନେ ସମସ୍ତେ ଦୋଷୀ । ସବୁ ସରି ଗଲାପରେ ଏ କୁମ୍ଭୀର କାନ୍ଦଣାର ମୂଲ୍ୟ କଣ? ରୋଗି ସାଙ୍ଗରେ ନୁହେଁ ରୋଗ ସାଙ୍ଗରେ ଲଢ ।

LEAVE A REPLY

Please enter your comment!
Please enter your name here